Jump to content

ଓଡ଼ିଶା ଇତିହାସ/ଐତିହାସିକ ଭୂଗୋଳ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଐତିହାସିକ ଭୂଗୋଳ

ଐତିହାସିକ ଭୂଗୋଳ

ପ୍ରାଚୀନ କାଳରେ 'ଓଡ଼ିଶା' ନାମର ପ୍ରଚଳନ ନଥିଲା । ୧୯୩୬ ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ କ୍ଷେତ୍ର ଓଡ଼ିଶା ନାମରେ ପରିଚିତ, ସେହି କ୍ଷେତ୍ରରେ ଇତିହାସର ଭିନ୍ନ ଭିନ୍ନ କାଳଖଣ୍ତରେ 'କଳିଙ୍ଗ','ଉତ୍କଳ','ଉଡ୍ର','କୋଶଳ','ତ୍ରିକଳିଙ୍ଗ', ତଥା 'ତୋଷଳ' ଆଦି ନାମରେ ରାଜ୍ୟମାନ ରହିଥିଲେ । ଏ ମଧ୍ୟରୁ କୌଣସି ରାଜ୍ୟର ମୋଟ ଆୟତନ ବର୍ତ୍ତମାନର ଓଡ଼ିଶାର ମୋଟ ଆୟତନ ସହ ପୂରାପୂରି ସମାନ ବୋଲି କହିହେବ ନାହିଁ । ଆଧୁନିକ ଓଡ଼ିଶାର ଗଠନ ଭାଷାଭିତ୍ତିରେ କରାଯାଇଛି ଯଦିଓ କେତେକ ଓଡ଼ିଆଭାଷୀ କ୍ଷେତ୍ର ଏବେ ମଧ୍ୟ ଓଡ଼ିଶା ପ୍ରଦେଶ ବାହାରେ ରହିଛି । ଏସବୁ ସତ୍ତ୍ୱେ 'କଳିଙ୍ଗ', 'ଉତ୍କଳ', 'ଉଡ୍ର' ନାମକୁ ଓଡ଼ିଶାର ସମାର୍ଥବୋଧକ ପ୍ରତିଶବ୍ଦ ଭାବରେ ଲୌକିକ ସ୍ତରରେ ବ୍ୟବହାର କରାଯାଏ । ଅର୍ଥାତ୍‍ ପ୍ରାଚୀନ 'କଳିଙ୍ଗ' ବା 'ଉତ୍କଳ' ହେଉଛି ଆଧୁ‌ନିକ ଓଡ଼ିଶାର ଅନ୍ୟନାମ । ସେହିପରି 'କୋଶଳ'କୁ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରାଚୀନ ନାମ ଭାବରେ ଆଞ୍ଚଳିକ ସ୍ତରରେ ବ୍ୟବହାର କରାଯାଏ ।

କେତେକ ଐତିହାସିକ 'ଓଡ଼ିଶା'କୁ 'ଓରିଟିସ୍‍' (Orites), ଉର୍ସି‌ନ (Urshin) ତଥା ଉର୍ସଫିନ (Ursfin) ଇତ୍ୟାଦି ନାମର ଅପଭ୍ରଂଶ ବୋଲି ମତ ଦେଇଥାନ୍ତି । ପ୍ରଥମ ଶତାବ୍ଦୀରେ ପ୍ରକାଶିତ ଗ୍ରୀକ୍‍ ପରିବ୍ରାଜକ ପ୍ଲିି‌ନିଙ୍କ 'ପ୍ରାକୃତିକ ଇତିହାସ' (Natural History) ପୁସ୍ତକରେ 'ଓରିଟିସ୍'କୁ ଏକ ଭାରତୀୟ ଜାତି ବୋଲି ଉଲ୍ଲେଖ କରାଯାଇଛି । ପ୍ଲି‌ନଙ୍କ ବର୍ଣ୍ଣନା ଅନୁଯାୟୀ 'ଓରିଟିସ୍‍' ଜାତିର ଲୋକେ ମେଲିଅସ (Maleus) ପାହାଡ଼ କ୍ଷେତ୍ରରେ 'ମନେଡସ୍‍' (Manedes) ଓ 'ସୁଆରିସ୍‍' (Suaris) ଜାତିର ଲୋକଙ୍କ ମଧ୍ୟରେ ଅବସ୍ଥାନ କରନ୍ତି । ଗବେଷକମାନେ 'ଓରିଟିସ୍‍'କୁ 'ଓଡ଼ିଆ', 'ମେଲିଅସ'କୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମାଲ୍ୟବଣ, 'ମନେଡସ୍‍'କୁ 'ମୁଣ୍ତା' ଓ 'ସୁଆରିସ'କୁ 'ସଉରା'ର ଅପଭ୍ରଂଶ ବୋଲି ମତ ଦିଅନ୍ତି । ସଂସ୍କୃତର 'ଓଡ୍ର' ଶବ୍ଦ, ଯାହା 'ଓଡ଼ିଆ'ର ମୂଳ ବୋଲି ଅନୁମାନ କରାଯାଏ, ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ପ୍ରଚଳନକୁ ଆସିଛି, ଯଦିଓ ମହାଭାରତ ଯୁଦ୍ଧ ସମୟରେ ମଧ୍ୟ ଏହାର ପ୍ରଚଳନ ଥିଲା ବୋଲି ବିଶ୍ୱାସ କରାଯାଏ । ଉଭୟ ଗ୍ରୀକ୍‍ 'ଓରିଟିସ୍‍' ଓ ସଂସ୍କୃତ 'ଓଡ୍ର'ର ମୂଳ ଶବ୍ଦ ହେଲା 'ଓର' ବା 'ଓରୁଆ' ବୋଲି କୁହାଯାଏ । 'ଓରୁଆ'କୁ ଓଡ଼ିଆ 'ଅରୁଆ' ଶବ୍ଦରୁ ନିଆଯାଇଛି ବୋଲି ମଧ୍ୟ ଦାବି କରାଯାଏ । ଗ୍ରୀକ୍‍ରେ 'ଓରୁଜା'ର ଅର୍ଥ ଚାଉଳ ଏବଂ ଗ୍ରୀକ୍‍ ଭାଷାକୁ ଏହା ପ୍ରାଚ୍ୟରୁ ଯାଇଛି ବୋଲି ପ୍ରମାଣ ରହିଛି । ସେହି ସୂତ୍ରରେ ଗ୍ରୀକ୍‍ରେ 'ଓରିଟିସ୍‍' ବା 'ଓର' ହେଲା ଚାଉଳ ଉତ୍ପାଦନକାରୀ ବା ଭାତକୁ ମୁଖ୍ୟ ଭୋଜନ ଭାବରେ ଗ୍ରହଣ କରିଥିବା ଜାତିର ଲୋକ ସମୂହ । ଏଥିରୁ ଅନୁମାନ କରାଯାଏ ଯେ, ଓଡ଼ିଆପାଇଁ ନିର୍ଦ୍ଦିଷ୍ଟ ଭାବେ ଓରିଟିସ୍‍ ଶବ୍ଦ ବ୍ୟବହାର କରାଯାଇଛି । ନବମ ଓ ଦଶମ ଶତାବ୍ଦୀର ଦୁଇଜଣ ମଧ୍ୟଏସିଆର ଭୌଗୋଳିକ ଇବନ୍‍ ଖୁର୍ଦ୍ଦାଦଭି ଓ ହାଦୁଦ୍‍ ଅଲ୍‍ ଆଲାନ ଓଡ଼ିଶାକୁ 'ଉର୍ସିନ' ବା 'ଉର୍ସଫିନ' ବୋଲି ଉଲ୍ଲେଖ କରିଛନ୍ତି । ଏକାଦଶ ଶତାବ୍ଦୀରେ ଆଲବେରୁନି ତାଙ୍କ ପ୍ରସିଦ୍ଧ ପୁସ୍ତକ 'ଇଣ୍ତିଆ'ରେ ଓଡ଼ିଶାକୁ 'ଉର୍ଦ୍ଦାବିଶାଉ'(Urdavisau) ବୋଲି ଲେଖିଛନ୍ତି, ଯାହାକୁ ସଂସ୍କୃତ 'ଓଡ୍ର ବିଷୟ' ବା ଓଡ୍ର ପ୍ରଦେଶର ଅପଭ୍ରଂଶ ଭାବରେ ଗ୍ରହଣ କରାଯାଏ । ପ୍ରଥମ ଥରପାଇଁ ସ୍ପଷ୍ଟ ଶବ୍ଦରେ ଚତୁର୍ଦ୍ଦଶ ଶତାବ୍ଦୀରେ ସାମ୍‍ସଇ ସିରାଜ ଅଫିପ ନାମକ ଜଣେ ମୁସଲିମ୍‍ ଲେଖକ ଯାଜନଗର ଉଡ଼ିଶା କ୍ଷେତ୍ରର ନାମୋଲ୍ଲେଖ କରିଛନ୍ତି । ସେହି ସମୟରେ ସୀମାଚଳମର ଏକ ଶିଳାଲେଖରେ "ଓଡ୍ୟାଦେଶ' ନାମର ଉଲ୍ଲେଖ ରହିଛି । 'ଓଡିଶା', 'ଓଡ଼ିଶା ରାଷ୍ଟ୍ର', ତଥା 'ଓଡ଼ିଶା ରାଜ୍ୟ' ଆଦି ନାମର ବ୍ୟବହାର ଗଜପତି ରାଜା କପିଳେନ୍ଦ୍ରଦେବ ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ କରିଛନ୍ତି । ଏହା ପରେ ଉଭୟ ସରକାରୀ ନଥିପତ୍ରରେ ତଥା ଲୌକିକ ସ୍ତରରେ 'ଓଡ଼ିଶା' ନାମ ଲୋକପ୍ରିୟ ହୋଇଛି । ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସ ମଧ୍ୟ ତାଙ୍କ ରଚନାରେ ଓଡ଼ିଶା ରାଷ୍ଟ୍ର ବା 'ଓଡ଼ରାଷ୍ଟ୍ର'ର ଉଲ୍ଲେଖ କରିଛନ୍ତି । ଏଥିରୁ ଗୋଟିଏ କଥା ସାବ୍ୟସ୍ତ ହୁଏ ଯେ, ଅନ୍ତତଃ ମଧ୍ୟକାଳରୁ ବା ହୋଇପାରେ ପ୍ରାଚୀନ କାଳରୁ, ଆଜି ଓଡ଼ିଶା ନାମରେ ଖ୍ୟାତ ଅଞ୍ଚଳକୁ ତଥା ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ 'ଉଡ୍ର', 'ଓର' ଆଦି ନାମରେ ଲୋକ ଜାଣୁଥିଲେ । ସମୟ କ୍ରମେ ଅର୍ଥାତ୍‍ ଆଧୁନିକ କାଳରେ ଏହି ନାମକୁ ମହତ୍ତ୍ୱ ମିଳିଲା, କାରଣ ଏହାର ମୁଖ୍ୟ ଆଧାର ହେଲା ଭାଷା- ଯାହା 'କଳିଙ୍ଗ' ବା 'ଉତ୍କଳ' ନାମରେ ନଥିଲା ।

ସାଧାରଣତଃ ଆଧୁନିକ ଓଡ଼ିଶାର ଅଧିକାଂଶ ଭାଗ ପ୍ରାଚୀନ କାଳରେ କଳିଙ୍ଗ ରାଜ୍ୟର ଅଂଶ ହୋଇ ରହିଥିଲା । ସେହି ଆଧାରରେ ଆଧୁନିକ ସମୟରେ ମଧ୍ୟ କଳିଙ୍ଗକୁ ଓଡ଼ିଶାର ଅନ୍ୟ ଏକ ନାମ ବୋଲି ବିବେଚନା କରାଯାଏ । ଏହି କାରଣରୁ ଓଡ଼ିଶାର ଐତିହାସିକ ଭୂଗୋଳକୁ ନେଇ ବିଚାର କଲାବେଳେ କଳିଙ୍ଗର ଅବତାରଣା ଅପ୍ରାସଙ୍ଗିକ ନୁହେଁ ।

ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ କଳିଙ୍ଗକୁ ନେଇ ଅନେକ ଉଲ୍ଲେଖ ଦେଖିବାକୁ ମିଳେ । ମହାଭାରତରେ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ତ୍ର ଓ ସୁମହର ଏକାଧିକ ସ୍ଥାନରେ ସୂଚନା ରହିଛି । 'ବନ ପର୍ବ'ରେ ଲୋମଶ ଋଷି କଳିଙ୍ଗ ରାଜ୍ୟରେ ବୈତରଣୀ ନଦୀ ପ୍ରବାହିତ ବୋଲି କହିଛନ୍ତି । ଯଦିଓ ଏହି ସୂଚନାରୁ କଳିଙ୍ଗ ରାଜ୍ୟର ମୋଟ ଆୟତନ ସମ୍ବନ୍ଧରେ ବିଶେଷ କିଛି ଧାରଣା କରିହୁଏ ନାହିଁ, ତଥାପି ମହାଭାରତ ରଚନା ସମୟରେ କଳିଙ୍ଗ ରାଜ୍ୟ ରହିଥିଲା ବୋଲି ଧାରଣା କରିହୁଏ । ଏହାର ରାଜଧାନୀ ଥିଲା ଦନ୍ତକୁରା ବା ଦନ୍ତପୁର, ଯାହାକୁ ପ୍ଳିିନି ଦଂଡଗୁଲ ବୋଲି ନାମିତ କରିଛନ୍ତି । ଗଙ୍ଗାନଦୀର ଦକ୍ଷିଣ ଦିଗରେ ୫୭୦ ମାଇଲ ଦୂରରେ ଦନ୍ତପୁର ଅବସ୍ଥିତ ବୋଲି ବର୍ଣ୍ଣନା ରହିଛି । କଳିଙ୍ଗର ଲୋକମାନଙ୍କୁ କଳିଙ୍ଗା, ମାକୋଳିଙ୍ଗ ଓ ଗଙ୍ଗାକଳିଙ୍ଗା ଆଦି ତିନି ଭାଗରେ ବିଭକ୍ତ କରାଯାଏ । ଏଥିରୁ ଐତିହାସିକମାନେ ଅନୁମାନ କରନ୍ତି ଯେ, କଳିଙ୍ଗ ସାମ୍ରାଜ୍ୟ ପ୍ରଥମ ଶତାବ୍ଦୀ ବେଳକୁ ଉତ୍ତରରେ ଗଙ୍ଗାନଦୀର ମୁହାଣଠାରୁ ଦକ୍ଷିଣରେ ଗୋଦାବରୀ ସୀମା ଯାଏଁ ବିସ୍ତୃତ ଥିଲା ।
ଅଶୋକଙ୍କ ଶିଳାଲେଖରେ କଳିଙ୍ଗକୁ 'ଆଟବିକ୍‍' ରାଜ୍ୟ ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ 'ବିଦ୍ୟାଧର' ରାଜ୍ୟ ବୋଲି କୁହାଯାଇଛି । ଷଷ୍ଠ ଶତାବ୍ଦୀର ଲୋକ ବିଗ୍ରହଙ୍କ କଣାସ ତାମ୍ରଲେଖରେ ଏହି ଅଞ୍ଚଳକୁ ଅଷ୍ଟାଦଶ ଆଟବିକ୍‍ ରାଜ୍ୟ ବୋଲି ବର୍ଣ୍ଣନା କରାଯାଇଛି । ତାମ୍ର ଲେଖ ଅନୁଯାୟୀ ଏହି ରାଜ୍ୟ ବୁନ୍ଦେଲଖଣ୍ତ ଓ ପୂର୍ବ ସମୁଦ୍ର ଉପକୂଳର ମଧ୍ୟବର୍ତ୍ତୀ କ୍ଷେତ୍ରରେ ଅବସ୍ଥିତ ଥିଲା ।
ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ମଗଧର ନନ୍ଦରାଜା ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ କଳିଙ୍ଗ ରାଜ୍ୟର ସମଗ୍ର ତଟବର୍ତ୍ତୀ ଅଞ୍ଚଳକୁ ନିଜ ଅଧିକାରଭୁକ୍ତ କରିଥିଲେ । ଶିଳାଲେଖରେ କଳିଙ୍ଗର ରାଜଧାନୀ ପିଥୁଣ୍ତ ବୋଲି କୁହାଯାଇଛି । ମନେହୁଏ, ଏହା ଏକ ବନ୍ଦର ନଗରୀ ଥିଲା, ଯାହାକୁ ନନ୍ଦରାଜା ଯୁଦ୍ଧ ବେଳେ ଧ୍ୱଂସ କରି ଜନମାନବଶୂନ୍ୟ କରି ଦେଇଥିଲେ । ଖ୍ରୀଷ୍ଟପୂର୍ବ ୨୬୧ରେ ଇତିହାସ ପ୍ରସିଦ୍ଧ 'କଳିଙ୍ଗ ଯୁଦ୍ଧ' ପରେ ଏହି ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ସମ୍ରାଟ ଅଶୋକ ଏହାକୁ ନିଜ ସାମ୍ରାଜ୍ୟର ଏକ ପ୍ରଦେଶରେ ପରିଣତ କଲେ । ମନେହୁଏ, ପ୍ରାଶାସନିକ ସୁବିଧା ନିମନ୍ତେ ଅଶୋକ କଳିଙ୍ଗରେ ଦୁଇଟି ରାଜଧାନୀ କରିଥିଲେ । ଗୋଟିଏ ହେଲା ତୋଷାଳୀ ଏବଂ ଅନ୍ୟଟି ସମାପା ।ତୋଷାଳୀକୁ ଭୁବନେଶ୍ୱର ନିକଟବର୍ତ୍ତୀ ଶିଶୁପାଳଗଡ଼ ସହିତ ଏବଂ ସମାପାକୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଜଉଗଡ଼ ସହିତ ଚିହ୍ନିତ କରାଯାଏ । ଏଥିରୁ ଅନୁମାନ କରାଯାଏ ଯେ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କଳିଙ୍ଗ ଆଧୁନିକ ପୁରୀ, କଟକ, ଭୁବନେଶ୍ୱର ଓ ଗଞ୍ଜାମ ସୀମା ଯାଏ ପରିବ୍ୟାପ୍ତ ଥିଲା ।
ଚତୁର୍ଥ ଶତାବ୍ଦୀରେ ଲିଖିତ ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭାଭିଲେଖରେ କଳିଙ୍ଗର କୌଣସି ଉଲ୍ଲେଖ ଦେଖିବାକୁ ମିଳେ ନାହିଁ । ବୋଧହୁଏ ସମସାମୟିକ ମାଠର ରାଜତ୍ୱ ବେଳକୁ କଳିଙ୍ଗ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇସାରିଥିଲା । ସ୍ତମ୍ଭାଭିଲେଖରେ ନାମ ଉଲ୍ଲିଖିତ ହେବା ଭଳି ମହତ୍ତ୍ୱ ତା'ର ଆଉ ରହିନଥିଲା । ମାଠରମାନଙ୍କ ପରେ ଷଷ୍ଠ ଶତାବ୍ଦୀର ଆରମ୍ଭ ବେଳକୁ ପୂର୍ବ ଗଙ୍ଗମାନେ କଳିଙ୍ଗ ଅଞ୍ଚଳକୁ ଅଧିକାର କଲେ । ଏହି ସମୟରେ କଳିଙ୍ଗର ସୀମା ଆହୁରି ସଂକୀର୍ଣ୍ଣ ହୋଇ ପଡିଲା । ଆଧୁନିକ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପର୍ଯ୍ୟନ୍ତ ଏହାର କ୍ଷେତ୍ର ସୀମିତ ରହିଥିଲା । ଏହାର ରାଜଧାନୀର ନାମ ଥିଲା କଳିଙ୍ଗନଗର, ଯାହାକୁ ଶ୍ରୀକାକୁଲମ୍‍ ନିକଟସ୍ଥ ମୁଖଲିଙ୍ଗମ୍‍ ସହିତ ଚିହ୍ନିତ କରାଯାଏ । ଏମିତିରେ କଳିଙ୍ଗାଧିପତି ନାମରେ ପରିଚିତ ଖାରବେଳ (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ବା ପ୍ରଥମ ଶତାବ୍ଦୀ) ମଧ୍ୟ ତାଙ୍କ ରାଜଧାନୀକୁ 'କଳିଙ୍ଗନଗର' ବୋଲି ଉଲ୍ଲେଖ କରିଛନ୍ତି । ଖାରବେଳଙ୍କ କଳିଙ୍ଗନଗରକୁ ଆଧୁନିକ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ସହ ଚିହ୍ନିତ କରାଯାଏ । ସପ୍ତମ ଶତାବ୍ଦୀରେ ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ କଳିଙ୍ଗ ଭ୍ରମଣ କରିଥିବାର ପ୍ରମାଣ ରହିଛି । ତାଙ୍କ ବର୍ଣ୍ଣନା ଅନୁଯାୟୀ, କଙ୍ଗୋଦର ଦକ୍ଷିଣ ପଶ୍ଚିମ ଦିଗରେ ପ୍ରାୟ ୧୪୦୦ରୁ ୧୫୦୦ ମାଇଲ ଦୂରରେ କଳିଙ୍ଗ ରାଜ୍ୟ ଅବସ୍ଥିତ । ସେତେବେଳେ କଳିଙ୍ଗର କ୍ଷେତ୍ରଫଳ ଥିଲା ପ୍ରାୟ ୫୦୦ବର୍ଗମାଇଲ । ପୁରୀ, ଗଞ୍ଜାମର ଉତ୍ତରାଞ୍ଚଳ ଓ ଆଧୁନିକ ବୌଦ୍ଧ ଜିଲ୍ଲାକୁ ମିଶାଇ କଳିଙ୍ଗ ରାଜ୍ୟ ଗଠିତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଗଙ୍ଗସାମ୍ରାଜ୍ୟର ଖୁବ୍‍ ବିସ୍ତୃତି ଘଟିଥିଲା । ଦ୍ୱାଦଶ ଶତାବ୍ଦୀର ଆରମ୍ଭରେ ଚୋଡ଼ଗଙ୍ଗଦେବ (୧୧୧୦ରେ) କଳିଙ୍ଗକୁ ଅଧିକାର କରି ନିଜ ସାମ୍ରାଜ୍ୟଭୁକ୍ତ କଲେ । ତେଣିକି କଳିଙ୍ଗ ଦଣ୍ତପାଟ ନାମରେ ଏହା ଗଙ୍ଗସାମ୍ରାଜ୍ୟର ଏକ କେନ୍ଦ୍ର ରାଜ୍ୟ ରୂପେ ପରିଚୟ ପାଇଲା । ଚୋଡ଼ଗଙ୍ଗ ଦେବ ନିଜ ସାମ୍ରାଜ୍ୟର ସୀମାକୁ ଉତ୍ତରରେ ହୁଗୁଳି ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାରିତ କରିବାରେ ସକ୍ଷମ ହୋଇଥିଲେ । ତାଙ୍କ ସମୟରେ କଳିଙ୍ଗନଗର ବଦଳରେ କଟକ ନଗରୀ ରାଜ୍ୟର ରାଜଧାନୀ ହେଲା । ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ନରପତିମାନଙ୍କ ଅମଳରେ ମଧ୍ୟ କଳିଙ୍ଗକୁ ଏକ ରାଜ୍ୟ ବା ପ୍ରଦେଶର ମାନ୍ୟତା ଦିଆଯାଇଥିଲା । ଅନ୍ୟ ଶବ୍ଦରେ କହିଲେ, କାଳକ୍ରମେ ମୋଟାମୋଟି ଓଡ଼ିଶା କ୍ଷେତ୍ରକୁ ନେଇ ଯେଉଁ ବିଶାଳ ରାଜ୍ୟ ବା ସାମ୍ରାଜ୍ୟର ଭିତ୍ତି ପଡ଼ିଲା, ତା'ର ଏକ ସଂଭାଗ ମାତ୍ର ହେଲା କଳିଙ୍ଗ । ମୋଟ ଓଡ଼ିଶା କ୍ଷେତ୍ରଠାରୁ ଯଥେଷ୍ଟ କମ୍‍ ଥିଲା ଏହାର ଆୟତନ ।

କଳିଙ୍ଗପରି 'ଉତ୍କଳ'କୁ ମଧ୍ୟ ଆଧୁନିକ ଓଡ଼ିଶାର ଅନ୍ୟ ଏକ ନାମ ଭାବରେ ସାଧାରଣତଃ ନିଆଯାଇଥାଏ । ଯଦି ଇତିହାସରୁ ଦେଖାଯାଏ, ସର୍ବପ୍ରଥମେ ମହାଭାରତରେ ଓଡ୍ର, ମେକଳ, କଳିଙ୍ଗ ଓ ଆନ୍ଧ୍ର ସହିତ 'ଉତ୍କଳ'ର ନାମୋଲ୍ଲେଖ କରାଯାଇଥିଲା । ଗୌତମବୁଦ୍ଧଙ୍କ ପରବର୍ତ୍ତୀ ସମୟରେ ରଚିତ ବିନୟ ପିଟକ ଓ ଜାତକ ଗଳ୍ପରେ ତପସ୍‍ସୁ ଓ ଭଲ୍ଲିକ ନାମକ ଦୁଇଜଣ ବୈଶ୍ୟ ଉତ୍କଳ ଜନପଦରୁ ବାଣିଜ୍ୟ କାରବାରପାଇଁ ଯାଇଥିବା କଥା ଉଲ୍ଲେଖ ରହିଛି । ଦଶମ ଶତାବ୍ଦୀରେ ପାଳବଂଶର ରାମପାଳଙ୍କ ସମୟରେ ତଥା ପରେ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ଚୋଡ଼ଗଙ୍ଗ ଦେବଙ୍କ ସମୟରେ 'ଉତ୍କଳ'ର ଉଲ୍ଲେଖ ଏକ ବିଶାଳ ସାମ୍ରାଜ୍ୟ ଭାବରେ ହେବାକୁ ଲାଗିଲା । ଆଜି ଯାହା ପ୍ରାକୃତିକ ଓଡ଼ିଶା ବୋଲି ପରିଚୟ ପାଏ, ମୋଟାମୋଟି ଭାବେ ସେହି ସମଗ୍ର ଅଞ୍ଚଳକୁ 'ଉତ୍କଳ' କୁହାଗଲା ।

ଅଷ୍ଟମ ଓ ନବମ ଶତାବ୍ଦୀରେ ଉତ୍ତର ଓ ଦକ୍ଷିଣ ତୋଷାଳୀରେ ଭୌମକର ବଂଶର ରାଜତ୍ୱ ରହିଥିଲା । ଏହି ଶାସକମାନେ ନିଜକୁ 'ଉତ୍କଳକୁଳ' ତଥା 'ଉତ୍କଳେନ୍ଦ୍ର' ରୂପେ ପରିଚୟ ଦେଉଥିଲେ । ଐତିହାସିକମାନଙ୍କର ଅନୁମାନ ଯେ, ସୋମବଂଶୀ ରାଜାମାନଙ୍କ ହାତରେ ପରାଜିତ ହୋଇ ଭୌମକର ଶାସକ ଉତ୍କଳରୁ କର୍ତ୍ତୃତ୍ୱ ହରାଇଥିଲେ ଏବଂ 'ଉତ୍କଳକୁଳ' ତଥା 'ଉତ୍କଳେନ୍ଦ୍ର' ରୂପେ ପରିଚୟ ଦେଇ ସେହି ସ୍ମୃତିକୁ ସତେଜ କରିବାକୁ ପ୍ରୟାସ କରିଥିଲେ । ଏହି ଦୃଷ୍ଟିରୁ ଦେଖିଲେ ଅଷ୍ଟମ-ନବମ ଶତାବ୍ଦୀ ବେଳକୁ ଉତ୍କଳ ଏକ ପ୍ରସିଦ୍ଧ ଓ ଗୌରବଶାଳୀ ରାଜ୍ୟର ନାମ ଭାବରେ ପରିଚୟ ପାଇଥିଲା । ଉତ୍କଳ ବଂଶର ବୋଲି ନିଜକୁ କହି ରାଜାମାନେ ମଧ୍ୟ ଗୌରବାନ୍ୱିତ ହେଉଥିଲେ । ଗଙ୍ଗରାଜବଂଶର ପତନ ପରେ ପଞ୍ଚଦଶ ଶତାବ୍ଦୀରେ ଯେତବେଳେ ସୂର୍ଯ୍ୟବଂଶୀ ଗଜପତି ଶାସକଙ୍କର ଉତ୍‍ଥାନ ହେଲା, ସେତେବେଳେ ଓଡ୍ର ଦେଶର ଉଲ୍ଲେଖ ଦେଖିବାକୁ ମିଳିଲା । ଗଜପତି ରାଜ୍ୟ ଅର୍ଥାତ୍‍ ଓଡ୍ର ଦେଶ । କଳିଙ୍ଗ ଓ ଉତ୍କଳ ଭଳି ସାହିତ୍ୟ ଓ ଅଭିଲେଖମାନଙ୍କରେ ମଧ୍ୟ ଓଡ୍ର ନାମକୁ ମାନ୍ୟତା ମିଳିଲା । କେତେକ ଗବେଷକଙ୍କ ମତରେ ଉତ୍କଳର ଅନ୍ୟ ନାମ ହେଲା ଓଡ୍ର । ମାତ୍ର ଅନ୍ୟ କେତେକ ଗବେଷକ ଓଡ୍ର ଓ ଉତ୍କଳ ଦୁଇଟି ଭିନ୍ନ ଭିନ୍ନ ରାଜ୍ୟ ବୋଲି ଯୁକ୍ତି କରିଥାନ୍ତି । ବିଭିନ୍ନ ରାଜାଙ୍କ ସମୟରେ ରାଜ୍ୟର ସୀମା ବିଶେଷ କରି ଯୁଦ୍ଧଯୋଗୁଁ ବାରମ୍ବାର ପରିବର୍ତ୍ତିିତ ହେଉଥିବାରୁ ଓଡ୍ର ରାଜ୍ୟର ଏକ ନିର୍ଦ୍ଦିଷ୍ଟ ସୀମା ନିଶ୍ଚିତ କରିବା ସହଜ ନୁହେଁ । ମହାଭାରତରେ ଓଡ୍ରର ନାମୋଲ୍ଲେଖ ରହିଛି, ମାତ୍ର ରାଜ୍ୟର ଅବସ୍ଥିତିକୁ ନେଇ ନିର୍ଦ୍ଦିଷ୍ଟ ସୂଚନା ନାହିଁ । 'ବାୟୁପୁରାଣ' ଅନୁଯାୟୀ 'ପୁରୁଷୋତ୍ତମ କ୍ଷେତ୍ର', 'ଅର୍କକ୍ଷେତ୍ର' ଓ 'ବିରଜାକ୍ଷେତ୍ର' ହେଲେ ଓଡ୍ର ରାଜ୍ୟର ତିନୋଟି ପ୍ରମୁଖ ପୁଣ୍ୟ ସ୍ଥଳୀ । ସପ୍ତମ ଶତାବ୍ଦୀରେ ହୁଏନ୍‍ସାଂ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଓଡ୍ରର ଅବସ୍ଥିତି ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି, ତାକୁ ଆଧାର କରି ଗବେଷକମାନେ ରାଜ୍ୟର ସୀମା ନିର୍ଦ୍ଧାରଣ କରିଛନ୍ତି । ତାହା ଅନୁଯାୟୀ, ମହାନଦୀ ଉପତ୍ୟକା, ସୁବର୍ଣ୍ଣରେଖା ନଦୀର ନିମ୍ନ ଭାଗ, କଟକ ଜିଲ୍ଲା, ସମ୍ବଲପୁର ଏବଂ ଆଧୁନିକ ବଙ୍ଗର ମେଦିିନିପୁର ଓଡ୍ର ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ରାଜ୍ୟର ପଶ୍ଚିମ ସୀମାରେ ଗଣ୍ତଓ୍ୱାନା, ଉତ୍ତରରେ ଯଶପୁର ଓ ସିଂହଭୂମର ପାର୍ବତ୍ୟାଞ୍ଚଳ ଏବଂ ଦକ୍ଷିଣରେ ଗଞ୍ଜାମ ଅବସ୍ଥିତ ବୋଲି ଅନୁମାନ କରାଯାଏ । ଏଥିରୁ ମନେହୁଏ ଯେ, କୋଶଳ ଓ ଉତ୍କଳ ପରି ଓଡ୍ରର ନାମୋଲ୍ଲେଖ ମଧ୍ୟ ପ୍ରାଚୀନ କାଳରୁ ରହି ଆସିଛି । ଦ୍ୱିତୀୟତଃ ଆଧୁନିକ ଓଡ଼ିଶା ନାମ ହିଁ ସିଧା ଓଡ୍ର ନାମର ଅପଭ୍ରଂଶ । ଉଭୟ ଓଡ୍ର ଓ ଓଡ଼ିଶା ନାମ ସେହି କ୍ଷେତ୍ରରେ ବାସକରୁଥିବା ଲୋକସମୂହର ପ୍ରତିନିଧିତ୍ୱ କରେ । ମଧ୍ୟଯୁଗରେ ଯେତେବେଳେ ଆଞ୍ଚଳିକ ଭାଷାଗୁଡ଼ିକର ବିକାଶ ହେଲା, ସେତେବେଳେ ଏହି କ୍ଷେତ୍ରର ଭାଷା-ସାହିତ୍ୟ 'ଓଡିଶା' ବୋଲି ପରିଚିତି ପାଇଲା । ଓଡିଶା ଏକ କ୍ଷେତ୍ର ବିଶେଷର ନାମ ଭାବରେ ଉକ୍ତ କ୍ଷେତ୍ରର ଭାଷା-ସଂସ୍କୃତି ଓ ଲୋକସମୂହର ପ୍ରତିିନିଧିତ୍ୱ କରିବାର ସାମର୍ଥ୍ୟ ରଖିଲା । ତେଣୁ କାଳକ୍ରମେ ଏହା ଅନ୍ୟ ନାମଗୁଡ଼ିକ ତୁଳନାରେ କେବଳ ଜନସ୍ୱୀକୃତି ନୁହେଁ, ଅଧିକ ଶାସକୀୟ ମହତ୍ତ୍ୱ ମଧ୍ୟ ଲାଭ କଲା ।

ଉତ୍କଳ ଓ ଓଡ୍ର ବ୍ୟତୀତ ଆଧୁନିକ ଓଡ଼ିଶା କ୍ଷେତ୍ରରେ ଅତୀତରେ ତ୍ରିକଳିଙ୍ଗ, ତୋଷାଳୀ ଓ କୋଶଳ ଆଦି ରାଜ୍ୟମାନ ମଧ୍ୟ ରହିଥିଲେ । ମାତ୍ର ଏହି ରାଜ୍ୟଗୁଡ଼ିକର ଆୟତନ ଅତ୍ୟନ୍ତ କ୍ଷୁଦ୍ର ଥିବାରୁ ଆଧୁନିକ ଓଡ଼ିଶାର ଅନ୍ୟ ନାମ ଭାବରେ ସେଗୁଡ଼ିକୁ ଗ୍ରହଣ କରାଯାଏ ନାହିଁ । କୋଶଳ, ଉତ୍କଳ ଓ ଓଡ୍ର ନାମ ଯଦି ଓଡ଼ିଶାର ବିଶାଳତାକୁ ଦର୍ଶାନ୍ତି, ଶେଷୋକ୍ତ ନାମଗୁଡ଼ିକ ଅନ୍ତତଃ ଆୟତନ ଦୃଷ୍ଟିରୁ ପ୍ରଦେଶର କ୍ଷୁଦ୍ରତା ବା କ୍ରମ- ସଂକୀର୍ଣ୍ଣତାକୁ ଇଙ୍ଗିତ କରନ୍ତି । ଏହି କାରଣରୁ ସାଂପ୍ରତିକ ଯୁଗରେ ଏହି ନାମଗୁଡିକ ଅତିବେଶି ହେଲେ ଓଡ଼ିଶାର ଅଂଶବିଶେଷ ହୋଇ ପାରନ୍ତି, ମାତ୍ର ପ୍ରଦେଶର ପୂର୍ଣ୍ଣରୂପ ଭାବେ ଗ୍ରହଣୀୟ ହେବେ ନାହିଁ । ତେଣୁ ଓଡ଼ିଶାର ଐତିହାସିକ ପରିସୀମା ନିର୍ଦ୍ଧାରଣ କଲାବେଳେ ତ୍ରିକଳିଙ୍ଗ, ତୋଷାଳୀ, ଦକ୍ଷିଣ କୋଶଳ, କୋଶଳ ଆଦି ନାମ ଅପେକ୍ଷା 'ଓଡ୍ର', 'ଉତ୍କଳ' ଓ 'କଳିଙ୍ଗ' ନାମର ଯେ ଅଧିକ ମହତ୍ତ୍ୱ ରହିବ- ଏଥିରେ ସନ୍ଦେହ ନାହିଁ ।

...