Jump to content

ବୈଦେହୀଶ ବିଳାସ/ବକେ ବସିଥିଲା ଧ୍ରୂବ ଉପରେ

ଉଇକିପାଠାଗାର‌ରୁ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏକତ୍ରିଂଶ ଛାନ୍ଦ:

ରାଗ - ବରାଡୀ

ଆଷାଢ଼ ଶୁକ୍ଳବାଣୀ


ବକେ ବସିଥିଲା ଧ୍ରୂବ ଉପରେ । ବିଷ୍ଣୁ ପଦକୁ ଭଜିଲା ଉତ୍ତାରେ ।
ବଳକ୍ଷପକ୍ଷକୁ ଅଙ୍ଗରେ ବହି । ବହନ ସେ ତମନାଶନ ବିହି ।
ବକତା ଏ ଗିର ।
ବିଶ୍ରାମ ବାର୍ତ୍ତା କହିବା ସୁନ୍ଦର ।୧।
ବଧୁଁ କାମ ଧର୍ମେ ଅଛି ଜୀବନେ । ବଧୁକାମବଶେ ଭ୍ରମ ଏ ବନେ ।
ବାଉନୁ ଅଛ ଯେଉଁ ରମଣୀୟେ । ବିଶେଷ ଶୋଭା ତହୁଁ ରମଣୀଏ ।
ବିଂଶବାହୁ ରଥେ ।
ବିଲୋକିଛି ଗଲା ଦକ୍ଷିଣ ପଥେ ।୨।
ବିଷପ୍ରସୂନ ଇନ୍ଦୁ ନିତି ଦେଖେଁ । ବିଲକ୍ଷ୍ୟ ପ୍ରସନ୍ନ ନ ଥିଲା ମୁଖେ ।
ବାଷ୍ପ ହେଉଛି ନୟନୁ ଜନିତା । ବୋଲନ୍ତି ମୀନ ଉଦଗାରେ ମୁକୁତା ।
ବଡ ଊଣା ସେହି ।
ବାରିରେ ଲୁଚେ ଧରି ଭକ୍ଷେ ମୁହିଁ ।୩।
ବାସ ଚହଟି ଅଙ୍ଗ ଯାଉଥିଲା । ବେଢିଥିଲେ ରଥ ଭ୍ରମରମାଳା ।
ବର୍ଣ୍ଣ ଝଟକ ବିଜୁଳିରେ ନାହିଁ । ବାରିଦ ନିକଟେ ଦେଖିଛି ମୁହିଁ ।
ବୀଣା କି ମଧୁର ?
ବାହାରୁଥିଲା ଯେଉଁ ରାମସ୍ୱର ।୪।
ବୋଲିବ ତୁ ବୀଣା ଶୁଣିଲୁ କାହୁଁ । ବାଜଇ ସପତସ୍ୱରରେ ସେହୁ ।
ବର୍ଷାଭୁ ଧୈବତ ମୟୁର ଷଡ୍ଜ । ବନପ୍ରିୟରେ ପଞ୍ଚମ ସହଜ ।
ବାଜୁଛି ମୋ କର୍ଣ୍ଣେ ।
ବିଧିରେ ଏହିପରି ଆଉମାନେ ।୫।
ବାର୍ତ୍ତା ଶୁଣି ବର ଯାଚୁଁ କୃପାଳୁ । ବସାରେ ବର୍ଷାରେ ଆହାର ମିଳୁ ।
ବଳାକା ଭାଷୁ ଆଜ୍ଞାଦେଲେ ହେଉ । ବକୀ ଚତୁରମାସ ଆଣି ଦେଉ ।
ବଲ୍ଲଭୀ ଉଚ୍ଛିଷ୍ଟ ।
ବୋଲୁଁ ବୋଇଲେ ପାନ କରି ଓଷ୍ଠ ।୬।
ବୁଲି ପୁଣି ବନେ ବାରତା ରତା । ବିକାର କାଶ ହା ସିତା ହା ସୀତା ।
ବକ୍ଷପଲ୍ୟଙ୍କ ମୋ ତୋ ଶୟନକୁ । ବ୍ୟଥା ଦେଲା କି କୋମଳ ଅଙ୍ଗକୁ ।
ବିଦୁର ଏ ଦୋଷୁଁ ।
ବସୁ ନାହୁଁ କୋଳେ ଦିଶେ ତ ଦିଶୁ ।୭।
ବୋଳି ହୋଇ ଏବେ ବହୁ ଚନ୍ଦନ । ବିଞ୍ଚିଥିବି ତହିଁ କର୍ପୂର ଚୂର୍ଣ୍ଣ ।
ବିଗୁଣ ନ ଘେନିବି ଦେବୁ ଲେଖି । ବଳେ ଶ୍ରୀହସ୍ତରୁ ଆଜନ୍ମସୁଖୀ ।
ବକ୍ଷୋଜ ଯେ ନିନ୍ଦୁ ।
ବନ୍ଧୁ ଆଲିଙ୍ଗନେ ବିଲଗ ହୃଦୁ ।୮।
ବୋଇଲା କୁକୁଟ ଶୁଣି ସେକ୍ଷଣି । ବତିଶଲକ୍ଷଣୀ ଚାରୁଈକ୍ଷଣୀ ।
ବିହାୟସ ପଥେ ଗଲାଣି ରଥେ । ବସାଇ ନେଉଥିଲା ରକ୍ଷନାଥେ ।
ବିଳସେ କେ ଆଗ ।
ବିବେକ ହୋଇ ତା କଥାପ୍ରସଙ୍ଗ ।୯।
ବିଚାର କର ନା ବନ ପର୍ବତେ । ବୁଲି ସୁକୁମାରୀ ଶ୍ରବ ପ୍ରବର୍ତ୍ତେ ।
ବିମାନେ ତା ସଙ୍ଗେ ସୁଖାର୍ଥେ ଯାଇ । ବୁଝିବାରେ ମୋ ଅନୁରାଗ ନାହିଁ ।
ବାରିଧାରେ ଆକ୍ଷି ।
ବକ୍ଷଦେଶକୁ ପଙ୍କିଳ କରିଛି ।୧୦।
ବିଧିରେ ପ୍ରଜାପତି-ନପ୍ତା ଅର୍ଥୀ । ବ୍ୟାକୁଳ ବଳିବର୍ଦ୍ଦ ଯୋଚି ତଥି ।
ବଳେ ହରଷ ପ୍ରଜାଙ୍କୁ ଘଉଡି । ବୁଣିବାକୁ ପ୍ରେମରାଶିକି ଲୋଡି ।
ବଳ ଥିଲେ ତୁମ୍ଭେ ।
ବିଚ୍ଛେଦ (ଶି) ସୀରକୁ ଦ୍ୱନ୍ଦ୍ୱ ଆରମ୍ଭେ ।୧୧।
ବୀରଭଦ୍ର ଭଣି ଚରଣାୟୁଧ । ବିହାୟସେ ସେ କ୍ଷତ୍ରିୟ ପ୍ରସିଦ୍ଧ ।
ବହ ମୁକୁଟ କହିଲୁ ସନ୍ଦେଶେ । ବୋଲୁ ହେମଚର୍ମେ ହେଲା ଲାଳସ ।
ବୃକ୍ଷରେ କୋପନ ।
ବଚରେ ଯୁକ୍ତ ନ କହ ବଚନ ।୧୨।
ବାଣୀ ନ ଶୂଣ ପ୍ରଶ୍ରବଣ ଥାଇ । ବୋଲାଅ ଶାଖାବନ୍ତ ଶାଖା ନାହିଁ ।
ବିକାଶ କୁସୁମେ ହାସ ରଚନ । ବସନା ଉଚ୍ଚରେ ହୁଅ ପତନ ।
ବୋଲନ୍ତେ ଖସିଲେ ।
ବିବର୍ଣ୍ଣତା ମହୀଭୃତ ଦିଶିଲେ ।୧୩।
ବୈଦର୍ଭୀପତି ଅଇଲେ ଶଙ୍ଖୋଳି । ବିହରୁଁ ମାର୍କଣ୍ଦେୟ ଋଷି ମିଳି ।
ବାସାଞ୍ଚଳେ ଅଶ୍ରୁ ପୋଛି ଶ୍ରୀରାମ । ବେନି ମୁନିଙ୍କି ବିହିଲେ ପ୍ରଣାମ ।
ବୋଲନ୍ତି କୁମ୍ଭଜ ।
ବିବେକିଶେଖର ହୋଇ ଅଧୈର୍ଯ୍ୟ ।୧୪।
ବୋଇଲେ ରାମ କାମ ଭସ୍ମ ଗଲା । ବଲ୍ଲଭୀକି ତାର ସମ୍ୱର ନେଲା ।
ବସିଛି ଜୀବେ ଆନ ନେଲା ଭୀରୁ । ବଳି କ୍ଷତ ବଡ଼ ଅଛି ଏଥିରୁ ।
ବୋଧେ ମୁନିବର ।
ବସନ୍ତା ନାହିଁ ଦ୍ୱାସ୍ଥ ନିରୋଧର ।୧୫।
ବିଦେହ ଯେ ଦେହ ପାଇବ ପୁଣି । ବଧି ସମ୍ୱର ତା ରଖିବ ଆଣି ।
ବଳବନ୍ତ ସ୍ୱୟଂ ଅଛ ପରାଣେ । ବାଳି ବଧ ହେଲା ଯା ଏକାବାଣେ ।
ବଇରୀ ତୁମ୍ଭର ।
ବନ୍ଦୀ ହୋଇଥିଲା ତାହା କକ୍ଷର ।୧୬।
ବେଦନାସହ ତୋହେ ରାମ ଭାଷେ। ବନ୍ଦୀ ସେ ବଡ଼ ଭୟାଳୁ ରାକ୍ଷସେ।
ବିପି(ପୀ)ନେ ବିଚ୍ଛେଦ ଭୟରୁ କଳି। ବିରହାନଳ ଦେଉଥିବ ଜାଳି।
ବସି ଏକା ଘୋଷି।
ବଞ୍ଚିଥିବ ନିକି ପ୍ରୀତିଲାଳସୀ? ୧୭।
ବୋଧ ଦେଲେ ତତକାଳ ଅଗସ୍ତି। ବିଶ୍ଵଧାତ୍ରୀ ପୁତ୍ରୀ କନକଗାତ୍ରୀ।
ବାରଣ ନାମ ଆଦ୍ୟ ପ୍ରାନ୍ତାକ୍ଷରେ। ବ୍ୟକ୍ତ ମହାସୁର ନାମ ମଧ୍ୟରେ।
ବଞ୍ଚିଛି ଏ ନାମା।
ବାମା ବିଚ୍ଛେଦେ ଅତି ପ୍ରୀତିଧାମା। ୧୮।
ବାହୁଡ଼ୁଁ ବୋଲି ମାର୍କଣ୍ଡେୟ ପୁଚ୍ଛି। ବିଷ୍ଣୁ ପରା ପରାକ୍ରମ କାହିଁ ଛି।
ବହି ନାହାନ୍ତି ତ ଦରଅରିକି। ବହିଛନ୍ତି ଏକା ଦର ଅରିକି।
ବିପତି ବିହୀନ।
ବିପତ୍ତିଭଞ୍ଜନେ ହୋଇ ମଉନ। ୧୯।
ବିଶ୍ଵକେତୁ ଏ ପରତେ ହୁଅଇ। ବାଳୀ ବିଚ୍ଛେଦ ଜନ୍ମାନ୍ତେ ନ ଯାଇ।
ବହିଛି ଶିରିଷାଙ୍ଗୀ ଶିରୀ ଶିରୀ। ବ୍ୟର୍ଥ ପ୍ରତୀତି ରାଗଲତା ପରି।
ବନ୍ଦୀ ସେ ଦୈତ୍ୟରେ।
ବିଧାନ ହୋଇଲା ଜନମାନ୍ତରେ। ୨୦।
ବୋଲେ ଅଗସ୍ତି ହୋଇଣ ଚତୁର। ବଣା ହୁଅ ଥିଲା ଭୁଜ ଚତୁର।
ବଟେ ପ୍ରଳୟକାଳେ ଦେଖିଅଛ। ବାଳମୂରତି ହୋଇଥିଲେ ସ୍ଵଚ୍ଛ।
ବିଭୂତି ଦେଖିବ।
ବ୍ରହ୍ମା ଥିବେ ଅଭିଷେକ ହେବ।୨୧।
ବାମନ ହୋଇ ଯଥା ତ୍ରିବିକ୍ରମ। ବୃଦ୍ଧି ଐଶ୍ଵର୍ଯ୍ୟ ହେବ ସେହି କ୍ରମ।
ବେଗେ ମୁନି ବେନି ଆଶ୍ରମେ ସ୍ଥିତ। ବିଖ୍ୟାତ ହେମନ୍ତ କି ଐରାବତ।
ବର୍ଣ୍ଣ କୁଜଝଟିତ।
ବ୍ୟାପିଗଲା ଜଗତରେ ଝଟିତ। ୨୨।
ବିଭ୍ରାଜିତ ହୋଇ କୁନ୍ଦଦନ୍ତରେ। ବିଳାସ ରଚି ବନ ପର୍ବତରେ।
ବୃଷ୍ଟି ତୃଷାର ମଦକଣ କରେ। ବଳାଇଲା ଅତି ଆଦର ସୁ(ସୂ)ରେ।
ବାସବର ସ୍ନେହୀ।
ବଳ ମାନସକମ୍ପନ କରାଇ। ୨୩।
ବିରସ ଦି(ଦୀ)ନ ନିରତେ ନ-ମୁଚି। ବିସ୍ତାରି ଐନ୍ଦ୍ରିର ଚିତ୍ତ ସୁରୁଚି।
ବହି ହିରାଣାକ୍ଷଛବି ଶରଦ। ବରାହଦାଢ଼ ଭେଦରେ ରୁଚିଦ।
ବିଶୋଧିତ ଘନ ।
ବିରବ ରହିଲା ମହୀ କମ୍ପନ। ୨୪।
ବିଦେଶରେ ହେଲା ମଙ୍ଗଳ ଜାତ। ବରୁଣ ସୁମନେ ହେଲା ରଞ୍ଜିତ।
ବ୍ୟାଧ ସମ କରି ପୁଣି ସେ କାଳ। ବନରୁ ନାଶିଲା ଖୋଜି କମଳ।
ବାହୁବନ୍ଧେ ରଖେ।
ବେଳେ ବେଳେ ଜନ ସେ ପାଶେ ଯୋଖେ। ୨୫।
ବିତତରୁ ରାମ କହେ ଆତୁରେ। ବୋଲାଉଛ ତୁ ଋତୁ ବାଧୁ ଋତୁରେ।
ବିଧାତା ତୁହି(ହୀ)ନ ବୋଲିଛି ଜାଣି। ବିଦଗଧ କରୁ (ତୁ) ପଦ୍ମିନୀ ଶ୍ରେଣୀ।
ବନ୍ଧୁ ମୋ ପଦ୍ମିନୀ।
ବିନାଶ ନା ତାକୁ ଭ୍ରମକୁ ଘେନି। ୨୬।
ବୃକ୍ଷେ ବସି ହୁଁ ହୁଁ କରୁ କପୋତ। ବିଚାରିଲେ ଶୁଣି କଲା ସମ୍ମତ।
ବୋଇଲେ ଉଚ୍ଚେ ତୁଷାର ତୁଷାର। ବ୍ରହ୍ମାଣ୍ଡେ ତ ହୋଇଥିଲୁ ତୁ ସାର।
ବିପକ୍ଷର ତହିଁ।
ବାଦ ଅନୁକୂଳ ସମୟ ତୁହି। ୨୭।
ବର୍ତ୍ତିଥିବ ଏକା ନଗରୀବର। ବର୍ତ୍ତୀଥିବ ସେ ତ ଜୀବନ ମୋର।
ବର୍ତ୍ତିଥିବାରେ ମୋ ନାହିଁ ସଂଶୟ। ବଞ୍ଚାଇ ତ୍ରିକାଳେ ମୋତେ ତା ଦେହ।
ବଞ୍ଚୁଥିବ ସେହି।
ବର୍ଷା ଉଷ୍ମ ଶୀତ ଦ୍ୱିମତ ବହି। ୨୮।
ବାନ୍ଧବୀ ପରା ମୋ ନାହିଁ ସୁନ୍ଦରୀ। ବାସେ ଦେହ ସଜ ସରୋଜ ପରି।
ବାମଦେବାରି ହୃଦେ ଯୋଖି ଶର। ବିନ୍ଧୁଁ ମୋହି ହୋଇ ଥରିବ କର।
ବାଜିବ କି ଲାଖ।
ବାଶୀର୍ଣ୍ଣ ହେବ ଗୁଣ ଶିଳୀମୁଖ। ୨୯।
ବିରହାନଳ ଜାଳୁଁ ତା ଶରୀର। ବୁଡ଼ିଥିବ ଭାବ ଭାବନା ନୀର।
ବହୁତ ଜନ୍ମର ସୁକୃତରାଶି। ବିନୋଦ କଲେ ମୋ ଏଠାରେ ଆସି।
ବଧି ବିଧି ଭଲା।
ବାରୁଣୀ ଶୋଭାରୀତି ତାକୁ ଦେଲା। ୩୦।
ବିବାଦୀରେ ହୋଇ ଗ୍ରୀଷମାକାର। ବଂଶ ବହୁତ କାଳୁଁ ବୃଦ୍ଧିତାର।
ବହ୍ନିଶରେ ତା କରି ଭସ୍ମିଭୁତ। ବିଶ୍ରାମନଗରେ ଦେଇ ଜ୍ଵଳିତ।
ବଳ ପତଙ୍ଗାଦି।
ବଳେ ପକାଇବି ତହିଁ ସମ୍ପାଦି। ୩୧।
ବିଧାତା ରଖିବାକୁ ପକ୍ଷ ହେଲେ। ବ୍ରହ୍ମପଦବୀ ନ ରଖିବି ଭଲେ।
ବୋଲିଣ ମଉନ ରଘୁନନ୍ଦନ। ବାନରପତି ଆଗମନେ ମନ।
ବୋଲେ ଉପଇନ୍ଦ୍ର।
ବତିଶ ପଦେ ମନୋରମ ଛାନ୍ଦ। ୩୨।