Jump to content

ବୈଦେହୀଶ ବିଳାସ/ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ

ଉଇକିପାଠାଗାର‌ରୁ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପଞ୍ଚବିଂଶ ଛାନ୍ଦ:ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ

ରାଗ - ଶଙ୍କରାଭରଣ

   

ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ ।
ବିରଚନେ ରାମ ରାମ ହୋଇଲେ ସ୍ତବଧ ।
ବିହିଲାକ ନର-ବାଣୀ !
ବିପଦ ନ ପୁଣ ଉପସ୍ଥିତ ହୁଏ ଶୁଣି । ୧ ।
ବିମଳ କେମନ୍ତ ଚନ୍ଦ୍ର ସେ ନ ମାରୁଁ ମରି ।
ବସିଲା କଳଙ୍କ ହୋଇ ଅଙ୍କେ ସେହିପରି ।
ବଧ ମୋହଯୋଗୁଁ ଏହି ।
ବିଶ୍ୱେ କଳଙ୍କ ନ କରୁ ରାମଚନ୍ଦ୍ର ମୁହିଁ । ୨ ।
ବିଗ୍ରହ ମାୟାମୃଗର ଜ୍ୟୋତି ବାହାରିଲା ।
ବପୁରେ ସେ ଦୁଷଣରିପୁର ମିଶିଗଲା ।
ବଡ଼ ସୁକୃତ ଶବର ।
ବାହୁଡି଼ଲେ ଭାର କରି ସୁମନସବର । ୩ ।
ବାଟରେ ଅନୁଜ ଭେଟ ମତି ବିରସିତା ।
ବୋଲେ ବୀର ସୀତା କାହିଁ କଲୁ ତୁ ଏକତା ।
ବକ୍ଷୁ ହୋଇଲେ ଅନ୍ତର ।
ବହଇ ଯେ ଥର ଭୟେ ହୃଦର ପଥର । ୪ ।
ବୋଇଲେ ସୁମିତ୍ରାସୁତ ଶୁଣ ରଘୁରାଣ ।
ବଣାହେଲେ ଜଣାଥାଉଁ ତୁମ୍ଭ ବୀରପଣ ।
ବାଣୀ ମୋର ନାମେ ତ୍ରାହି ।
ବିକାଶରୁ ସରୁମଧ୍ୟା ଭୀରୁ ଭୟ ବହି । ୫ ।
ବୈଦେହୀ ପ୍ରମାଣ ଫଳେ କଟୁ କରି ଜାତ ।
ବିଦାରିତ ହୃଦକ୍ଷେତ୍ର ସୀତା ନାମ ସତ ।
ବିନା ଭକ୍ଷଁ ଜନେ ବାମା ।
ବାଣୀ ସୁଧା ବୋଲେ ସୁରମତେ ନୋହେ ହେ ସମା । ୬ ।
ବିଜ୍ଞ ଯେଣୁ ଯୋଗୀ ତେଣୁ ଶ୍ରଦ୍ଧାରେ ନ ଶୁଣି ।
ବୋଲେ ରାମ ଶିବରୁ କେ ବଡ଼ ଯୋଗୀ ପୁଣି ।
ବହି ଅର୍ଦ୍ଧ ଅବୟବେ ।
ବିଦୁର ଶଙ୍କାରେ ଶୁଣୁଛନ୍ତି ରାତ୍ରଦିବେ । ୭ ।
ବଚନ ଦୀର୍ଘ ରଚନ ସତ୍ୱର ଗମନ ।
ବାଳା ଅନୁସରି ନ ଆସିବା ଦେଖି ଛନ୍ନ ।
ବିଚାରନ୍ତି ସ୍ନେହାଧୀନା ।
ବିମାନ ନୋହେ ସଦୋଷେ ଏବେ ହୋଷ ବିନା । ୮ ।
ବୃକ୍ଷ କରୁଣାରେ ସେ ନିରାଶ ଫଳ ବହି ।
ବନ୍ଧୁ ସ୍ୱାଧୀନଭର୍ତ୍ତୃକା ବୋଲି ଯେବେ ମୁହିଁ ।
ବାଡେ଼ ଲେଖିଥାଇଁ ସ୍ମରି ।
ବୋଲୁଥାଇ ଲେଖ ତବାଧୀନଭର୍ତ୍ତା କରି । ୯ ।
ବିରହୋତ୍କଣ୍ଠିତା ସାର ନାଗରୀରତନ ।
ବିଚାରି ତ ଥାନ୍ତା ନବ ନବ ଭାବମାନ ।
ବଚନକେ ମୁଁ ତାହାରି ।
ବନ୍ଧନେ କବରୀ ଆଣି ଆସିଛି ଚଉଁରୀ । ୧୦ ।
ବାସକସଜ୍ଜା ହୋଏ ମୁଁ ପାଶୁଁ ଗଲା କ୍ଷେଣେ ।
ବେଶ ସାରି ଶଯ୍ୟା କରି ନିରେଖେ ପ୍ରାଙ୍ଗଣେ ।
ବିପ୍ରଲବ୍ଧା ହୋଇ ଧନ ।
ବିକାଶ କୁସୁମକାଳେ ତେଜି କେଳି ସ୍ଥାନ । ୧୧ ।
ବାର ବାର ଅଭିସାର ମୋ ପାଶେ ପଣ୍ଡିତା ।
ବିପରୀତ ମାଗିବାରେ ହୁଅଇ ଖଣ୍ଡିତା ।
ବିଧି ପ୍ରୋଷିତଭର୍ତ୍ତୃକା ।
ବାନ୍ଧବୀକୁ କରିବାକୁ କରୁଅଛି ଦକା । ୧୨ ।
ବହିଥିବାରେ ଶରୀର ଜୀବନଈଶ୍ୱରୀ ।
ବହିବ ନାହିଁ କଳହାନ୍ତରିତା ଚାତୁରୀ ।
ବିବର୍ଜିତ ପ୍ରିୟାହୃଦ ।
ବିଚ୍ଛନ୍ଦରେ କେମନ୍ତେ କଲା ଆସପଦ । ୧୩ ।
ବୋଇଲେ ଦେହଳୀ ପାଶେ ମୃଗଭାର ଥୋଇ ।
ବାସ ଦେହରେ କି କରି ନିବାରିବୁ ତୁହି ?
ବିଳମ୍ବୁଁ ମୋ କରି ହଟ ।
ବିଧାନ ଯେ କରିଅଛୁ ଲୁଚିବା କପଟ । ୧୪ ।
ବିଲୋପ ନୋହିବୁ ରସବତୀ ପୁର ତମେ ।
ବିଧିରେ ପ୍ରସନ୍ନମୁଖୀ ହାସ ହୀରା କ୍ରମେ ।
ବିସ୍ତାରିତ କରି ପାଣି ।
ବେଶ୍ମେ ପଶି କୋଳକୁ ଆସରେ ପ୍ରିୟ ଭଣି । ୧୫ ।
ବୋଲିଥିଲୁ ଆଣ ଏକା ମୃଗଚର୍ମ ପୁଚ୍ଛ ।
ବାଛି ବାଛି ତୋଳି ଆଣିଅଛି ପୁଷ୍ପଗୁଚ୍ଛ ।
ବସ ସେ ଅଜିନେ ବେଗେ ।
ବାନ୍ଧଇଁ ମୁ ଁ କୁନ୍ତଳ ଚାମର ଫୁଲଯୋଗେ । ୧୬ ।
ବହିଛୁ ଶଙ୍କା ଚଉଁରୀ ଦେଇ ମୋର ହସ୍ତ ।
ବଦାଇବେ ରଚିବାକୁ କି ପୁରୁଷାୟିତ ।
ବୋଲିବାକୁ ନାହିଁ ତାହି ।
ବୋଇଲା ବଚନ ଆନ ହୋଇଛି ମୋ କାହିଁ ? ୧୭ ।
ବନ୍ଧୁ ତୁହି ଧନ ପ୍ରାଣ ତୁହି ସତେ ।
ବନ୍ଧୁ ଧନ ଦୂର କରି ଆଣିଛି ସଙ୍ଗତେ ।
ବିଗତ ତୁ ହେଲେ ରକ୍ଷା ।
ବ୍ରହ୍ମାଣ୍ଡରେ କି ରୂପରେ ଅଛି ସୁକଟାକ୍ଷା । ୧୮ ।
ବସଇ ହୃଦୟେ ଦୟା କଠିନ ଉରଜ ।
ବନ୍ଦ୍ୟ ଜଗତରେ ଜ୍ୟୋଷ୍ଠ ଅଟଇ ସହଜ ।
ବିକର୍ମରୁ ମୋର ହେଜି ।
ବରାରୋହା ଏମନ୍ତ ଭାବକୁ ଅଛୁ ଭଜିଅ । ୧୯ ।
ବିନତି ଇଙ୍ଗିତ ଛଳ ବଚନ ପ୍ରକାଶି ।
ବେଳେ ନ ପାରିଲେ ଯହୁଁ ବାଳା ମନ ତୋଷି ।
ବ୍ୟର୍ଥ ବାଚାଳେ ପଣ୍ଡିତ ।
ବୁଝାଇଲା ପ୍ରାୟ ଶାସ୍ତ୍ର ହୋଇଲା ତେମନ୍ତ । ୨୦ ।
ବକ୍ତବ୍ୟ ଲକ୍ଷ୍ମଣେ କି ଜାନକୀ କ୍ଷୀଣକୁକ୍ଷୀ ।
ବିଗ୍ର ହେଲା ରାକ୍ଷସୀ କପଟେ ଗଲା ଭକ୍ଷି ।
ବାଧ ବୋଲି ସ୍ତିରୀହତ୍ୟା ।
ବଧ ନ କଲାକୁ ଶୁଝାଇଲା ବଇରତା । ୨୧ ।
ବିଧାତା ନିର୍ମାଣ କଲା ବେ ଆନ କରିବ ।
ବୋଲୁଁ ପିତା ହା ରାମ ରାମ ଗଲା ଜୀବ ।
ବେଳ ପଡି଼ଲା ଲକ୍ଷ୍ମଣ ।
ବୋଲୁ ହା ରାମା ହା ରାମା ଯିବ ମୋ ପରାଣ । ୨୨ ।
ବିରଚି କରୁଣ ତୋତେ କୃପାସିନ୍ଧୁ ମିତ ।
ବୋଲଇ ଯେ ପ୍ରଥମୁଁ ପୀୟୁଷ କରି ଜାତ ।
ବଶ କରି କଲୁ ଶିବ ।
ବିଷ ଜନ୍ମାଇଲୁ ଆନ ଅର୍ଥେ ପାର ଯବ । ୨୩ ।
ବୋଲନ୍ତି ଯେ ଚନ୍ଦ୍ର ଶଶୀ କର୍ପୂର ହାଟକ ।
ବାର ଶଶୀ ମାତ୍ର କରେ ଜଗତ ଆଲୋକ ।
ବିଧ୍ୱଂସଇ ତମ ଘୋର ।
ବିବେକିରତନ ଧନ ମନେ ବେଳ କର । ୨୪ ।
ବସନ୍ତ ଋତୁ ତ ଅନ୍ତ ହୋଇ ନାହିଁ ଗୋରି ।
ବଚନ କୋକିଳ କିପାଁ ଛାଡି଼ଲା ମାଧୁରୀ ।
ବେଳୁ ବେଳୁ ସେ ଅଧିକ ।
ବିଭ୍ରମ ଜନ୍ମୁ ପାଦବେ ବିନୟ ସର୍ଜକ । ୨୫ ।
ବଲ୍ଲୀ ଆଲିଙ୍ଗନ ତ ତୁମ୍ଭର ନାହିଁ ଭଳି ।
ବିଯୋଗୀ ହେଲି ବିଶେଷେ ଅନୁସରିଥିଲି ।
ବାଳୀ କାହିଁ ଗଲା ଭାଷ ।
ବିକଶିତେ ପୁଷ୍ପେ ତ ନିର୍ଦ୍ଦୟ ହୋଇ ହସ । ୨୬ ।
ବୋଲାଉଛ କେ ରସାଳ କେ ପୁଣି ଅଶୋକ ।
ବିଭୀତକ କେହି କରି ତୁମ୍ଭ ମଧ୍ୟେ ଓକ ।
ବିନା ରସ ମୁଁ ହୋଇବି ।
ବୁଡି଼ ଶୋକରେ ଭୀତକ ହୋଇ ଦିନ ନେବି । ୨୭ ।
ବୋଲାଅ ଯେ ଫଳବନ୍ତ ମୋ ପ୍ରତିଆଶାରେ ।
ବିଫଳ ହୋଇଣ କିଏ ହୋଇବ ସଂସାରେ ।
ବି ହୃଦ ମୁଁ ନୋହେ ମିତ ।
ବହ ବୋଲି ତୁମ୍ଭେ ଜଟା ମୁଁ ବହିଛି ସତ । ୨୮ ।
ବିମୋହିତ ଏକ ପତ୍ର-ବାସ ସୁମନରେ ।
ବଳ୍କଳ ପିଧାନ ପୁଣି ଶାଖା ରଞ୍ଜନରେ ।
ବିଳସିତ କରେ ଖଗ ।
ବାର୍ତ୍ତା କହି ମୋ ପ୍ରିୟାର ନାଶ ହେ ଉଦ୍ବେଗ । ୨୯ ।
ବାତ ପଲ୍ଲବ ଚଳିଲେ ଯେଉଁ ମାର୍ଗେ ନଗେ ।
ବିବେକ ଏ ଠାରନ୍ତି ଅଛି କି ଏହି ଦିଗେ ।
ବାସ ନିକଟେ ଋଷିଙ୍କ ।
ବିଶୁଦ୍ଧ ବାକ୍ୟକୁ ଶିଖିଛନ୍ତି ସାରୀ ଶୁକ । ୩୦ ।
ବୋଲନ୍ତେ ରାମ ରାଘବ ଦାଶରଥି ତହିଁ ।
ବିବେଚନା ନାମ ଧରି ଡାକେ କି ବୈଦେହୀ ।
ବେଗି ହୋଇ ଦେଖି ମାର୍ଗ ।
ବୈଷ୍ଣବ ସରସୀ ପ୍ରାୟ ଚକ୍ରଚିହ୍ନେ ଯୋଗ । ୩୧ ।
ବଦନ୍ତି ଭ୍ରାତେ ସୁଦନ୍ତି ସୁଦନ୍ତୀଗମନୀ ।
ବଳେ ବସାଇ ସ୍ୟନ୍ଦନେ କେ ଗଲା କି ଘେନି ।
ବାରି-ରାଶି ମଧ୍ୟେ ମୋର ।
ବହିତ୍ର କଟାଇ ଧନ ହରିନେଲା ଜୂର । ୩୨ ।
ବାଣିଜ୍ୟ ବିହୀନେ କେହି ଜୀବନ ପୋଷିବି ?
ବର୍ଷ୍ମଶିଳେ କାହା ତନୁ ସୁବର୍ଣ୍ଣ କଷିବି?
ବାରବାନରୁ ସେ ଫାଇଁ ।
ବୃଦ୍ଧି ରତି ଲାଭ ମନ ଅନୁରୁପେ ପାଇ । ୩୩ ।
ବିହ୍ୱଳିଲା ମାନସ ଝିଲ୍ଲିକା ସ୍ୱନ ଶୁଣି ।
ବାଜୁଛି ତ ନୁପୁର ସଂଦ୍ରାବ ଯୋଷାମଣି ।
ବେଗି ପୁଣି ଏତେ ଭଣି ।
ବିଭଞ୍ଜନ ରଥକୁ ଦେଖିଲେ ଚାପପାଣି । ୩୪ ।
ବିଲୋଳ ଚିତ୍ତ ମୋ ଶୁଭ କର୍ମେ ଏ ଭଗନ ।
ବାମାଚୋର ଧରି ତାକୁ କରେ କି ଗମନ ।
ବଦେ ଭ୍ରମର କିଙ୍କିଣୀ ।
ବିରଚିବାରୁ କି ରଣ ରଣ ପୁଣି ପୁଣି । ୩୫ ।
ବାଣୀ ଶୁଣାଇବା ଭଳି ରହ ରହ ଡାକି ।
ବନ୍ଧୁ ରସସିନ୍ଧୁ ରସାଭୁଷା ବୋଲି ଟେକି ।
ବକ୍ତ୍ରତୁଲେ ବିଧୁ ତୁଲୁଁ ।
ବିଦ୍ୟମାନେ କବି ହୁଦପାତ୍ରେ ଲଘୁ କଲୁ । ୩୬ ।
ବ୍ରହ୍ମା ଯହୁଁ କାତ ତାକୁ ଦଳିଛୁ ପାଦରେ ।
ବନ୍ଧାଉ ଶାଟୀ ଧଟୀରେ ସିଂହକୁ ମଧ୍ୟରେ ।
ବିପକ୍ଷର ଜୀବନକୁ ।
ବଳାଇଛୁ ମୋର କରେ ଦେବାର ମନକୁ । ୩୭ ।
ବୋଲି ବୋଲି ଯାଉଁ ଏହା ଜଟାୟୁ ପିଚ୍ଛନ୍ତି ।
ବିଜ୍ଞାନ ହତ ଅନ୍ତରେ କହିଲା ଏମନ୍ତ ।
ବିଭୋ କୋଦଣ୍ଡଧାରଣା !
ବୈଦେହୀ ଘେନି ଗଲାଟି ଲଙ୍କାକୁ ରାବଣ । ୩୮ ।
ବିବାଦେ ମୁଁ ଭାଙ୍ଗିଲି ଶତାଙ୍ଗ ମୋତେ ହାଣି ।
ବସାଇ ପୁଷ୍ପକେ ଘେନି ଗଲା ରାମାମଣି ।
ବସା ମଧ୍ୟରୁ କପୋତୀ ।
ବନ୍ଦୀ କରି ଜାଲେ ଯଥା ଲୁବ୍ଧକେ ନିଅନ୍ତି । ୩୯ ।
ବିଜେ କର ଦକ୍ଷିଣେ ଦକ୍ଷିଣ ତୁମ୍ଭେ ଗୁଣେ ।
ବିଂଶକର ପ୍ରାଣ କ୍ଷୀଣ କର ତୀକ୍ଷ୍ଣବାଣେ ।
ବୋଲେ ବିସର୍ଜିଲା ଜୀବ ।
ବିହାୟସେ ରହି ଦିବ୍ୟରୁପେ କଲା ସ୍ତବ । ୪୦ ।
ବିମଳ ହୋଇ ଲଭିଲା ସେ ପରମଗତି ।
ବହ୍ନି ଯୋଗ କଲେ ଶବ ସ୍ୱୟଂ ରଘୁପତି ।
ବାସବରେ ବନ୍ଦ୍ୟ ଯେହି ।
ବିପ୍ର ପୋଷ୍ୟପୁତ୍ର ପ୍ରାୟ ପ୍ରେତକ୍ରିୟା ବିହି । ୪୧ ।
ବହିଲା ପ୍ରାୟେ କଳିନ୍ଦପର୍ବତୁଁ କାଳିନ୍ଦୀ ।
ବକ୍ଷସ୍ଥଳେ ପଡେ ଅଶ୍ରୁ ଗଲେ କାନ୍ଦି କାନ୍ଦି ।
ବୟାଳିଶ ପଦେ ଛାନ୍ଦ ।
ବିରଚନ ବୀରବର ଚିନ୍ତି ରାମଚନ୍ଦ୍ର । ୪୨ ।