ସଙ୍ଗୀତ କଳ୍ପଲତା/ଚାନ୍ଦସୁନ୍ଦରମୁଖୀରେ ରେ
| ←ମାନ ସୁମନା, କରି ଦେ ମାନସୁ ମନା ରେ | ସଙ୍ଗୀତ କଳ୍ପଲତା ଲେଖକ/କବି: ଚାନ୍ଦସୁନ୍ଦରମୁଖୀ ରେ |
ଚାହିଁବୁ ଯେବେ ଶ୍ୟାମଦ୍ଯୁତିକି ରେ→ |
(ରାଗ କେଦାର)
ଚାନ୍ଦସୁନ୍ଦରମୁଖୀ ରେ,
ବୃନ୍ଦ ବୃନ୍ଦ କନ୍ଦର୍ପ ଶରମୟ ସର୍ପ ନ ଦିଏ ମୋ ଦର୍ପ ରଖିରେ ।ପଦ।
ରସାଇ ସାରସଦୃଶା ଲସା ମୋ ଦୁର୍ଦ୍ଦଶାରେ
ଦଶାରେ ତୋ ଲାଭ ମୋ ଭରସା ରସାଳସାରେ ।
ନିଶାରମଣକର, ବିଶାଳମଦହର,
ହସା ବିଭବହର, ମିଶା ମଧୁରତର,
ପ୍ରସାଦ ପରିହର, ରୁଷାରୁତ ନ କର,
ତୃଷା ମୋହର ହର କୃଶାନୁବରରେ ।୧।
ବଳାହକବିଜୟି କୁନ୍ତଳା ଲୀଳାବତୀରେ
ଝଳାଅ କୁଞ୍ଜରକୁମ୍ଭସ୍ଥଳାକୃତି ଛାତିରେ
ଗଳା ନବରତନ, କଳାପ ଅନୁଦିନ,
ଚଳାଚଳ ନୟନ, ଢଳା ରସକୁ ମନ,
ବଳାଅରେ ମଦନ, କଳାନିଧି ବହନ,
ବଳାପହକଦନ, ପଳାଉ ଧନରେ ।୨।
ଚରାଚର ବିଭୂଷଣା ଧରାଧରସ୍ତନା ରେ,
ପରାଣ ଅଛି ତୁ ଦେବା, କରାକରୁ ସିନାରେ,
ଧରା ତଳେ ମୋ ଗତି, ପରା ତୁ ଗଜଗତି,
ହରାରିଶରେ ନିତି ମରାଇ ଅକୀରତି,
ପରାଗରେ ଜଗତି, କରାଉଛୁ ଭରତି,
ଅରାଳଭୂରୁତତି, ଝରା ସୁଦତିରେ ।୩।
କହେ ଅଷ୍ଟଦୁର୍ଗନାଥ ସ୍ନେହେ ତୁ ଅଧୀନାରେ,
ଅହେତୁକ ରୋଷ ଛାଡ଼ ମହେଶମୋହନାରେ,
ବହେ ଅନବରତ, ଦହେ ମୃଦୁ ମରୁତ,
ସହେମ ମରକତ, ଗୃହେ ହୋଇ ମିଳିତ,
ତୁ ହେବୁ ରସରତ, ଦୁହେଁ ହେବା ସଙ୍ଗତ,
ମୁଁ ହେବି ମହୀଗତ, ମହେନ୍ଦ୍ରବ୍ରତରେ ।୪।
(ଟୀକା - ହେ ସାରସଦୃଶା, ତୋ ଲାଭ ଦଶାରେ ମୋ ଦୁର୍ଦଶାକୁ ଲସା ଅର୍ଥାତ୍ ଦୂର କର। ବଳାହକବିଜୟିକୁନ୍ତଳା - ମେଘ ଅପେକ୍ଷା ନୀଳତର କୁନ୍ତଳ ଯାହାର, କଳାନିଧିବହନବଳାପହକଦନ - ଶିବ ଶତ୍ରୁ ଅର୍ଥାତ୍ ମଦନର କଷ୍ଟ, କାରାର - କଣ୍ଟ, ଅରାଳଭୂରୁତତି - ବାଙ୍କଚାହାଣି। )