କବିତାବଳୀ/କେଦାର ଗୌରୀ

ଉଇକିପାଠାଗାର ରୁ
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
କେଦାରଗୌରୀ

ହେମାଚଳ ଶିରେ ଲ‌ଲାଟ କେଶରୀ
 ରଚିଲେ ରମ୍ୟ ନ‌ଗର
ଉତ୍କଳ ଭୁବନେ ଦେଶେ ଦେଶେ ଖ୍ୟାତ
 ହେଲା ଭୁବନ ଇଶ୍ୱର ।
ବିନ୍ଦୁ ସରୋବର ଚାରିପାଶେ ସୌଧ;
 ସୌଧ ଅନ୍ତେ ଘୋର ବନ;
ଇନ୍ଦୁ ଚାରିଦେଗେ ଧଳା ମେଘମାଳା
 ନୀଳ ଗ‌ଗନ ଯେସନ ।
କେଦାର ଗୌରୀ କିଶୋର କିଶୋରୀ
 ଥିଲେ ଭୁବନ ଈଶ୍ୱରେ,
ତରୁଣୀ-ତିଳକ ଗଉରୀ; ତରୁଣ
 ତିଳକ କେଦାର ନରେ ।
ସୁନ୍ଦର ପଣକୁ ନାହିଁ ପଟାନ୍ତର
 ଏକ‌କୁ ଆରେକ ବିନା;
ବାଳୁତ କାଳରୁ ଦୁହେଁ ଦୁହିଙ୍କର
 ହୃଦୟ ମୂଲ୍ୟରେ କିଣା ।
ପାଖ ପଡ଼ିଶା ସେ ବେନି, କାନ୍ଥ ହେଲା
 ବେନି ମଧ୍ୟେ ଅନ୍ତରାଳ,
ଦାରୁଣ କାନ୍ଥକୁ ଅନ୍ତକ୍ଷଣ ଶାପ
 ଦେଲା ପ୍ରେମ ଅସମ୍ଭାଳ ।
କାନ୍ଥକୁ ବଳିଣ ହେଲେ ନିଦାରୁଣ
 ବେନିଙ୍କର ଗୁରୁଜନେ;
ମଙ୍ଗଳ ନିର୍ବନ୍ଧ ଅନ୍ଧ ହୋଇ ଭାଙ୍ଗି
 ଦେଲେ ଅତି ବିଜ୍ଞ ପଣେ ।
ବେନି ହୃଦୟରେ ଖରତର ହୋଇ
 ଜଳିଲା ପ୍ରୀତି ଅନଳ;
ମର୍ଯ୍ୟଦା ପ୍ରକୃତି ପଥେ ଦେଲେ ବାଧା
 ଫଳେ ସିନା ଏହି ଫଳ ।
ଭେଟ ସମ୍ଭାଷଣ ବାରିଲେ ବାରଣ
 ମାନେ କି ପ୍ରେମିକ ମନ ?
ସୁକ୍ଷ୍ମକୁ ସ୍ଥୁଳରେ ପଥ ଓଗାଳିଲେ
 ସ୍ଥୁଳ କି ତ‌ହିଁ ଭାଜନ ?
ନିର୍ମାଣ ଦିନରୁ ପ୍ରାଚୀର-ସନ୍ଧିରେ
 ରନ୍ଧ୍ର ଥିଲା ଅଲକ୍ଷରେ,
ତରୁଣ ତରୁଣୀ ଝୁରୁଥାନ୍ତି ତ‌ହିଁ
 କରୁଣ ଅସ୍ଫୁଟ ସ୍ୱରେ ।
ପ୍ରଣୟ ଉଚ୍ଛ୍ୱାସ ବେଗେ ବୋହୁଥିଲା
 ଗୁପତେ ସେ ରନ୍ଧ୍ର ପଥେ
ବାଧା ପାରି ସିନା ସାଧଇ ପୀରତି
 ନିଜ କାର୍ଯ୍ୟ ଏହି ମତେ ।
ରବି ଅସ୍ତ ହେଲେ ବ୍ୟସ୍ତ ଦୁହେଁ ଯାଇ
 ବସନ୍ତି ସେ ରନ୍ଧ୍ର ପାଶେ,
ବେନିଙ୍କ ବଦନ ଆପ୍ଳୂତ ହୁଅଇ
 ବେନିଙ୍କର ଶୋକ ଶ୍ୱାସେ ।
କ‌ହ‌ନ୍ତି କାନ୍ଥକୁ 'ନିଦାରୁଣ' ! ଏଥି
 କେଉଁ ବଡ଼ପଣ ତୋର
ତନୁରୁ ତନୁକୁ ଅନ୍ତର କରି ତୁ
 ଲଭିବୁ ଦୁଷ୍କୃତି ଘୋର ।
ତନୁ ମେଳେ ବାଧା ଦେଇ ଆଚରିଲୁ
 ଭଗାରିପଣ ଆମ୍ଭର,
ଲବେ ଦେଇ ଦ୍ୱିଧା ଚୂମ୍ବନ ସୁବିଧା
 ବିଧାନେ ସୁଦୟା କର !
ସାଧିଅଛୁ ହିତ କାନ୍ଥ ତୁ ବ‌ହୁତ
 ଋଣୀ ଆମ୍ଭେ ତୋହଠାରେ
ବେନିଙ୍କ ବଚନ ବେନିଙ୍କ ଶ୍ରବଣେ
 ଆସଇ ତୋହ କୃପାରେ ।

 ପୃଷ୍ଠା ୨

ଏହିରୂପେ ଝୁରି ଚତୁର ଚତୁରୀ
 ମେଲାଣି ନିଅନ୍ତି ଦୁଃଖେ,
ଯେ ଯାହା ପାଖରେ ଚୁମ୍ବ ଦେଉଥାନ୍ତି
 ପ୍ରେମ ଭୋଳେ ରନ୍ଧ୍ର ମୁଖେ ।
କେତେଦିନ ଅନ୍ତେ ବେନିଏ ଏକାନ୍ତେ
 ଏ ମନ୍ତ୍ରଣା କଲେ ସାର,
ପ୍ରେମର ସନ୍ୟାସୀ ସନ୍ୟାସିନୀ ହୋଇ
 ଦୁହେଁ ଯିବେ ଦେଶ ପାର ।
ନ‌ଗର ପ୍ରାନ୍ତରେ ନିର୍ମଳ ନିର୍ଝର
 କୁଟଜ ବନ ବେଷ୍ଟିତ,
ବେନିଙ୍କର ଭେଟ ତ‌ହିଁ ହେବ ବୋଲି
 ବେନିଏ କଲେ ନିଶ୍ଚିତ ।
ଅସ୍ତଗାମୀ ରବି ବିଭା ଝଟକିଲା
 ବଡ଼ ଦେଉଳ ତ୍ରିଶୂଳେ,
ଭାର୍ଗବୀ ପୁଳିନୁ ହଂସରାଳୀ ଉଡ଼ି
 ଗଲେ ଖଣ୍ଡଗିରି ଚୂଳେ ।
ବିନ୍ଦୁ ସରୋବରେ ସିନ୍ଦୁର ଲହରୀ
 ଖେଳିଲା ମନ୍ଦ ସମୀରେ,
ରଥାଙ୍ଗ ମିଥୂନ ଦୀପଦଣ୍ଡି ଛାଡ଼ି
 ଗଲେ ବିପରୀତ ତୀରେ ।
ତିମୀର ରଜନୀ ଘୋଟିଲା ଅବନୀ
 ଫୁଟିଲେ ତାରା ଗ‌ଗନେ,
ବନେ ଉପବନେ କୁସୁମ ଫୁଟିଲା
 ବାସ ଚ‌ହଟି ପବନେ ।
ଅନ୍ଧାରେ ବାହାରି ପଙ୍ଖେରୁହ ମୁଖୀ
 ସଙ୍କେତ ସ୍ଥଳକୁ ଗଲା,
ପ୍ରେମରେ ମଜ୍ଜିଲେ ଅସାଧ୍ୟ ସାଧନ
 ହେଳେ କରନ୍ତି ଅବଳା ।
କୁଟୀଳ କେଶୀ କୂଟଜ ମୂଳେ ବସି
 କାନ୍ତକୁ ରହିଲା ଚାହିଁ,
ପ୍ରୀତିରେ ଢ଼ାଳିଛି ମନ ପ୍ରାଣବୋଳା
 ଆନ କଥା ମନେ ନାହିଁ ।
ଚୌଦିଗେ ଅନ୍ଧାର ହୃଦାକାଶ ତାର
 ରାଜେ ପ୍ରେମ ସୁଧାକର,
କଣ୍ଟକ କାନନ ପୁଷ୍ପ ଉପବନ
 କଲା-ପ୍ରେମ-ବାଜିଘର ।
ଉଇଁଲାଣି ଶଶୀ ଅନ୍ଧକାର ରାଶି
 ଛାଡ଼ି ପଳାଏ ଗ‌ଗନ,
ବାରୁଣୀ ତିଳକ ପ୍ରାୟେ ଦିଶେ ଦେଖ
 ଲିଙ୍ଗରାଜ ନିକେତନ ।
ସ‌ହସା ଭୀଷଣ ଶାର୍ଦ୍ଦୁଳ ଆସିଲା
 ମୃଗ ମାରି ସେ ନିର୍ଝରେ,
ଶ୍ରୋଣିତେ ଆପ୍ଳୁତ ନ‌ଖଦନ୍ତ ତାର
 ମୁଖରୁ ଶୋଣିତ କ୍ଷରେ ।
ବ୍ୟାଘ୍ର ଦେଖି ଭୀରୁ ଗ‌ହ୍ୱର ଭିତରେ
 ଲୁଚିଲା ଭୟ ବିହ୍ୱଳେ,
ତରତରେ ଯାଉ ଉତ୍ତରୀୟ ଦେହୁ
 ଖସି ପଡ଼ିଲା ଭୁତଳେ ।
ଜଳ ପିଇ ବନେ ବାହୁଡ଼ନ୍ତେ ବ୍ୟାଘ୍ର
 ଭେଟିଲା ସେହି ବସନ,
ରକ୍ତ-ଲିପ୍ତ ମୁଖେ ଖଣ୍ଡ ଖଣ୍ଡ କରି,
 ପକାଇଲା ସେହି କ୍ଷଣ ।
ବ୍ୟଗ୍ରେ ଚାଣ୍ଡେ ଆଗୁଁ ମାର୍ଗରେ କେଦାର
 ଦେଖିଲା ବ୍ୟାଘ୍ର ପାହୁଲ,
ଗୌରୀ କଥା ଭାଳି ଅନିଷ୍ଟ ଶଙ୍କାରେ
 ହୃଦୟ ହେଲା ଆକୁଳ ।
ସଙ୍କେତ ସ୍ଥଳରେ ରକ୍ତାକ୍ତ ଓଢ଼ଣା
 ଭେଟି ପଡ଼ିଗଲା କ୍ରମେ,
ତୁଟିଲା ଛଟକେ ହୃଦୟର ତନ୍ତ୍ରୀ
 ଶଲ୍ୟ ଫୁଟିଲା ମରମେ ।
ଗୌରୀକି ସମ୍ବୋଧି କ‌ହେ ବୀର କାନ୍ଦି
 'ଆହାରେ ପରାଣେଶ୍ୱରୀ,
ତୋ ନିଧନଭାଗୀ ମୁହିଁ ସିନା, ଯେଣୁ
 ନ ଆସିଲି ବେଗ କରି ।

 ପୃଷ୍ଠା ୩

ଶ୍ୱାପଦ ସଙ୍କୁଳ ବନ‌କୁ ନିଶିରେ
 ପ୍ରଣାଧିକାକୁ ପେଷିଲି।
ଧିକ ଏ ପ୍ରାଣକୁ ! ଛାର ପ୍ରାଣ ନେଇ
 କିମ୍ପା ଭବନେ ବସିଲି ?
ମୋତେ ମାରିବାକୁ ଦୁଃଖୁଁ ତାରିବାକୁ
 ନାହିଁ କି ବନେ ଶାର୍ଦ୍ଦୁଳ ?
କରେ ଏ କୃପାଣ ଥାଉଁ କିମ୍ପା ମୁହିଁ
 ହେଉଛି ଏଡ଼େ ଆକୁଳ ?
ଆଦରେ କେଦାର ହୃଦେ ଜଡ଼ାଇଲା
 ରୁଧିରେ ଆର୍ଦ୍ର ଔଢ଼ଣା,
ଝର ଝର ବାରି ନୟନୁ ଝରିଲା
 ସରିଲା ସର୍ବ ବାସନା ।
କୃପାଣ ଉଦରେ ଭୁଷିଦେଇ ପୁଣି
 ନିଜ କରେ ନେଲା କାଢ଼ି,
ରକ୍ତସ୍ରୋତେ ତିନ୍ତି ଅବଶେ ଅବନୀ
 ତଳେ ପଡ଼ିଲା କଚାଡ଼ି ।
ଗ‌ହ୍ୱରୁ ବାହାରି ଗୌରୀ ସୁକୁମାରୀ
 ମିଳିଲା ଆସି ତକ୍ଷଣ,
ଭେଟ ନ ପାଇ ନିରାଶେ ଯିବ ବନ୍ଧୁ
 ଏ ଭାବେ ମନ ଉଚ୍ଛନ୍ନ ।
ଚମକି ଦେଖିଲା ଚନ୍ଦ୍ରନନୀ ବାଳା
 ପୁଂସ ପଡ଼ିଛି ଅଗ୍ରତେ,
ମୃତ୍ୟୁ ଯନ୍ତ୍ରଣାରେ କମ୍ପୁଛି ଶରୀର
 ରୁଧୀର ଝରି ସନ୍ତ‌ତେ ।
ରମ୍ଭାପତ୍ର ପ୍ରାୟେ ଥରିଲା ରମ୍ଭୋରୁ
 ସ୍ତମ୍ଭିତେ ହେଲା ସେ ଉଭା,
ମନପ୍ରାଣ ଯାକୁ ଦେଇଛି ନିରେଖି
 ଦେଖିଲା ସେ ସେହି ଯୁବା ।
ମୁଣ୍ଡେ କର ମାରି ବିଧିକି ଧିକ୍କାରି
 ଧରାରେ ଲୋଟିଲା ଧନୀ,
କାନ୍ତ ତନୁ କୋଳେ ଧରି ଦୁଃଖ ଭୋଳେ
 ଚୁମ୍ବଦେଲା ଚନ୍ଦ୍ରାନନୀ ।
ଗଦଗଦ ସ୍ୱରେ କାନ୍ଦି କ‌ହେ ବାଳା
 ଏ ଥିଲା ମୋ ଭାଗ୍ୟେ ପୁଣ,
ଏ କି ପ୍ରାଣନାଥ ! କି ଦୋଷ କଲି ମୁଁ ?
 କିମ୍ପା ହେଲ ନିଦାରୁଣ ?
ତୁମ୍ଭ ବିନୁ ଗତି ନାହିଁ ଏ ଜଗତେ
 ବିକା ମୁଁ ତୁମ୍ଭ ପୟରେ,
ପୟରେ ପଡ଼ି ମୁଁ କାତରେ ଡାକୁଛି
 ଅନାଅ ଦାସୀକି ଥରେ ।
ଚିର ପରିଚିତ ବୀଣାଜିଣା ବାଣୀ
 ପ୍ରାଣମିତଣୀର ଶୁଣି
ଚାହିଁଲା କେଦାର ଅନନ୍ତ ନିଦ୍ରାରେ
 ମୁଦିଲା ନୟନ ପୁଣି ।
ଗଉରୀ କଷଣ ଏକାଳେ ଯେସନ
 ତାକୁ କି ଅଛି ବଚନ ?
ଅନୁମାନ ପରା ଭବମାନେ ଏଥି
 ଅନୁଭବ ହିଁ ଭାଜନ ।
ନିଜ ଉତ୍ତରୀୟ କାନ୍ତ ହୃଦେ ଦେଖି
 ଜାଣିଲା ସବୁ ବୃତ୍ତାନ୍ତ,
ଆତ୍ମଘାତୀ ହେଲା ପ୍ରାଣନାଥ ତାର
 ଭ୍ରମରେ ପଡ଼ି ଏକାନ୍ତ ।
କାନ୍ଦି କ‌ହେ ବାଳା "କର୍ମେ ଏହା ଥିଲା
 ଦୈବ କଲା ଏତେ ସରି !
ପ୍ରେମ ଭ୍ରାନ୍ତ ହୋଇ ପ୍ରାଣ ଦେଲେ କାନ୍ତ
 ମୁଁ କି ଥିବି ପ୍ରାଣ ଧରି ।
ଅମୁଲ୍ୟ ଜୀବନ ଏ ଛାର ଜୀବନ
 ହେତୁ କଲେ ବିସର୍ଜନ
ସଙ୍ଖାଳି ହରାଇ ପ୍ରାଣରଙ୍କ ହେବ
 ମୁଁ କି ଏଡ଼େ ଅଭାଜନ ?
ପରଲୋକ ପଥେ କାନ୍ତ ପାଦ ଚିହ୍ନ
 ଯିବି ମୁହିଁ ଅନୁସରି
ମୃତ୍ୟୁ ଘଟାଇଲା ଏ ବିରହ, ମୃତ୍ୟୁ
 କରିଦେବ ସ‌ହଚରୀ ।"

 ପୃଷ୍ଠା ୪

ଏକାମ୍ର ଈଶ୍ୱର ପ୍ରଭୁ ଦିଗମ୍ବର
 ପାଦପଦ୍ମ ଧ୍ୟାୟି ଚିତ୍ତେ,
ସାହସ ବିନ୍ଧିଲା ହୃଦୟେ ଅବଳା
 ପ୍ରାଣ ଦେବ କାନ୍ତ ପ୍ରୀତେ ।
ଧନ୍ୟ ସେ ପ୍ରିତୀକି ମରନ ରୀତିକି
 ପ୍ରିତୀ ଯେ ପାରଇ ଜିଣି
ଶିରିଷ ମୃଦୁଳା ଲବଣୀ ପିତୁଳା
 ପ୍ରିତୀ କଲା ସାହସିନୀ ।
ପଡ଼ିଲା କୃପାଣ ମୁନେ ମହାବେଗେ
 ମୃତ କାନ୍ତ-ମୁଖ ଧ୍ୟାୟି,
ବକ୍ଷୋରୁହ ସନ୍ଧି ତଳେ ଫୁଟି ଅସ୍ତ୍ର
 ପୃଷ୍ଠେ ବାହାରିଲା ଯାଇ ।
ସ୍ୱପ୍ନାଦେଶ ପାଇ ଉଷାଯୋଗେ ଯାଇ
 ଲ‌ଲାଟକେଶରୀ ବୀର,
ଦେଖିଲେ ଯୁଗଳ କିଶୋରୀ କିଶୋର
 ଶୋଇଛନ୍ତି ଝର ତୀର ।
ସନ୍ଧ୍ୟାରାଗ ବୋଳା ରଥାଙ୍ଗ ମିଥୁନ
 ମୃତ କି ନବ ବିଚ୍ଛେଦେ ?
ଶ୍ରୀମୁଖ ଲାବନ୍ୟ ଦିଶେ ସୁପ୍ରସନ୍ନ
 ମୃତ୍ୟୁ ଛୁଇଁ ନାହିଁ ଖେଦେ ।
ବନ ଦେବତାଏ ବନ ପୁଷ୍ପ ତୋଳି
 ଢାଳିଛନ୍ତି ବେନିପରେ,
ଦେବେ ଯଥା ପ୍ରେମ ମହିମା ବୁଝନ୍ତି
 ତା କାହୁଁ ବୁଝିବେ ନରେ ।
ବେନୀଙ୍କର ଗୁଣ ସ୍ମରି ଝୁରିହେଲେ
 ଏକାମ୍ର ନ‌ଗର ଲୋକେ,
ବେନିଙ୍କ ଅନ୍ତିମ ମଣ୍ଡନ ବିହିଲେ
 ଜରଜର ହୋଇ ଶୋକେ ।
ବେନିଙ୍କ ଅନଳ ସଂସ୍କାର କରାଇ
 ଦେଉଳ ତୋଳାଇ ତ‌ହିଁ,
ବେନିଙ୍କ ନାମରେ ପ୍ରତିମା ସ୍ଥାପିଲେ
 ନରପତି ଆଜ୍ଞା ବ‌ହି ।

 ସମାପ୍ତ