ସଙ୍ଗୀତ କଳ୍ପଲତା/ରେ କିଶୋରୀ, ପଛେ ଛୁଇଁବୁ ମୋ ତନୁ
Jump to navigation
Jump to search
←ଚାହିଁବୁ ଯେବେ ଶ୍ୟାମଦ୍ଯୁତିକି ରେ | ସଙ୍ଗୀତ କଳ୍ପଲତା ଲେଖକ/କବି: ରେ କିଶୋରୀ, ପଛେ ଛୁଇଁବୁ ମୋ ତନୁ |
ମାନ ଅବା ଲାଜ, ନ ଜାଣିଲି ଆଜ→ |
(ରାଗ: ତୋଡ଼ିପରଜ)
ରେ କିଶୋରୀ, ପଛେ ଛୁଇଁବୁ ମୋ ତନୁ,
ପାସୋରି ପକାଅ ନୀପଅନାଉଣି ସୁଆଗ ତୁ ଆଗ ମନୁ। ଘୋଷା।
ମାତିଲା ନିକୁଞ୍ଜେ ଜଣାଯାଇ କୁଞ୍ଜେ ବୋଲି ହେଉଛି ଖାବର,
ନୋହି ମନ୍ଦାଦର ଏ ଅପବାଦର ଅପାୟ ଉପାୟ କର ରେ। ୧।
ହିତକୁ ଛାଡ଼ି ମୁଁ ନ କହେ ମୋ ପ୍ରାଣମିତକୁ କଦାପି ଆନ,
ଚିତ୍ତକୁ ନ ଆସୁ ଆସୁ ତା ମୁରଲୀ ଗୀତକୁ ନ ଦିଅ କାନ ରେ। ୨।
ନ ଜାଣିଲା ପରି ଇନ୍ଦିବରାଧରୀ ଚୁମ୍ବୁ ଯେ ଅନବରତ,
ହର ତୋତେ କୃପା କରନ୍ତୁ ମଦନକରତ ମୁଖୁଁ ବରତ ରେ। ୩।
ଧନ ମାନରେ ତୋ ଅଙ୍ଗେ ଯେ ପୁରିଛି ବନମାଳିକା ବାସନା,
ଛାଡ଼ିବି ମୁଁ ଆଜ ଏ କଥା ନିଆଜ ପହିଲେ କହିଲେ ସିନା ରେ। ୪।
କାହିଁକି ହେଲାଟି ଏପରି ପଲ୍ଲବ ତଳପରେ ସଢ଼ି ଦେହ,
ଜନେ ଯେ ପୁଚ୍ଛିବେ ତହିଁକି ଜବାବ ଜଳପ ଅଳପ ରହ ରେ। ୫।
ସହଚରୀ ପରିହାସ ହସି ଗୋରୀ ତାଡ଼ି ଅବତଂସଫୁଲେ,
ସେ ସମୟ ଛବି ଚିନ୍ତି ଚିତ୍ତେ କବିରବି ରାୟଗୁରୁ ବୋଲେ ରେ। ୬।