କବିତାବଳୀ/କେଦାର ଗୌରୀ
←ଉର୍ବଶୀ | କବିତାବଳୀ ଲେଖକ/କବି: କେଦାରଗୌରୀ |
ଚନ୍ଦ୍ରଭାଗା→ |
ହେମାଚଳ ଶିରେ ଲଲାଟ କେଶରୀ
ରଚିଲେ ରମ୍ୟ ନଗର
ଉତ୍କଳ ଭୁବନେ ଦେଶେ ଦେଶେ ଖ୍ୟାତ
ହେଲା ଭୁବନ-ଇଶ୍ୱର ।
ବିନ୍ଦୁ ସରୋବର ଚାରିପାଶେ ସୌଧ;
ସୌଧ ଅନ୍ତେ ଘୋର ବନ;
ଇନ୍ଦୁ ଚାରିଦେଗେ ଧଳା ମେଘମାଳା
ନୀଳ ଗଗନେ ଯେସନ ।
କେଦାର ଗୌରୀ କିଶୋର କିଶୋରୀ
ଥିଲେ ଭୁବନ-ଈଶ୍ୱରେ,
ତରୁଣୀ-ତିଳକ ଗଉରୀ; ତରୁଣ
ତିଳକ କେଦାର ନରେ ।
ସୁନ୍ଦର ପଣକୁ ନାହିଁ ପଟାନ୍ତର
ଏକକୁ ଆରେକ ବିନା;
ବାଳୁତ କାଳରୁ ଦୁହେଁ ଦୁହିଙ୍କର
ହୃଦୟ ମୂଲ୍ୟରେ କିଣା ।
ପାଖ ପଡ଼ିଶା ସେ ବେନି, କାନ୍ଥ ହେଲା
ବେନି ମଧ୍ୟେ ଅନ୍ତରାଳ,
ଦାରୁଣ କାନ୍ଥକୁ ଅନୁକ୍ଷଣ ଶାପ
ଦେଲା ପ୍ରେମ ଅସମ୍ଭାଳ ।
କାନ୍ଥକୁ ବଳିଣ ହେଲେ ନିଦାରୁଣ
ବେନିଙ୍କର ଗୁରୁଜନେ;
ମଙ୍ଗଳ ନିର୍ବନ୍ଧ ଅନ୍ଧ ହୋଇ ଭାଙ୍ଗି
ଦେଲେ ଅତି ବିଜ୍ଞ ପଣେ ।
ବେନି ହୃଦୟରେ ଖରତର ହୋଇ
ଜଳିଲା ପ୍ରୀତି ଅନଳ;
ମର୍ଯ୍ୟାଦା ପ୍ରକୃତି- ପଥେ ଦେଲେ ବାଧା
ଫଳେ ସିନା ଏହି ଫଳ ।
ଭେଟ ସମ୍ଭାଷଣ ବାରିଲେ ବାରଣ
ମାନେ କି ପ୍ରେମିକ ମନ ?
ସୂକ୍ଷ୍ମକୁ ସ୍ଥୂଳରେ ପଥ ଓଗାଳିଲେ
ସ୍ଥୂଳ କି ତହିଁ ଭାଜନ ?
ନିର୍ମାଣ ଦିନରୁ ପ୍ରାଚୀର-ସନ୍ଧିରେ
ରନ୍ଧ୍ର ଥିଲା ଅଲକ୍ଷରେ,
ତରୁଣ ତରୁଣୀ ଝୁରୁଥାନ୍ତି ତହିଁ
କରୁଣ ଅସ୍ଫୁଟ ସ୍ୱରେ ।
ପ୍ରଣୟ ଉଚ୍ଛ୍ୱାସ ବେଗେ ବୋହୁଥିଲା
ଗୁପତେ ସେ ରନ୍ଧ୍ର ପଥେ
ବାଧା ପାରି ସିନା ସାଧଇ ପୀରତି
ନିଜ କାର୍ଯ୍ୟ ଏହି ମତେ ।
ରବି ଅସ୍ତ ହେଲେ ବ୍ୟସ୍ତ ଦୁହେଁ ଯାଇ
ବସନ୍ତି ସେ ରନ୍ଧ୍ର ପାଶେ,
ବେନିଙ୍କ ବଦନ ଆପ୍ଲୁତ ହୁଅଇ
ବେନିଙ୍କର ଶୋକ ଶ୍ୱାସେ ।
କହନ୍ତି କାନ୍ଥକୁ 'ନିଦାରୁଣ' ! ଏଥି
କେଉଁ ବଡ଼ପଣ ତୋର
ତନୁରୁ ତନୁକୁ ଅନ୍ତର କରି ତୁ
ଲଭିବୁ ଦୁଷ୍କୃତି ଘୋର ।
ତନୁ ମେଳେ ବାଧା ଦେଇ ଆଚରିଲୁ
ଭଗାରିପଣ ଆମ୍ଭର,
ଲବେ ଦେଇ ଦ୍ୱିଧା ଚୁମ୍ବନ ସୁବିଧା-
ବିଧାନେ ସୁଦୟା କର !
ସାଧିଅଛୁ ହିତ କାନ୍ଥ ତୁ ବହୁତ
ଋଣୀ ଆମ୍ଭେ ତୋହଠାରେ
ବେନିଙ୍କ ବଚନ ବେନିଙ୍କ ଶ୍ରବଣେ
ଆସଇ ତୋହ କୃପାରେ ।
ପୃଷ୍ଠା ୨
ଏହିରୂପେ ଝୁରି ଚତୁର ଚତୁରୀ
ମେଲାଣି ନିଅନ୍ତି ଦୁଃଖେ,
ଯେ ଯାହା ପାଖରେ ଚୁମ୍ବ ଦେଉଥାନ୍ତି
ପ୍ରେମ ଭୋଳେ ରନ୍ଧ୍ର ମୁଖେ ।
କେତେଦିନ ଅନ୍ତେ ବେନିଏ ଏକାନ୍ତେ
ଏ ମନ୍ତ୍ରଣା କଲେ ସାର,
ପ୍ରେମର ସନ୍ୟାସୀ ସନ୍ୟାସିନୀ ହୋଇ
ଦୁହେଁ ଯିବେ ଦେଶ ପାର ।
ନଗର ପ୍ରାନ୍ତରେ ନିର୍ମଳ ନିର୍ଝର
କୁଟଜ-ବନ-ବେଷ୍ଟିତ,
ବେନିଙ୍କର ଭେଟ ତହିଁ ହେବ ବୋଲି
ବେନିଏ କଲେ ନିଶ୍ଚିତ ।
ଅସ୍ତଗାମୀ ରବି ବିଭା ଝଟକିଲା
ବଡ଼ଦେଉଳ ତ୍ରିଶୂଳେ,
ଭାର୍ଗବୀ ପୁଳିନୁଁ ହଂସରାଳୀ ଉଡ଼ି
ଗଲେ ଖଣ୍ଡଗିରି ଚୂଳେ ।
ବିନ୍ଦୁ ସରୋବରେ ସିନ୍ଦୂର ଲହରୀ
ଖେଳିଲା ମନ୍ଦ ସମୀରେ,
ରଥାଙ୍ଗ ମିଥୁନ ଦୀପଦଣ୍ଡି ଛାଡ଼ି
ଗଲେ ବିପରୀତ ତୀରେ ।
ତିମିର ରଜନୀ ଘୋଟିଲା ଅବନୀ
ଫୁଟିଲେ ତାରା ଗଗନେ,
ବନେ ଉପବନେ କୁସୁମ ଫୁଟିଲା
ବାସ ଚହଟି ପବନେ ।
ଅନ୍ଧାରେ ବାହାରି ପଙ୍କେରୁହ-ମୁଖୀ
ସଙ୍କେତ ସ୍ଥଳକୁ ଗଲା,
ପ୍ରେମରେ ମଜ୍ଜିଲେ ଅସାଧ୍ୟ ସାଧନ
ହେଳେ କରନ୍ତି ଅବଳା ।
କୁଟିଳ କେଶୀ କୂଟଜ ମୂଳେ ବସି
କାନ୍ତକୁ ରହିଲା ଚାହିଁ,
ପ୍ରୀତିରେ ଢ଼ାଳିଛି ମନ ପ୍ରାଣବୋଳା
ଆନ କଥା ମନେ ନାହିଁ ।
ଚୌଦିଗେ ଅନ୍ଧାର ହୃଦାକାଶ ତାର
ରାଜେ ପ୍ରେମ ସୁଧାକର,
କଣ୍ଟକ କାନନ ପୁଷ୍ପ ଉପବନ
କଲା-ପ୍ରେମ-ବାଜିଗର ।
ଉଇଁଲାଣି ଶଶୀ ଅନ୍ଧକାର ରାଶି
ଛାଡ଼ି ପଳାଏ ଗଗନ,
ବାରୁଣୀ ତିଳକ ପ୍ରାୟେ ଦିଶେ ଦେଖ
ଲିଙ୍ଗରାଜ ନିକେତନ ।
ସହସା ଭୀଷଣ ଶାର୍ଦ୍ଦୂଳ ଆସିଲା
ମୃଗ ମାରି ସେ ନିର୍ଝରେ,
ଶ୍ରୋଣିତେ ଆପ୍ଳୁତ ନଖଦନ୍ତ ତାର
ମୁଖରୁ ଶୋଣିତ କ୍ଷରେ ।
ବ୍ୟାଘ୍ର ଦେଖି ଭୀରୁ ଗହ୍ୱର ଭିତରେ
ଲୁଚିଲା ଭୟ ବିହ୍ୱଳେ,
ତରତରେ ଯାଉ ଉତ୍ତରୀୟ ଦେହୁ
ଖସି ପଡ଼ିଲା ଭୂତଳେ ।
ଜଳ ପିଇ ବନେ ବାହୁଡ଼ନ୍ତେ ବ୍ୟାଘ୍ର
ଭେଟିଲା ସେହି ବସନ,
ରକ୍ତ-ଲିପ୍ତ ମୁଖେ ଖଣ୍ଡ ଖଣ୍ଡ କରି,
ପକାଇଲା ସେହି କ୍ଷଣ ।
ବ୍ୟଗ୍ରେ ଗୌଣେ ଆସୁଁ ମାର୍ଗରେ କେଦାର
ଦେଖିଲା ବ୍ୟାଘ୍ର ପାହୁଲ,
ଗୌରୀ କଥା ଭାଳି ଅନିଷ୍ଟ ଶଙ୍କାରେ
ହୃଦୟ ହେଲା ଆକୁଳ ।
ସଙ୍କେତ ସ୍ଥଳରେ ରକ୍ତାକ୍ତ ଓଢ଼ଣା
ଭେଟି ପଡ଼ିଗଲା କ୍ରମେ,
ତୁଟିଲା ଛଟକେ ହୃଦୟର ତନ୍ତ୍ରୀ
ଶଲ୍ୟ ଫୁଟିଲା ମରମେ ।
ଗୌରୀକି ସମ୍ବୋଧି କହେ ବୀର କାନ୍ଦି
"ଆହାରେ ପରାଣେଶ୍ୱରି !
ତୋ ନିଧନଭାଗୀ ମୁହିଁ ସିନା, ଯେଣୁ
ନ ଆସିଲି ବେଗ କରି ।
ପୃଷ୍ଠା ୩
ଶ୍ୱାପଦ ସଙ୍କୁଳ ବନକୁ ନିଶିରେ
ପ୍ରାଣାଧିକାକୁ ପେଷିଲି ।
ଧିକ ଏ ପ୍ରାଣକୁ ! ଛାର ପ୍ରାଣ ନେଇ
କିମ୍ପା ଭବନେ ବସିଲି ?
ମୋତେ ମାରିବାକୁ ଦୁଃଖୁଁ ତାରିବାକୁ
ନାହିଁ କି ବନେ ଶାର୍ଦ୍ଦୁଳ ?
କରେ ଏ କୃପାଣ ଥାଉଁ କିମ୍ପା ମୁହିଁ
ହେଉଛି ଏଡ଼େ ଆକୁଳ ?"
ଆଦରେ କେଦାର ହୃଦେ ଜଡ଼ାଇଲା
ରୁଧିରେ ଆର୍ଦ୍ର ଓଢ଼ଣା,
ଦରଦର ବାରି ନୟନୁ ଝରିଲା
ସରିଲା ସର୍ବ ବାସନା ।
କୃପାଣ ଉଦରେ ଭୁଷିଦେଇ ପୁଣି
ନିଜ କରେ ନେଲା କାଢ଼ି,
ରକ୍ତସ୍ରୋତେ ତିନ୍ତି ଅବଶେ ଅବନୀ
ତଳେ ପଡ଼ିଲା କଚାଡ଼ି ।
ଗହ୍ୱରୁ ବାହାରି ଗୌରୀ ସୁକୁମାରୀ
ମିଳିଲା ଆସି ତକ୍ଷଣ,
ଭେଟ ନ ପାଇ ନିରାଶେ ଯିବ ବନ୍ଧୁ
ଏ ଭାବେ ମନ ଉଚ୍ଛନ୍ନ ।
ଚମକି ଦେଖିଲା ଚନ୍ଦ୍ରାନନୀ ବାଳା
ପୁଂସ ପଡ଼ିଛି ଅଗ୍ରତେ,
ମୃତ୍ୟୁ ଯନ୍ତ୍ରଣାରେ କମ୍ପୁଛି ଶରୀର
ରୁଧିର ଝରି ସନ୍ତତେ ।
ରମ୍ଭାପତ୍ର ପ୍ରାୟେ ଥରିଲା ରମ୍ଭୋରୁ
ସ୍ତମ୍ଭିତେ ହେଲା ସେ ଉଭା,
ମନପ୍ରାଣ ଯାକୁ ଦେଇଛି ନିରେଖି
ଦେଖିଲା ସେ ସେହି ଯୁବା ।
ମୁଣ୍ଡେ କର ମାରି ବିଧିକି ଧିକ୍କାରି
ଧରାରେ ଲୋଟିଲା ଧନୀ,
କାନ୍ତ ତନୁ କୋଳେ ଧରି ଦୁଃଖ ଭୋଳେ
ଚୁମ୍ବଦେଲା ଚନ୍ଦ୍ରାନନୀ ।
ଗଦଗଦ ସ୍ୱରେ କାନ୍ଦି କହେ ବାଳା-
"ଏ ଥିଲା ମୋ ଭାଗ୍ୟେ ପୁଣ,
ଏ କି ପ୍ରାଣନାଥ ! କି ଦୋଷ କଲି ମୁଁ ?
କିମ୍ପା ହେଲ ନିଦାରୁଣ ?
ତୁମ୍ଭ ବିନୁ ଗତି ନାହିଁ ଏ ଜଗତେ
ବିକା ମୁଁ ତୁମ୍ଭ ପୟରେ,
ପୟରେ ପଡ଼ି ମୁଁ କାତରେ ଡାକୁଛି
ଅନାଅ ଦାସୀକି ଥରେ ।"
ଚିର ପରିଚିତ ବୀଣାଜିଣା ବାଣୀ
ପ୍ରାଣମିତଣିର ଶୁଣି
ଚାହିଁଲା କେଦାର ଅନନ୍ତ ନିଦ୍ରାରେ
ମୁଦିଲା ନୟନ ପୁଣି ।
ଗଉରୀ କଷଣ ଏକାଳେ ଯେସନ
ତାକୁ କି ଅଛି ବଚନ ?
ଅନୁମାନ ପରା ଭବମାନେ ଏଥି
ଅନୁଭବ ହିଁ ଭାଜନ ।
ନିଜ ଉତ୍ତରୀୟ କାନ୍ତ ହୃଦେ ଦେଖି
ଜାଣିଲା ସବୁ ବୃତ୍ତାନ୍ତ,
ଆତ୍ମଘାତୀ ହେଲା ପ୍ରାଣନାଥ ତାର
ଭ୍ରମରେ ପଡ଼ି ଏକାନ୍ତ ।
କାନ୍ଦି କହେ ବାଳା "କର୍ମେ ଏହା ଥିଲା
ଦୈବ କଲା ଏତେ ସରି !
ପ୍ରେମେ ଭ୍ରାନ୍ତ ହୋଇ ପ୍ରାଣ ଦେଲେ କାନ୍ତ
ମୁଁ କି ଥିବି ପ୍ରାଣ ଧରି ।
ଅମୂଲ୍ୟ ଜୀବନ ଏ ଛାର ଜୀବନ
ହେତୁ କଲେ ବିସର୍ଜନ
ସଙ୍ଖାଳି ହରାଇ ପ୍ରାଣରଙ୍କ ହେବ
ମୁଁ କି ଏଡ଼େ ଅଭାଜନ ?
ପରଲୋକ ପଥେ କାନ୍ତ ପାଦ ଚିହ୍ନ
ଯିବି ମୁହିଁ ଅନୁସରି
ମୃତ୍ୟୁ ଘଟାଇଲା ଏ ବିରହ, ମୃତ୍ୟୁ
କରିଦେବ ସହଚରୀ ।"
ପୃଷ୍ଠା ୪
ଏକାମ୍ର ଈଶ୍ୱର ପ୍ରଭୁ ଦିଗମ୍ବର
ପାଦପଦ୍ମ ଧ୍ୟାୟି ଚିତ୍ତେ,
ସାହସ ବିନ୍ଧିଲା ହୃଦୟେ ଅବଳା
ପ୍ରାଣ ଦେବ କାନ୍ତ ପ୍ରୀତେ ।
ଧନ୍ୟ ସେ ପ୍ରୀତିକି ମରଣ ରୀତିକି
ପ୍ରୀତି ଯେ ପାରଇ ଜିଣି
ଶିରୀଷ ମୃଦୁଳା ଲବଣୀ ପିତୁଳା
ପ୍ରୀତି କଲା ସାହସିନୀ ।
ପଡ଼ିଲା କୃପାଣ ମୁନେ ମହାବେଗେ
ମୃତ କାନ୍ତ-ମୁଖ ଧ୍ୟାୟି,
ବକ୍ଷୋରୁହ ସନ୍ଧି ତଳେ ଫୁଟି ଅସ୍ତ୍ର
ପୃଷ୍ଠେ ବାହାରିଲା ଯାଇ ।
ସ୍ୱପ୍ନାଦେଶ ପାଇ ଉଷାଯୋଗେ ଯାଇ
ଲଲାଟକେଶରୀ ବୀର,
ଦେଖିଲେ ଯୁଗଳ କିଶୋରୀ କିଶୋର
ଶୋଇଛନ୍ତି ଝର ତୀର ।
ସନ୍ଧ୍ୟାରାଗ ବୋଳା ରଥାଙ୍ଗ ମିଥୁନ
ମୃତ କି ନବ ବିଚ୍ଛେଦେ ?
ଶ୍ରୀମୁଖ ଲାବଣ୍ୟ ଦିଶେ ସୁପ୍ରସନ୍ନ
ମୃତ୍ୟୁ ଛୁଇଁ ନାହିଁ ଖେଦେ ।
ବନ ଦେବତାଏ ବନ ପୁଷ୍ପ ତୋଳି
ଢାଳିଛନ୍ତି ବେନିପରେ,
ଦେବେ ଯଥା ପ୍ରେମ- ମହିମା ବୁଝନ୍ତି
ତା କାହୁଁ ବୁଝିବେ ନରେ ।
ବେନୀଙ୍କର ଗୁଣ ସ୍ମରି ଝୁରିହେଲେ
ଏକାମ୍ର ନଗର ଲୋକେ,
ବେନିଙ୍କ ଅନ୍ତିମ ମଣ୍ଡନ ବିହିଲେ
ଜରଜର ହୋଇ ଶୋକେ ।
ବେନିଙ୍କ ଅନଳ- ସଂସ୍କାର କରାଇ
ଦେଉଳ ତୋଳାଇ ତହିଁ,
ବେନିଙ୍କ ନାମରେ ପ୍ରତିମା ସ୍ଥାପିଲେ
ନରପତି ଆଜ୍ଞା ବହି ।
ସମାପ୍ତ