ସଙ୍ଗୀତ କଳ୍ପଲତା/ରେ ସଙ୍ଗାତ, ରୁଷି ମୁଁ ବସିଲି

ଉଇକିପାଠାଗାର ରୁ
Jump to navigation Jump to search
ସଙ୍ଗୀତ କଳ୍ପଲତା ଲେଖକ/କବି: ବଳଦେବ ରଥ
ରେ ସଙ୍ଗାତ, ରୁଷି ମୁଁ ବସିଲି

(ରାଗ: ତୋଡ଼ିପରଜ)

ରେ ସଙ୍ଗାତ, ରୁଷି ମୁଁ ବସିଲି ଗେଲେ,
ମନ ମନସିଜ ଚକ୍ଷୁ ମୁଖ ଭୁଜ ଏମାନେ ମୋ ଶତ୍ରୁ ହେଲେ ରେ। ଘୋଷା।

ଦେଲି ଯେ ଗୁମାନ ଲାଞ୍ଚ ତୁ ଚଞ୍ଚଳ ନୁହ ମନ ବୋଲି କହି,
କେବେ ନ ଛୁଇଁଲା ସେ ବ୍ରଜ ଛଇଳା ଶୋଭା ସମ୍ପତ୍ତିରେ ରହି ରେ। ୧।

ରଖ ଧୃତି ମୋର ବୋଇଲି ଯେ ଛାର ମାରକୁ ପାଣି ପ୍ରସାରୀ,
ବିନ୍ଧ କୋଟି କୋଟି ବାଣ ନେଲା ହଟି ଦେଲା ମୋ ଆବୁର ସାରି ରେ। ୨।

ତଳ କଲି ମଥା ଜାଣି ଚପଳତା-ସମ୍ପନ୍ନ ବୋଲି ମୋ ଡୋଳା,
ନ ପଡ଼ି ଧରାରେ ମୁରଲୀଧରାରେ ରସି ରସି କଲା ଖେଳା ରେ। ୩।

ଏ ପାପ ଲପନ ଦିଶୁ ଥାଏ ଆନ ବେଳେ ସାଭିମାନ ପରି,
ଜାଣି ସେହି କାଳ ରହିଲା କେବଳ ହାସ ଉଲ୍ଲାସରେ ପୁରି ରେ। ୪।

ଭିଡ଼ି ଯେ ରଖିଲି ତେବେ ଭୁଜବଲ୍ଲୀ ତାହାରି ଅଶ୍ଳେଷେ ଟାକି,
ଟେକି ଯେ ହୋଇଲା କାଳେ ନ ରହିଲା ସ୍ତନମୂଳଚେଳ ବାକି ରେ। ୫।

ବୋଲେ ଶ୍ରୀମୁକୁନ୍ଦଦେବ ଅତି ଯତ୍ନେ ବୁଜିଲି ନୟନ ପୁଣି,
ଜାଣେ କି ମନ୍ତର ହେଲା ମୋ ଅନ୍ତରଗତ ସେହି ନୀଳମଣି ରେ। ୬।