ବୈଦେହୀଶ ବିଳାସ/ବକେ ବସିଥିଲା ଧ୍ରୂବ ଉପରେ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏକତ୍ରିଂଶ ଛାନ୍ଦ:

ରାଗ - ବରାଡୀ

ଆଷାଢ଼ ଶୁକ୍ଳବାଣୀ


ବକେ ବସିଥିଲା ଧ୍ରୂବ ଉପରେ । ବିଷ୍ଣୁ ପଦକୁ ଭଜିଲା ଉତ୍ତାରେ ।
ବଳକ୍ଷପକ୍ଷକୁ ଅଙ୍ଗରେ ବହି । ବହନ ସେ ତମନାଶନ ବିହି ।
ବକତା ଏ ଗିର ।
ବିଶ୍ରାମ ବାର୍ତ୍ତା କହିବା ସୁନ୍ଦର ।୧।
ବଧୁଁ କାମ ଧର୍ମେ ଅଛି ଜୀବନେ । ବଧୁକାମବଶେ ଭ୍ରମ ଏ ବନେ ।
ବାଉନୁ ଅଛ ଯେଉଁ ରମଣୀୟେ । ବିଶେଷ ଶୋଭା ତହୁଁ ରମଣୀଏ ।
ବିଂଶବାହୁ ରଥେ ।
ବିଲୋକିଛି ଗଲା ଦକ୍ଷିଣ ପଥେ ।୨।
ବିଷପ୍ରସୂନ ଇନ୍ଦୁ ନିତି ଦେଖେଁ । ବିଲକ୍ଷ୍ୟ ପ୍ରସନ୍ନ ନ ଥିଲା ମୁଖେ ।
ବାଷ୍ପ ହେଉଛି ନୟନୁ ଜନିତା । ବୋଲନ୍ତି ମୀନ ଉଦଗାରେ ମୁକୁତା ।
ବଡ ଊଣା ସେହି ।
ବାରିରେ ଲୁଚେ ଧରି ଭକ୍ଷେ ମୁହିଁ ।୩।
ବାସ ଚହଟି ଅଙ୍ଗ ଯାଉଥିଲା । ବେଢିଥିଲେ ରଥ ଭ୍ରମରମାଳା ।
ବର୍ଣ୍ଣ ଝଟକ ବିଜୁଳିରେ ନାହିଁ । ବାରିଦ ନିକଟେ ଦେଖିଛି ମୁହିଁ ।
ବୀଣା କି ମଧୁର ?
ବାହାରୁଥିଲା ଯେଉଁ ରାମସ୍ୱର ।୪।
ବୋଲିବ ତୁ ବୀଣା ଶୁଣିଲୁ କାହୁଁ । ବାଜଇ ସପତସ୍ୱରରେ ସେହୁ ।
ବର୍ଷାଭୁ ଧୈବତ ମୟୁର ଷଡ୍ଜ । ବନପ୍ରିୟରେ ପଞ୍ଚମ ସହଜ ।
ବାଜୁଛି ମୋ କର୍ଣ୍ଣେ ।
ବିଧିରେ ଏହିପରି ଆଉମାନେ ।୫।
ବାର୍ତ୍ତା ଶୁଣି କର ଯାଚୁଁ କୃପାଳୁ । ବସାରେ ବର୍ଷାରେ ଆହାର ମିଳୁ ।
ବଳାକା ଭାଷୁ ଆଜ୍ଞାଦେଲେ ହେଉ । ବକୀ ଚତୁରମାସ ଆଣି ଦେଉ ।
ବଲ୍ଲଭୀ ଉଚ୍ଛିଷ୍ଟ ।
ବୋଲୁଁ ବୋଇଲେ ପାନ କରି ଓଷ୍ଠ ।୬।
ବୁଲି ପୁଣି ବନେ ବାରତା । ବିକାର କାଶ ହା ସିତା ହା ସୀତା ।
ବକ୍ଷପଲ୍ୟଙ୍କ ମୋ ତୋ ଶୟନକୁ । ବ୍ୟଥା ଦେଲା କି କୋମଳ ଅଙ୍ଗକୁ ।
ବିଦୁର ଏ ଦୋଷୁଁ ।
ବସୁ ନାହୁଁ କୋଳେ ଦିଶେ ତ ଦିଶୁ ।୭।
ବୋଳି ହୋଇ ଏବେ ବହୁ ଚନ୍ଦନ । ବିଞ୍ଚିଥିବି ତହିଁ କର୍ପୂର ଚୂର୍ଣ୍ଣ ।
ବିଗୁଣ ନ ଘେନିବି ଦେବୁ ଲେଖି । ବଳେ ଶ୍ରୀହସ୍ତରୁ ଆଜନ୍ମସୁଖୀ ।
ବକ୍ଷୋଜ ଯେ ନିନ୍ଦୁ ।
ବନ୍ଧୁ ଆଲିଙ୍ଗନେ ବିଲଗ ହୃଦୁ ।୮।
ବୋଇଲା କୁକୁଟ ଶୁଣି ସେକ୍ଷଣି । ବତିଶଲକ୍ଷଣୀ ଚାରୁଈକ୍ଷଣୀ ।
ବିହାୟସ ପଥେ ଗଲାଣି ରଥେ । ବସାଇ ନେଉଥିଲା ରକ୍ଷନାଥେ ।
ବିଳସେ କେ ଆଗ ।
ବିବେକ ହୋଇ ତା କଥାପ୍ରସଙ୍ଗ ।୯।
ବିଚାର କର ନା ବନ ପର୍ବତେ । ବୁଲି ସୁକୁମାରୀ ଶ୍ରବ ପ୍ରବର୍ତ୍ତେ ।
ବିମାନେ ତା ସଙ୍ଗେ ସୁଖାର୍ଥେ ଯାଇ । ବୁଝିବାରେ ମୋ ଅନୁରାଗ ନାହିଁ ।
ବାରିଧାରେ ଆକ୍ଷି ।
ବକ୍ଷଦେଶକୁ ପଙ୍କିଳ କରିଛି ।୧୦।
ବିଧିରେ ପ୍ରଜାପତି-ନପ୍ତା ଅର୍ଥୀ । ବ୍ୟାକୁଳ ବଳିବର୍ଦ୍ଦ ଯୋଚି ତଥି ।
ବଳେ ହରଷ ପ୍ରଜାଙ୍କୁ ଘଉଡି । ବୁଣିବାକୁ ପ୍ରେମରାଶିକି ଲୋଡି ।
ବଳ ଥିଲେ ତୁମ୍ଭେ ।
ବିଚ୍ଛେଦ (ଶି) ସୀରକୁ ଦ୍ୱନ୍ଦ୍ୱ ଆରମ୍ଭେ ।୧୧।
ବୀରଭଦ୍ର ଭଣି ଚରଣାୟୁଧ । ବିହାୟସେ ସେ କ୍ଷତ୍ରିୟ ପ୍ରସିଦ୍ଧ ।
ବହ ମୁକୁଟ କହିଲୁ ସନ୍ଦେଶେ । ବୋଲୁ ହେମଚର୍ମେ ହେଲା ଲାଳସ ।
ବୃକ୍ଷରେ କୋପନ ।
ବଚରେ ଯୁକ୍ତ ନ କହ ବଚନ ।୧୨।
ବାଣୀ ନ ଶୂଣ ପ୍ରଶ୍ରବଣ ଥାଇ । ବୋଲାଅ ଶାଖାବନ୍ତ ଶାଖା ନାହିଁ ।
ବିକାଶ କୁସୁମେ ହାସ ରଚନ । ବସନା ଉଚ୍ଚରେ ହୁଅ ପତନ ।
ବୋଲନ୍ତେ ଖସିଲେ ।
ବିବର୍ଣ୍ଣତା ମହୀଭୃତ ଦିଶିଲେ ।୧୩।
ବୈଦର୍ଭୀପତି ଅଇଲେ ଶଙ୍ଖୋଳି । ବିହରୁଁ ମାର୍କଣ୍ଦେୟ ଋଷି ମିଳି ।
ବାସାଞ୍ଚଳେ ଅଶ୍ରୁ ପୋଛି ଶ୍ରୀରାମ । ବେନି ମୁନିଙ୍କି ବିହିଲେ ପ୍ରଣାମ ।
ବୋଲନ୍ତି କୁମ୍ଭଜ ।
ବିବେକିଶେଖର ହୋଇ ଅଧୈର୍ଯ୍ୟ ।୧୪।
ବୋଇଲେ ରାମ କାମ ଭସ୍ମ ଗଲା । ବଲ୍ଲଭୀକି ତାର ସମ୍ୱର ନେଲା ।
ବସିଛି ଜୀବେ ଆନ ନେଲା ଭୀରୁ । ବଳି କ୍ଷତ ବଡ଼ ଅଛି ଏଥିରୁ ।
ବୋଧେ ମୁନିବର ।
ବସନ୍ତା ନାହିଁ ଦ୍ୱାସ୍ଥ ନିରୋଧର ।୧୫।
ବିଦେହ ଯେ ଦେହ ପାଇବ ପୁଣି । ବଧି ସମ୍ୱର ତା ରଖିବ ଆଣି ।
ବଳବନ୍ତ ସ୍ୱୟଂ ଅଛ ପରାଣେ । ବାଳି ବଧ ହେଲା ଯା ଏକାବାଣେ ।
ବଇରୀ ତୁମ୍ଭର ।
ବନ୍ଦୀ ହୋଇଥିଲା ତାହା କକ୍ଷର ।୧୬।