ରସକଲ୍ଲୋଳ/କ୍ରମେ ପ୍ରବେଶ ହୋଇଲା ଶରଦ

ଉଇକିପାଠାଗାର‌ରୁ
ରସକଲ୍ଲୋଳ ଲେଖକ/କବି: ଦୀନକୃଷ୍ଣ ଦାସ
କ୍ରମେ ପ୍ରବେଶ ହୋଇଲା ଶରଦ


ସପ୍ତଦଶ ଛାନ୍ଦ
ରାଗ - କଲ୍ୟାଣ ପଡ଼ିତାଳ


କ୍ରମେ ପ୍ରବେଶ ହୋଇଲା ଶରଦ ।
କମଳଧରେ ଦିଶିଲେ ବିଶଦ ।।
କୃପଣ ହୋଇଲେ ଅମୃତଦାନେ ।
କେବଳ ଭୟଦ ହେଲେ ଗର୍ଜନେ ।।
କକୁଭ ନଭ ଦିଶିଲେ ଶୋଭା ।
କଲେ ପ୍ରକାଶ ପୁଷ୍ପବନ୍ତେ ପ୍ରଭା । ୧ ।


କଳୁଷ ନଦୀଜଳରୁ ତୁଟିଲେ ।
କମଳ କୁମୁଦମାନେ ଫୁଟିଲେ ।।
କେଳି କଲେ ହଂସ କୋକ ସାରସ ।
କାମିନୀମାନଙ୍କ ସଙ୍ଗେ ବିଶେଷ ।।
କମଳାନେତ୍ର ଛଟକ ପ୍ରାୟେ ।
କ୍ରୀଡନ୍ତି ଶଫରୀ କମ୍ପାଇ କାୟେ । ୨ ।


କମନୀୟ ଦିଶେ ପୁଳିନ କୂଳ ।
କଠିନ ହୋଇଲେ ମହୀ ଜମ୍ଵାଳ ।।
କୃଷ୍ଣ ଅଙ୍ଗରେ ପୀତବାସ ପ୍ରାୟେ ।
କେଦାରେ ପକ୍ଵଶାଳୀ ଶୋଭାପାଏ ।।
କୁମାରୀ ଗୀତ ଶୁଭେ ବହୁତ ।
କରଇ ହରଷ ଜନଙ୍କ ଚିତ୍ତ । ୩ ।


କଉଁଠାରେ ଶ୍ଵେତଛତ୍ର ଆକୃତି ।
କମନୀୟ ଦିଶେ ଶିଳୀନ୍ଧ୍ରପନ୍ତି ।।
କାମଦେବ-ଶ୍ଵେତ-ଚାମର-ପ୍ରାୟେ ।
କାଶତଣ୍ଡି ଫୁଲ ଚଳନ୍ତି ବାୟେ ।।
କୁସୁମବନ୍ତ ବନ୍ଧୁକ ଫୁଲ ।
କାନ୍ତା କାନ୍ତ ଦନ୍ତବସନ ତୁଲ । ୪ ।



କାନ୍ତ ରହିତ କାନ୍ତା ପ୍ରାୟେ ହୋଇ ।
କଳାପୀକଳାପ ଅଙ୍ଗୁ ପକାଇ ।।
କେକା ଛାଡି ହେଲେ ମଉନବ୍ରତ ।
କଲେ ହଂସ ମାନସର ତ୍ୟକତ ।।
କଣ୍ଠରୁ ତାର-ଗ୍ରାମରେ ଯନ୍ତ୍ରୀ ।
କୀରେ ଗଗନେ ଗମନ କରନ୍ତି । ୫ ।


କପର୍ଦ୍ଦୀଯାନମାନେ ହେଲେ ମତ୍ତ ।
କଲେ ଲୋଧ୍ରତରୁ କୁସୁମଜାତ ।।
କୋରକିତ ହେଲେ ଅଗସ୍ତି ଦ୍ରୁମ ।
କଳାକର ଖଣ୍ଡ ପ୍ରାୟେ ସୁସମ ।।
କୃପଣ ଲୋକ ଲୋକ ପରାୟେ ।
କଷ୍ଟ ପାଇଲେ ଚାତକ ପକ୍ଷିଏ । ୬ ।


କମଳମୋଦକ-କୁମାର-ଦିଶେ।
କୁମ୍ଭମୁନି-ସୁତ ରାତ୍ରରେ ଦିଶେ ।।
କେତେ କହିବି ଶରଦ ବର୍ଣ୍ଣନା ।
କହିଲେ ଅନେକ ହୋଇବ ସିନା ।।
କମଳନେତ୍ର ଦେଖିଲେ ଦିନେ ।
କୁମୁଦବନ୍ଧୁ ଉଦୟ ଗଗନେ । ୭ ।


କରିଅଛି ସବୁ ଦିଗ ଧବଳ ।
କମନୀୟ ଦିଶେ ମହୀମଣ୍ଡଳ ।।
କର୍ପୂର ମୋତି ବିଞ୍ଚିଲା ପରାୟେ ।
କି ଅବା କ୍ଷିତି ହେଲା କ୍ଷୀରମୟେ ।।
କାହାର ଯଶ ପ୍ରକାଶ ହୋଇ ।
କେତେ ଶୁକଳକୁ ଦେଲା ଲୁଚାଇ । ୮ ।

କାଦମ୍ଵକୁଳ ନୋହି ଦେଖାଦେଖି ।
କଳରବ କରି ହୁଅନ୍ତି ଦୁଃଖୀ ।।
କୁଞ୍ଜର କୁଞ୍ଜ ନ ଥିଲା ପରାୟେ ।
କରାଇ ଜନମନକୁ ସଂଶୟେ ।।
କେ ବୋଲେ କାହା ହୃଦକୁ ଚାହିଁ ।
କୁବଳୟ ଫଳମାଳ ତୋ କାହିଁ । ୯ ।


କେ କାହା ପାଶକୁ ଏହି ସମୟେ ।
କରନ୍ତେ ଗତି ବେଶ କରି କାୟେ ।।
କରାଇଲା ପ୍ରତିବିମ୍ଵ ବାରଣ ।
କରେ ବାରଣକୁ ଯେହ୍ନେ ଆରଣ ।।
କାହାର ପୁର ସୁଧାଲେପରୁ ।
କରାଇ ନାହିଁ ପରତେ ଦୂରରୁ । ୧୦ ।


କେ କହିବ ଚନ୍ଦ୍ର ରଜନୀ ଶୋଭା ।
କରେ ଯେ ଉଗ୍ର ମନମଥପ୍ରଭା ।।
କୃଷ୍ଣ ଦେଖି ହେଲେ ତାହାର ବଶ ।
କଲେ ବିଚାର କରିବାକୁ ରାସ ।।
କମଳନେତ୍ର ସୁବେଶ ହୋଇ ।
କଦମ୍ଵ ତଳେ ବିଜେ କଲେ ଯାଇ । ୧୧ ।

କରେ ବେଣୁ ଧରି ବାଦନ୍ତି ଧୀରେ ।
କର୍ଣ୍ଣେ ଗୋପୀ ଶୁଣି ଧାମନ୍ତି ଖରେ ।।
କେ କେତେ ରୂପରେ ହୋଇଲେ ଭ୍ରମ ।
କହିବାକୁ ତାହା କେ ଅବା କ୍ଷମ ।।
କେ ବସି ବେଶ ହେଉ ଯେ ଥିଲା ।
କେ ବନ ଆଭୋଗ ଯାଏ ନ ଗଲା । ୧୨ ।

କାହା କବରୀ ନୋହିଥିଲା ବନ୍ଧା ।
କଲା ମୁରଳୀ ଧ୍ଵନି ତାକୁ ଧନ୍ଦା ।।
କଜ୍ଜ୍ବଳ ବୋଲି ଯେ କସ୍ତୁରୀ ନେଇ ।
କମଳଦଳ-ନୟନେ ରଞ୍ଜଇ ।।
କଜ୍ଜ୍ଵଳ କଲା କପାଳେ ଚିତା ।
କଲା ଉଚ୍ଚାଟ ତାକୁ ହତଚେତା । ୧୩ ।


କେ କଟିଭୂଷଣ କଣ୍ଠକୁ ଦେଲା ।
କଣ୍ଠଭୂଷଣ ଚରଣେ ଖଞ୍ଜିଲା ।।
କାହାର ଏକ ନୟନେ ଅଞ୍ଜନ ।
କେ ଧାଇଁଲା ଖରେ ଘେନି ଚନ୍ଦନ ।।
କେ ରସବତୀ କର୍ମ ଛାଡିଲା ।
କର୍ମ କରି କୃଷ୍ଣଶର୍ମ ଲୋଡିଲା । ୧୪ ।


କାହା କଟିତଟେ କିଙ୍କିଣୀମାଳ ।
କରନ୍ତେ ଗମନ ଶୁଭେ ମଞ୍ଜୁଳ ।।
କନ୍ଦର୍ପ କରୀ ଚାଲିବାରୁ ଖରେ ।
କନକଘଣ୍ଟୀ ଚଳିଲେ ମୁଖରେ ।।
କାହାର ଉଡେ ବାସ ଅଞ୍ଚଳ ।
କାମ ପତାକା ପରାୟେ ଚଞ୍ଚଳ । ୧୫ ।


କାହା ହୃଦରେ ମୋତିମାଳ ଲମ୍ଵେ ।
କନକ କୁମ୍ଭ ଉଚ୍ଚକୁଚ ଚୁମ୍ଵେ ।।
କାମ ମାଳାକାର ଶଙ୍ଖ ପୟରେ ।
କରେ କି ଅଭିଷେକ ଶମ୍ଭୁଶିରେ ।।
କାହାର ଝିଲିମିଲି ଝଲକେ ।
କାମ ଝମକ ନ ରହେ ପଲକେ । ୧୬ ।


କାହାର ଘାଗୁଡି, ବଳା ନୁପୂର ।
କରନ୍ତେ ଗତି ହୋଇଛି ମୁଖର ।।
କାମ କଉତୁକୀ ଗୋଡାଇବାରେ ।
କାଦମ୍ବ ନାଦ କି କରଇ ଖରେ ।।
କାହାର ମଣିମୟ କୁଣ୍ଡଳ ।
କମ୍ପିବାରେ ଶୋଭା ମୁଖମଣ୍ଡଳ । ୧୭ ।


କାମିନୀମାନେ ହୋଇ ଯୂଥ ଯୂଥ ।
କରନ୍ତେ ଗମନ ନ ପାନ୍ତି ପଥ ।।
କୃଷ୍ଣ ପାଇଁ ଏତେ ସୁବର୍ଣ୍ଣ ରଥ ।
କରିଛି ଭିଆଣ କି ମନମଥ ।।
କରିବ ନାନାବନ୍ଧେ ସମର ।
କରେ ପ୍ରତି ରହୁବରେ ସଞ୍ଚାଇ । ୧୮ ।


କୁବଳୟ ସଙ୍ଗ ପାଇବା ପାଇଁ ।
କେତେ ମାର୍ଗରେ ନଦୀମାନେ ଧାଇଁ ।।
କରନ୍ତି ଗମନ ଅଙ୍ଗକୁ ସ୍ଥିର ।
କୃଷ୍ଣ ଭେଟେ ଗୋପୀ ସେହି ପ୍ରକାର ।।
କଙ୍କଣାକୃତ ହୋଇ ରହିଲେ ।
କିପରି ବେଶ ଚନ୍ଦ୍ରକୁ ଶୋହିଲେ । ୧୯ ।


କୋଟି ମଦନ ମନୋହର ବେଶ
କରି ଦର୍ଶନ ହୋଇଲେ ହରଷ ।।
କେବଳ ଚିତ୍ରନାରୀ ପ୍ରାୟେ ହୋଇ ।
କାହାରି ପଲକ ପଡିଲା ନାହିଁ ।।
କେ ମହାମତ୍ତ ମୟୂରୀ ପ୍ରାୟେ ।
କୃଷ୍ଣମେଘ ଦେଖି ଆନନ୍ଦ ହୋଏ । ୨୦ ।


କାହା ନୟନ ତୃଷିତ ଚକୋରୀ ।
କାନ୍ତା ମୁଖଚନ୍ଦ୍ରେ ନିବେଶ କରି ।।
କରଇ କିରଣ ଅମୃତ ପାନ ।
କେବେ ହେଁ ମନ ନ କରଇ ଆନ ।।
କେ ଚନ୍ଦ୍ରକାନ୍ତ ପରାଏ ହେଲା ।
କହୁଁ କହୁଁ ଅଙ୍ଗ ତରଳି ଗଲା । ୨୧ ।


କାହା ମନ ଚନ୍ଦ୍ରକାନ୍ତି ପ୍ରକାଶ ।
କାହା ତାରକା ତାରକା ସନ୍ତୋଷ ।।
କାହା ଆନନ୍ଦ ସିନ୍ଧୁ ଉଛୁଳିଲା ।
କହୁଁ କହୁଁ ନେତ୍ରତଟ ବଳିଲା ।।
କାହାର ତାପ ହୋଇଲା ଶାନ୍ତି ।
କେ ନିଶାପ୍ରାୟେ ବଢାଇଲେ କାନ୍ତି । ୨୨ ।



କେ ଅଙ୍ଗଭଙ୍ଗୀ କରି ହାଇ ମାରେ ।
କର୍ଣ୍ଣକଣ୍ଡୁ କରଶାଖାରେ ବାରେ ।।
କେ କଟାକ୍ଷେ ଚାହିଁ ଅଳପ ହସି ।
କବରୀଭାର ଆନ କରି ଖୋସି।।
କରଇ କୁଚମୂଳ ପ୍ରକାଶ ।
କୃଷ୍ଣମାନସ କରିବାକୁ ବଶ । ୨୩ ।



କଉତୁକେ କୃଷ୍ଣ ବୋଲନ୍ତି ହସି
କି ଗୋ ଗୋପୀ ତୁମ୍ଭେ ଏଡେ ସାହସୀ ।।
କାହିଁ ପାଇଁ ଏତେ ରାତ୍ରେ ଅଇଲ ।
କୁଳ ଶୀଳ ଲାଜ କାହିଁ ଥୋଇଲ ।।
କେ ବୋଲେ ତୁମ୍ଭମାନଙ୍କୁ ଭୀରୁ ।
କରିଛି ବିଚାର ଅନାଇଁ ଦୂରୁଁ । ୨୪ ।



କେ କଲା ତୁମ୍ଭଙ୍କୁ ଏଡ଼େ ଅଜ୍ଞାନ ।
କହନ୍ତି ଗୋପୀ ତୁମ୍ଭ ବେଣୁସ୍ଵନ ।।
କରନ୍ତା ନାହିଁ ସେ ଯେବେ ଉଚ୍ଚାଟ ।
କିମ୍ପା କରନ୍ତୁ ଅବାଟକୁ ବାଟ ।।
କାହିଁକି ଗୃହ ପତି ଛାଡନ୍ତୁ ।
କାମ କୃତାନ୍ତ ମୁଖରେ ପଡନ୍ତୁ । ୨୫ ।


କର୍ଣ୍ଣେ ଶୁଣିମାରୁ ମୁରଳୀ ଗୀତ ।
କୁରଙ୍ଗ ପରାୟେ ହେଲୁ ମୋହିତ ।।
କେଶ ବାସ ନ ସମ୍ଭାଳି ଧାଇଁଲୁ ।
କୃଷିକ ପରାୟେ ଶ୍ରମ ପାଇଲୁ ।।
କଲୁ ଯେ ଆସି ଦର୍ଶନ ଅଙ୍ଗ ।
କ୍ରମେ ହୋଇଛୁ ଅନଳ ପତଙ୍ଗ । ୨୬ ।



କିମ୍ପା ଡାକିଲ ଗୋପୀ ଆସ ଆସ ।
କରୁଛ ଏବେ କାହିଁକି ନିରାଶ ।।
କଲ ଆମ୍ଭଙ୍କୁ ସବୁ ରୂପେ ନାଶ ।
କୃପାଳୁ ହୋଇ ଦୟା ନାହିଁ ଲେଶ ।।
କାହିଁକି ଏବେ ଯିବୁ ତା କହ ।
କିଣିଛି ଆମ୍ଭଙ୍କୁ ତୁମ୍ଭ ସେନେହ । ୨୭ ।



କୃଷ୍ଣ ହସି ଅନୁରାଗ ବିସ୍ତାରି ।
କହିଲେ ତୁମ୍ଭେ ମୋ ପ୍ରାଣ-ଈଶ୍ଵରୀ ।।
କଣ୍ଠରେ ଅମୂଲ୍ୟ ନକ୍ଷତ୍ରମାଳୀ ।
କରିବା ଏବେ ଆସ ରାସକେଳି ।।
କାମିନୀମାନେ ଶୁଣି ସନ୍ତୋଷ ।
କଲେ ଆରମ୍ଭ ରାସରଙ୍ଗ ବେଶ । ୨୮ ।


କେ ଧରେ ବୀଣା କେ ଧରେ ମର୍ଦ୍ଦଳ
କେ ଧରେ ରବା କାହା କରେ ତାଳ ।।
କେ ଧରେ ଉପାଙ୍ଗ କେ ଧରେ ବଂଶୀ ।
କେ ସ୍ଵରମଣ୍ଡଳ ଘେନିଲା ବସି ।।
କାହାର କରେ ଦିବ୍ୟ ଚାମର ।
କେ ଆଲଟ ଖଦି ଧରି ବାହାର । ୨୯ ।


କହି ନୋହଇ ସେକାଳ ସମ୍ପତ୍ତି ।
କୋଟି ବ୍ରହ୍ମାଣ୍ଡନାଥ ଯହିଁ ଛନ୍ତି ।।
କଉ କଥା ଅବା ଅପୂର୍ବ ତହିଁ ।
କଟାକ୍ଷେ କୋଟି କୋଟି ଲକ୍ଷ୍ମୀ ଯହିଁ ।।
କୁବେର ଆଜ୍ଞାକାରୀ ଯାହାର ।
କରନ୍ତି ସେ ପ୍ରଭୁ ବନେ ବିହାର । ୩୦ ।


କାନନ ମଧ୍ୟେ ହୋଇଲେ ପ୍ରବେଶ ।
କାହାର ମନରେ ନାହିଁ ବିରସ ।।
କଳେବର କାନ୍ତି ଚନ୍ଦ୍ରକୁ ବଳି ।
କଳାକର କରେ ଉଠୁଛି ଝଳି ।।
କହିବ କଉଁ କବି ସେ ଶୋଭା ।
କାମବ୍ରହ୍ମ ଯହିଁ ପ୍ରତକ୍ଷେ ଉଭା । ୩୦ ।


କହି ନୋହଇ ସେକାଳ ସମ୍ପତ୍ତି ।
କୋଟି ବ୍ରହ୍ମାଣ୍ଡନାଥ ଯହିଁ ଛନ୍ତି ।।
କଉ କଥା ଅବା ଅପୂର୍ବ ତହିଁ ।
କଟାକ୍ଷେ କୋଟି କୋଟି ଲକ୍ଷ୍ମୀ ଯହିଁ ।।
କୁବେର ଆଜ୍ଞାକାରୀ ଯାହାର ।
କରନ୍ତି ସେ ପ୍ରଭୁ ବନେ ବିହାର । ୩୧।



କରମ୍ଵିତ ହୋଇ ଗୋପିକା ପନ୍ତି ।
କୃଷ୍ଣଙ୍କୁ ବେଢ଼ି ସୁନ୍ଦର ଦିଶନ୍ତି ।।
କାଳସ୍କନ୍ଧେ କି ସ୍ଵର୍ଣ୍ଣ ଆଳବାଳ ।
କଳାକରେ ଅବା ତାର ମଣ୍ଡଳ ।।
କନକଶକ୍ତି ମର୍କତ ଲିଙ୍ଗ ।
କରିବାକୁ ଲକ୍ଷ ବଚନ ଭୃଙ୍ଗ । ୩୨ ।


କରନ୍ତି ରାସ ଅତି ଅନୁରାଗେ ।
କର୍ଣ୍ଣପ୍ରିୟ ହୋଏ ଗ୍ରାମବିଭାଗେ ।।
କଳକଣ୍ଠକଣ୍ଠୀ ଗାବନ୍ତି ଗୀତ ।
କରେ ଅର୍ଥ ଅଭିନୟ ଉଦିତ ।।
କରନ୍ତି ତାଳ ପାଦ ଘାତରେ ।
କେହି ଊଣା ନୋହେ ଲୟଭେଦରେ । ୩୩ ।


କମଳଦଳ-ନେତ୍ର ତାଳମୟ ।
କ୍ରୀଡାହେତୁ ରାସଭକ୍ତି ଉଦୟ ।।
କଣ୍ଠେ ମୁକ୍ତାବଳୀ କୋକିଳରବ ।
କରେ କଙ୍କଣ ମୁଖ ଚନ୍ଦ୍ରବିମ୍ଵ ।।
କନ୍ଦର୍ପରୂପ ବସନ୍ତବାସ ।
କରେ ଦୀନକୃଷ୍ଣ ତାହାଙ୍କୁ ଆଶ । ୩୪ ।