ରସ ରତ୍ନାକର
*ପ୍ରଥମ ଛାନ୍ଦ* (ରାଗ -କଳସା)
ରଘୁନାଥ ରାଜୀବ ଲୋଚନ ମନୋହର , ରସାସୂତା-ହୃଦୟ-ଚକୋର-ସୁଧାକର l
ରତିପତି-ଜିତ ଛବି ଶ୍ୟାମଳ-ସୁନ୍ଦର , ରମଣୀୟ ଦିଶେ ବେନି ଭୁଜେ ଚାପଶର l
ରକ୍ଷକୁଳ ନିର୍ମୁଳ-କାରଣେ ଅବତାର , ରକ୍ଷାକଲ ବିଭିଷଣେ ବଧି ଲଙ୍କେସ୍ୱର l
ରଜ ଲଭି ଯହିଁରୁ ଅହଲ୍ୟା ଶାପୁ ପାର , ରଞ୍ଜନ ଶ୍ରୀଚରଣେ ବନ୍ଦଇ ନିରନ୍ତର l
ରଚିବାକୁ ଗୀତ ଚିତ୍ତ ବଳି ଅଛି ମୋର , ରମେଶ କରୁଣା କରି ବାଞ୍ଛା ପୂର୍ଣ କର l
ରଚିବି ପ୍ରବନ୍ଧ ଉଷା-ଅନିରୁଦ୍ଧଙ୍କର , ରସିକ-ହୃଦ-କୁମୁଦେ ହେଉ ଶଶଧର l
ର-ଥାଇ ଆଦ୍ୟ ପ୍ରାନ୍ତରେ ଭାବ ସୁମଧୁର , ରସଯୁତ ପଦ ହେଉ ବୁଧ-ଚିତ୍ତହର ।
ରଜନୀଚର ଉତ୍ତ°ସ ବାଣ ମହାବୀର , ରସା ମଣ୍ଡଳେ ତା'ବୀରପଣ ସୁପ୍ରଚାର ।
ରତିପତି-ପର-ପରସନ୍ନେ ପାଇ ବର , ରବି ସଂଗେ ଉପମିତ ଦଶ ଶତ କର l
ରକ୍ତପୁର ରାଜଧାନୀ ପ୍ରସିଦ୍ଧ ନଗର , ରତ୍ନସାନୁ ସହ ରାଜପୁର ପଟାନ୍ତର l
ରଣ ପାଇଁ ଦିଗବିଜୟ କରି ମହାବୀର , ରସା-ରସାତଳ-ନାକ କଲା ସେ ବିହାର l
ରକ୍ଷରାଜେ କରିବାକୁ ସମ୍ମୁଖ ସମର , ରଥୀ କେହି ଧନୁ ଧରି ନ ହେଲେ ବାହାର ।
ରହିତ କରିବା ପାଇଁ ଭୁଜ ବ୍ୟଥା ତାର , ରସାଧରେ ପ୍ରହାରନ୍ତେ ହୋଇଯାନ୍ତି ଚୁର l
ରଣରଙ୍କ ବ୍ରହ୍ମାଣ୍ଡେ ନ ପାଇ ସମ ବୀର , ରତିଶ-ପର ନିକଟ ଗମିଲା ସତ୍ୱର l
ରଚିଲା ବଚନ,ନାଥ ଶୁଣ ସ୍ମର ହର , ରଙ୍ଗେ ମୋ ସହସ୍ର କର ପାଇ ତୁମ ବର l
ରଣ କରିବାକୁ କାହିଁ ନ ପାଇଲି ଶୂର , ରହିଲା ତ ବ୍ୟଥା ଭୁଜେ,ହେଉ ନାହିଁ ଦୂର l
ରହିଛ ଏକା ଆପଣ,କରିବି ସମର , ରଭସ ଭୁଜ-ବେଦନା ହେଉ ମୋ ଅନ୍ତର l
ରଜତଗିରି-ନାୟକ ବିହିଲେ ଉତ୍ତର , ରହ କିଛି ଦିନ ରିପୁ ଲଭିବୁ ପାମର ।
ରଥେ ତୋର ଅଛି ଯେଉଁ ଚିରାଳ ଶେଖର , ରସାରେ ପଡିବ ଛିନ୍ନ ହୋଇ ଯେ ବାସର l
ରଖି ନ ପାରିବୁ ଏହି ସଦର୍ପ ଆଚାର , ରହିବୁ ଧ୍ରୁବ ପରାୟେ ଛେଦ ହେବ କର l
ରକ୍ଷପତି ଶୁଣି ପ୍ରତ୍ୟାଗତ ନିଜପୁର , ରହିଲା ପ୍ରତୀକ୍ଷା କରି ଆସିବାକୁ ପର (ପ୍ରଥମ ଛାନ୍ଦ ସମାପ୍ତ)
*ଦ୍ୱିତୟ ଛାନ୍ଦ*
(ରାଗ- ଚୋଖୀ)
ରସିକ ବୁଧ ନିକର , ରସେ ଚିତ୍ତ ଦାନ କର ।
ଉଷା ନାମେ ସୂତା ଥିଲା ବଳି ସୂତ ର ।
ରମଣୀ କୂଳ ରତନ, ଲଭି ନବ ଯୌବନ
ହୋଇଲା ଜନ-ନୟନ-ବନ୍ଦୀ-ମନ୍ଦିର ,
ରସବତୀ ଶୋଭାସାଗର।
ରଙ୍ଗେ ମନ୍ଥି ଦେଲାଣି କୁଞ୍ଜ-କୁମର l (୧)
ରତ୍ନକୁଟ ପାୟୋଧର, ତହିଁ ବେଣୀ କାକୋଦର।
ମନ୍ଥନ ଭରେ ହେଲାଣି ଭ୍ରମ ବାହାର ।
ରଜନିକର ସୁହାସ, ପାରିଜାତକ ସୁବାସ ।
ଗମନ ଅଭ୍ରମୁଇଶ ପୀୟୂଷ ତାର।
ରମା, ରୁଚି, ଅତି ରୁଚିର ।
ରହିଛି ରଣର ବଧେ, ବିରହ ତାର ।(୨)
ରଙ୍ଗ ରାଜୀବ ଅଧରା , ଗମନ କରନ୍ତେ ଧରା
ମଣ୍ଡଳକୁ ମଣ୍ଡିଦିଏ ଚାଳି ପୟର ,
ରତିଶ କମାଣ ଭୁରୁ , ଯୁବାଜନ-ଦମ୍ଭଗୁରୁ
ଭୟଦ ଅଞ୍ଜନାଞ୍ଚିତ ନୟନ ଶର ,
ରମ୍ଭାଜିତ ଉରୁ ତାହାର ,
ରମ୍ଭା ନ୍ୟୁନ ହେବ ଚାହିଁ ଯୋଷିତବର l (୩)
ରଦରାଜି ମୋତିପନ୍ତି , ପରାୟେ ଶୋଭା ଦିଶନ୍ତି
ଭୁଜ-ବଲ୍ଲି-ହେମ-ପୁଷ୍ପମାଳା ପ୍ରକାର ,
ରମଣୀୟ ପଦତଳ, ପ୍ରବାଳ ସମ ମଞ୍ଜୁଳ
ପଞ୍ଚାନନ ପ୍ରାୟେ କ୍ଷୀଣ କଟି ସୁନ୍ଦର ,
ରସନିଧି ରମଣବର ।
ରବଥଜିତ ବଚନ ମୃଦୁ ମଧୁର। (୪)
ରକ୍ଷକୁଳ ମହୀପତି, ସୁତାକୁ ଯୌବନବତୀ
ଚାହିଁ ରଖାଇଲା ଅତି ଅଗମ୍ୟ ପୁର ,
ରଖାଇ ପ୍ରହରୀଗଣ , ପ୍ରଚଣ୍ଡେ ବୋଲେ ବଚନ
ଥିବ ସଦା ସାବଧାନ ଜେମା ଉପର ,
ରକ୍ଷ, ଯକ୍ଷ୍ୟ, ନର, କିନ୍ନର
ରଣବାସକୁ ନ ଯିବେ ହେଲେ ଇଶ୍ୱର l (୫)
ରସାଳସୀ ନାନା ରଙ୍ଗେ, ସହଚରୀ ଗଣ ସଂଗେ
ଅନ୍ତଃପୁର ମଧ୍ୟେ ରହି କରେ ବିହାର ,
ରବା ବଂଶୀ ସମର୍ଦଳ, ବଜାଇ ବାଦ୍ୟ ମଞ୍ଜୁଳ
କେତେବେଳେ ଅକ୍ଷ ଖେଳେ ହୋଇ ତତ୍ପର ;
ରସାଭୂଷା ଯୋଷାଶେଖର l
ରଙ୍ଗେ କଉତୁକେ ହରେ ନିଶା ବାସର (୬)