ରସ ରତ୍ନାକର/ପ୍ରଥମ ଛାନ୍ଦ
ରସ ରତ୍ନାକର ଲେଖକ/କବି: ପ୍ରଥମ ଛାନ୍ଦ |
ଦ୍ଵିତୀୟ ଛାନ୍ଦ→ |
ପ୍ରଥମ ଛାନ୍ଦ
(ରାଗ - କଳସା)
ରଘୁନାଥ ରାଜୀବ-ଲୋଚନ ମନୋହର,
ରସାସୁତା-ହୃଦୟ-ଚକୋର-ସୁଧାକର ।
ରତିପତି-ଜିତ ଛବି ଶ୍ୟାମଳ ସୁନ୍ଦର,
ରମଣୀୟ ଦିଶେ ବେନି ଭୁଜେ ଚାପଶର ।
ରକ୍ଷକୁଳ ନିର୍ମୂଳ-କାରଣେ ଅବତାର,
ରକ୍ଷା କଲ ବିଭୀଷଣେ ବଧି ଲଙ୍କେଶ୍ଵର ।
ରଜ ଲଭି ଯହିଁରୁ ଅହଲ୍ୟା ଶାପୁଁ ପାର,
ରଞ୍ଜନ ଶ୍ରୀଚରଣେ ବନ୍ଦଇ ନିରନ୍ତର ।
ରଚିବାକୁ ଗୀତ ଚିତ୍ତ ବଳିଅଛି ମୋର,
ରମେଶ କରୁଣା କରି ବାଞ୍ଛା ପୂର୍ଣ୍ଣ କର ।
ରଚିବି ପ୍ରବନ୍ଧ ଉଷା-ଅନିରୁଦ୍ଧଙ୍କର,
ରସିକ-ହୃଦ-କୁମୁଦେ ହେଉ ଶଶଧର ।
ର-ଥାଇ ଆଦ୍ୟପ୍ରାନ୍ତରେ ଭାବ ସୁମଧୁର
ରସଯୁତ ପଦ ହେଉ ବୁଧ-ଚିତ୍ତହର ।
ରଜନୀଚର-ଉତ୍ତଂସ ବାଣ ମହାବୀର,
ରସାମଣ୍ଡଳେ ତା' ବୀରପଣ ସୁପ୍ରଚାର ।
ରତିପତି-ପର-ପରସନ୍ନେ ପାଇ ବର,
ରବି ସଙ୍ଗେ ଉପମିତ ଦଶ ଶତ କର ।
ରକ୍ତପୁର ରାଜଧାନୀ ପ୍ରସିଦ୍ଧ ନଗର,
ରତ୍ନସାନୁ ସହ ରାଜପୁର ପଟାନ୍ତର ।
ରଣ ପାଇଁ ଦିଗ୍'ବିଜୟ କରି ମହାବୀର,
ରସା-ରସାତଳ-ନାକ କଲା ସେ ବିହାର ।
ରକ୍ଷରାଜେ କରିବାକୁ ସମ୍ମୁଖ ସମର,
ରଥୀ କେହି ଧନୁ ଧରି ନ ହେଲେ ବାହାର ।
ରହିତ କରିବା ପାଇଁ ଭୁଜବ୍ୟଥା ତା'ର,
ରସାଧରେ ପ୍ରହାରନ୍ତେ ହୋଇଯାନ୍ତି ଚୂର ।
ରଣରଙ୍କ ବ୍ରହ୍ମାଣ୍ଡେ ନ ପାଇ ସମ ବୀର,
ରତୀଶ-ପର ନିକଟ ଗମିଲା ସତ୍ଵର ।
ରଚିଲା ବଚନ , 'ନାଥ ଶୁଣ ସ୍ମର ହର,
ରଙ୍ଗେ ମୋ ସହସ୍ରକର ପାଇ ତୁମ୍ଭ ବର ।
ରଣ କରିବାକୁ କାହିଁ ନ ପାଇଲି ଶୂର,
ରହିଲା ତ ବ୍ୟଥା ଭୁଜେ, ହେଉ ନାହିଁ ଦୂର ।
ରହିଛ ଏକା ଆପଣ, କରିବି ସମର,
ରଭସ ଭୁଜ-ବେଦନା ହେଉ ମୋ ଅନ୍ତର ।
ରଜତଗିରି-ନାୟକ ବିହିଲେ ଉତ୍ତର,
ରହ କିଛି ଦିନ ରିପୁ ଲଭିବୁ ପାମର ।
ରଥେ ତୋର ଅଛି ଯେଉଁ ଚିରାଳ ଶେଖର,
ରସାରେ ପଡ଼ିବ ଛିନ୍ନ ହୋଇ ସେ ବାସର ।
ରଖି ନ ପାରିବୁ ଏହି ସଦର୍ପ ଆଚାର,
ରହିବୁ ଧ୍ରୁବ ପରାୟେ ଛେଦ ହେବ କର ।
ରକ୍ଷପତି ଶୁଣି ପ୍ରତ୍ୟାଗତ ନିଜ ପୁର,
ରହିଲା ପ୍ରତୀକ୍ଷା କରି ଆସିବାକୁ ପର ।