ସଙ୍ଗୀତ କଳ୍ପଲତା/ମାନ ସୁମନା, କରି ଦେ ମାନସୁ ମନା ରେ

ଉଇକିପାଠାଗାର ରୁ
Jump to navigation Jump to search
ସଙ୍ଗୀତ କଳ୍ପଲତା ଲେଖକ/କବି: ବଳଦେବ ରଥ
ମାନ ସୁମନା, କରି ଦେ ମାନସୁ ମନା ରେ

(ତାଳ: ଆଠତାଳି)

ମାନ ସୁମନା, କରି ଦେ ମାନସୁ ମନା ରେ। ଘୋଷା।

ଗିରିସମ ଜାଇ, ରାମା ଗିରିସମ ଜାଇ;
ଦେଇ ମୁଁ ପାରିଛି ତୋତେ ଗିରୀଶ ମଜ୍ଜାଇ। ୧।

ନାଗରାଜଗତେ ରେ ରାମା, ନାଗରାଜଗତେ;
ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ। ୨।

ତୋର ପରିକର ରେ ରାମା, ତୋର ପରିକର;
ଆଜି ସିନା ରତେ ମୋତେ ତୋର ପରି କର। ୩।

ଫୁଟିଲେ ନିଆଳି ରେ ରାମା, ଫୁଟିଲେ ନିଆଳି;
ଜଳପି ଜଳପି ତୋତେ ଫୁଟିଲେନି ଆଳି ରେ। ୪।

ରମ୍ଭାଊରୁ ବସି ରେ ରାମା ରମ୍ଭାଊରୁ ବସି;
ଅଙ୍କେ ଥିଲେ ନ ଗଣେ ମୁଁ ରମ୍ଭା ଉରୁବଶୀ ରେ। ୫।

ନବସୁରସା ରେ ରାମା, ନବସୁରସା ରେ;
ତୁ ପରା ମୋ ଅଙ୍କ ବିନା ନ ବସୁ ରସା। ୬।

ହରିଚନ୍ଦନକୁ ରେ ରାମା, ହରିଚନ୍ଦନକୁ;
ଘେନ ଯଥା ବସନ୍ତରେ ହରିଚନ୍ଦନକୁ। ୭।

(ଟୀକା - ହେ ସୁମନା, ମାନସରୁ ଅର୍ଥାତ୍ ମନରୁ ମାନକୁ ମନା କରି ଦେ, ଅର୍ଥାତ୍ ମନରେ ମାନ ରଖ ନା। ଗିରିସମ ଜାଇ - ପର୍ବତସମାନ ପ୍ରଚୁର ଜାଇଫୁଲ, ଗିରୀଶ ମଜ୍ଜାଇ - ମହାଦେବଙ୍କୁ ସନ୍ତୁଷ୍ଟ କରି, ନାଗରାଜଗତେ - ଶ୍ରେଷ୍ଠ ହାତୀ ପରି ଗତି ଯାହାର, ନାଗରା - ବାଦ୍ୟବିଶେଷ, ଜଗତେ - ସଂସାରରେ, ତୋର ପରିକର - ତୋ ଚାକର, ନିଆଳି - ଫୁଲ ବିଶେଷ, ଫୁଟିଲେନି - ବିକଶିତ ହେଲେଣି ଓ ଥକିଗଲେଣି, ଆଳି - ସଖୀ, ଜଳପିଜଳପି - କହିକହି, ରମ୍ଭାଊରୁ - କଦଳୀ ଗଛ ପରି ଊରୁ ଯାହାର, ରମ୍ଭା ଉର୍ବଶୀ - ସ୍ଵର୍ଗ ର ଅପସରା, ନବସୁରସା - ନୂଆ ରସିକ, ରସା - ପୃଥିବୀ, ହରିଚନ୍ଦନ - ଆଠଗଡ଼ର ରାଜା ଓ ଉତ୍କୃଷ୍ଟ ଚନ୍ଦନ)