Jump to content

ଓଡ଼ିଶା ଇତିହାସ/ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ

ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ


ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ଯେଉଁ ନୂତନ ପ୍ରାଶାସନିକ ବ୍ୟବସ୍ଥା ପ୍ରଚଳନ କଲେ, ତାହା ଖୁବ୍‍ ଶୀଘ୍ର ଲୋକଙ୍କୁ ଇଂରେଜ ବିରୋଧୀ କରିଦେଲା । ଖଜଣା ଆଦାୟ ଲାଗି କଠୋର ନୀତି ଗ୍ରହଣ କରାଯିବାରୁ ପ୍ରଜା ଉଚିତ ସମୟରେ ଖଜଣା ଦେବାପାଇଁ ଅତିରିକ୍ତ ସୁଧରେ ଋଣ କଲା; ଏଥିପାଇଁ ତାକୁ ଜମିଦାର ବା ସାହୁକାରଠାରେ ଜମି ବନ୍ଧା ଦେବାକୁ ପଡ଼ିଲା । ମାତ୍ର ଋଣ ପରିଶୋଧ କରି ନ ପାରବାରୁ ତାକୁ ଜମି ହରାଇବାକୁ ପଡିଲା । ଜମିଦାରମାନେ ମଧ୍ୟ ଉଚିତ ସମୟରେ ଭୂ-ରାଜସ୍ୱ ଜମା କରି ନ ପାରି ଜମିଦାରୀ ହରାଇଲେ । ଔପନିବେଶିକ ଆର୍ଥିକ ଶୋଷଣଯୋଗୁଁ ବିଭିନ୍ନ ହସ୍ତଶିଳ୍ପରେ ଆଶ୍ରିତବର୍ଗ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଲେ । ନୂତନ କୋର୍ଟ କଚେରି ଆସିବା ପରେ ସାହୁକାର ଓ ମହାଜନଙ୍କୁ ବାଦ୍‍ ଦେଇ ସବୁ ବର୍ଗର ଲୋକ ହଇରାଣ ହେଲେ । ଇଂରେଜ ଔପନିବେଶିକ ଶାସନ ବ୍ୟବସ୍ଥାର ଜଟିଳତା ଓ କଠୋରତା ଲୋକଙ୍କୁ କ୍ଷୁବ୍ଧ କଲା । ଫଳରେ, ସ୍ଥାନୀୟ ରାଜା ଓ ଜମିଦାର ବର୍ଗର ନେତୃତ୍ୱରେ ଲୋକ ଇଂରେଜମାନଙ୍କ ବିରୋଧରେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଦ୍ରୋହ ଆରମ୍ଭ କଲେ । ଇଂରେଜଙ୍କ ଶକ୍ତି ସଂପର୍କରେ ସେମାନଙ୍କର ସଠିକ୍‍ ଧାରଣା ନଥିଲା । ତେଣୁ ବିଦ୍ରୋହପାଇଁ ବିଶେଷ ଯୋଜନା ଓ ସଂଗଠନ ନ କରି ସେମାନେ ଯୁଦ୍ଧ ଆରମ୍ଭ କଲେ । ତେଣୁ ଅଶେଷ ଦମନର ଶିକାର ହେଲେ ଓ ନିର୍ଯ୍ୟାତନା ଭୋଗିଲେ । ବିଭିନ୍ନ ସ୍ଥାନରେ ଏକା ସମୟରେ ଅନେକଗୁଡ଼ିଏ ବିଦ୍ରୋହ ଆରମ୍ଭ ହୋଇଥିଲେ ସୁଦ୍ଧା ସେଗୁଡିକ ମଧ୍ୟରେ ସମନ୍ୱୟ ନ ଥିଲା । ଏଭଳି ଅନେକ ବିଦ୍ରୋହ ସେତେବେଳେ ଦେଖିବାକୁ ମିଳିଥିଲା । ଦକ୍ଷିଣ ଓଡ଼ିଶା

ବଙ୍ଗରେ ମିଶିଥିବା ଓଡ଼ିଶା ଡିଭିଜନ ବା କଟକ, ପୁରୀ, ବାଲେଶ୍ୱର ଅଞ୍ଚଳକୁ ଇଂରେଜମାନେ ଦଖଲ କରିବା ପୂର୍ବରୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ଅନ୍ତର୍ଗତ ଗଞ୍ଜାମ ଏଜେନ୍‍ସିକୁ ଅଷ୍ଟାଦଶ ଶତକର ସପ୍ତମ ଦଶକ(୧୭୭୦) ବେଳକୁ ଦଖଲ କରି ସାରିଥିଲେ । ତେଣୁ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଏଥିରେ ସ୍ଥାନୀୟ ରାଜା, ଜମିଦାର, ପାଇକ ଓ ସର୍ଦ୍ଦାର (ଯଥା : ବିଶୋୟୀ, ଦୋରା ଓ ଦୋରତ୍ନମ୍‍) ଆଦି ବିଶେଷ ଭାବେ ନେତୃତ୍ୱ ଗ୍ରହଣ କରିଥିଲେ ।

ପାରଳାଖେମୁଣ୍ତି: ୧୭୬୭-୬୮ରେ ପାରଳାଖେମୁଣ୍ତିର ରାଜା ଜଗନ୍ନାଥ ନାରାୟଣ ଦେବ ତାଙ୍କ ରାଜ୍ୟରୁ ଇଂରେଜମାନଙ୍କୁ ହଟାଇବାକୁ ଉଦ୍ୟମ କଲେ । ଏଥିପାଇଁ ସେ କଟକସ୍ଥିତ ମରହଟ୍ଟା ସରକାରଠାରୁ ସହଯୋଗ କାମନା କରି ବିଫଳ ହେବାରୁ ପଡେ଼ାଶୀ ବିଜୟନଗରମ୍‍ ଓ ବଡ଼ଖେମୁଣ୍ତିର ରାଜାଙ୍କ ସାହାଯ୍ୟ ନେଇ ଯୁଦ୍ଧ କରିଥିଲେ । ସ୍ଥାନୀୟ ଜମିଦାରମାନଙ୍କଠାରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଥିଲା । ବଙ୍ଗ ଓ ମାଡ଼୍ରାସ୍‍ ମଧ୍ୟରେ ଇଂରେଜମାନଙ୍କ ଡାକ ବ୍ୟବସ୍ଥାକୁ ବ୍ୟାହତ କରି ସେ ବିଦ୍ରୋହ ଆରମ୍ଭ କରିଥିଲେ । ୧୭୬୮ରେ କର୍ଣ୍ଣେଲ୍‍ ପିଚ୍‍ଙ୍କ ନେତୃତ୍ୱରେ ଇଂରେଜ ସେନା ନାରାୟଣ ଦେବଙ୍କୁ ଜେଲମୁରଠାରେ ପରାସ୍ତ କଲେ । ଏହା ପରେ ରାଜା ଗାଦିଚ୍ୟୁତ ହେଲେ । ମାତ୍ର ରାଜ୍ୟରେ ତାଙ୍କ ପ୍ରଭାବ ଅବ୍ୟାହତ ରହିଲା । ନିଜ ସମର୍ଥକମାନଙ୍କ ସହଯୋଗରେ ନାରାୟଣ ଦେବ ପାରଳାଖେମୁଣ୍ତିରେ ଇଂରେଜମାନଙ୍କୁ ଖଜଣା ଆଦାୟ କରିବାକୁ ଦେଲେ ନାହିଁ । ଶେଷରେ ୧୭୭୦ରେ ତାଙ୍କର ମୃତ୍ୟୁ ପରେ ଗଜପତି ଦେବଙ୍କୁ (ନାରାୟଣ ଦେବଙ୍କ ପୁତ୍ର) ଇଂରେଜମାନେ ରାଜ୍ୟର ରାଜା ଭାବରେ ସ୍ୱୀକୃତି ଦେଲେ ।

ଗଜପତି ଦେବ ନିଜକୁ ସ୍ୱାଧୀନ ମନେ କରୁଥିଲେ । ମାତ୍ର ଇଂରେଜମାନେ ରାଜ୍ୟରେ ହସ୍ତକ୍ଷେପ କରିବା ଫଳରେ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ତିକ୍ତ ହେଲା । ୧୭୭୪ରେ ଗଜପତି ଦେବଙ୍କୁ ବନ୍ଦୀ କରି ବିଶାଖାପାଟନାରେ ରଖାଗଲା । ଏହାର ପ୍ରତିକ୍ରିୟା ସ୍ୱରୂପ ଆଦିବାସୀ ସର୍ଦ୍ଦାର ବିଶୋୟୀ ଓ ଦୋରାମାନେ ବିଦ୍ରୋହ କଲେ । ୧୭୮୦ ବେଳକୁ ବିଦ୍ରୋହ ବୃଦ୍ଧି ପାଇବାରୁ ୧୭୮୧ରେ ଇଂରେଜମାନେ ଗଜପତି ଦେବଙ୍କୁ ମୁକ୍ତ କରି ରାଜପଦ ଦେବାକୁ ବାଧ୍ୟ ହେଲେ । ଏହା ପରେ ୧୭୯୯ରେ ପୁଣି ବିଦ୍ରୋହ ହେବାରୁ ଗଜପତି ଦେବ ଏବଂ ତାଙ୍କ ପୁତ୍ରଙ୍କୁ ବନ୍ଦୀ କରି ମସୁଲିପଟନମ୍‍ରେ ରଖାଗଲା ।

ଇଂରେଜ ଶାସନର ଏକ କ୍ରୂର ପରିଣାମ ଭାବରେ ପାରଳାଖେମୁଣ୍ତିର ଦୁର୍ଭିିକ୍ଷକୁ ଦେଖାଯାଇପାରେ । ଇଂରେଜମାନେ କଠୋର ଭାବେ ଖଜଣା ଆଦାୟ କରିବାରୁ ପ୍ରଜାଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗିଗଲା । ଫଳରେ ଅନାବୃଷ୍ଟି, ଦୁର୍ଭିିକ୍ଷ ଓ ଅନାହାର ମୃତ୍ୟୁର ରୂପ ନେଲା । ବାଧ୍ୟ ହୋଇ ଲୋକେ ପାରଳାଖେମୁଣ୍ତିରୁ ଜୟପୁର ଓ କଳାହାଣ୍ତି ଆଦି ରାଜ୍ୟକୁ ପଳାଇ ଗଲେ । ତିିନି ବର୍ଷ ଧରି କ୍ରମାଗତ ଦୁର୍ଭିିକ୍ଷ ପଡ଼ିବାଯୋଗୁଁ ପାରଳାଖେମୁଣ୍ତିର ପ୍ରଜା କେବଳ ନିଃସ୍ୱ ହେଲେ ନାହିଁ, ଇଂରେଜଙ୍କ ବିରୋଧରେ ବିଦ୍ରୋହ କରିବାକୁ ମଧ୍ୟ ଶକ୍ତି ହରାଇଲେ । ଅନ୍ୟ ଶବ୍ଦରେ କହିଲେ ସାମୟିକ ଭାବେ ପାରଳାଖେମୁଣ୍ତିରେ ବିଦ୍ରୋହ ପ୍ରଶମିତ ହେଲା ।

୧୮୩୦ରେ ପୁଣି ଥରେ ପାରଳାଖେମୁଣ୍ତିରେ ବିଦ୍ରୋହ ଦେଖାଦେଲା । ଏଥର ଜମିଦାରୀର ମେନେଜର ପଦ୍ମନାଭ ଦେବଙ୍କ ଉପରେ ବିଦ୍ରୋହୀମାନେ ଲକ୍ଷ୍ୟ ରଖିଥିଲେ । ଅତ୍ୟାଚାରୀ ପଦ୍ମନାଭ ଦେବଙ୍କ ବାସଗୃହ ଓ ଅନ୍ୟାନ୍ୟ କେତେକ ଜମିଦାରୀ କଚେରି ଗୃହକୁ ସେମାନେ ପୋଡ଼ିଦେଲେ । ୧୮୩୨ରେ ମାଡ୍ରାସ୍‍ ସରକାର ଜର୍ଜ ଏଡ଼୍‍ଓ୍ୱାଡ଼୍‍ ରସେଲ୍‍ଙ୍କୁ (Edward Russel) ବିଦ୍ରୋହ ଦମନପାଇଁ ପଠାଇଲେ । ରସେଲ ସାହେବ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିବା ପ୍ରକ୍ରିୟାରେ କେତେ ଜଣ ବିଦ୍ରୋହୀ ବିଶୋୟୀଙ୍କୁ ପ୍ରାଣଦଣ୍ତରେ ଦଣ୍ତିତ କଲେ । ଶେଷରେ ସାମୟିକ ଭାବେ ପାରଳାଖେମୁଣ୍ତିରେ ବିଦ୍ରୋହ ଅବଦମିତ ହେଲା; ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁଃସ୍ଥାପିତ ହେଲା ।

୧୮୫୬-୫୭ରେ ସିପାହୀ ଗଣବିଦ୍ରୋହ ସହ ତାଳ ଦେଇ ପାରଳାଖେମୁଣ୍ତିରେ ପୁଣି ଥରେ ବିଦ୍ରୋହ ହେଲା । ଶବରମାନଙ୍କ ଏହି ବିଦ୍ରୋହର ନେତା ଥିଲେ ରାଧାକୃଷ୍ଣ ଦଣ୍ତସେନା । ଶବରମାନେ ସମତଳ ଅଞ୍ଚଳର ଲୋକଙ୍କୁ ଶତ୍ରୁ ମନେକରି ଅନେକ ଘର ପୋଡ଼ିଦେଲେ ଏବଂ ଲୁଟ୍‍ତରାଜ କଲେ । ବିଦ୍ରୋହ ଦମନପାଇଁ କେପ୍‍ଟେନ୍‍ ଉଇଲ୍‍ସନ୍‍ (Captain Wilson) ଅନେକ ଶବର ଗ୍ରାମ ପୋଡ଼ିଦେଲେ ଏବଂ ସେମାନଙ୍କ ଫସଲ ନଷ୍ଟ କଲେ । ଶେଷରେ ବିଦ୍ରୋହୀ ନେତା ରାଧାକୃଷ୍ଣ ଦଣ୍ତସେନା ଓ ଅନ୍ୟ କେତେକ ବିଦ୍ରୋହୀ ଧରା ପଡ଼ିଲେ । ସେମାନଙ୍କୁ ପ୍ରାଣଦଣ୍ତ ଦିଆଗଲା ।

ଘୁମୁସର: ପାରଳାଖେମୁଣ୍ତି ପରି ଦକ୍ଷିଣ ଓଡ଼ିଶାର ଘୁମୁସରରେ କନ୍ଧମାନେ ଦୀର୍ଘ କାଳ ଧରି ବିଦ୍ରୋହ କରିଥିଲେ । ସ୍ଥାନୀୟ ରାଜା ଧନଞ୍ଜୟ ଭଞ୍ଜଙ୍କୁ ଇଂରେଜମାନେ ଗାଦିଚ୍ୟୁତ କରିବା ପରେ ୧୮୩୫ରେ ବିଦ୍ରୋହ ଆରମ୍ଭ ହେଲା । ପୂର୍ବରୁ ଧନଞ୍ଜୟ ଭଞ୍ଜଙ୍କ ପିତା ଶ୍ରୀକର ଭଞ୍ଜ ଧାର୍ଯ୍ୟମତେ ରାଜସ୍ୱ ଜମା କରି ନ ପାରିବାରୁ ଗାଦିଚ୍ୟୁତ ହୋଇଥିଲେ । ମାତ୍ର ଧନଞ୍ଜୟ ନିୟମିତ ରାଜସ୍ୱ ଜମା କରିବାକୁ ପ୍ରତିଶ୍ରୁତି ଦେବାରୁ ତାଙ୍କୁ ୧୮୩୨ରେ ରାଜପଦ ଦିଆଗଲା । କିନ୍ତୁ ସେ ସମୟାନୁସାରେ ଏବଂ ଧାର୍ଯ୍ୟ ମତେ ରାଜସ୍ୱ ଜମା କରିବାରେ ବିଫଳ ହେଲେ । ଫଳରେ ତାଙ୍କୁ ୧୮୩୫ରେ ଗାଦିଚ୍ୟୁତ କରାଗଲା । ଏହା ପରେ ସାର୍‍ ହେନେରି ଟେଲର (Sir Henry Taylor)ଙ୍କ ନେତୃତ୍ୱରେ ଏକ ଇଂରେଜ ବାହିନୀ ଘୁମୁସର ଦଖଲ କଲେ । ଧନଞ୍ଜୟ ଜଙ୍ଗଲକୁ ପଳାଇଲେ ଏବଂ କନ୍ଧମାନଙ୍କ ସାହାଯ୍ୟ ଭିକ୍ଷା କଲେ । ଆରମ୍ଭ ହେଲା କନ୍ଧ ବିଦ୍ରୋହ ।

କନ୍ଧ ସର୍ଦ୍ଦାର ବା ବିଶୋୟୀ କମଳଲୋଚନ ଥିଲେ ଏହି ବିଦ୍ରୋହର ମୁଖ୍ୟ ନେତା । ସେ ଥିଲେ ଦୋରା ବିଶୋୟୀ ବା ମୁଖ୍ୟ ସର୍ଦ୍ଦାର । ଇଂରେଜମାନଙ୍କ କଠୋର ରାଜସ୍ୱ ନୀତି ଓ ଜଙ୍ଗଲ ନୀତିଯୋଗୁଁ କନ୍ଧମାନେ ସେମାନଙ୍କ ପାରମ୍ପରିକ ଅଧିକାର ହରାଇଥିଲେ । କନ୍ଧମାନଙ୍କ ମଧ୍ୟରେ ମେରିଆ ପ୍ରଥା ବା ନରବଳି ପ୍ରଥା ରହିଥିଲା । ଧରଣୀ ପେନୁ ବା ଧରଣୀ ମାତାଠାରୁ ମିଳୁଥିବା ଶସ୍ୟର ପ୍ରତିଦାନରେ ବଳି ଦେବାର ପ୍ରଥା ରହିଥିଲା । ମୁଖ୍ୟତଃ ଘୁମୁସର, କନ୍ଧମାଳ, ଫୁଲବାଣୀ ଆଦି ଅଞ୍ଚଳରେ ରହୁଥିବା କନ୍ଧମାନେ ଏହା ପାଳନ କରୁଥିଲେ । ବିଶେଷତଃ ନିଜ ସଂପ୍ରଦାୟ ବାହାରୁ କାହାକୁ ବଳିପାଇଁ ଠିକଣା କରାଯାଉଥିଲା । ଏହି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଦକ୍ଷିଣ ଓଡ଼ିଶାରେ ନିଯୁକ୍ତ ରସେଲ୍‍ ସାହେବ କଡ଼ାକଡ଼ି ନିୟମ ପ୍ରବର୍ତ୍ତନ କଲେ । ଏହାକୁ ପରମ୍ପରା ଉପରେ ଆକ୍ରମଣ ମନେକରି କନ୍ଧମାନେ ତା'ର ବିରୋଧ କଲେ । ଘୁମୁସର ରାଜାଙ୍କୁ ସେମାନେ ରକ୍ଷକ ବୋଲି ବିଚାର କରୁଥିଲେ । ଜମିରୁ ଖଜଣା ଆଦାୟ ବେଳେ ଯଥା ସମ୍ଭବ କଠୋର ନ ହେବାକୁ ପ୍ରୟାସ କରି ଭଞ୍ଜ ରାଜାମାନେ ଗାଦିଚ୍ୟୁତ ହେଲେ । ତେଣୁ ବିତାଡ଼ିତ ଘୁମୁସର ରାଜା ଧନଞ୍ଜୟଙ୍କୁ କନ୍ଧମାନଙ୍କ ସମର୍ଥନ ମିଳିବାରେ ବିଶେଷ ଅସୁବିଧା ହେଲା ନାହିଁ । ବିଦ୍ରୋହ ଆରମ୍ଭ ହେବାର ଅଳ୍ପ ଦିନ ପରେ ଧନଞ୍ଜୟଙ୍କର ଅବଶ୍ୟ ମୃତ୍ୟୁ ହେଲା । ମାତ୍ର ଦୋରା ବିଶୋୟୀଙ୍କ ନେତୃତ୍ୱରେ ବିଦ୍ରୋହ ଅବ୍ୟାହତ ରହିଲା ।

ଏହି ବିଦ୍ରୋହରେ କନ୍ଧମାନେ ଦୁଇଜଣ ରାଜକର୍ମଚାରୀ ଓ ୪୮ ଜଣ ସିପାହୀଙ୍କୁ ହତ୍ୟା କରିଥିଲେ । ଅନ୍ୟ ପକ୍ଷରେ ବିଦ୍ରୋହ ଦମନପାଇଁ ନିଯୁକ୍ତ ରସେଲ୍‍ ସାହେବ କନ୍ଧ ନେତାମାନଙ୍କୁ ନିର୍ମମ ଭାବରେ ହତ୍ୟା କଲେ । କାରଣ କନ୍ଧମାନଙ୍କ ମଧ୍ୟରେ ଭୟ ସଂଚାର କରି ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ପ୍ରୟାସ କରୁଥିଲେ । କମଳ ଲୋଚନ ଦୋରା ବିଶୋୟୀ ଅନୁଗୋଳରେ ଆତ୍ମଗୋପନ କରିଥିବା ବେଳେ ସେଠାକାର ରାଜା ସୋମନାଥ ସିଂହ ତାଙ୍କୁ ଧରାଇ ଦେଇ ଇଂରେଜମାନଙ୍କ ହାତରେ ସମର୍ପଣ କଲେ । ଦୋରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ମାଡ୍ରାସ୍‍ ନିକଟସ୍ଥ ଗୁଟିରେ କାରାରୁଦ୍ଧ ରହିଲେ ।

ଦୋରା ବିଶୋୟୀ ଗିରଫ୍‍ ହେବା ପରେ ମଧ୍ୟ କନ୍ଧ ମେଳି ବନ୍ଦ ହୋଇ ନଥିଲା । ୧୮୪୬ରେ ଏହାର ମୁଖ୍ୟ ସର୍ଦ୍ଦାର ଥିଲେ ଦୋରା ବିଶୋୟୀଙ୍କ ପୁତୁରା ଚକ୍ରା ବିଶୋୟୀ । ସେ ମୃତ ଧନଞ୍ଜୟଙ୍କ ପୁତ୍ର ପୀତାମ୍ବର ଭଞ୍ଜଙ୍କୁ ଘୁମୁସରର ରାଜା ଘୋଷଣା କରି ବିଦ୍ରୋହକୁ ଏକ ବଳିଷ୍ଠ ରୂପ ଦେଇଥିଲେ । ତାଙ୍କ ପ୍ରତି ମୁଖ୍ୟତଃ ବେଣୀୟା କନ୍ଧ, ପାଇକ ଓ ବୌଦ୍ଧ ଅଞ୍ଚଳର କନ୍ଧମାନଙ୍କ ସମର୍ଥନ ରହିଥିଲା । ଘୁମୁସର ମାଳ ଅଞ୍ଚଳର କନ୍ଧମାନେ ଚକ୍ରା ବିଶୋୟୀଙ୍କୁ ସମର୍ଥଦେଇ ନ ଥିଲେ ।

କନ୍ଧ ବିଦ୍ରୋହରେ ସମତଳ ଅଞ୍ଚଳର ଲୋକଙ୍କ ଫସଲ ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା । ଏହାର କାରଣ ହେଲା, ଯେଉଁସବୁ ଔପନିବେଶିକ ପରିବର୍ତ୍ତଯୋଗୁଁ କନ୍ଧମାନେ କଷ୍ଟ ପାଉଥିଲେ, ତା'ର କିଛି ଲାଭ ସମତଳ ଅଞ୍ଚଳର ଲୋକଙ୍କୁ ମିଳୁଥିଲା । ଉଦାହରଣ ସ୍ୱରୂପ, ଜମି ହରାଉଥିବା କନ୍ଧର ଜମି ସମତଳ ଅଞ୍ଚଳରେ ବାସ କରୁଥିବା ସାହୁକାର ଓ ମହାଜନ ହାତକୁ ହସ୍ତାନ୍ତର ହେଉଥିଲା ।

ଏହି ସମୟରେ (୧୮୪୬-୫୪) କନ୍ଧ ବିଦ୍ରୋହର ମୁକାବିଲାପାଇଁ ପ୍ରଥମେ କେପଟେନ୍‍ ମେକଫରସନ୍‍ (Captain Mcpherson) ଓ ପରେ ବ୍ରିଗେଡ଼ିଅର୍‍ ଜେନେରାଲ୍‍ ଡାଇସ୍‍(Brigadier General Dice) ନିଯୁକ୍ତ ହୋଇଥିଲେ । ଇଂରେଜ ଦମନ ନୀତିଯୋଗୁଁ ନବଘନ କୋହେନ୍‍ ନାମକ ଜଣେ କନ୍ଧ ସର୍ଦ୍ଦାର ୧୮୪୭ରେ ଆତ୍ମସମର୍ପଣ କଲେ । ମୁଖ୍ୟ ସର୍ଦ୍ଦାର ଚକ୍ରା ବିଶୋୟୀଙ୍କୁ ଧରାଇ ଦେବାପାଇଁ ସରକାର ୩୦୦୦ଟଙ୍କା ପୁରସ୍କାର ଘୋଷଣା କଲେ । ୧୮୫୪ ଓ ୧୮୫୫ରେ ଘୁମୁସର ଓ କଳାହାଣ୍ତିରେ କନ୍ଧମାନେ ଗ୍ରାମରେ ପଶି ଲୁଟତରାଜ କଲେ । ଏହା ପଛରେ ଚକ୍ରା ବିଶୋୟୀ ଅଛନ୍ତିି ବୋଲି ଇଂରେଜମାନେ ସନ୍ଦେହ କଲେ ସିନା, ବିଶୋୟୀଙ୍କୁ ଧରି ପାରିଲେ ନାହିଁ । ଚକ୍ରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ଆତ୍ମସମର୍ପଣ ସୁଦ୍ଧା କରି ନଥିଲେ ।

ଉଭୟ ପାରଳାଖେମୁଣ୍ତି ଓ ଘୁମୁସର ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଏଥିରେ ଆଦିବାସୀମାନଙ୍କର ଭୂମିକା ମୁଖ୍ୟ ଥିଲା । ଅବଶ୍ୟ ରାଜାଙ୍କ ହାତରେ ନେତୃତ୍ୱ ରହିଥିଲା, କାରଣ ପାରମ୍ପରିକ ଭାବରେ ସେ ଲୋକଙ୍କ ସ୍ୱାଭାବିକ ନେତା ଥିଲେ । ମାତ୍ର ଅସଲ ଦାୟିତ୍ୱ ରହିଥିଲା ଆଦିବାସୀ ସର୍ଦ୍ଦାରମାନଙ୍କ ହାତରେ । ଦୀର୍ଘ କାଳ ଧରି ଚାଲିଥିବା ଏହି ବିଦ୍ରୋହରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇଥିଲା । ଆଦିବାସୀମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଇଂରେଜ ପ୍ରଶାସନର ବିଭିନ୍ନ ପ୍ରତୀକ ଓ ହିତାଧିକାରୀଙ୍କ ଉପରେ ଆକ୍ରମଣ କରୁଥିଲେ । ସମତଳ ଅଞ୍ଚଳସ୍ଥିତ ଘର ଓ ଫସଲ ମଧ୍ୟ ନଷ୍ଟ କରୁଥିଲେ । ଅନ୍ୟ ପକ୍ଷରେ, ସଭ୍ୟ ବୋଲାଉଥିବା ଇଂରେଜମାନେ ମଧ୍ୟ ଆଦିବାସୀଙ୍କ ମନରେ ଭୟ ସଂଚାରପାଇଁ ବିଦ୍ରୋହୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରୁଥିଲେ ଏବଂ ଆଦିବାସୀ କନ୍ଧମାନଙ୍କ ଚାଷ ଜମିକୁ ପୋଡ଼ି ଦେଉଥିଲେ । ୧୮୦୩ରେ ଉତ୍ତର ସରକାର ବା ଉପକୂଳ ଓଡ଼ିଶା ଅଧିକୃତ ହେବା ପୂର୍ବରୁ ପାରଳାଖେମୁଣ୍ତିରେ ବିଦ୍ରୋହ ଆରମ୍ଭ ହୋଇ ସାରିଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଇଂରେଜମାନେ ଯେଉଁ ଅଞ୍ଚଳକୁ ପ୍ରଥମେ ଦଖଲ କଲେ, ସେଠି ପ୍ରଥମେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଇଂରେଜମାନଙ୍କ ଉପରେ ଲୋକଙ୍କର କ୍ଷୋଭ ପଛରେ ବଡ଼ କାରଣ ହେଲା, ଔପନିବେଶିକ ଦ୍ରୁତ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ । ପରିବର୍ତ୍ତନ ଯୋଗୁଁ କ୍ଷତି ସହିଥିବା ଗୋଷ୍ଠୀ ବିଦ୍ରୋହ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିଲେ ।

ଖୋର୍ଦ୍ଧା, କନିକା ଓ କୁଜଙ୍ଗରେ ବିଦ୍ରୋହ ୧୮୦୩ରେ ଇଂରେଜ ହାତକୁ ମୁଖ୍ୟ ଓଡ଼ିଶା ଆସିଗଲା ପରେ ଇଂରେଜବିରୋଧୀ ବିଦ୍ରୋହ ସମଗ୍ର ରାଜ୍ୟକୁ ବ୍ୟାପିଗଲା । ବିଦ୍ରୋହର ଯେଉଁ ପରମ୍ପରା ପାରଳାଖେମୁଣ୍ତି ଓ ଘୁମୁସରରେ ସୃଷ୍ଟି ହୋଇଥିଲା, ତାହା ଏବେ ଭିନ୍ନ ଭିନ୍ନ ଅଞ୍ଚଳକୁ ବିସ୍ତାରିତ ହେଲା । ଓଡ଼ିଶା ଦଖଲ କରିବା ବେଳେ ଯେଉଁ ଉତ୍ସାହରେ ରାଜା ଜମିଦାରମାନେ କମ୍ପାନୀକୁ ସ୍ୱାଗତ କରିଥିଲେ, ତାହା ଅଳ୍ପ ଦିନ ପରେ ତୀବ୍ର ଅସନ୍ତୋଷ ଓ ବିଦ୍ରୋହରେ ପରିଣତ ହେଲା ।

୧୮୦୪ରେ ପ୍ରଥମେ ଖୋର୍ଦ୍ଧାରେ ବିଦ୍ରୋହ ଆରମ୍ଭ ହେଲା ଏବଂ ତହିଁରେ କନିକା ଓ କୁଜଙ୍ଗ ରାଜ୍ୟର ସମର୍ଥନ ଦେଖିବାକୁ ମିଳିଥିଲା । ସେତେବେଳେ ଦ୍ୱିତୀୟ ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ଥିଲେ ଏବଂ ତାଙ୍କର ପରାମର୍ଶଦାତା ଜୟୀ ରାଜଗୁରୁଙ୍କ ହାତରେ ବିଦ୍ରୋହର ନେତୃତ୍ୱ ରହିଥିଲା । ବିଦ୍ରୋହ ଦମନ ପରେ ଯଦିଓ ରାଜା ବନ୍ଦୀ ହେଲେ, ତାଙ୍କୁ ପରେ ମୁକ୍ତ କରି ଦିଆଗଲା ଏବଂ କେତେକ ସର୍ତ୍ତ ସହିତ ପେନ୍‍ସନ୍‍ ଦେଇ ପୁରୀରେ ଅବସ୍ଥାନ କରିବାକୁ ବ୍ୟବସ୍ଥା କରାଗଲା । ଜୟୀ ରାଜଗୁରୁଙ୍କୁ ମେଦିନୀପୁର ଜେଲ୍‍ରେ ୧୮୦୬ରେ ପ୍ରାଣଦଣ୍ତ ଦିଆଗଲା । ଏଥିରୁ ଜୟୀ ରାଜଗୁରୁଙ୍କ ଇଂରେଜବିରୋଧୀ ଭୂମିକାକୁ ସ୍ପଷ୍ଟ ବୁଝି ହୁଏ । ୧୮୦୩ ସେପ୍ଟେମ୍ବର ମାସରେ ଇଂରେଜ ବାହିନୀ ଯେତେବେଳେ ଓଡ଼ିଶା ଦଖଲପାଇଁ ଗଞ୍ଜାମ ଦେଇ ପୁରୀ ଆସିଲେ, ସେତେବେଳେ ଇଂରେଜ ବାହିନୀର ଅଧିନାୟକ ହାରକୋର୍ଟଙ୍କର ମୁକୁନ୍ଦଦେବଙ୍କ ସହ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ, ଖୋର୍ଦ୍ଧା ରାଜ୍ୟ ମଧ୍ୟରେ ଇଂରେଜ ବାହିନୀର ଗତାଗତପାଇଁ ରାଜା ଅନୁମତି ଦେଲେ ଏବଂ ପ୍ରତିବଦଳରେ ହାର୍‍କୋର୍ଟଙ୍କଠାରୁ ଲକ୍ଷେ ଟଙ୍କା ପାଇବାର ପ୍ରତିଶ୍ରୁତି ପାଇଲେ। ମରାଠାମାନଙ୍କ ବିରୁଦ୍ଧରେ ଯୁଦ୍ଧ ବେଳେ ଖୋର୍ଦ୍ଧାର ପାଇକସେନା ସହଯୋଗ କରିବେ ବୋଲି କଥା ତୁଟିଲା । ପୂର୍ବରୁ ଗଜପତିଙ୍କ ସହ ଯୁଦ୍ଧ ବେଳେ ଖୋର୍ଦ୍ଧା ରାଜା ମରାଠା ସହାୟତା ନେଇଥିଲେ ଏବଂ ପ୍ରତିବଦଳରେ ଚବିଶକୁଦ, ରାହାଙ୍ଗ, ଲେମ୍ବାଇ ଓ ପୁରୁଷୋତ୍ତମ କ୍ଷେତ୍ର (ପୁରୀ) ମରାଠାମାନଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ଫଳରେ ୧୮୦୩ ବେଳକୁ ଖୋର୍ଦ୍ଧା ରାଜାଙ୍କ କର୍ତ୍ତୃତ୍ୱରେ ପୁରୀ ଜଗନ୍ନାଥ ମନ୍ଦିର ଓ ଏହି ତିନୋଟି ପ୍ରଗଣା ନଥିଲା; ମରାଠାମାନଙ୍କ ହାତକୁ ଚାଲି ଯାଇଥିଲା । ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ୱକୁ ଫେରିପାଇବାପାଇଁ ରାଜା ଇଂରେଜମାନଙ୍କୁ ସହଯୋଗ କରିଥିଲେ । ତାଙ୍କର ଧାରଣା ଥିଲା, ଇଂରେଜମାନେ ଯେହେତୁ ଅଣହିନ୍ଦୁ,ମନ୍ଦିର ଅଧିକାର କଲା ପରେ ରାଜାଙ୍କୁ (ଖୋର୍ଦ୍ଧା ରାଜାଙ୍କୁ) ତା'ର ପରିଚାଳନା ଭାର ଫେରାଇଦେବେ । ମରାଠାମାନେ ବିତାଡ଼ିତ ହେଲା ପରେ ବନ୍ଧା ପଡ଼ିଥିବା ଅନ୍ୟ ପ୍ରଗଣାଗୁଡ଼ିକ ମଧ୍ୟ ରାଜା ଫେରିପାଇବେ । ଏସବୁ ବ୍ୟତୀତ ଖୋର୍ଦ୍ଧା ରାଜା କିଛି ଟଙ୍କା ମଧ୍ୟ ପାଇବେ ବୋଲି ଆଶା ରଖିଥିଲେ ।

ମୁକୁନ୍ଦ ଦେବଙ୍କ ଏହି ଚୁକ୍ତି ଓ ଆଶାକୁ ନେଇ ସମ୍ଭବତଃ ତାଙ୍କ ପରାମର୍ଶଦାତା ଜୟୀ ରାଜଗୁରୁ ସନ୍ତୁଷ୍ଟ ନଥିଲେ । ଆଧୁନିକ ଶିକ୍ଷିତ ନହେଲେ ବି ସେ ପାରମ୍ପରିକ ଶିକ୍ଷା ପାଇଥିଲେ ଏବଂ ଇଂରେଜ ଦଖଲ ପରେ ଆସନ୍ନ ବିପଦକୁ ସେ ବୁଝି ପାରିଥିଲେ । ମାତ୍ର ତାଙ୍କ ପରାମର୍ଶକୁ ଅଣଦେଖା କରି ଖୋର୍ଦ୍ଧା ଇଂରେଜମାନଙ୍କ ଓଡ଼ିଶା ଦଖଲରେ ସହଯୋଗ କଲା ।

ଓଡ଼ିଶା ଦଖଲ ବେଳେ ଇଂରେଜମାନଙ୍କୁ ଖୋର୍ଦ୍ଧା ପାଇକ ସେନାର ଆବଶ୍ୟକତା ପଡ଼ିଲା ନାହିଁ । ଇଂରେଜ ବାହିନୀ ନିଜ ବଳରେ ମରାଠାମାନଙ୍କୁ ପରାସ୍ତ କଲେ । ତେଣୁ ହାରକୋର୍ଟ ଚୁକ୍ତି ମତେ ଏକ ଲକ୍ଷ ଟଙ୍କାରୁ ପଚାଶ ହଜାର ଟଙ୍କା ମାତ୍ର ଦେଇ ଅବଶିଷ୍ଟ ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ମାତ୍ର ଖୋର୍ଦ୍ଧା ରାଜା ଇଂରେଜମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏକଜୁଟ କରିଥିବା ପାଇକମାନଙ୍କୁ ପ୍ରାପ୍ୟ ଦେବେ । ଖୋର୍ଦ୍ଧା ରାଜାଙ୍କ ବାର୍ଷିକ ପେଶକସ୍‍ ମଧ୍ୟ ଇଂରେଜମାନେ ଊଣା ଭାବରେ ଧାର୍ଯ୍ୟ କରିବା କଥା । କାରଣ ଓଡ଼ିଶା ଦଖଲ ବେଳେ ଉଭୟଙ୍କ ମଧ୍ୟରେ ମେଣ୍ଟ ଥିଲା । ମାତ୍ର ଓଡ଼ିଶା ଦଖଲ ପରେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳି ଥିଲା । ଯେଉଁ ଚାରୋଟି ପ୍ରଗଣା ମିଳିବ ବୋଲି ଆଶା ଥିଲା ତା ବି ହାରକୋର୍ଟ ଦେବାକୁ ସମ୍ମତ ନ ଥିଲେ । ଅସଲରେ ଓଡ଼ିଶା ଦଖଲ ବେଳେ ଇଂରେଜମାନେ ବିଶେଷ ପ୍ରତିରୋଧର ସମ୍ମୁଖୀନ ନ ହେବାଯୋଗୁଁ ସେମାନଙ୍କର ଓଡ଼ିଶା ରାଜାମାନଙ୍କ ପ୍ରତି ଉପେକ୍ଷାଭାବ ବୃଦ୍ଧିପାଇଲା । ଯାହାର ଆଶୁ ପରିଣାମ ଥିଲା ଖୋର୍ଦ୍ଧାର ବିଦ୍ରୋହ । ମାର୍ଚ୍ଚ ୧୮୦୪ରେ ଜୟୀ ରାଜଗୁରୁ ୨୦୦୦ ପାଇକଙ୍କୁ ସାଙ୍ଗରେ ନେଇ ହାରକୋର୍ଟଙ୍କୁ କଟକରେ ଖୋର୍ଦ୍ଧାର ଦାବି ଜଣାଇଲେ । ମାତ୍ର ଅବଶିଷ୍ଟ ଟଙ୍କାରୁ ୨୦୦୦୦ ଟଙ୍କା ଦେବା ବ୍ୟତୀତ ଅନ୍ୟ ଦାବିଗୁଡ଼ିକୁ ହାରକୋର୍ଟ ପ୍ରତ୍ୟାଖ୍ୟାନ କଲେ । ଏହିଭଳି ଭାବେ ଅପମାନିତ ହୋଇ ଜୟୀ ରାଜଗୁରୁ କଟକରୁ ଫେରିଲେ ଏବଂ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହପାଇଁ ବ୍ୟାପକ ପ୍ରସ୍ତୁତି କଲେ । ସ୍ମରଣଯୋଗ୍ୟ ଯେ, ହାରକୋର୍ଟ ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ଅପେକ୍ଷା ଜୟୀ ରାଜଗୁରୁଙ୍କୁ ବଡ଼ ଶତ୍ରୁ ମଣୁଥିଲେ ।

୧୮୦୪ର ଉତ୍ତରାର୍ଦ୍ଧରେ ଖୋର୍ଦ୍ଧାରେ ବିଦ୍ରୋହ ତେଜିଲା, ଯେତେବେଳେ ଇଂରେଜ ଅଧିକାରୀ କେପ୍‍ଟେନ୍‍ ବ୍ଲଣ୍ଟଙ୍କୁ ରାଜଗୁରୁଙ୍କ ପରାମର୍ଶରେ ରାଜା ସାକ୍ଷାତ୍‍ କରିବାକୁ ସୁଦ୍ଧା ମନା କଲେ । ଅନ୍ୟ ପକ୍ଷରେ, ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାଲାଗି ରାଜଗୁରୁ କୁଜଙ୍ଗ, କନିକା, ମରିଚପୁର ଓ କିଶନପୁରର ରାଜା ଓ ଜମିଦାରଙ୍କ ସହ ମେଣ୍ଟ କଲେ । ମରାଠାମାନଙ୍କଠାରୁ ସମର୍ଥନ ପାଇବା ଆଶାରେ ନାଗପୁରର ଭୋଁସଲେ ରାଜାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ପ୍ରୟାସ କଲେ । ଏଥିରୁ ମନେହୁଏ ଯେ, ଜୟୀ ରାଜଗୁରୁ ଇଂରେଜମାନଙ୍କୁ ଏକ କ୍ଷୁଦ୍ର ଶକ୍ତି ବୋଲି ମନେ କରୁ ନଥିଲେ । ରାହାଙ୍ଗ, ଚବିଶକୁଦ, ଲେମ୍ବାଇ ଆଦି ପ୍ରଗଣାକୁ ଦଖଲ କରିବା ସକାଶେ ଖୋର୍ଦ୍ଧାରୁ ୨୫୦ ଅଶ୍ୱାରୋହୀ ଓ ପ୍ରାୟ ୨୦୦ ବରକନ୍ଦାଜ ବା ସିପାହୀଙ୍କୁ ପ୍ରେରଣ କରାଗଲା । ଖୋର୍ଦ୍ଧା ଅଧିକାରପାଇଁ ଆସିଥିବା କେପ୍‍ଟେନ୍‍ ହିକ୍‍ଲାଣ୍ତ ପିପିଲି ଫେରୁଥିବା ବେଳେ ୨୨ ନଭେମ୍ବରରେ ଖୋର୍ଦ୍ଧା ସୈନ୍ୟ କେବଳ ତାଙ୍କ ଉପରେ ଆକ୍ରମଣ କଲେ ନାହିଁ, ଅନେକ ଇଂରେଜ ସିପାହୀଙ୍କୁ ହତାହତ ମଧ୍ୟ କଲେ । ଏହା ପରେ ହାରକୋର୍ଟ ଏକ ବିରାଟ ବାହିନୀକୁ ନେଇ ୫ ଡିସେମ୍ବର ୧୮୦୪ରେ ଖୋର୍ଦ୍ଧାର ଦୁର୍ଗ ଅଧିକାର କରିନେଲେ । ରାଜା ନିଜର କେତେକ ବିଶ୍ୱସ୍ତ ସର୍ଦ୍ଦାରଙ୍କ ସହିତ ବରୁଣେଇ ଜଙ୍ଗଲକୁ ପଳାଇଲେ । ୩ ଜାନୁଆରି ୧୮୦୫ରେ ରାଜା ଓ ରାଜଗୁରୁଙ୍କୁ ବନ୍ଦି କରି ପ୍ରଥମେ କଟକରେ ଏବଂ ପରେ ମେଦିନୀପୁର ଜେଲରେ ରଖାଗଲା । ଏହା ପରେ ବିଦ୍ରୋହ ଦମନ ହେଲା । ୧୮୦୭ରେ ବାର୍ଷିକ ୨୦୦୦ଟଙ୍କା ପେନସନ୍‍ ଦେଇ ମୁକୁନ୍ଦଦେବଙ୍କୁ ପୁରୀରେ ରଖିବାକୁ ସ୍ଥିର ହେଲା; ତା ପୂର୍ବରୁ ୬ ଡିସେମ୍ବର ୧୮୦୬ରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ଫାଶୀ ଦିଆଗଲା । ଶେଷ ପର୍ଯ୍ୟନ୍ତ ଜୟୀ ରାଜଗୁରୁ ଇଂରେଜମାନଙ୍କଠାରେ କ୍ଷମା ଭିକ୍ଷା କରି ନଥିଲେ ।

ଖୋର୍ଦ୍ଧାରେ ଜୟୀ ରାଜଗୁରୁଙ୍କ ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଓଡ଼ିଶା ଦଖଲରେ ଇଂରେଜମାନଙ୍କୁ ସହଯୋଗ କରି ଖୋର୍ଦ୍ଧା ରାଜା ଯେଉଁ ଭୁଲ କରିଥିଲେ, ତା'ର ଭରଣାଲାଗି ଯେମିତି ଏହା ଉଦ୍ଦିଷ୍ଟ ଥିଲା । ଏଥିରେ ଖୋର୍ଦ୍ଧା ରାଜାଙ୍କ ଅପେକ୍ଷା ତାଙ୍କ ପରାମର୍ଶଦାତା ଓ ପାଇକମାନେ ଅଧିକ ସକ୍ରିୟ ଥିଲେ । ଅଳ୍ପ ଅବଧିପାଇଁ ହେଉ ପଛେ, ଏହା ଓଡ଼ିଶାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଇଂରେଜ ଶାସନକୁ ଥରହର କରି ଦେଇଥିଲା । ସେହି ଅନୁସାରେ ବିଦ୍ରୋହୀମାନଙ୍କୁ ଦଣ୍ତ ମଧ୍ୟ ଦିଆଯାଇଥିଲା । ଖୋର୍ଦ୍ଧାର ପତନ ପରେ କନିକା ଓ କୁଜଙ୍ଗର ରାଜା ସମ୍ମୁଖ ସମରପାଇଁ ପ୍ରସ୍ତୁତ ହେଲେ ନାହିଁ, ଯଦିଓ ସେମାନେ ଖୋର୍ଦ୍ଧାକୁ ସମର୍ଥନ କରୁଥିଲେ । ହାରକୋର୍ଟ ମହାନଦୀ ପାରହୋଇ କୁଜଙ୍ଗ ପହଞ୍ଚିବା ପୂର୍ବରୁ ରାଜା ଚନ୍ଦ୍ରଧ୍ୱଜ ଷେଣ୍ଢ ପଳାୟନ କଲେ । ୧୮୦୫ ମସିହା ମେ ମାସରେ ତାଙ୍କୁ ଗିରଫ କରାଗଲା । ତାଙ୍କ ସ୍ଥାନରେ ତାଙ୍କ ଭାଇ ମଧୁସୂଦନ ଷେଣ୍ଢଙ୍କୁ ରାଜା ଘୋଷଣା କରାଗଲା । କୁଜଙ୍ଗ ରାଜା ଇଂରେଜ ଜାହାଜଗୁଡ଼ିକୁ ଲୋକ ଲଗାଇ ଲୁଟ କରୁଥିଲେ ବୋଲି ଅଭିଯୋଗ ରହିଥିଲା । ନୂତନ ରାଜା ଜାହାଜରୁ ଲୁଟ ହୋଇଥିବା ସମ୍ପତ୍ତିର ଭରଣା କରିବେ ତଥା ଇଂରେଜମାନଙ୍କ ପ୍ରତି ଅନୁଗତ ରହିବେ ବୋଲି ପ୍ରତିଶ୍ରୁତି ଦେଲେ ।

କୁଜଙ୍ଗକୁ ନିୟନ୍ତ୍ରଣକୁ ଆଣିବା ପରେ ହାରକୋର୍ଟ କନିକା ରାଜାଙ୍କୁ ବନ୍ଦି କଲେ । ବନ୍ଦି ରାଜାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ ମେଦିନୀପୁର ଜେଲରେ ରଖାଗଲା । ରାଜା ବନ୍ଦି ହେବା ପରେ କନିକାର ଦେଓ୍ୱାନ୍‍ଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ ହେଲା । ଇଂରେଜ ତରଫରୁ ସୁବାଦାର ଶିବପ୍ରସାଦ ବିଦ୍ରୋହ ଦମନ କଲେ ଏବଂ ବିଦ୍ରୋହୀମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କଲେ । ଖୋର୍ଦ୍ଧା, କୁଜଙ୍ଗ ଓ କନିକା ରାଜାଙ୍କ ବିଦ୍ରୋହ ପରେ ତିନୋଟିଯାକ ରାଜ୍ୟକୁ ଇଂରେଜ ସରକାରଙ୍କ ଖାସ ମାହାଲ ବା ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରଖାଗଲା । ଖାସମାହାଲରେ ରଖିବା ପଛରେ ଏକ ବଡ଼ କାରଣ ହେଲା ଯେ, ସେଠାରେ ଜମି ଉର୍ବର ଓ ଜମିଜମା ବନ୍ଦୋବସ୍ତ ଦ୍ୱାରା ନିୟମିତ ବ୍ୟବଧାନରେ ଅଧିକରୁ ଅଧିକ କର ଅସୁଲ କରିବାର ସଂଭାବନା ଥିଲା । ଗଡ଼ଜାତ ରାଜ୍ୟଗୁଡ଼ିକ ପରି ସେଠାରେ ଭୂ-ରାଜସ୍ୱ ଯଦି ବାର୍ଷିକ ପେଶକସ୍‍ ଆକାରରେ ଅସୁଲି ହୋଇଥାନ୍ତା, ସରକାର ଆଶା ମୁତାବକ କର ଅସୁଲ କରି ପାରିନଥାନ୍ତେ । ଖାସମାହାଲରେ ପରିଣତ ହେଲା ପରେ ଏହି କ୍ଷେତ୍ରରେ ଔପନିବେଶିକ ପରିବର୍ତ୍ତର ମାତ୍ରା ତୀବ୍ର ହେଲା, ଯାହାର ପରିଣାମ ସ୍ୱରୂପ ବାରମ୍ବାର ସେଠାରେ ଜନ ଅସନ୍ତୋଷ ଓ ବିଦ୍ରୋହମାନ ଦେଖାଗଲା ।

ଖୋର୍ଦ୍ଧା ବିଦ୍ରୋହ : ୧୮୧୭ ଖୋର୍ଦ୍ଧା ଖାସମାହାଲରେ ପରିଣତ ହେଲା ପରେ ୧୮୧୭ରେ ସେଠାରେ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ଏକ ବଡ଼ ଧରଣର ବିଦ୍ରୋହ ସଂଘଟିତ ହୋଇଥିଲା । ଏହି ବିଦ୍ରୋହରେ ଯଦିଓ ବକ୍ସି ଜଗବନ୍ଧୁଙ୍କ ହାତରେ ନେତୃତ୍ୱ ରହିଥିଲା,ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ରାଜ୍ୟର ପାଇକ ବା ପାରମ୍ପରିକ ସିପାହୀମାନେ । ତେଣୁ ସରକାରୀ ନଥିପତ୍ରରେ ଏହାକୁ ପାଇକ ବିଦ୍ରୋହ ବୋଲି କୁହାଯାଏ । ଇଂରେଜ ଶାସନର ତ୍ରୁଟି ଓ ଶୋଷଣଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ପାଇକମାନେ ପ୍ରାକ୍‍-ଇଂରେଜ କାଳରୁ ସୈନିକ ଭାବରେ ରାଜାଙ୍କପାଇଁ କାମ କରୁଥିଲେ । ଏହି ଦାୟିତ୍ୱ ନିର୍ବାହ କରିବା ସକାଶେ ସେମାନଙ୍କୁ କୃଷିଯୋଗ୍ୟ ଜମି ମିଳିଥିଲା । ଜମି ଚାଷ କରି ସେମାନେ ଉଭୟ କୃଷକ ଓ ସୈନିକର ଭୂମିକା ପାଳନ କରୁଥିଲେ । ମାତ୍ର ଖୋର୍ଦ୍ଧା ଇଂରେଜ ଶାସନାଧୀନ ହେବା ପରେ ବାରମ୍ବାର ଭୂମି କର ବୃଦ୍ଧିପାଇଲା ଓ ସାହୁକାର ମହାଜନ ଗୋଷ୍ଠୀ ହାତକୁ ଜମି ହସ୍ତାନ୍ତର ହେବାକୁ ଲାଗିଲା । ଏହାର କୁଫଳ ଏହି ପାଇକମାନଙ୍କୁ ମଧ୍ୟ ଭୋଗ କରିବାକୁ ପଡ଼ିଲା । ପରିଣାମ ସ୍ୱରୂପ ସେମାନେ ଇଂରେଜ ବିରୁଦ୍ଧରେ ଅସ୍ତ୍ରଧାରଣ କରିବାକୁ ବାଧ୍ୟ ହେଲେ । କୌଳିକ ବୃତ୍ତି ଯୁଦ୍ଧ ହୋଇଥିବାରୁ,ପାଇକମାନେ ଅନ୍ୟମାନଙ୍କ ଅପେକ୍ଷା ଆଗତୁରା ସଶସ୍ତ୍ର ବିଦ୍ରୋହ କରିବାକୁ ସାହସ ପାଇଲେ । ଏହି ବିଦ୍ରୋହରେ ଅନ୍ୟ ବର୍ଗର ଲୋକେ ମଧ୍ୟ ସାମିଲ୍‍ ହୋଇଥିଲେ । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତ, ଅତିରିକ୍ତ ଖଜଣା ବୃଦ୍ଧି ଓ ଶସ୍ୟ ହାନି ସତ୍ତ୍ୱେ କଡ଼ାକଡ଼ି ଭାବେ ଖଜଣା ଆଦାୟ ହେବାଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଆଇନର ଜଟିଳତାଯୋଗୁଁ ଲୋକେ ସେଗୁଡ଼ିକୁ ସହଜରେ ବୁଝି ପାରୁ ନଥିଲେ । ଲୋକଙ୍କ ସରଳତା ଓ ଅଜ୍ଞତାର ସୁଯୋଗ ନେଇ ଅମଲା, ଦାରୋଗା ଆଦି ସରକାରୀ କର୍ମଚାରୀମାନେ ଅତ୍ୟାଚାର ଓ ଶୋଷଣ କରୁଥିଲେ । ଇଂରେଜ ସରକାରଙ୍କ ଭୂ-ରାଜସ୍ୱ ନୀତି ସ୍ଥାନୀୟ ଜମିଦାର ଓ ରୟତମାନଙ୍କ ସ୍ୱାର୍ଥରେ ଆଞ୍ଚ ଆଣିଥିଲା । ଯେଉଁ ଜମିଦାରମାନେ ବିଳମ୍ବରେ ଅସୁଲି ହେବା କାରଣରୁ ଠିକ୍‍ ସମୟରେ ରାଜସ୍ୱ ଜମା କରିପାରୁ ନଥିଲେ, ସେମାନଙ୍କ ଜମିଦାରୀ କଲିକତାରେ ନିଲାମ ହେଉଥିଲା । ଏହା ଅଣ-ଓଡ଼ିଆ, ବିଶେଷକରି ବଙ୍ଗୀୟ ଲୋକଙ୍କ ହାତକୁ ଚାଲି ଯାଉଥିଲା । ଇଂରେଜ ଶାସନ ପ୍ରତିଷ୍ଠିତ ହେଲା ପରେ ୧୮୦୫-୧୮୦୬ ପ୍ରଥମ ବନ୍ଦୋବସ୍ତରେ ମୋଟ ୨୩୪୦ ଜଣ ଓଡ଼ିଆ ଜମିଦାରଙ୍କ ନାମ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ୧୮୦୭ରେ ୨୬୬ ଜଣଙ୍କ ଜମିଦାରୀ ନିଲାମ ହେଲା । ୧୮୧୬ ମସିହା ଶେଷ ସୁଦ୍ଧା ୯୦୧ ଜଣ ଜମିଦାର ନିଜ ଜମିଦାରୀ ହରାଇ ସାରିଥିଲେ । ନୂତନ ଜମିଦାରମାନେ ଓଡ଼ିଶାରେ ବାସ କରୁନଥିଲେ ଏବଂ ସେମାନଙ୍କର ସ୍ଥାନୀୟ ରୟତମାନଙ୍କ ପ୍ରତି ସମ୍ବେଦନା ନଥିଲା । ନିଲାମଯୋଗୁଁ ଜମିଦାରୀ ହରାଇଥିବା ଜମିଦାର ଓ ରୟତମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ଉଭୟେ ମିଶି ବିଦ୍ରୋହପାଇଁ ପ୍ରସ୍ତୁତି କଲେ ।

୧୮୦୫ରେ ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦଦେବ ଗାଦିଚ୍ୟୁତ ହେଲେ ଓ ଖୋର୍ଦ୍ଧା ଖାସମାହାଲରେ ପରିଣତ ହେଲା । ମେଜର ଫ୍ଲେଚରଙ୍କ ନିର୍ଦ୍ଦେଶରେ ସେଠାରେ ଯେଉଁ ବନ୍ଦୋବସ୍ତ ହେଲା, ତା' ଅନୁଯାୟୀ ପାଇକମାନେ ବଂଶାନୁକ୍ରମିକ ଭାବରେ ଭୋଗ କରୁଥିବା ନିଷ୍କର ଜମି ହରାଇଲେ । ସ୍ୱଳ୍ପମିଆଦୀ ବନ୍ଦୋବସ୍ତରେ ରୟତମାନଙ୍କର ଖଜଣା ବୃଦ୍ଧି ପାଇଲା । ୧୮୦୬-୦୭ରେ ଭୟଙ୍କର ମରୁଡ଼ି ପଡ଼ିଲା; ପର ବର୍ଷ ଖୁବ୍‍ ବନ୍ୟା ହେଲା । ଖଜଣା ଉଚିତ ସମୟରେ ଜମା କରିବା ସକାଶେ ରୟତମାନେ ସାହୁକାରମାନଙ୍କ ପାଖରୁ ଋଣ ସୁଦ୍ଧା ପାଇ ପାରିଲେ ନାହିଁ, କାରଣ ବନ୍ଧା ଦେବାଲାଗି ବିଲରେ ଫସଲ ନଥିଲା । ପାଇକମାନେ ଆଗରୁ ନିଷ୍କର ଜମି ଭୋଗ କରୁଥିଲେ । ବର୍ତ୍ତମାନ ସ୍ଥିତିରେ ସେମାନଙ୍କର ଅବସ୍ଥା ଖୁବ୍‍ ଶୋଚନୀୟ ହୋଇ ପଡ଼ିଲା । ଦୁର୍ନୀତିଗ୍ରସ୍ତ ଅମଲା ଓ ଅତ୍ୟାଚାରୀ ପୋଲିସ୍‍ଯୋଗୁଁ ସେମାନଙ୍କ କଷ୍ଟର ସୀମା ରହିଲା ନାହିଁ । ଏଭଳି ସ୍ଥିତିରେ ପାଇକମାନେ ବିଦ୍ରୋହ ସକାଶେ ଜଣେ ନେତାର ଅନ୍ୱେଷଣରେ ରହିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଥିଲେ ସେହିଭଳି ଜଣେ ନେତା । ୧୮୧୭ ପାଇକ ବିଦ୍ରୋହକୁ ସେ ନେତୃତ୍ୱ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଖାସ୍‍ମାହାଲରେ ପରିଣତ ହେବା ପୂର୍ବରୁ ସେ ଖୋର୍ଦ୍ଧା ଗଜପତିଙ୍କ ବକ୍ସି ବା ସେନା ଅଧିନାୟକ ପଦରେ ପୁରୁଷାନୁକ୍ରମିକ ଭାବେ ନିଯୁକ୍ତ ଥିଲେ । ତାଙ୍କୁ ରୋଡଙ୍ଗ ଜମିଦାରୀ ମିଳିଥିଲା । ମାତ୍ର ଖୋର୍ଦ୍ଧା ଖାସମାହାଲ ହେବା ପରେ ଜମିଦାରୀର ଖଜଣା ଜମା କରିବାକୁ ପଡ଼ିଲା । ଏନେଇ ତାଙ୍କ ମନରେ ଅସନ୍ତୋଷ ଥିଲେ ସୁଦ୍ଧା ସେ ଜମିକର ଦେଉଥିଲେ । ମନେହୁଏ, କୃଷ୍ଣଚନ୍ଦ୍ର ସିଂହ ନାମକ ଜଣେ ବଙ୍ଗୀୟ ଦଲାଲ୍‍ ରୋଡ଼ଙ୍ଗ ଜମିଦାରୀ ହାସଲ କରିବା ଉଦ୍ଦେଶ୍ୟରେ ବକ୍ସି ଜମା କରୁଥିବା ଖଜଣାକୁ ଆତ୍ମସାତ୍‍ କରିଗଲେ । ଫଳରେ ୧୮୧୩ରେ ଖଜଣା ଜମା ନକରିବା ଅପରାଧରେ ବକ୍ସି ଜଗବନ୍ଧୁ ନିଜ ଜମିଦାରୀ ଅଧିକାର ହରାଇଲେ । ଜମିଦାରୀ ଫେରିପାଇବା ଲାଗି ଜଗବନ୍ଧୁଙ୍କ ସମସ୍ତ ଆବେଦନ ନିଷ୍ଫଳ ହେଲା । ମଝିରେ ୧୮୧୪ରେ ତାଙ୍କୁ ଜମିଦାରୀ ଫେରସ୍ତ ଦେବାଲାଗି ମଧ୍ୟ ଆଦେଶ ଜାରି ହେଲା । କିନ୍ତୁ ଆଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ କୃଷ୍ଣଚନ୍ଦ୍ର ସିଂହଙ୍କ ଚକ୍ରାନ୍ତଯୋଗୁଁ ଅନ୍ୟ ଏକ ଆଦେଶ ବଳରେ ପୂର୍ବ ଆଦେଶ ରଦ୍ଦ ହେଲା । ଏହା ପରେ ବକ୍ସି ଜଗବନ୍ଧୁ ଇଂରେଜ ନ୍ୟାୟ ବ୍ୟବସ୍ଥା ଉପରୁ ସଂପୂର୍ଣ୍ଣ ଭାବେ ଆସ୍ଥା ହରାଇଲେ ଏବଂ ପ୍ରତିଶୋଧ ନେବାପାଇଁ ସମଦଶାପନ୍ନ ପାଇକମାନଙ୍କୁ ଏକଜୁଟ କଲେ । ବିଦ୍ରୋହରେ ଯୋଗଦେବାପାଇଁ ସେ ଇଂରେଜମାନଙ୍କଠାରୁ ପେନ୍‍ସନ୍‍ ପାଉଥିବା ଖୋର୍ଦ୍ଧା ରାଜାଙ୍କୁ ମଧ୍ୟ ଆମନ୍ତ୍ରଣ ଜଣାଇଲେ ।

୧୮୧୭ ମାର୍ଚ୍ଚ ମାସରେ ପ୍ରାୟ ୪୦୦ କନ୍ଧ ଘୁମୁସରରୁ ଖୋର୍ଦ୍ଧା ଆସି ପାଇକମାନଙ୍କ ସହ ଯୋଗ ଦେଲେ । ଇଂରେଜଙ୍କ ଅତ୍ୟାଚାରରେ ସେମାନେ ମଧ୍ୟ ଅତିଷ୍ଠ ଥିଲେ । କଡ଼ାକଡ଼ି ଭାବେ ଭୂ-ରାଜସ୍ୱ ଆଦାୟ ହେବାରୁ ଜମିଦାରମାନଙ୍କ ପରି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷକରି ପ୍ରାକୃତିକ ଦୁର୍ବିପାକ ବେଳେ ଖଜଣା ଅସୁଲରେ ରିହାତି ଦିଆ ଯାଉ ନଥିବାରୁ ସମସ୍ତ ପ୍ରଜା ଘୋର ଅସୁବିଧା ଭୋଗୁଥିଲେ । ଜଗବନ୍ଧୁଙ୍କ ନେତୃତ୍ୱରେ କନ୍ଧ ଓ ପାଇକମାନେ ସମ୍ମିଳିତ ହେଲେ; ବିଦ୍ରୋହ ତେଜୀୟାନ ହେଲା । ଜଗବନ୍ଧୁଙ୍କ ତଳେ ଦଳବେହେରାମାନେ ବିଦ୍ରୋହକୁ ନେତୃତ୍ୱ ଦେଉଥିଲେ । ବିଦ୍ରୋହୀମାନେ ପ୍ରଥମେ ବାଣପୁର ଥାନା ଓ ସରକାରୀ ଅଫିସ୍‍ ଗୃହଗୁଡ଼ିକ ଉପରେ ଆକ୍ରମଣ କଲେ ତଥା ସରକାରୀ କୋଷାଗାରରୁ ଅର୍ଥ ଲୁଣ୍ଠନ କଲେ । ଖୋର୍ଦ୍ଧାରେ ମଧ୍ୟ ସେମାନେ ସରକାରୀ କୋଠାବାଡ଼ିରେ ନିଆଁ ଲଗାଇ ଦେଲେ ଓ ସରକାରୀ କୋଷାଗାର ଲୁଣ୍ଠନ କଲେ ।

ବିଦ୍ରୋହର ସମ୍ବାଦ କଟକରେ ପହଞ୍ଚିଲା ପରେ ଲେଫ୍‍ଟନାଣ୍ଟ ପ୍ରିଡିକ୍ସଙ୍କ (Lt. Prideaux)ନେତୃତ୍ୱରେ ଏକ ସୈନ୍ୟବାହିନୀ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କଲେ । ଅନ୍ୟ ଏକ ଦଳ ଲେଫ୍‍ଟନାଣ୍ଟ ଫାରିସ୍‍ଙ୍କ (Lt. Faris) ନେତୃତ୍ୱରେ ପିପିଲି ଅଭିମୁଖେ ଯାତ୍ରା କଲେ । କଟକର ମାଜିଷ୍ଟ୍ରେଟ୍‍ ଏଡ଼୍‍ଓ୍ୱାର୍ଡ଼ ଇମ୍ପେ (Edward Impey), ଲେଫ୍‍ଟନାଣ୍ଟ ଟ୍ରାଭିସଙ୍କ (Lt. Travis) ନେତୃତ୍ୱରେ ୬୪ ଜଣ ସିପାହୀଙ୍କୁ ସାଙ୍ଗରେ ନେଇ ଖୋର୍ଦ୍ଧାରୁ ଦୁଇ ମାଇଲ୍‍ ଦୂରରେ ଅବସ୍ଥିତ ଗଙ୍ଗପଡ଼ାରେ ପହଞ୍ଚିଲେ । ୧୮୧୭ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବିଦ୍ରୋହୀଙ୍କ ହାତରେ ଲେଫ୍‍ଟନାଣ୍ଟ ଫାରିସ୍‍ ଓ ଜଣେ ସୁବେଦାର ନିହତ ହେଲେ । ସମଗ୍ର ଖୋର୍ଦ୍ଧାରେ ବିଦ୍ରୋହ ତେଜି ଉଠିଲା । ଏହା ଦେଖି ଇମ୍ପେ କଟକ ପ୍ରତ୍ୟାବର୍ତ୍ତନ କଲେ । ଇତି ମଧ୍ୟରେ ବିଦ୍ରୋହ ଲେମ୍ବାଇ, କୋଠଦେଶ ଓ ପିପିଲିକୁ ବ୍ୟାପିଲା । ଲେମ୍ବାଇରେ ସର୍ବରାକାର ଚରଣ ପଟ୍ଟନାୟକଙ୍କୁ ବିଦ୍ରୋହୀମାନେ ହତ୍ୟା କଲେ । ନୂତନ ବନ୍ଦୋବସ୍ତରେ ସର୍ବରାକାରମାନେ ରୟତମାନଙ୍କଠାରୁ ଖଜଣା ଅସୁଲ କରିବାପାଇଁ କଠୋର ନୀତି ଆଚରଣ କରୁଥିଲେ । ଅନ୍ୟଥା ଖଜଣା ଅସୁଲ କରି ନପାରିବା ଅପରାଧରେ ସେମାନଙ୍କୁ ନାନା ଦଣ୍ତ ଭୋଗ କରିବାକୁ ପଡୁଥିଲା । ସେଥିପାଇଁ ସେମାନେ ସରକାରଙ୍କ ପିୟପାତ୍ର ହେବାକୁ ଉଦ୍ୟମ କରି ରୟତବିରୋଧୀ ହେବାକୁ ବାଧ୍ୟ ହେଉଥିଲେ । ନିହତ ସର୍ବରାକାର ଚରଣ ପଟ୍ଟନାୟକ ବକ୍ସି ଜଗବନ୍ଧୁଙ୍କୁ ଦୁର୍ଦ୍ଦାନ୍ତ ପିଣ୍ତାରୀ ଡକାୟତମାନଙ୍କ ସହଯୋଗୀ ଭାବରେ ଚିତ୍ରଣ କରି ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ହତ୍ୟା କରି ବିଦ୍ରୋହୀମାନେ ନିଜ ଶକ୍ତିର ପରିଚୟ ଦେଲେ ।

୧୮୧୭ ଏପ୍ରିଲ୍‍ ୧୨ ତାରିଖରେ ଖୋର୍ଦ୍ଧାରେ ସାମରିକ ଆଇନ ଲାଗୁ ହେଲା । ଅନ୍ୟ ପକ୍ଷରେ ପ୍ରାୟ ପାଞ୍ଚରୁ ଦଶ ହଜାର ବିଦ୍ରୋହୀ ସେହିଦିନ ପୁରୀ ଅଧିକାର କରିନେଲେ । ସେଠାରେ ମଧ୍ୟ ସରକାରୀ କଚେରି ଓ କୋଠାଘରଗୁଡ଼ିକୁ ପୋଡ଼ିଦିଆଗଲା । ଇଂରେଜ ସୈନ୍ୟ ପଛଘୁଞ୍ଚା ଦେଲେ । ଅନ୍ୟାନ୍ୟ ସରକାରୀ କର୍ମଚାରୀ ମଧ୍ୟ ପୁରୀ ଛାଡ଼ି ଚାଲିଗଲେ । ଜଗବନ୍ଧୁ ପୁରୀ ଦଖଲ କଲା ପରେ ଖୋର୍ଦ୍ଧାର ଗାଦିଚ୍ୟୁତ ରାଜାଙ୍କୁ ବିଦ୍ରୋହର ନେତୃତ୍ୱ ନେବାକୁ ଅନୁରୋଧ କଲେ । ମାତ୍ର ରାଜା ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ । ଏପ୍ରିଲ୍‍ ୧୯ ତାରିଖ ସୁଦ୍ଧା ଖୋର୍ଦ୍ଧା ବ୍ୟତୀତ ପୁରୀ, ପିପିଲି ଏବଂ ଲେମ୍ବାଇରେ ସାମରିକ ଆଇନ ଲାଗୁ ହେଲା ।

୧୮୧୭ ମସିହା ମେ' ମାସ ଶେଷ ବେଳକୁ ସରକାର ଖୋର୍ଦ୍ଧା, ପୁରୀ ଓ ପିପିଲିରେ ବିଦ୍ରୋହୀମାନଙ୍କୁ ଦମନ କରିବାରେ ସଫଳ ହେଲେ । ପୁରୀରେ ବିଦ୍ରୋହୀମାନଙ୍କୁ ଦମନ କରିବାରେ କେପଟେନ୍‍ ପି.ଲେ. ଫେଭାର (Captain P Le Fevre) ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କାଳେ ଗାଦିୁଚ୍ୟୁତ ଖୋର୍ଦ୍ଧା ରାଜା ବିଦ୍ରୋହରେ ଯୋଗ ଦେଇପାରନ୍ତି, ଏହି ସନ୍ଦେହରେ ତାଙ୍କୁ କଟକ ସ୍ଥାନାନ୍ତର କରାଗଲା । ଗୃହବନ୍ଦୀ ଅବସ୍ଥାରେ ରାଜା କେତେ ମାସ କଟକରେ ନିଃସଙ୍ଗ ଜୀବନ ଅତିବାହିତ କରିବା ପରେ ଦେହତ୍ୟାଗ କଲେ ।

ପାଇକ ବିଦ୍ରୋହ କନିକା ଓ କୁଜଙ୍ଗକୁ ମଧ୍ୟ ବିସ୍ତାରିତ ହୋଇଥିଲା । ସରକାରଙ୍କ ସନ୍ଦେହ ଯେ, ସେଠାକାର ସ୍ଥାନୀୟ ରାଜା ବିଦ୍ରୋହୀମାନଙ୍କୁ ସହଯୋଗ କରୁଥିଲେ । ୧୮୧୭ ଅକ୍ଟୋବର ୨ତାରିଖ ଦିନ ମାତ୍ର ୬ଦିନର ସୈନ୍ୟ ଅଭିଯାନ ପରେ କୁଜଙ୍ଗ ରାଜା ଆତ୍ମସମର୍ପଣ କଲେ । ଅକ୍ଟୋବର ଶେଷ ସୁଦ୍ଧା ପାଇକ ବିଦ୍ରୋହ ପୂର୍ଣ୍ଣତଃ ଦମନ ହେଲା ବୋଲି ସରକାର ମନେକଲେ । କେବଳ ବାଣପୁରକୁ ବାଦ ଦେଲେ ଅନ୍ୟ ଅଞ୍ଚଳରୁ ସାମରିକ ଆଇନ ଉଠାଇ ଦିଆଗଲା । ୧୮୧୮ ଏପ୍ରିଲ୍‍ ମାସରେ ବାଣପୁରରୁ ମଧ୍ୟ ସାମରିକ ଆଇନକୁ ପ୍ରତ୍ୟାହାର କରି ନିଆଗଲା । ବିଦ୍ରୋହ ଦମନ ପରେ ସରକାର ବକ୍ସି ଜଗବନ୍ଧୁ ଏବଂ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବାପାଇଁ ଯଥାସାଧ୍ୟ ଉଦ୍ୟମ କଲେ । ଜଗବନ୍ଧୁଙ୍କୁ ଧରିଦେବାପାଇଁ ୫୦୦୦ଟଙ୍କା ଓ ଅନ୍ୟ ମୁଖ୍ୟ ବିଦ୍ରୋହୀ କୃଷ୍ଣଚନ୍ଦ୍ର ଭ୍ରମରବର ରାୟଙ୍କପାଇଁ ୨୦୦୦ଟଙ୍କା ଘୋଷଣା କରାଗଲା । ଅନ୍ୟ ବିଦ୍ରୋହୀ ନେତା ଗୋପାଳ ଛୋଟରାୟ, ପଦ୍ମାଭ ଛୋଟରାୟ ଓ ପିନାକୀ ବାହୁବଳେନ୍ଦ୍ର ଆଦିଙ୍କୁ ଧରିଦେବାପାଇଁ ମଧ୍ୟ ପୁରସ୍କାର ଘୋଷଣା ହେଲା । ଅନ୍ୟ ପକ୍ଷରେ ୧୮୧୭ ଏପ୍ରିଲ୍‍ ମାସ ପରଠାରୁ ବିଦ୍ରୋହରେ ମିଶିଥିବା ସାଧାରଣ ବିଦ୍ରୋହୀମାନଙ୍କୁ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କରାଗଲା । ଅନେକ ବିଦ୍ରୋହୀ ଏହା ପରେ ଆତ୍ମସମର୍ପଣ କଲେ । ମାତ୍ର ବକ୍ସି ଜଗବନ୍ଧୁ ଏବଂ ତାଙ୍କ ମୁଖ୍ୟ ସହଯୋଗୀମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ସେମାନଙ୍କୁ ଘୁମୁସର, ରଣପୁର ଓ ନୟାଗଡ଼ର ରାଜା ଗୁପ୍ତ ଭାବରେ ସହଯୋଗ କରୁଥିଲେ ବୋଲି ମଧ୍ୟ ସରକାର ସନ୍ଦେହ କରୁଥିଲେ । ୧୮୧୯ରେ କନ୍ଧମାଳରେ ପାଣ ଓ କନ୍ଧମାନଙ୍କ ବିଦ୍ରୋହ ପଛରେ ଜଗବନ୍ଧୁଙ୍କ ପ୍ରୋତ୍ସାହନ ରହିଥିଲା ବୋଲି ସରକାର ମନେ କରୁଥିଲେ । ଅସଲରେ ସରକାରଙ୍କ ବିରୋଧରେ ଆଦିବାସୀମାନେ ଯେତେ ଅସନ୍ତୁଷ୍ଟ ଥିଲେ, ତହିଁରେ ବିଦ୍ରୋହୀ ଜଗବନ୍ଧୁ ବା ତାଙ୍କ ସହଯୋଗୀଙ୍କୁ ସାଧାରଣ ସ୍ତରରେ ଆଶ୍ରୟ ମିଳିବା କାଠିକର ନଥିଲା ।

୧୮୨୦ରେ ଜଗବନ୍ଧୁ ଓ ତାଙ୍କ ପ୍ରମୁଖ ସହଯୋଗୀ କୃଷ୍ଣଚନ୍ଦ୍ର ଏକ ମିଳିତ ପତ୍ର ପୁରୀର ଯୁଗ୍ମ ମାଜିଷ୍ଟ୍ରେଟ୍‍ ମେଲ୍‍ଭିଲ୍‍ଙ୍କ ପାଖକୁ ପଠାଇଲେ । ଏଥିରେ ଜଗବନ୍ଧୁ ଓ ଖୋର୍ଦ୍ଧା ରାଜାଙ୍କ ପ୍ରତି ଇଂରେଜମାନେ ଅନ୍ୟାୟ କରିଛନ୍ତି ବୋଲି ଉଲ୍ଲେଖ କରାଯାଇଥିଲା । ଖୋର୍ଦ୍ଧାର ଦୁରବସ୍ଥା କଥା ମଧ୍ୟ ତହିଁରେ ଲିିଖିତ ଥିଲା । ଅନ୍ୟାୟର ପ୍ରତିକାର ହେଲେ ଜଗବନ୍ଧୁ କ୍ଷମା ଯାଚନା କରିବେ ବୋଲି ପତ୍ରରେ ପ୍ରତିଶ୍ରୁତି ଦେଇଥିଲେ । କ୍ଷମା ଦେବାପାଇଁ ସରକାର ଜଗବନ୍ଧୁଙ୍କ ଆଗରେ ତିନୋଟି ସର୍ତ୍ତ ରଖିଥିଲେ । ପ୍ରଥମ, ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ରଙ୍କୁ ସମ୍ପତ୍ତି ଅଧିକାର ତଥା ରାଜକୀୟ ଉପାଧି ତ୍ୟାଗ କରିବାକୁ ପଡ଼ିବ । ଦ୍ୱିତୀୟ, ଉଭୟ ବିଦ୍ରୋହୀ ନେତା କଟକ ବା ନିକଟବର୍ତ୍ତୀ କୌଣସି ସ୍ଥାନରେ ରହିବେ ଏବଂ ମାଜିଷ୍ଟ୍ରେଟ୍‍ଙ୍କ ବିନାନୁମତିରେ ବାସସ୍ଥାନ ଛାଡ଼ିପାରିବେ ନାହିଁ । ତୃତୀୟ, ସେମାନଙ୍କୁ ଯଥାକ୍ରମେ ୧୦୦ଟଙ୍କା ଓ ୫୦ଟଙ୍କା ମାସିକ ଭତ୍ତା ଦିଆଯିବ । ଜଗବନ୍ଧୁ ଏହାର ଉତ୍ତରରେ ଖୋର୍ଦ୍ଧା ରାଜାଙ୍କ ପୂର୍ବ ସ୍ଥିତି ଫେରାଇ ଦେବାକୁ ଇଂରେଜମାନଙ୍କଠାରେ ଦାବି କରିଥିଲେ ।

ଇତିମଧ୍ୟରେ ବିଦ୍ରୋହୀ ନେତା ଗୋପାଳ ଛୋଟରାୟ, ବିଷ୍ଣୁ ପାଇକରାୟ, ରାମ ସିଂହ ଓ ନାଥ ପ୍ରଧାନଙ୍କୁ ଦେଶଦ୍ରୋହ ଅପରାଧରେ ଏବଂ ପରଶୁରାମ ପଟ୍ଟନାୟକ ଏବଂ ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କୁ ହତ୍ୟା ଅପରାଧରେ ମୃତ୍ୟୁଦଣ୍ତ ଦିଆଗଲା । ଅନ୍ୟ ୧୦୩ ଜଣ ବିଦ୍ରୋହୀଙ୍କୁ ଦେଶାନ୍ତର ଦଣ୍ତରେ ଓ ୫୫ ଜଣଙ୍କୁ ସଶ୍ରମ କାରାଦଣ୍ତରେ ଦଣ୍ତିତ କରାଗଲା । ୧୮୨୫ ମେ ମାସ ୨୭ ତାରିଖ ଦିନ ଜଗବନ୍ଧୁ କଟକରେ ଆତ୍ମସମର୍ପଣ କଲେ । କୃଷ୍ଣଚନ୍ଦ୍ର ଓ ଭ୍ରମରବର ରାୟ ଖୋର୍ଦ୍ଧାରେ ଯୁଗ୍ମ ମାଜିଷ୍ଟ୍ରେଟ୍‍ଙ୍କ ପାଖରେ ଆତ୍ମସମର୍ପଣ କଲେ । ଉଭୟଙ୍କୁ ଯଥାକ୍ରମେ ୧୫୦ଟଙ୍କା ଓ ୧୦୦ଟଙ୍କା ମାସିକ ଭତ୍ତା ପ୍ରଦାନ କରାଗଲା । ୧୮୨୯ ଜାନୁଆରି ୨୪ ତାରିଖ ଦିନ କଟକଠାରେ ଗୃହବନ୍ଦୀ ଅବସ୍ଥାରେ ଜଗବନ୍ଧୁଙ୍କର ମୃତ୍ୟୁ ହେଲା । ୧୮୧୭ ସେପ୍ଟେମ୍ବର ମାସରେ ପାଇକ ବିଦ୍ରୋହର କାରଣ ଅନୁସନ୍ଧାନପାଇଁ ସରକାର ଏକ କମିଶନ ନିଯୁକ୍ତ କରିଥିଲେ । ଏଥିରେ ପ୍ରଥମେ ଏଲିଜା, ଇମ୍ପେ ଏବଂ ତାଙ୍କ ପରେ ଓ୍ୱାଲ୍‍ଟର ଇଓ୍ୱାର୍‍ ଏବଂ ଜି. ମାର୍ଟିନତେଲ ନିଯୁକ୍ତ ହୋଇଥିଲେ । ୧୮୧୮ମସିହା ମେ ମାସରେ କମିଶନ ତାଙ୍କ ରିପୋର୍ଟ ଦାଖଲ କଲେ । 'ଇଓ୍ୱାର ରିପୋର୍ଟ' ନାମରେ ପରିଚିତ ଏହି ରିପୋର୍ଟରେ ବିଦ୍ରୋହର କାରଣମାନ ନିମ୍ନ ପ୍ରକାରେ ଉଲ୍ଲେଖ କରାଯାଇଥିଲା । ମରୁଡ଼ି ଓ ବନ୍ୟାଯୋଗୁଁ ଶସ୍ୟହାନି ହେଲା ଅଥଚ ରାଜସ୍ୱ ଅସୁଲରେ ସରକାର ରିହାତି ପ୍ରଦାନ କରି ନଥିଲେ । ସ୍ୱଳ୍ପମିଆଦୀ ବନ୍ଦୋବସ୍ତ ଯୋଗୁଁ ପ୍ରତିଥର ରାଜସ୍ୱ ବୃଦ୍ଧି ପାଉଥିଲା । ପାଇକମାନଙ୍କର ନିଷ୍କର ଜାଗିର୍‍ ଜମିକୁ ସରକାର ହସ୍ତଗତ କରି ନେଇ ତା' ଉପରେ ଖଜଣା ବସାଇଲେ । କଉଡ଼ିର ମୂଲ୍ୟ ହ୍ରାସଯୋଗୁଁ ଗ୍ରାମାଞ୍ଚଳର ଲୋକେ କଉଡ଼ି ବଦଳରେ ସିକ୍କା ଟଙ୍କା ପାଇବାଲାଗି ଅଧିକ ମୂଲ୍ୟର ଶସ୍ୟ ଦେବାକୁ ବାଧ୍ୟ ହେଲେ । ଲୁଣର ଆମଦାନୀଯୋଗୁଁ ଲୁଣମରାରେ ନିଯୁକ୍ତ ସ୍ଥାନୀୟ ଲୋକେ ରୋଜଗାର ହରାଇଲେ ଏବଂ ବିଦ୍ରୋହରେ ଯୋଗ ଦେଲେ । ସରକାରୀ ଅଫିସ୍‍ରେ ଅଣଓଡ଼ିଆମାନଙ୍କର ବ୍ୟାପକ ନିଯୁକ୍ତି ଯୋଗୁଁ ସାଧାରଣ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ଅଧିକ ଜଟିଳ ମନେହେଲା । ଲୋକେ ଅଯଥା ଉତ୍ପୀଡ଼ନର ଶିକାର ହେଲେ ।

ଇଓ୍ୱାର୍‍ ତାଙ୍କ ରିପୋର୍ଟରେ କେତେକ ସମାଧାନର ପନ୍ଥା ମଧ୍ୟ ଦର୍ଶାଇଥିଲେ । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତ ସ୍ଥାନରେ ଦୀର୍ଘମିଆଦୀ ବନ୍ଦୋବସ୍ତ (୯ରୁ ୧୧ ବର୍ଷ), ଅମଲାତନ୍ତ୍ରରେ ଅଧିକରୁ ଅଧିକ ଓଡ଼ିଆମାନଙ୍କର ନିଯୁକ୍ତି ତଥା ଖଜଣାର ହାର ହ୍ରାସପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏ ମଧ୍ୟରୁ କୌଣସିଟି ଦୀର୍ଘକାଳୀନ ସମାଧାନ ନଥିଲା । ପ୍ରକୃତରେ ଦେଖିଲେ, ଔପନିବେଶିକ ଆର୍ଥିକ ଓ ସାମାଜିକ ଶୋଷଣକୁ ଅବ୍ୟାହତ ରଖି ସରକାର ଲୋକଙ୍କ ମନରୁ ବିଦ୍ରୋହୀ ଭାବ ହ୍ରାସ କରିବାକୁ ପ୍ରୟାସ କରୁଥିଲେ ଯାହା କି ଆଦୌ ସମ୍ଭବ ନଥିଲା । ତେଣୁ ବଳ ପ୍ରୟୋଗ କରି ପାଇକ ବିଦ୍ରୋହ ନାମରେ ପରିଚିତ ଖୋର୍ଦ୍ଧାର ଗଣବିଦ୍ରୋହକୁ ଦମନ କରିଦେଲା ପରେ ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ଊଣା ହେଲା ବୋଲି କଦାପି କହିହେବ ନାହିଁ ।

ଜଗବନ୍ଧୁଙ୍କ ଆତ୍ମସମର୍ପଣ ପରେ ସୁଦ୍ଧା ଖୋର୍ଦ୍ଧା ଓ ବାଣପୁରରେ ଜନ ଅସନ୍ତୋଷ ଲାଗି ରହିଥିଲା । ୧୮୨୭ରେ ଖୋର୍ଦ୍ଧା ନିକଟରେ ତାପଙ୍ଗ ଗଡ଼ରେ ସାମନ୍ତ ମାଧବ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ସ୍ଥାନୀୟ ରୟତମାନେ ବିଦ୍ରୋହ କରିଥିଲେ । ସେମାନେ ସରକାରଙ୍କୁ ଖଜଣା ଦେବା ବନ୍ଦ କରି ଦେଇଥିଲେ । ବିଦ୍ରୋହର ଆଠବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ ମଧୁସୂଦନ ବିପ୍ର 'ଫିରିଙ୍ଗି କଳି ଭାରତ' କାବ୍ୟରେ ତାପଙ୍ଗ କଥା ଉଲ୍ଲେଖ କରିଛନ୍ତି । ୧୮୩୬ରେ ବାଣପୁରରେ ପାଇକ ଓ କନ୍ଧମାନେ ସରକାର ବିରୋଧରେ ବିଦ୍ରୋହ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ଶରଣ ସିଂହ ଓ କୃତ୍ତିବାସ ପାଟଶାଣୀ । ବିଦ୍ରୋହ ଦମନ କରି ସରକାର ଏହି ଉଭୟ ବିଦ୍ରୋହୀଙ୍କୁ ଯାବଜ୍ଜୀବନ ଦୀପାନ୍ତର ଦଣ୍ତ ଦେଇଥିଲେ।

ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ: ୧୮୨୭-୧୮୬୪ ୧୮୫୭ରେ ଉତ୍ତର-ଭାରତରେ ଇଂରେଜମାନଙ୍କ ବିରୋଧରେ ଯେତେବେଳେ ବ୍ୟାପକ ଗଣସଂଗ୍ରାମ ସଂଘଟିତ ହେଲା, ସେହି ସମୟରେ ସମ୍ବଲପୁରରେ ମଧ୍ୟ ଜନ ବିଦ୍ରୋହ ଦେଖିବାକୁ ମିଳିଥିଲା । ଏହାର ନେତୃତ୍ୱ ନେଇଥିଲେ ସୁରେନ୍ଦ୍ର ସାଏ । ୧୮୫୭ ଗଣସଂଗ୍ରାମ ଆରମ୍ଭ ହେବାର ଅନେକ ବର୍ଷ ପୂର୍ବରୁ ଏହି ବିଦ୍ରୋହର ଆରମ୍ଭ ଘଟିଥିଲା ଏବଂ ୧୮୫୭ ଗଣସଂଗ୍ରାମର ଦମନ ପରେ ସୁଦ୍ଧା ଏହା ଅନେକ ବର୍ଷ ଧରି ଅବ୍ୟାହତ ରହିଥିଲା । ସମ୍ବଲପୁର ରାଜଗାଦି ଉପରେ ନିଜର ଦାବି ଜାହିର କରି ଯଦିଓ ସୁରେନ୍ଦ୍ର ସାଏ ବିଦ୍ରୋହ ଆରମ୍ଭ କରିଥିଲେ, ଔପନିବେଶିକ ଶୋଷଣର ଶିକାର ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ୍‍ ହୋଇଥିଲେ ଏବଂ ବିଦ୍ରୋହକୁ ସୁରେନ୍ଦ୍ର ସାଏଙ୍କ ବ୍ୟକ୍ତିଗତ ସ୍ତରରେ ସୀମିତ ନରଖି ଏକ ଗଣସଂଗ୍ରାମର ରୂପ ଦେଇଥିଲେ ।

ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ନିକଟବର୍ତ୍ତୀ ରାଜପୁର-ଖିଣ୍ତା ଜମିଦାରୀର ଧରମ ସିଂହଙ୍କ ପୁତ୍ର । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କର ମୃତ୍ୟୁ ପରେ ବରପାଲି ଜମିଦାରୀର ନାରାୟଣ ସିଂହଙ୍କୁ ସରକାର ସମ୍ବଲପୁରର ରାଜା ଘୋଷଣା କଲେ । ମାତ୍ର ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇମାନେ (ଉଦନ୍ତ, ଧ୍ରୁବ, ଉଜ୍ଜ୍ୱଳ, ଛବିଳ, ଜାଜ୍ଜ୍ୱଳ ଓ ମେଦିନୀ) କକା ବଳରାମ ସାଏଙ୍କ ନିର୍ଦ୍ଦେଶରେ ରାଜଗାଦି ଦାବି କଲେ । ସୁରେନ୍ଦ୍ରଙ୍କ ଦାବି କେତେ ନ୍ୟାଯ୍ୟ ଥିଲା କେଜାଣି, କିନ୍ତୁ ବୃଦ୍ଧ ନାରାୟଣଙ୍କୁ ରାଜଗାଦିରେ ବସାଇ ସରକାର ସମ୍ବଲପୁରରେ ପ୍ରତ୍ୟକ୍ଷ ଶାସନ ଚଳାଇବାକୁ ମସୁଧା କରିଥିଲେ । ନାରାୟଣ ସିଂହ ନାମମାତ୍ର ରାଜା ହେବେ ବୋଲି ସୁସ୍ପଷ୍ଟ ଥିଲା । ଏହା ସ୍ଥାନୀୟ ସ୍ୱାଭିମାନକୁ ଆହତ କରିଥିଲା । ପୁଣି ୧୮୦୪ରୁ ଏବଂ ବିଶେଷକରି ୧୮୧୭ ପରଠାରୁ ଇଂରେଜମାନେ ପ୍ରାଶାସନିକ ଓ ଆର୍ଥିକ ସ୍ତରରେ ଯେଉଁ ବ୍ୟାପକ ପରିବର୍ତ୍ତନମାନ ଆଣିଥିଲେ ତାହା ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଲା । ସମ୍ବଲପୁର ଅଞ୍ଚଳ ଇଂରେଜମାନଙ୍କ ହାତକୁ ଚାଲିଗଲା ପରେ ଶୋଷଣ ଅଧିକ ବ୍ୟାପକ ହେବ ବୋଲି ଲୋକ ନିଜ ସାଧାରଣ ବୁଦ୍ଧିରେ ବୁଝି ପାରୁଥିଲେ । ତେଣୁ ସେହି ବ୍ୟାପକ ଜନ ଅସନ୍ତୋଷର ପ୍ରତୀକ ଭାବରେ ସୁରେନ୍ଦ୍ର ସାଏଙ୍କୁ ଦେଖିବା ହୁଏତ ସ୍ୱାଭାବିକ ପ୍ରତୀତ ହେବ ।

ସୁରେନ୍ଦ୍ର ସାଏଙ୍କ ବିଦ୍ରୋହକୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ଦେଖିହେବ । ପ୍ରଥମ ପର୍ଯ୍ୟାୟ (୧୮୨୭-୧୮୪୦)ରେ ସେ ରାଜଗାଦି ଲାଭ କରିଥିବା ନାରାୟଣ ସିଂହଙ୍କ ବିରୁଦ୍ଧରେ ଗଣ୍ତ ଜମିଦାର ଓ ଗୌନ୍ତିଆମାନଙ୍କୁ ଏକଜୁଟ କଲେ । ଏହି ପ୍ରକ୍ରିୟାରେ ତାଙ୍କୁ ଲଖନପୁରରେ ନାରାୟଣ ସିଂହଙ୍କ ସିପାହୀମାନଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା । ଆକ୍ରମଣରେ ଯଦିଓ ସୁରେନ୍ଦ୍ର ସାଏ କିମ୍ବା ତାଙ୍କ ଭାଇମାନଙ୍କର କୌଣସି କ୍ଷତି ହୋଇ ନଥିଲା, କିନ୍ତୁ ତାଙ୍କ ଘନିଷ୍ଠ ସହଯୋଗୀ ଲଖନପୁରର ଗଣ୍ତ ଜମିଦାର ବଳଭଦ୍ର ଦେଓଙ୍କର ପ୍ରାଣ ଗଲା । ଏହା ପରେ ପ୍ରତିଶୋଧ ନେବାପାଇଁ ୧୮୪୦ରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତ ଓ କକା ବଳରାମ ସାଏ ମିଶି ନାରାୟଣ ସିଂହଙ୍କ ସମର୍ଥକ ରାମପୁରର ଜମିଦାର ଦୁର୍ଜୟ ସିଂହଙ୍କୁ ହତ୍ୟା କଲେ । ପରିଣାମ ସ୍ୱରୂପ ସରକାର ସେମାନଙ୍କୁ ଗିରଫ କରି ହଜାରିବାଗ୍‍ ଜେଲ୍‍ରେ ବନ୍ଦୀ କରି ରଖିଲେ । ଜେଲ୍‍ରେ ହିଁ ବଳରାମ ସାଏଙ୍କର ମୃତ୍ୟୁ ହେଲା । ୧୮୪୯ରେ ନାରାୟଣ ସିଂହଙ୍କ ମୃତ୍ୟୁ ପରେ ରାଜସ୍ୱତ୍ୱ ଲୋପ ନୀତି ଅନୁସାରେ ସମ୍ବଲପୁରକୁ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ କରାଗଲା, କାରଣ ନାରାୟଣଙ୍କ ପୁତ୍ରସନ୍ତାନ ନ ଥିଲେ । ଏଣିକି ଜମିଦାର ଓ ଗୌନ୍ତିଆମାନେ ନିଷ୍କର ଜମି ଭୋଗ କରିବାରୁ ବଞ୍ଚିତ ହେଲେ । ନିଷ୍କର ଜମି ଉପରେ ଖଜଣା ଧାର୍ଯ୍ୟ ହେଲା; ଜମିଦାରମାନଙ୍କ ଦେୟ ବୃଦ୍ଧି କରାଗଲା । ୧୮୪୯ରେ ସମ୍ବଲପୁରର ବାର୍ଷିକ କର ଥିଲା ୮,୮୦୦ଟଙ୍କା । ୧୮୫୪ରେ ଏହା ବୃଦ୍ଧିପାଇ ହେଲା ୭୪,୦୦୦ଟଙ୍କା । ଜମିଦାର ଓ ଗୌନ୍ତିଆମାନଙ୍କ ବ୍ୟତୀତ ନିଷ୍କର ଭୂମି ଦଖଲରୁ ବଞ୍ଚିତ ହୋଇଥିବା ବ୍ରାହ୍ମଣମାନେ ଏଣିକି ସରକାରଙ୍କ ବିରୁଦ୍ଧରେ ଏକଜୁଟ ହେଲେ । ବିଦ୍ରୋହପାଇଁ ଆବଶ୍ୟକ ଥିଲା ଜଣେ ନେତାର । କାରଣ ସେତେବେଳକୁ ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‍ରେ ବନ୍ଦି ଥିଲେ ।

୧୮୫୭ର ଗଣସଂଗ୍ରାମ ସମୟରେ ବିଦ୍ରୋହୀ ସିପାହୀମାନେ ହଜାରିବାଗ ଜେଲକୁ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ କେବଳ ଜେଲରୁ ମୁକ୍ତ ହେଲେ ନାହିଁ, ଇଂରେଜ ସରକାର ବିରୁଦ୍ଧରେ ଆରମ୍ଭ ହୋଇଥିବା ବ୍ୟାପକ ସଂଗ୍ରାମ ସମ୍ବନ୍ଧରେ ମଧ୍ୟ ଅବଗତ ହେଲେ । ଏହା ତାଙ୍କୁ ଇଂରେଜ ସରକାରର ଭାରତରୁ ଉନ୍ମୂଳନ ସଂଭବ ବୋଲି ଆଶାବାଦୀ କଲା । ଦୀର୍ଘ ୧୭ ବର୍ଷ ଜେଲରେ ରହିଥିଲେ ମଧ୍ୟ ସରକାରଙ୍କ ପ୍ରତି ଭୟଭୀତ ହେବା ପରିବର୍ତ୍ତେ ନୂତନ ଉତ୍ସାହରେ ସଂଗ୍ରାମ କରିବା ଉଦ୍ଦେଶ୍ୟରେ ସେମାନେ ସମ୍ବଲପୁର ପ୍ରତ୍ୟାବର୍ତ୍ତନ କଲେ । ଅସନ୍ତୁଷ୍ଟ ଜନତା, ଆଦିବାସୀ, ଜମିଦାର ଓ ଗୌନ୍ତିଆମାନେ ତାଙ୍କୁ ସମ୍ବଲପୁରରେ ସ୍ୱାଗତ କରି ବିଦ୍ରୋହର ଆଶାକୁ ପୁନର୍ଜୀବିତ କଲେ ।

୧୮୫୭ ଅକ୍ଟୋବରରେ ସମ୍ବଲପୁର ଫେରି ସୁରେନ୍ଦ୍ର ସାଏ ପ୍ରଥମେ ସହକାରୀ କମିସନର କେପ୍‍ଟେନ୍‍ ଆର୍‍.ଟି.ଲେହଙ୍କୁ (Caption R.T.Leigh) ରାଜ ସିଂହାସନ ପ୍ରଦାନ କରିବାପାଇଁ ଦାବି ଜଣାଇଲେ । ସରକାର ସୁରେନ୍ଦ୍ର ସାଏଙ୍କ ଦାବି ପ୍ରତ୍ୟାଖ୍ୟାନ କରି କୌଶଳରେ ତାଙ୍କୁ ସମ୍ବଲପୁରରେ ନଜରବନ୍ଦୀ କରି ରଖିଲେ । ଅକ୍ଟୋବର ୩୧ରେ ସୁରେନ୍ଦ୍ର ନଜରବନ୍ଦୀ ଭାଙ୍ଗି ପ୍ରଥମେ ନିଜ ଗ୍ରାମ ଖିଣ୍ତା ଗଲେ ଏବଂ ଭାଇମାନଙ୍କ ସହଯୋଗରେ ବିଦ୍ରୋହ ଆରମ୍ଭ କଲେ । ବିଦ୍ରୋହରେ ଘେଁସ, କୋଲାବିରା, ପାହାଡ଼ଶ୍ରୀଚିତା, ମଚିଦା, ଲଇଡ଼ା, ଲୁଇସିଙ୍ଗା, ଲଖନପୁର, ଭେଡେନ ଆଦିର ଜମିଦାରମାନେ ସୁରେନ୍ଦ୍ରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଲେ । ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପୁତ୍ର କୁଞ୍ଜଲ ସିଂହ ଧରାପଡ଼ି ଫାଶୀଦଣ୍ତ ପାଇଲେ । ମାଧୋଙ୍କର ଅନ୍ୟ ଏକ ପୁତ୍ର ହଟେ ସିଂହ ବା ହାତୀ ସିଂଙ୍କୁ ଦୀପାନ୍ତର କରି ଆଣ୍ତାମାନ୍‍ ପଠାଇ ଦିଆଗଲା । ବିଦ୍ରୋହୀମାନେ ସମ୍ବଲପୁର ସହିତ ହଜାରିବାଗ, ରାଞ୍ଚି, କଟକ ଓ ନାଗପୁରର ଯୋଗାଯୋଗକୁ ଛିନ୍ନ କରିଦେଲେ । କେତୋଟି ଡାକଘରେ ନିଆଁ ମଧ୍ୟ ଲଗାଇଦେଲେ । ସମ୍ବଲପୁର ସହର ପରିବର୍ତ୍ତେ ସେମାନେ ବଣ ଜଙ୍ଗଲରେ ଗରିଲା ପଦ୍ଧତିରେ ସରକାରୀ କଳ ଓ ଦଳ ଉପରେ ଆକ୍ରମଣ କରୁଥିଲେ । କଟକରୁ ସମ୍ବଲପୁର ଆସୁଥିବା ଦୁଇଜଣ ଇଂରେଜ ଡାକ୍ତରଙ୍କୁ ସେମାନେ ଯୁଯୁମୁରାଠାରେ ଆକ୍ରମଣ କଲେ । ଫଳରେ ମୁର ନାମକ ଜଣେ ଡାକ୍ତର ନିହତ ହେଲେ ଏବଂ ହାନସନ ନାମକ ଦ୍ୱିତୀୟ ଡାକ୍ତର ଜଣକ ପ୍ରାଣ ବିକଳରେ ଜଙ୍ଗଲକୁ ପଳାଇଲେ । କେପଟେନ୍‍ ଲେହ ଦୁଇ ଦିନ ପରେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କଲେ । ସୁରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ମୁଖ୍ୟତଃ ସରକାର ସମର୍ଥକ ଗାଁଗଣ୍ତା ଓ ତା'ର ଗୌନ୍ତିଆ ଜମିଦାରମାନଙ୍କୁ ଆକ୍ରମଣ କରୁଥିଲେ । ସେମାନଙ୍କ ପାଖରେ ଉନ୍ନତ ଅସ୍ତ୍ରଶସ୍ତ୍ର ନ ଥିଲା । ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ସେମାନେ ଗରିଲା ଯୁଦ୍ଧରେ ଶତ୍ରୁକୁ ଜଡ଼ିତ ରଖିବାକୁ ପ୍ରୟାସ କରୁଥିଲେ । ସେମାନଙ୍କ ଆକ୍ରମଣରେ ୧୮୫୮ ଫେବ୍ରୁଆରି ୧୨ ତାରିଖରେ ପାହାଡ଼ ଶ୍ରୀଗିଡ଼ାରେ କେପ୍‍ଟେନ୍‍ ଉଡ଼୍‍ବ୍ରିଜ୍‍ ପ୍ରାଣ ହରାଇଲେ । ଅନ୍ୟ ଜଣେ ଇଂରେଜ ସେନାପତି ମେଜର ବେଟ୍‍ସ ଯୁଦ୍ଧଜନିତ ପରିଶ୍ରମଯୋଗୁଁ ପ୍ରାଣ ହରାଇଲେ । ଗରିଲା ଯୁଦ୍ଧରେ ଅନ୍ୟ କେତେକ ସିପାହୀ ମଧ୍ୟ ଆହତ ହୋଇଥିଲେ । ୧୮୫୭ ମସିହା ନଭେମ୍ବର ମାସରୁ ୧୮୫୮ ମାର୍ଚ୍ଚ ଶେଷ ଯାଏଁ ବିଦ୍ରୋହ ସମଗ୍ର ସମ୍ବଲପୁର ଅଞ୍ଚଳରେ ତୀବ୍ର ରୂପ ଧାରଣ କଲା, ଯଦିଓ ସମ୍ବଲପୁର ସହରରେ ବିଦ୍ରୋହୀମାନଙ୍କର ବିଶେଷ କର୍ତ୍ତୃତ୍ୱ ନଥିଲା ।

୧୮୫୮ ମାର୍ଚ୍ଚ ୨୯ ତାରିଖରେ କେପ୍‍ଟେନ୍‍ ଲେହଙ୍କ ସ୍ଥାନରେ ସମ୍ବଲପୁର ପ୍ରଶାସନ ଦାୟିତ୍ୱ ନେବାପାଇଁ କର୍ଣ୍ଣେଲ୍‍ ଫୋର୍‍ଷ୍ଟର୍‍ (Colonel Forster) ପହଞ୍ଚିଲେ । ତାଙ୍କୁ କମିସନରଙ୍କ କ୍ଷମତା ମିଳିଥିଲା । ତାଙ୍କ ପାଖରେ ଅଧିକ ସୈନ୍ୟବଳ ମଧ୍ୟ ଥିଲା । ୧୮୫୮ ଏପ୍ରିଲ୍‍ରୁ ୧୮୬୧ ଏପ୍ରିଲ୍‍ ମାସ ମଧ୍ୟରେ ସେ ଏକ ରକମ ଆତଙ୍କରାଜ ଆରମ୍ଭ କଲେ । ପାଟଣାର ରାଜାଙ୍କ ଉପରେ ଉଜ୍ଜ୍ୱଳ ସାଏଙ୍କୁ ଆଶ୍ରୟ ଦେବାର ସନ୍ଦେହରେ ୧୦୦୦ଟଙ୍କା ଜୋରିମାନା କରାଗଲା । ପରେ ଉଜ୍ଜ୍ୱଳ ସାଏଙ୍କୁ ଗିରଫ କରି ବିନା ବିଚାରରେ ଫାଶୀଦଣ୍ତ ଦିଆଗଲା । ପୂର୍ବରୁ ୧୮୫୭ ଡିସେମ୍ବରରେ ଛବିଳ ସାଏ ପପଙ୍ଗା ପାହାଡ଼ରେ ଯୁଦ୍ଧରେ ପ୍ରାଣ ହରାଇଥିଲେ ।

୧୮୬୧ ଏପ୍ରିଲ୍‍ ମାସରେ ଫୋରଷ୍ଟରଙ୍କ ସ୍ଥାନରେ ମେଜର ଇମ୍ପେ ସମ୍ବଲପୁରର ଡେପୁଟି କମିସନର ନିଯୁକ୍ତ ହୋଇ ଆସିଲେ । ସେତେବେଳକୁ ବିଦ୍ରୋହ ପ୍ରାୟ ଅବଦମିତ ହୋଇ ସାରିଥିଲା, ଯଦିଓ ସୁରେନ୍ଦ୍ର ସାଏ ଧରାପଡ଼ି ନଥିଲେ । ମେଜର ଇମ୍ପେ କୋହଳ ନୀତି ଅନୁସରଣ କରି ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କଲେ । ୧୮୬୨ ଜାନୁଆରିରେ ସୁରେନ୍ଦ୍ରଙ୍କ ଏକମାତ୍ର ପୁତ୍ର ମିତ୍ରଭାନୁ ସାଏ, ଭାଇ ଧ୍ରୁବ ଓ ଉଦନ୍ତ ସାଏ ଆତ୍ମସମର୍ପଣ କଲେ । ସେହି ବର୍ଷ ମେ ମାସରେ ରାଜଗାଦି ମିଳିଲେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିବେ ବୋଲି ଖବର ଦେଲେ । ତାଙ୍କର ଦାବିକୁ ପ୍ରତ୍ୟାଖ୍ୟାନ କରାଗଲା, କାରଣ ସେତେବେଳକୁ ସମଗ୍ର ଭାରତବର୍ଷକୁ ଇଂରେଜମାନେ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ମସୁଧା କରି ସାରିଥିଲେ । ଯେଉଁଠି ରାଜାରାଜୁଡାମାନଙ୍କୁ ଶାସନ କରିବାପାଇଁ ଅଧିକାର ଦିଆଗଲା, ସେଠାରେ ମଧ୍ୟ ଇଂରେଜ ପ୍ରଭୁତ୍ୱ ବଳବତ୍ତର ରହିଲା । ଶେଷରେ ୧୮୬୨ ମେ ୧୬ ତାରିଖ ଦିନ ବାର୍ଷିକ ୧୨୦୦ଟଙ୍କା ଭତ୍ତା ପାଇବାର ପ୍ରତିଶ୍ରୁତି ପାଇଲା ପରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କଲେ । ସୁରେନ୍ଦ୍ର ସାଏଙ୍କ ଆତ୍ମସମର୍ପଣ ପରେ ତାଙ୍କ ସହଯୋଗୀ କୁଞ୍ଜଲ ସିଂହ ଓ କମଲ ସିଂହ କିଛି ସମୟ ଧରି ଡକାୟତି ଓ ଲୁଟତରାଜ ଚଳାଇଲେ । ମୁଖ୍ୟତଃ ସେମାନେ ସରକାର ଅନୁଗତଙ୍କ ଉପରେ ଆକ୍ରମଣ କରୁଥିଲେ । ସମ୍ବଲପୁରରେ ଇଂରେଜ ଶାସନ ବଦଳରେ ଚୌହାନ ରାଜବଂଶର ପୁନଃପ୍ରତିଷ୍ଠା ସେମାନଙ୍କ ଲକ୍ଷ୍ୟ ଥିଲା । ୧୮୬୩ ମସିହାରେ ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ର ପ୍ରଦେଶର ମୁଖ୍ୟ କମିସନରଙ୍କଠାରେ ରାଜବଂଶର ପୁନଃପ୍ରତିଷ୍ଠାଲାଗି କିଛି ଲୋକ ଦାବି ମଧ୍ୟ ଜଣାଇଲେ, ଯାହାକୁ ସରକାର ଅଗ୍ରାହ୍ୟ କରିଦେଲେ । ଏସବୁ ସରକାର ବିରୋଧୀ କାର୍ଯ୍ୟରେ ସୁରେନ୍ଦ୍ର ସାଏଙ୍କ ସଂପୃକ୍ତି ରହିଥିବାର ସନ୍ଦେହ କରାଯାଉଥିଲା । ୧୮୬୪ ଜାନୁଆରି ୨୩ ତାରିଖ ଦିନ ସୁରେନ୍ଦ୍ର ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରି ପ୍ରଥମେ ନାଗପୁର ଓ ପରେ ଅସୁରଗଡ଼ ଦୁର୍ଗରେ ବନ୍ଦି କରି ରଖାଗଲା । ଶେଷରେ ୧୮୮୪ ଫେବ୍ରୁଆରି ୨୮ ତାରିଖ ଦି ସୁରେନ୍ଦ୍ର ଅସୁରଗଡ଼ ଦୁର୍ଗରେ ପ୍ରାଣତ୍ୟାଗ କଲେ । ଦୀର୍ଘ ୩୭ ବର୍ଷ ଧରି (୧୮୪୦ରୁ ୧୮୫୭ ଓ ୧୮୬୪ରୁ ୧୮୮୪) ସେ ଜେଲ୍‍ ଦଣ୍ଡ ଭୋଗି ଥିଲେ । ସମ୍ବଲପୁରର ରାଜପଦପାଇଁ ଯଦିଓ ସେ ସଂଗ୍ରାମ କରୁଥିଲେ, ତାଙ୍କ ପଛରେ ସ୍ଥାନୀୟ ଜମିଦାର, ଗୌନ୍ତିଆ ଏବଂ ଅନ୍ୟମାନଙ୍କର ଦୃଢ଼ ସମର୍ଥ ରହିଥିଲା । ସେମାନେ ସମସ୍ତେ ଇଂରେଜ ଶାସନର ବିକଳ୍ପ ଭାବରେ ଇଂରେଜ ପୂର୍ବରୁ ଅବସ୍ଥାପିତ ଥିବା ରାଜଶାସନକୁ ଦେଖୁଥିଲେ ଏବଂ ସ୍ଥାନୀୟ ସ୍ୱାଭିମାନର ରକ୍ଷାପାଇଁ ଲଢ଼ୁଥିଲେ । ଇଂରେଜମାନଙ୍କଦ୍ୱାରା ନ୍ୟାଯ୍ୟ ଦାବିର ହନନ ସୁରେନ୍ଦ୍ର ସାଏ ଏବଂ ତାଙ୍କ ସମର୍ଥକଙ୍କୁ ବିଦ୍ରୋହୀ କରିଥିଲା । ଔପନିବେଶିକ ଶାସନର କୁପରିଣାମକୁ ଏହି ସଂଗ୍ରାମୀମାନେ ନିଜ ସାଧାରଣ ବୁଦ୍ଧିରେ ଅନୁଭବ କରି ପାରିଥିଲେ ଏବଂ ସ୍ୱତଃସ୍ଫୂର୍ତ୍ତ ଭାବେ ପାରମ୍ପରିକ ରୀତିରେ ତା' ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ । ସମ୍ମୁଖ ସମର ବଦଳରେ ଗରିଲା ଯୁଦ୍ଧରେ ସେମାନେ ପାରଙ୍ଗମ ଥିଲେ । ତେଣୁ ସହରାଞ୍ଚଳ ଅପେକ୍ଷା ଜଙ୍ଗଲ ଓ ଗାଁ ଗଣ୍ଡାରେ ସେମାନଙ୍କର ସ୍ଥିତି ଦୃଢ଼ ଥିଲା । ସେଠାରେ ସେମାନଙ୍କୁ ପ୍ରଭୂତ ଲୋକ ସମର୍ଥ ମିଳୁଥିଲା । ଗୌନ୍ତିଆ ଓ ଜମିଦାରମାନଙ୍କ ବ୍ୟତୀତ ଅନେକ ଉଚ୍ଚ ଜାତିର ଲୋକ ଯଥା: ଜଗବନ୍ଧୁ ହୋତା, ଲୋକନାଥ ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଧରଣୀଧର ମିଶ୍ର ଓ ପାଣ୍ଡବ ଗୁରୁ ଆଦି ମଧ୍ୟ ସୁରେନ୍ଦ୍ର ସାଏଙ୍କର ଘନିଷ୍ଠ ସହଯୋଗୀ ଥିଲେ ।

ଅନୁଗୁଳ ବିଦ୍ରୋହ, ୧୮୪୮ ଘୁମୁସର, ଦଶପଲ୍ଲା, ଖୋର୍ଦ୍ଧା, କୁଜଙ୍ଗ, କନିକା ଓ ସମ୍ବଲପୁରରେ ଯେତେବେଳେ ସ୍ଥାନୀୟ ରାଜା, ଜମିଦାର, ପାଇକ, କନ୍ଧ ଓ ରୟତମାନେ ଇଂରେଜଙ୍କ ବିରୋଧରେ ବିଦ୍ରୋହ କଲେ, ସେତେବେଳେ ଅନୁଗୁଳରେ ମଧ୍ୟ ଇଂରେଜବିରୋଧୀ ଗତିବିଧି ଦେଖିବାକୁ ମିଳିଥିଲା । ପରିଣାମ ସ୍ୱରୂପ ୧୮୪୭ରେ ଅନୁଗୁଳକୁ ଇଂରେଜ ସାମ୍ରାଜ୍ୟର ପ୍ରତ୍ୟକ୍ଷ ଶାସନାଧୀନ କରାଗଲା । ଇଂରେଜ ବିରୋଧୀ ଗତିବିଧିର ମୁଖ୍ୟ ଥିଲେ ସେଠାକାର ରାଜା ସୋମନାଥ ସିଂହ । ସେ ୧୮୧୪ରେ ଅଳ୍ପ ବୟସରେ ରାଜପଦ ଲାଭ କରିଥିଲେ ଏବଂ ନିରନ୍ତର ବିଦ୍ରୋହୀ କନ୍ଧମାନଙ୍କୁ ନାନା ପ୍ରକାର ସହଯୋଗ ପ୍ରଦାନ କରୁଥିଲେ । ନିଜ ଶାସନରେ ଇଂରେଜମାନଙ୍କ ହସ୍ତକ୍ଷେପକୁ ସେ ଆଦୌ ସହ୍ୟ କରିପାରୁ ନଥିଲେ । ହସ୍ତକ୍ଷେପର ବିରୁଦ୍ଧାଚରଣ କରି ସେ ଅନେକ ସମୟରେ ପ୍ରଜାଙ୍କ ଉପରେ ଅତ୍ୟାଚାର କରୁଥିଲେ । ତାଙ୍କ କାର୍ଯ୍ୟକଳାପ ଉପରେ ଇଂରେଜମାନଙ୍କର ତାଗିଦ ବା ଦଣ୍ତକୁ ସେ ଭ୍ରୂକ୍ଷେପ କରୁ ନଥିଲେ । ଏହା ତାଙ୍କ ସ୍ୱାଧୀନ ମନୋଭାବର ପରିଚାୟକ ଥିଲା । ଢେଙ୍କାନାଳ, ଦଶପଲ୍ଲା, ବଉଦ, ହିନ୍ଦୋଳ ଓ ଆଠମଲ୍ଲିକ ଆଦି ପଡେ଼ାଶୀ ଗଡ଼ଜାତ ରାଜାମାନେ ଯେତେବେଳେ ଇଂରେଜ ହସ୍ତକ୍ଷେପକୁ ସ୍ୱୀକାର କରି ନେଇଥିଲେ, ସେ ସ୍ୱାଧୀନ ରାଜା ଭଳି ଆଚରଣ କରୁଥିଲେ । ଏହା ଅନେକ ସମୟରେ ଯଥେଚ୍ଛାଚାର ରୂପେ ରାଜ୍ୟରେ ପ୍ରତିଫଳିତ ହେଉଥିଲା । ପରିଣାମ ସ୍ୱରୂପ, ତାଙ୍କ ବିଦ୍ରୋହକୁ ନା ପଡେ଼ାଶୀ ରାଜାମାନଙ୍କର ଗୁପ୍ତ ସହଯୋଗ ମିଳିଥିଲା, ନା ପ୍ରଜାଙ୍କର ସମର୍ଥନ ମିଳିଥିଲା । ସେ ୧୮୩୧ରେ ପଡେ଼ାଶୀ ଦଶପଲ୍ଲାର କେତେକ ଗ୍ରାମକୁ ଓ ୧୮୪୬ରେ ହିନ୍ଦୋଳର ଏକ ଗ୍ରାମକୁ ଆକ୍ରମଣ କରି କବ୍‍ଜା କରି ନେଇଥିଲେ । ଏଥିପାଇଁ ତାଙ୍କ ଉପରେ ଟ୍ରିବୁଟାରୀ ମହଲର ଅଧୀକ୍ଷକ ଜୋରିମାନା କରିଥିଲେ, ଯାହା ସେ ଅମାନ୍ୟ କରିଥିଲେ । ଘୁମୁସରର ବିଦ୍ରୋହୀ କନ୍ଧ ନେତା ଦୋରା ବିଶୋୟୀ ଓ ଚକ୍ରା ବିଶୋୟୀଙ୍କୁ ମଧ୍ୟ ସେ ଆଶ୍ରୟ ଓ ସହଯୋଗ ଦେଇ ଥିବାର ପ୍ରମାଣ ରହିଥିଲା । ସରକାରଙ୍କ ଚାପରେ ସେ ଦୋରା ବିଶୋୟୀଙ୍କୁ ଇଂରେଜ ହାତରେ ସମର୍ପଣ ମଧ୍ୟ କରିଥିଲେ । ୧୮୪୭ରେ ଅନୁଗୁଳକୁ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ଓ ସୋମନାଥ ସିଂହଙ୍କୁ ଗାଦିଚ୍ୟୁତ କରିବାକୁ ସରକାର ଆଦେଶନାମା ଜାରି କଲେ । ୧୮୪୮ ଜାନୁଆରି ମାସରେ ସୋମନାଥ ସିଂହଙ୍କ ପୁତ୍ର ଲୋକନାଥ ସିଂହଙ୍କୁ ଇଂରେଜମାନେ ବଶ କଲେ । ଫଳରେ ବାପ କନ୍ଧ ବିଦ୍ରୋହର ସମର୍ଥକ ବୋଲି ପୁଅ ସରକାରଙ୍କୁ ଲିଖିତ ଭାବରେ ଜଣାଇଲେ । ଏହା ପରେ କର୍ଣ୍ଣେଲ୍‍ କେମ୍ପବେଲ୍‍ଙ୍କ ନେତୃତ୍ୱରେ ଏକ ଇଂରେଜ ବାହିନୀ ୧୫ ଜାନୁଆରିରେ ଅନୁଗୁଳ ଅଧିକାର କଲେ ଏବଂ ସୋମନାଥ ସିଂହଙ୍କୁ ବନ୍ଦୀ କଲେ । ଅବଶିଷ୍ଟ ଜୀବନ ସୋମନାଥ ବନ୍ଦୀ ଭାବରେ କଟାଇଲେ ଏବଂ ଅନୁଗୁଳ ୧୬ ସେପ୍ଟେମ୍ବର ୧୮୪୮ରେ ଖାସମାହାଲରେ ପରିଣତ ହେଲା ।

୧୮୫୭ର ଗଣସଂଗ୍ରାମ ଓ ଓଡ଼ିଶା ୧୮୫୭ରେ ଇଂରେଜ ସରକାରଙ୍କ ବିରୋଧରେ ଏକ ବଡ଼ ଧରଣର ଗଣ ସଂଗ୍ରାମ ସଂଘଟିତ ହେଲା । ସମଗ୍ର ଭାରତରେ ଏହାର ପ୍ରଭାବ ରହିଥିଲା । ବିଶେଷକରି ଉତ୍ତର ଭାରତର ଅନେକ ଅଞ୍ଚଳରେ ଏହା ଇଂରେଜ ଶାସନକୁ ସାମୟିକ ଭାବେ ନିଶ୍ଚିହ୍ନ କରି ଦେଇଥିଲା । ଭାରତ ଇତିହାସରେ ଏହାକୁ ସିପାହୀ ବିଦ୍ରୋହ ନାମରେ ଲୋକେ ଜାଣନ୍ତି । ସଂଗ୍ରାମର କର୍ତ୍ତୃତ୍ୱ ସିପାହୀମାନଙ୍କ ହାତରେ ରହିଥିଲେ ମଧ୍ୟ ସାଧାରଣ ଚାଷୀ, ବୁଣାକାର, ରାଜା, ଜମିଦାର ଓ ସେମାନଙ୍କ ଅନୁଗତ ବର୍ଗ ଏଥିରେ ବିପୁଳ ସଂଖ୍ୟାରେ ଭାଗ ନେଇଥିଲେ ଏବଂ ଗଣସଂଗ୍ରାମର ଦମନ ପରେ ଦଣ୍ତ ପାଇଥିଲେ । ୧୮୫୭ର ଏହି ଗଣସଂଗ୍ରାମରେ ଓଡ଼ିଶାର ମଧ୍ୟ କିଛି ପରିମାଣରେ ଭୂମିକା ରହିଥିଲା । ପୂର୍ବରୁ ଆଲୋଚିତ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଏହି ସମୟରେ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳିଥିଲା । ବିଦ୍ରୋହୀ ସିପାହୀମାନଙ୍କଯୋଗୁଁ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇମାନେ ହଜାରିବାଗ ଜେଲରୁ ମୁକ୍ତି ପାଇଥିଲେ ଏବଂ ସମ୍ବଲପୁର ଫେରି ବିଦ୍ରୋହକୁ ପୁନରୁଜ୍ଜୀବିତ କରିଥିଲେ । ଉତ୍ତର ଭାରତର ବିଦ୍ରୋହୀ ନେତୃବର୍ଗଙ୍କ ସହ ସେମାନଙ୍କର ପ୍ରତ୍ୟକ୍ଷ ଯୋଗାଯୋଗ ନଥିଲା । କିନ୍ତୁ ସେଠାକାର ବିଦ୍ରୋହ ସେମାନଙ୍କୁ ମାନସିକ ସ୍ତରରେ ଶକ୍ତି ଓ ସାହସ ପ୍ରଦାନ କରିଥିଲା ।

ଓଡ଼ିଶାର ଅନ୍ୟ କେତେକ ଜମିଦାର ମଧ୍ୟ ୧୮୫୭ ଗଣସଂଗ୍ରାମଯୋଗୁଁ ସାହସ ପାଇ ନିଜ ନିଜ ସ୍ତରରେ ବିଦ୍ରୋହ କରିଥିଲେ । ଉଦାହରଣ ସ୍ୱରୂପ, ସେତେବେଳକୁ ରାଜପଦ ହରାଇ ସାରିଥିବା କୁଜଙ୍ଗର ରାଜା (ପୂର୍ବତନ ରାଜା) ବିଦ୍ରୋହପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ସନ୍ଦେହରେ ୫୦୦ଟଙ୍କା ଜୋରିମାନା ଦେବାକୁ ଇଂରେଜ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇଥିଲେ । ସେହିଭଳି ବାଲିଆର ପୂର୍ବତନ ଜମିଦାର ରାମକୃଷ୍ଣ ସାମନ୍ତ ସିଂହାର ବିଦ୍ରୋହପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିଲେ ଏବଂ ରୟତ ଚାଷୀମାନଙ୍କୁ କମ୍ପାନୀ ସରକାରଙ୍କୁ ଖଜଣା ନ ଦେବାପାଇଁ ପ୍ରୋତ୍ସାହିତ କରୁଥିଲେ । କଟକ କଲେକ୍ଟରଙ୍କ ରିପୋର୍ଟ ଅନୁଯାୟୀ; ଜମିଦାର, କମ୍ପାନୀ ଶାସନ ଖୁବ୍‍ ଶୀଘ୍ର ଶେଷ ପାଇବ ବୋଲି ପ୍ରଚାର କରୁଥିଲେ । ଅଗଷ୍ଟ ୧୮୫୭ରେ ତାଙ୍କ ସମେତ ଦୀନବନ୍ଧୁ ମହାପାତ୍ର ଓ ଉପେନ୍ଦ୍ର ଜେନାଙ୍କୁ ଗିରଫ କରାଗଲା ଏବଂ ପାଞ୍ଚ ବର୍ଷ ଲେଖା ସଶ୍ରମ କାରାଦଣ୍ତରେ ଦଣ୍ତିତ କରାଗଲା । ଗଣସଂଗ୍ରାମର ଦମନ ପରେ ନଭେମ୍ବର ୧୮୫୮ରେ ଅବଶ୍ୟ ସେମାନଙ୍କୁ କ୍ଷମା ଦିଆଯାଇ ଜେଲ୍‍ରୁ ମୁକ୍ତ କରାଗଲା ।

୧୮୫୭ର ଗଣସଂଗ୍ରାମରେ ପୁରୀର ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରି) ନାମକ ଜଣେ ପଣ୍ତା ମଧ୍ୟ ଭାଗ ନେଇଥିଲେ ବୋଲି ସରକାର ସନ୍ଦେହ କରୁଥିଲେ । ଚାଖି ଖୁଣ୍ଟିଆ ଜଗନ୍ନାଥ ମନ୍ଦିରର ପଣ୍ତା ଭାବରେ ତୀର୍ଥଯାତ୍ରୀମାନଙ୍କୁ ଆକୃଷ୍ଟ କରିବାପାଇଁ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । ସେହି ପ୍ରକ୍ରିୟାରେ ସେ ବିଭିନ୍ନ ସେନା ଛାଉଣିରେ ହିନ୍ଦୁ ସିପାହୀମାନଙ୍କୁ ଭେଟୁଥିଲେ ଏବଂ ଝାନ୍‍ସୀର ରାଜ ପରିବାର ସହ ମଧ୍ୟ ସଂପର୍କ ରଖିଥିଲେ । ଏହି ଅବସରରେ ସେ ବିଦ୍ରୋହପାଇଁ ଏକ ରକମର ଯୋଗାଯୋଗର ସୂତ୍ର ପାଲଟିଥିଲେ ବୋଲି କୁହାଯାଏ । ଏମିତିରେ ବି ୧୮୫୭ ଗଣସଂଗ୍ରାମରେ ବିଦ୍ରୋହୀମାନଙ୍କ ମଧ୍ୟରେ ଯୋଗସୂତ୍ରକାରୀ ଭାବରେ ହିନ୍ଦୁ ଯୋଗୀ ସନ୍ନ୍ୟାସୀମାନଙ୍କର ବିଶେଷ ଭୂମିକା ରହିଥିବା କଥା ଲୋକଶ୍ରୁତିରେ ରହିଛି । ବିଦ୍ରୋହ ସମୟରେ ଚାଖି ଖୁଣ୍ଟିଆ ମୃତ୍ୟୁଦଣ୍ତ ପାଇଥିବାର ଏକ ଜନରବ ସୁଦ୍ଧା ପୁରୀରେ ହୋଇଥିଲା, ଯାହା ସତ ନ ଥିଲା । ବିଦ୍ରୋହ ଆରମ୍ଭ ହେବା ପରେ ସେନାଛାଉଣି ଛାଡ଼ିଥିବା ଅନେକ ସିପାହୀ ପୁରୀ ଜଗନ୍ନାଥ ଦର୍ଶନରେ ଆସିଥିବାର ପ୍ରମାଣ ମିଳେ । ତା' ପଛରେ ଚାଖି ଖୁଣ୍ଟିଆଙ୍କର ଭୂମିକାକୁ ସଂପୂର୍ଣ୍ଣ ନିରାଧାର ବୋଲି କୁହାଯାଇ ନପାରେ । ୧୮୫୮ ମାର୍ଚ୍ଚ ମାସରେ ପୁରୀର ମାଜିଷ୍ଟ୍ରେଟ୍‍ ଚାଖି ଖୁଣ୍ଟିଆଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଥିଲେ ଏବଂ ତାଙ୍କୁ ଗିରଫ କରିବାପାଇଁ ଉଦ୍ୟମ କରିଥିଲେ ।ସେତେବେଳେ ଚାଖି ଖୁଣ୍ଟିଆ ଗୟାରେ ଅବସ୍ଥାନ କରୁଥିଲେ । ୧୮୫୯ ଜୁଲାଇ ମାସରେ ସେ ନିଜ ଭାଇଙ୍କ ପାଖକୁ ଲେଖିଥିବା ଏକ ପତ୍ର ଜବତ ହୋଇଥିଲା । ତହିଁରୁ ଚାଖି ଖୁଣ୍ଟିଆ ବିଦ୍ରୋହରେ ଲିପ୍ତ ଥିବାର କୌଣସି ପ୍ରମାଣ ମିଳି ନଥିଲା । ତଥାପି ସେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ବିଦ୍ରୋହ ଦମନ ପରେ ତାଙ୍କୁ ନିଃସର୍ତ୍ତ କ୍ଷମା ଦିଆଯାଇଥିଲା ଏବଂ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟ ଫେରସ୍ତ ଦିଆଯାଇଥିଲା । ୧୮୫୭ ଗଣସଂଗ୍ରାମରେ ଓଡ଼ିଶାର ଏହିସବୁ ସଂଭାବ୍ୟ ସଂପୃକ୍ତି କଥା ବିଚାରକୁ ନେଲେ ଜଣାଯାଏ ଯେ, ସେତେବେଳେ କମ୍ପାନୀ ସରକାର ଅତି ସତର୍କତାମୂଳକ ପଦକ୍ଷେପମାନ ନେଇଥିଲେ ଏବଂ ସାମାନ୍ୟ ସନ୍ଦେହରେ ମଧ୍ୟ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଛାଇ ନଥିଲେ । ଉଭୟ କୁଜଙ୍ଗ ଓ ବାଲିଆରେ ଏବଂ ପୁରୀର ଚାଖି ଖୁଣ୍ଟିଆଙ୍କ କ୍ଷେତ୍ରରେ ହୋଇଥିବା ଦଣ୍ତାଦେଶର ବିଶେଷ ଆଧାର ନଥିଲା ବୋଲି ସରକାର ହୁଏତ ବୁଝି ପାରିଥିଲେ । ଏହା ଫଳରେ ବିଦ୍ରୋହ ଦମନ ପରେ ସେମାନଙ୍କୁ ମୁକ୍ତି ଦେଇଥିଲେ । ଅନ୍ୟ ପକ୍ଷରେ, ଏକଥା ମଧ୍ୟ ସତ୍ୟ ଯେ, ଦଣ୍ତ ପାଇବା ଭୟରେ ସେତେବେଳେ ବିଦ୍ରୋହରେ ଲିପ୍ତହେବା ବ୍ୟକ୍ତି ମଧ୍ୟ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପ୍ରୟାସ କରୁଥିଲେ । ହୁଏତ ସେମାନଙ୍କ ମଧ୍ୟରୁ ଅନେକେ ପ୍ରକୃତରେ ଲିପ୍ତ ଥିବା ସତ୍ତ୍ୱେ ନିର୍ଦ୍ଦୋଷ ପ୍ରମାଣିତ ମଧ୍ୟ ହୋଇଥିଲେ । ଦେଶ ସ୍ୱାଧୀନତା ଲାଭ କଲା ପରେ ସେତେବେଳର ଇଂରେଜ ବିରୋଧୀ ସଂଗ୍ରାମରେ ଭାଗନେବା ଯେମିତି ଏକ ଗୌରବର ବିଷୟ ଥିଲା, ବିଦ୍ରୋହ ଦମନର ପରବର୍ତ୍ତୀ ସମୟରେ ତାହା ସେମିତି ନଥିଲା । ଦ୍ୱିତୀୟତଃ, ବିଦ୍ରୋହରେ ସଂପୃକ୍ତି କଥା ଜାଣିବାପାଇଁ ମୁଖ୍ୟତଃ ସରକାରୀ ଦସ୍ତାବିଜ୍‍ ଉପରେ ନିର୍ଭର କରାଯାଏ । କାରଣ ସେତେବେଳର ବିଦ୍ରୋହୀ ଛାଡ଼ି ଯାଇଥିବା ନଥିପତ୍ର ଆମର ହସ୍ତଗତ ହୁଏ ନାହିଁ । କିମ୍ବଦନ୍ତୀ ଓ ଜନଶ୍ରୁତି ମଧ୍ୟ ଇତିହାସ ଲେଖିବାପାଇଁ ଏକ ପ୍ରମୁଖ ସାମଗ୍ରୀ । ତାକୁ ଆଧାର କରି ବିଶ୍ଳେଷଣ କଲେ ମନେହୁଏ ଯେ, ଜଣେ ପରମ୍ପରାବାଦୀ ବ୍ରାହ୍ମଣ ଭାବରେ ଚାଖି ଖୁଣ୍ଟିଆଙ୍କର ଇଂରେଜ ଔପନିବେଶିକ ଶାସନ ପ୍ରତି ବିତୃଷ୍ଣା ଭାବ ରହିଥିବ । ନିଜ କାର୍ଯ୍ୟ କ୍ଷେତ୍ରରେ ବିଦ୍ରୋହୀ ସିପାହୀମାନଙ୍କ ସଂସର୍ଗରେ ଆସି ଏବଂ ସେମାନଙ୍କ ସାହସ ଦେଖି ଯୋଗସୂତ୍ରକାରୀ ହୋଇଥିବା ମଧ୍ୟ ଅସ୍ୱାଭାବିକ ନୁହେଁ । ପୁଣି ବିଦ୍ରୋହ ଦମନ ପରେ ସେ ନିର୍ଦ୍ଦୋଷ ପ୍ରମାଣିତ ହେବାରେ ମଧ୍ୟ ବିଶେଷ ଅସ୍ୱାଭାବିକତା ଦେଖିବାକୁ ମିଳେ ନାହିଁ । ଠିକ୍‍ ସେହିଭଳି କୁଜଙ୍ଗ ଓ ବାଲିଆର ବିଦ୍ରୋହରେ ସଂପୃକ୍ତିକୁ ମଧ୍ୟ ପର୍ଯ୍ୟାଲୋଚନା କରାଯାଇପାରେ ।

ଊନବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧର ଗଡ଼ଜାତ ବିଦ୍ରୋହ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଗଡ଼ଜାତ ଓ ଆଦିବାସୀ ଅଞ୍ଚଳରେ ଅନେକ ବିଦ୍ରୋହ ଦେଖିବାକୁ ମିଳେ । ଆଦ୍ୟକାଳୀନ ଜନ ଅସନ୍ତୋଷ ଓ ଦ୍ୱିତୀୟାର୍ଦ୍ଧର ବିଦ୍ରୋହ ମଧ୍ୟରେ ବିଶେଷ ପାର୍ଥକ୍ୟ ହେଲା ଯେ; ପରବର୍ତ୍ତୀ ସମୟରେ ରାଜା, ଜମିଦାରମାନେ ଆଉ ବିଦ୍ରୋହର ନେତୃତ୍ୱ ନେଇନଥିଲେ । ସାଧାରଣ ଲୋକ ହିଁ ଅସନ୍ତୋଷ ଓ ବିଦ୍ରୋହର ପୁରୋଭାଗରେ ରହିଥିଲେ । ଦ୍ୱିତୀୟତଃ, ପ୍ରତ୍ୟକ୍ଷ ଭାବରେ ଏହା ସ୍ଥାନୀୟ ରାଜା-ଜମିଦାରବର୍ଗ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ, ରାଜା-ଜମିଦାରମାନେ ଜନ ଅସନ୍ତୋଷର ନେତୃତ୍ୱ ନେଉଥିଲେ, ଦ୍ୱିତୀୟାର୍ଦ୍ଧରେ ସେମାନେ ତା'ର କାରଣ ହେଲେ; ଶତ୍ରୁ ରୂପେ ଗଣା ହେଲେ । ଅନେକ ସ୍ଥଳରେ ବିଦ୍ରୋହୀ ପକ୍ଷ ଇଂରେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟସ୍ଥି ଭାବରେ ମଧ୍ୟ ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ, ଇଂରେଜ ସରକାରଙ୍କୁ ବଳୟ ଭାବରେ ପାଇ ସ୍ଥାନୀୟ ରାଜା, ଜମିଦାରମାନେ ପୂର୍ବାପେକ୍ଷା ଅଧିକ ସ୍ୱେଚ୍ଛାଚାରୀ ଓ ଅତ୍ୟାଚାରୀ ହୋଇ ପଡ଼ିଲେ । ଇଂରେଜ ସରକାର ମଧ୍ୟ ରାଜା-ଜମିଦାରମାନଙ୍କୁ ବଳୟ ଭାବରେ ବ୍ୟବହାର କରି ଜନବିରୋଧୀ ଔପନିବେଶିକ ପରିବର୍ତ୍ତନ ଆଣିବା ସହଜ ଓ ସୁବିଧାଜନକ ମନେକଲେ । ଫଳରେ ବ୍ୟକ୍ତି ସ୍ୱାଧୀନତା, ଗଣତନ୍ତ୍ର, ସାମାଜିକ ସୁରକ୍ଷା ଆଦିର ଉତ୍ପତ୍ତିସ୍ଥଳ ବୋଲି ନିଜକୁ ଦାବି କରୁଥିବା ଇଂରେଜ ସରକାର; ସ୍ୱେଚ୍ଛାଚାରୀ, ଅତ୍ୟାଚାରୀ ଓ ଅମାନବୀୟ ରାଜା ଜମିଦାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଓ ସୁରକ୍ଷା ଦେବାକୁ ପଛାଉ ନଥିଲେ । ଦ୍ୱିତୀୟାର୍ଦ୍ଧର ଏହି ବିଦ୍ରୋହଗୁଡିକ ମୁଖ୍ୟତଃ ଗଡ଼ଜାତମାନଙ୍କରେ ଦେଖିବାକୁ ମିଳେ । କାରଣ, ମୋଗଲବନ୍ଦି ଅଞ୍ଚଳ ଅପେକ୍ଷା ସେଠରେ ପ୍ରଜା ଉତ୍ପୀଡ଼ନର ମାତ୍ରା ଅଧିକ ଅମାନବୀୟ ଓ ନୃଶଂସ ଥିଲା । ଶାନ୍ତିପୂର୍ଣ୍ଣ, ସାମ୍ବିଧାନିକ ବା ଗଣତାନ୍ତ୍ରିକ ଆନ୍ଦୋଳନପାଇଁ ଆଦୌ ଅବସର ନଥିଲା । ଅର୍ଥାତ୍‍ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମୋଗଲବନ୍ଦି ଅଞ୍ଚଳରେ ଯେତେବେଳେ ଗଣତାନ୍ତ୍ରିକ ଆନ୍ଦୋଳନ ରୂପରେ ଜାତୀୟତାର ଉନ୍ମେଷ ଦେଖାଗଲା (ଏହା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚିତ ହେବ), ସେତେବେଳେ ଗଡ଼ଜାତ ଅଞ୍ଚଳରେ ଏହା ପାରମ୍ପରିକ ବିଦ୍ରୋହର ରୂପ ନେଲା ।

ବାମନଘାଟି ବିଦ୍ରୋହ, ୧୮୬୬ ବାମନଘାଟି ଥିଲା ମୟୂରଭଞ୍ଜ ରାଜ୍ୟର ଏକ କୋହ୍ଲ ଆଦିବାସୀବହୁଳ ଅଞ୍ଚଳ । ଔପନିବେଶିକ ଶାସନ ବିରୁଦ୍ଧରେ ଏଠାରେ କୋହ୍ଲମାନେ ନାନା ରୂପରେ ପ୍ରତିକ୍ରିୟା ପ୍ରକାଶ କରୁଥିଲେ । ୧୮୨୧ରେ ସେମାନେ ସିଂହଭୂମରେ ଛାଉଣି ପକାଇ ରହିଥିବା ଇଂରେଜ ସୈନ୍ୟମାନଙ୍କୁ ଆକ୍ରମଣ କରିଥିଲେ । କଲିକତା ଓ ନାଗପୁରକୁ ସଂଯୋଗ କରୁଥିବା ରାଜପଥର କଡେ଼ କଡେ଼ କୋହ୍ଲ ବସତିମାନ ଅବସ୍ଥିତ ଥିଲା । ଏହାର ସୁଯୋଗ ନେଇ ସେମାନେ ସରକାରୀ ଡାକ ଓ ବ୍ୟବସାୟୀମାନଙ୍କୁ ଲୁଟତରାଜ କରୁଥିଲେ । ଅନେକ ସମୟରେ ସରକାରୀ ଧନସମ୍ପତ୍ତି ଓ କର୍ମଚାରୀ ବ୍ୟତୀତ ଅଣ-ଆଦିବାସୀ ବ୍ୟବସାୟୀ ଓ କୃଷକମାନେ ମଧ୍ୟ ଆଦିବାସୀ ଆକ୍ରମଣର ଶିକାର ହେଉଥିଲେ । ସ୍ଥାନୀୟ ଆଦିବାସୀ ଲୋକଙ୍କୁ ସେମାନେ 'ଦେଶଲୋକ' ଓ ବାହାର ଅଣ-ଆଦିବାସୀମାନଙ୍କୁ 'ହାଟୁଆ' ବା 'ଦିକୁ' ବୋଲି କହୁଥିଲେ । 'ଦେଶଲୋକ' ବ୍ୟତୀତ ଅନ୍ୟମାନଙ୍କୁ ସେମାନେ ନିଜ ବିପନ୍ନତାପାଇଁ ଦାୟୀ କରୁଥିଲେ । କୋହ୍ଲ ବ୍ୟତୀତ 'ଦେଶଲୋକ' ମଧ୍ୟରେ ଅନ୍ୟ ଆଦିବାସୀ, ଯଥା- ସାନ୍ତାଳ, ଖଡ଼ିଆ, ଲୋଧା, ଭୂମିଜ, ମୁଣ୍ତା, ବାଥୁଡ଼ି, ଧରୁଆ ଓ ହୋ ମଧ୍ୟ ସାମିଲ୍‍ ଥିଲେ । ବାମନଘାଟି ବିଦ୍ରୋହରେ କୋହ୍ଲମାନଙ୍କର ସଂଖ୍ୟା ବହୁଳତା ଥିଲା । ତା' ସହିତ ଅନ୍ୟ ଆଦିବାସୀମାନଙ୍କର ମଧ୍ୟ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ରହିଥିଲା । କୋହ୍ଲମାନଙ୍କର ସରକାର ବିରୁଦ୍ଧରେ ଅନେକ ଅଭିଯୋଗ ରହିଥିଲା । ଖଜଣା ପଇଠ କରିବାକୁ ସରକାର କଡ଼ାକଡ଼ି ନିୟମ ପାଳନ କରୁଥିଲେ । ନିର୍ଦ୍ଧାରିତ ସମୟରେ ଖଜଣା ଦେବାପାଇଁ କୋହ୍ଲ କୃଷକ, ହାଟୁଆ ବା ଦିକୁମାନଙ୍କ ପାଖରୁ ଅଧିକ ସୁଧରେ ଋଣ ନେବାକୁ ବାଧ୍ୟ ହେଉଥିଲେ । କାଳକ୍ରମେ ହାଟୁଆମାନେ ସୁଧ ମୂଳ ସହିତ ଋଣ ପରିଶୋଧ କରି ପାରୁ ନଥିବା କୋହ୍ଲର ଜମି ହସ୍ତଗତ କରି ନେଉଥିଲେ । ବଜାରରେ ଜିନିଷପତ୍ର ବିକାକିଣାରେ ମଧ୍ୟ ହାଟୁଆମାନେ ଦେଶଲୋକଙ୍କ ସରଳତାର ସୁଯୋଗ ନେଇ ଶୋଷଣ କରୁଥିଲେ । ସରକାରୀ କର୍ମଚାରୀ ଭାବରେ ମୁଖ୍ୟତଃ ହାଟୁଆମାନେ ରହିଥିଲେ । ଫଳରେ, ସରକାର ଲାଗୁ କରୁଥିବା ଜଟିଳ ଆଇନ କାନୁନ ଓ ହାଟୁଆମାନଙ୍କ ମଧ୍ୟରେ ଏକ ମେଣ୍ଟ ଥିବା 'ଦେଶଲୋକ' ନିଜ ସାଧାରଣ ବୁଦ୍ଧିରେ ଦେଖି ପାରୁଥିଲା ।

ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଜଙ୍ଗଲ ଓ ପୋଡୁଚାଷ ଉପରେ କଟକଣା ଲାଗୁହେଲା । କୋହ୍ଲମାନେ ଜଙ୍ଗଲ ଉପରେ ରହିଥିବା ସେମାନଙ୍କ ପାରମ୍ପରିକ ଅଧିକାର ହରାଇଲେ; ସେମାନଙ୍କ କୃଷି ମଧ୍ୟ ବାଧାପ୍ରାପ୍ତ ହେଲା । ଖଜଣା ଅସୁଲ କରିବାପାଇଁ ଆଗରୁ ସର୍ଦ୍ଦାର ଓ ସର୍ବରାକାରମାନେ ନିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ କଡାକଡ଼ି ଭାବେ ଖଜଣା ଆଦାୟ ହେବାରୁ ଅନେକ ସର୍ଦ୍ଦାର ହୁଏତ ଖଜଣା ଅସୁଲ କରି ନପାରି ବରଖାସ୍ତ ହେଲେ । ମାଧବ ଦାସ ମହାପାତ୍ର ଥିଲେ ବାମନଘାଟିର ଏଭଳି ଜଣେ ଖଜଣା ଅସୁଲକାରୀ ସର୍ବରାକାର । ସେ କଡ଼ାକଡ଼ି ନିୟମ ଲାଗୁ ହେବା ପଛରେ ମୟୂରଭଞ୍ଜ ରାଜାଙ୍କ ଚକ୍ରାନ୍ତ ରହିଛି ବୋଲି କୋହ୍ଲମାନଙ୍କୁ ପ୍ରୋତ୍ସାହିତ କଲେ । ୧୮୩୧ ଏପ୍ରିଲ୍‍ ୧୦ ତାରିଖରେ ମାଧବ ଦାସଙ୍କ ନେତୃତ୍ୱରେ କୋହ୍ଲମାନେ ବାମନଘାଟିରେ ସରକାରୀ ଡାକ ଲୁଣ୍ଠନ କଲେ । କେତେକ ଡାକବାହକଙ୍କୁ ଅପହରଣ ଓ ହତ୍ୟା ମଧ୍ୟ କରାଯାଇଥିଲା । ଏହି ବିଦ୍ରୋହ ବେଳେ ମୟୂରଭଞ୍ଜ ରାଜା ଯଦୁନାଥ ଭଞ୍ଜ ସରକାରଙ୍କ ପକ୍ଷରୁ ମାଧବ ଦାସ ଓ ଅନ୍ୟ କେତେକ ବିଦ୍ରୋହୀଙ୍କୁ ବାମନଘାଟିରୁ ବହିଷ୍କାର କଲେ । ଅନେକ କୋହ୍ଲ ସରକାରୀ ଓ ରାଜଦମନର ଶିକାର ହେଲେ । ଏହା ପରେ ସିଦ୍ଧ ହୋଇଗଲା ଯେ, ରାଜା ହେଲେ ଇଂରେଜ ସରକାରଙ୍କ ପକ୍ଷଲୋକ । ତେଣୁ ଇଂରେଜ ବିରୁଦ୍ଧରେ ଉଦ୍ଦିଷ୍ଟ ଜନ ଅସନ୍ତୋଷ ରାଜାଙ୍କୁ ମଧ୍ୟ ଶତ୍ରୁ ମଣିଲା ।

୧୮୫୭ର ଗଣସଂଗ୍ରାମ ବେଳେ ପୋଡ଼ାହାଟର ରାଜା ଅର୍ଜୁନ ସିଂହ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି ବୋଲି ଇଂରେଜମାନେ ସନ୍ଦେହ କଲେ । ୧୮୫୭ ସେପ୍ଟେମ୍ବର ୨୩ ତାରିଖରେ ଅର୍ଜୁନ ସିଂହଙ୍କୁ ଗାଦିଚ୍ୟୁତ କରାଗଲା ଓ ପୋଡ଼ାହାଟକୁ ଖାସମାହାଲରେ ସାମିଲ୍‍ କରାଗଲା । ଏହା ପରେ ଅର୍ଜୁନ ସିଂହ ସ୍ଥାନୀୟ କୋହ୍ଲମାନଙ୍କ ସହଯୋଗରେ ୧୮୫୮ ଜାନୁଆରିରେ ବିଦ୍ରୋହ କଲେ ଏବଂ ତିିନିମାସ ପର୍ଯ୍ୟନ୍ତ ସିଂହଭୂମକୁ ଇଂରେଜ କବଳରୁ ପ୍ରାୟତଃ ମୁକ୍ତ କଲେ । ଏଥର ମଧ୍ୟ ମୟୂରଭଞ୍ଜ ରାଜା ଇଂରେଜମାନଙ୍କୁ ପୂର୍ଣ୍ଣ ସହଯୋଗ କଲେ ଏବଂ ପ୍ରତିବଦଳରେ 'ମହାରାଜା' ଉପାଧିରେ ଭୂଷିତ ହେଲେ । ଅର୍ଜୁନ ସିଂହଙ୍କୁ 'ମହାରାଜା' ଆତ୍ମସମର୍ପଣ କରିବାକୁ ମଧ୍ୟ ପ୍ରବର୍ତ୍ତାଇ ଥିଲେ । ଏହା ମୟୂରଭଞ୍ଜ ରାଜାଙ୍କ ଇଂରେଜ ସରକାର ସହ ମେଣ୍ଟକୁ ସିଦ୍ଧ କଲା । ୧୮୬୬ରେ ନ'ଅଙ୍କ ଦୁର୍ଭିକ୍ଷର ପ୍ରକୋପ ମୟୂରଭଞ୍ଜ ଆଦିବାସୀମାନଙ୍କ ଉପରେ ମଧ୍ୟ ପଡ଼ିଲା । ନିରନ୍ତର ଆର୍ଥିକ ଶୋଷଣଯୋଗୁଁ ନିଃସ୍ୱ ହୋଇଯାଇଥିବା ଆଦିବାସୀ ଅନାବୃଷ୍ଟି ଫଳରେ ଅନାହାର ଓ ମହାମାରୀର ଶିକାର ହେଲେ । ବିଦ୍ରୋହର ପୂର୍ବ ପରମ୍ପରା ପ୍ରଥମେ ବାମନଘାଟିର କୋହ୍ଲମାନଙ୍କୁ ସଂଘର୍ଷ କରିବାକୁ ପ୍ରେରଣା ଯୋଗାଇଲା । ଖାଦ୍ୟାଭାବର ତାଡ଼ନାରେ ବାମନଘାଟି କୋହ୍ଲମାନେ ହାଟୁଆମାନଙ୍କର ଧନସମ୍ପତ୍ତି ଲୁଣ୍ଠନ କଲେ । ରାଜା ମଧ୍ୟ ସେମାନଙ୍କ ରୋଷର ଶିକାର ହେଲେ । ମଧ୍ୟସ୍ଥି ଭାବରେ ସିଂହଭୂମର ଡେପୁଟି କମିସନର ଆଦିବାସୀ ନେତାମାନଙ୍କୁ ଚତୁରତାର ସହ ବନ୍ଦି କଲେ ଏବଂ ବାମନଘାଟି ଉପରୁ ରାଜାଙ୍କ କର୍ତ୍ତୃତ୍ୱ ଲୋପ କରିଦିଆଗଲା । ଅର୍ଥାତ୍‍ ୧୮୬୬ରୁ ୧୮୬୮ ପର୍ଯ୍ୟନ୍ତ ବାମନଘାଟି ଇଂରେଜମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଲା । ଅନେକ ଅନ୍ୟାୟ କର (ଯାହା ରାଜା ଲାଗୁ କରିଥିଲେ) ତାକୁ ପ୍ରତ୍ୟାହାର କରି ନିଆଗଲା । ସ୍ୱଳ୍ପ ମିଆଦୀ ଭୂ-ବନ୍ଦୋବସ୍ତ ବଦଳରେ ଦଶବର୍ଷିଆ ବନ୍ଦୋବସ୍ତ ଲାଗୁ ହେଲା । ଆଦିବାସୀମାନଙ୍କୁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ଅଣ-ଆନୁଷ୍ଠାନିକ ଭାବରେ ଅନୁମତି ଦିଆଗଲା । ଅନ୍ୟ ପକ୍ଷରେ, ୧୮୬୮ ଏପ୍ରିଲ୍‍ ମାସରେ ଇଂରେଜ ଅନୁଗତ ମୟୂରଭଞ୍ଜ ମହାରାଜାଙ୍କ ହାତରେ ବିମାନଘାଟିକୁ ପୁନର୍ବାର ସମର୍ପଣ କରି ଦିଆଗଲା ।

କେନ୍ଦୁଝର ମେଳି, ୧୮୬୭-୬୮ ଓ ୧୮୯୧-୯୩ ଉତ୍ତର ଓଡ଼ିଶାରେ ମୟୂରଭଞ୍ଜକୁ ଲାଗି କେନ୍ଦୁଝର ଥିଲା ଏକ ବଡ଼ ଗଡ଼ଜାତ ରାଜ୍ୟ । ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ୧୮୦୪ରେ କମ୍ପାନୀ ସରକାରଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରି କେନ୍ଦୁଝର ରାଜା ଚୁକ୍ତି କରିଥିଲେ ଓ ପ୍ରତିବଦଳରେ ସାମନ୍ତ ପଦ ଲାଭ କରିଥିଲେ । ତାଙ୍କର ପ୍ରଜାମାନେ ମୁଖ୍ୟତଃ ଭୂୟାଁ ଓ ଜୁଆଙ୍ଗ ଆଦିବାସୀ ସଂପ୍ରଦାୟର । ସମତଳ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କପାଇଁ କୃଷି ମୁଖ୍ୟ ଜୀବିକା ଥିଲା । ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କୁ ପାହାଡ଼ିଆ ବୋଲି କୁହାଯାଉଥିଲା । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶିକାର ସେମାନଙ୍କର ପ୍ରମୁଖ ପେସା ଥିଲା । ୧୮୬୭-୬୮ ଓ ୧୮୯୧-୯୩ରେ କେନ୍ଦୁଝରରେ ଭୂୟାଁ ଆଦିବାସୀମାନଙ୍କର ବିଦ୍ରୋହ ଦେଖିବାକୁ ମିଳିଥିଲା । ବିଦ୍ରୋହୀମାନେ ରାଜପରିବାରକୁ ଲକ୍ଷ୍ୟ କରିଥିଲେ । ଇଂରେଜ ଶାସନଯୋଗୁଁ ଆଦିବାସୀ ଘୋର ଅସନ୍ତୁଷ୍ଟ ଥିଲେ । ସରକାରକୁ ରାଜା ସମର୍ଥ କରୁଥିବାରୁ ତାଙ୍କ ସ୍ଥାନରେ ନୂତନ ରାଜାଙ୍କୁ ଅଧିଷ୍ଠିତ କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ନୂତନ ରାଜାଙ୍କୁ ଅଧିଷ୍ଠିତ କରିପାରିଲେ ସୁଶାସନ ପ୍ରତିଷ୍ଠିତ ହୋଇ ପାରିବ ବୋଲି ସେମାନେ ବିଶ୍ୱାସ କରୁଥିଲେ ।

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନାଗପୁର-କଲିକତା ରାଜପଥକୁ ନିର୍ମାଣ କରାଗଲା । ମୟୂରଭଞ୍ଜ ଓ କେନ୍ଦୁଝର ରାଜ୍ୟ ଦେଇ ଏହି ରାସ୍ତା ଯାଇଥିଲା । ମୟୂରଭଞ୍ଜ-କେନ୍ଦୁଝର ଅଞ୍ଚଳରେ ଏହା ଜେକ୍‍ସନ ରୋଡ୍‍ ନାମରେ ପରିଚିତ ଥିଲା । ଜେକ୍‍ସନ ଥିଲେ ଜଣେ ପଦସ୍ଥ ଇଂରେଜ ଅଧିକାରୀ । ରାସ୍ତା ନିର୍ମାଣନିମନ୍ତେ ସେ ବିନା ପାଉଣାରେ ଭୂୟାଁ ଓ ଜୁଆଙ୍ଗ ଆଦିବାସୀମାନଙ୍କୁ ବ୍ୟବହାର କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ତାଙ୍କୁ ରାଜାଙ୍କ ସହଯୋଗର ଆବଶ୍ୟକତା ପଡ଼ିଲା । କାରଣ ପାରମ୍ପରିକ ରୀତି ଅନୁଯାୟୀ ଆଦିବାସୀ ବିନା ପାଉଣାରେ ରାଜାଙ୍କପାଇଁ ବେଠି ଖଟିବ । ୧୮୩୭ରେ କେନ୍ଦୁଝର ରାଜା ରାସ୍ତା ନିର୍ମାଣରେ ପ୍ରଜାଙ୍କ ଖଟିବା ପ୍ରସ୍ତାବକୁ ବିରୋଧ କରିଥିଲେ । ଏହା ପୂର୍ବରୁ ୧୮୨୧ରେ କୋହ୍ଲ ବିଦ୍ରୋହର ଦମନପାଇଁ ଯେତେବେଳେ ଇଂରେଜ ସେନା ଚାଳନା ହେଲା, ତହିଁରେ ପ୍ରତିବନ୍ଧକ ସୃଷ୍ଟି କରି ରାଜା କୋହ୍ଲମାନଙ୍କ ପ୍ରତି ତାଙ୍କ ପରୋକ୍ଷ ସମର୍ଥନକୁ ସୁସ୍ପଷ୍ଟ କରିଥିଲେ । ଇଂରେଜ ଅମଳରେ ନିଜ କ୍ଷମତା ହରାଇଥିବାଯୋଗୁଁ ରାଜା ପ୍ରତିଶୋଧ ପରାୟଣ ହୋଇ ଏସବୁ କରୁଥିଲେ । ୧୮୩୯ ପରେ ରାଜା ଓ ଆଦିବାସୀଙ୍କ ମଧ୍ୟରେ ଆଉ ଆପୋଷ ସହଯୋଗ ରହିଲା ନାହଁ । ନୂତନ ରାଜା ଗଦାଧର ଭଞ୍ଜ ସରକାରଙ୍କ ପକ୍ଷ ହେଲେ ଏବଂ ରାସ୍ତା ନିର୍ମାଣ ଆଦି କାର୍ଯ୍ୟରେ ସରକାରଙ୍କୁ ସମର୍ଥନ ଦେଲେ । ୧୮୫୭ରେ ସେ ପୋଡ଼ାହାଟର ରାଜା ଓ ବିଦ୍ରୋହୀ ଅର୍ଜୁନ ସିଂହଙ୍କ ବିରୁଦ୍ଧରେ ସରକାରକୁ ସହଯୋଗ ମଧ୍ୟ କଲେ । ଏଥିପାଇଁ ତାଙ୍କୁ ମହାରାଜା ଉପାଧି ମିଳିଥିଲା । ଫଳତଃ ଅତ୍ୟାଚାରୀ ଔପନିବେଶିକ ଶାସନର ପ୍ରତୀକ ରୂପେ ଆଦିବାସୀମାନେ ରାଜାଙ୍କୁ ସନ୍ଦେହ କରିବା ଆରମ୍ଭ କଲେ । ଅନ୍ୟ ଶବ୍ଦରେ କହିଲେ, ଇଂରେଜ ସମର୍ଥିତ ରାଜାଙ୍କ ବଦଳରେ ଏକ ନୂତନ ରାଜାପାଇଁ ସେମାନେ ସକ୍ରିୟ ହେଲେ ।

ମାର୍ଚ୍ଚ ୧୮୬୭ରେ କେନ୍ଦୁଝର 'ମହାରାଜା' ଗଦାଧର ଭଞ୍ଜଙ୍କ ମୃତ୍ୟୁ ହେଲା । ତାଙ୍କ ଉତ୍ତରାଧିକାରୀକୁ ନେଇ ତାଙ୍କ ପୁତ୍ର (ରକ୍ଷିତା ବା ଫୁଲ ବିବାହୀ ରାଣୀଙ୍କ ପୁତ୍ର) ଧନୁର୍ଜୟ ନାରାୟଣ ଭଞ୍ଜ ଓ ପୋଷ୍ୟପୁତ୍ର ବୃନ୍ଦାବନ ଚନ୍ଦ୍ର ଭଞ୍ଜଙ୍କ ମଧ୍ୟରେ କଳହ ଉପୁଜିଲା । ଇଂରେଜ ସରକାର ଧନୁର୍ଜୟ ନାରାୟଣଙ୍କୁ ରାଜଗାଦି ଦେଲେ । ଫଳତଃ ଆଦିବାସୀ ଭୂୟାଁମାନେ ବୃନ୍ଦାବନ ଚନ୍ଦ୍ରଙ୍କୁ ସମର୍ଥନ ଦେଲେ । ଗଦାଧର ଭଞ୍ଜଙ୍କ ମହାରାଣୀ ମଧ୍ୟ ବୃନ୍ଦାବନ ଚନ୍ଦ୍ରଙ୍କୁ ସମର୍ଥନ କରୁଥିଲେ । ଅର୍ଥାତ୍‍ ବିଧବା ମହାରାଣୀଙ୍କୁ ରକ୍ଷା ବଳୟ ଭାବରେ ବ୍ୟବହାର କରି ଭୂୟାଁମାନେ ଇଂରେଜ ସମର୍ଥନ ରେ ରାଜଗାଦି ପ୍ରାପ୍ତ କରିଥିବା ଧନୁର୍ଜୟଙ୍କୁ ବିରୋଧ କଲେ ।

କେନ୍ଦୁଝର ଆଦିବାସୀ ପ୍ରାକ୍‍-ଇଂରେଜ କାଳରେ ପ୍ରଜା ଭାବରେ ସମ୍ମାନ ପାଉଥିଲା ଏବଂ ଖଜଣାକୁ ଦ୍ରବ୍ୟ ଆକାରରେ ରାଜାଙ୍କୁ ପ୍ରଦାନ କରୁଥିଲା । ଟଙ୍କା ଆକାରରେ ଆଦିବାସୀ ଖଜଣା ଦେଉ ନଥିଲା । ଏକ ଗ୍ରାମୀଣ ସଂସ୍କୃତିରେ ଟଙ୍କା ଆକାରରେ ଖଜଣା ନ ମିଳିବା ସତ୍ତ୍ୱେ ରାଜା ବିଶେଷ ଅସୁବିଧାର ସମ୍ମୁଖୀନ ହେଉ ନଥିଲେ । ଖଜଣା ଯାହା ମୁଖ୍ୟତଃ ବେଠି, ବେଗାରି, ରସଦ ଆଦି ରୂପରେ ରହିଥିଲା, ତାକୁ ସର୍ଦ୍ଦାରମାନେ ସଂଗ୍ରହ କରୁଥିଲେ । ସର୍ଦ୍ଦାର ଖଜଣା ସଂଗ୍ରହ ବେଳେ ଅଯଥା ଉତ୍ପୀଡ଼ନ କଲେ ଆଦିବାସୀମାନେ ରାଜାଙ୍କ ପାଖରେ ଫେରାଦ ହେଉଥିଲେ । କେତେକ କ୍ଷେତ୍ରରେ ରାଜା ସର୍ଦ୍ଦାରମାନଙ୍କୁ ବଦଳି କରି ଆଦିବାସୀ ପ୍ରଜାଙ୍କ ପ୍ରତି ନିଜ ଆନୁଗତ୍ୟ ପ୍ରଦର୍ଶନ କରୁଥିଲେ । ଇଂରେଜ ଶାସନରେ ସର୍ଦ୍ଦାରମାନଙ୍କ ଯଥେଚ୍ଛାଚାର ବୃଦ୍ଧି ପାଇଲା । କାରଣ ଖଜଣା ଅସୁଲକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଗଲା । ସିକ୍କା ଟଙ୍କାର ପ୍ରଚଳନ ପରେ ଆଦିବାସୀକୁ ଦ୍ରବ୍ୟ ଆକାରରେ ଆଉ ଖଜଣା ଦେବା ମହଙ୍ଗା ପଡ଼ିଲା । ପୁଣି ନାନା ଉନ୍ନତିମୂଳକ କାର୍ଯ୍ୟ (ଯଥା: ରାଜପଥ ନିର୍ମାଣ)କୁ ବେଠି, ବେଗାରି ଆଦି ସାହାଯ୍ୟରେ ତ୍ୱରାନ୍ୱିତ କରାଗଲା । ଏହା ଭୂୟାଁ କୃଷକକୁ ଅଧିକ ନିଃସ୍ୱ କରିଦେଲା ତଥା ତା'ର କୃଷିକୁ ନଷ୍ଟ କଲା । କୃଷି ପାଇଁ ସେ ଆବଶ୍ୟକତା ମତେ ସମୟ ଦେଇ ପାରିଲା ନାହିଁ । ୧୮୬୭ ସେପ୍ଟେମ୍ବର ମାସରେ ରାଣୀ ଓ ତାଙ୍କ ସହଯୋଗୀ ଆଦିବାସୀମାନେ ଧନୁର୍ଜୟ ନାରାୟଣ ଦେବଙ୍କ ରାଜପଦ ପ୍ରାପ୍ତିକୁ ଦୃଢ଼ ବିରୋଧ କଲେ । ମାତ୍ର ଷଢେଇକଳା ରାଜାଙ୍କ ହସ୍ତକ୍ଷେପ ଫଳରେ ରାଣୀ ଧନୁର୍ଜୟ ନାରାୟଣଙ୍କୁ କେବଳ ସ୍ୱୀକାର କଲେ ନାହିଁ, ତା'ସହିତ ସରକାରଙ୍କ ପାଖରୁ ବାର୍ଷିକ ଭତ୍ତା ନେବାକୁ ମଧ୍ୟ ସମ୍ମତି ଦେଲେ । ଏହା ପରେ ଆଦିବାସୀମାନେ ରତନା ନାଏକଙ୍କ ନେତୃତ୍ୱରେ ୧୮୬୮ ଏପ୍ରିଲ୍‍ ମାସରେ ମେଳି ଆରମ୍ଭ କଲେ ।

ମେଳିରେ ମୁଖ୍ୟତଃ ଭୂୟାଁ ଆଦିବାସୀ ଭାଗ ନେଇଥିଲେ । ସେମାନଙ୍କର ମୁଖ୍ୟ ଦାବି ଥିଲା, ବୃନ୍ଦାବନ ଚନ୍ଦ୍ର ଭଞ୍ଜଙ୍କ ରାଜପଦ । ଏଥିପାଇଁ ପ୍ରଥମେ ସେମାନେ ଗଡ଼ଜାତ ମହଲର ଅଧ୍ୟକ୍ଷ ଓ ବଡ଼ଲାଟଙ୍କ ପାଖକୁ ଦାବିପତ୍ର ପଠାଇଥିଲେ । ଇଂରେଜ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେମାନେ କେନ୍ଦୁଝରଗଡ଼ର ପୋଲିସ ଅସ୍ତ୍ରାଗାର ଲୁଣ୍ଠନ କରିଥିଲେ ଏବଂ ପ୍ରାୟ ଶହେ ଜଣ ରାଜ ଅନୁଚରଙ୍କୁ ବନ୍ଦି କରିଥିଲେ । ମନ୍ତ୍ରୀ ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସେମାନେ ହତ୍ୟା ମଧ୍ୟ କରିଥିଲେ । ଏହା ବ୍ୟତୀତ ସରକାରୀ ଡାକକୁ ଲୁଣ୍ଠନ କରିଥିଲେ । କଟକ ଓ ଚାଇଁବାସା ରାସ୍ତାକୁ ଅବରୋଧ କରିବା ସହିତ ଇଂରେଜ ଅଫିସର କ୍ୟାପ୍‍ଟେନ୍‍ ରିଚ୍‍ଙ୍କ ଉପରେ ଆକ୍ରମଣ କରିଥିଲେ । ଏପ୍ରିଲ୍‍ରୁ ଜୁଲାଇ (୧୮୬୮) ମଧ୍ୟରେ ପ୍ରାୟ ସାଢେ ତିିନି ମାସ ଧରି ମେଳି ବଣ ନିଆଁ ପରି ବ୍ୟାପିଗଲା ।

ଅଗଷ୍ଟ ଆରମ୍ଭରେ ପଚିଶ ଜଣ ଭୂୟାଁ ନେତା ଓ କେତେକ ଜୁଆଙ୍ଗ ନେତା ଆତ୍ମ ସମର୍ପଣ କଲେ । ଅଗଷ୍ଟ ୧୫ରେ ପ୍ରମୁଖ ନେତା ରତନା ନାଏକ ଓ ନନ୍ଦ ନାଏକ ଗିରଫ ହେଲେ । ଅଗଷ୍ଟ ଶେଷ ସୁଦ୍ଧା ମେଳି ପୂର୍ଣ୍ଣ ରୂପରେ ଅବଦମିତ ହେଲା । ବିଦ୍ରୋହ ଦମନ ହେଲା ପରେ ମୋଟ ୧୮୩ ଜଣ ଆଦିବାସୀଙ୍କର ବିଚାର ଚାଲିଲା । ବିଚାର ପରେ ରତନା ନାଏକ ଓ ତାଙ୍କର ଛଅ ଜଣ ମୁଖ୍ୟ ସହଯୋଗୀ (ଦାଶରଥି କୁଅଁର, ବୈକୁଣ୍ଠ କୋଲ, ପଦୁ ନାଏକ, ଟୁନି ପ୍ରଧାନ, ମାର୍ଗଶିର କୋଲ ଓ ବୈରାଗୀ କୋଲ) ଫାଶୀ ଦଣ୍ତ ପାଇଲେ । ୧୮୬୮ ନଭେମ୍ବର ୩୦ ତାରିଖରେ ରତନା ନାଏକଙ୍କୁ ଫାଶୀ ଦିଆଗଲା । ଅନ୍ୟ ୨୭ ଜଣଙ୍କୁ ନିର୍ବାସନ ଦଣ୍ତ ଦିଆଗଲା । ବାକିମାନଙ୍କୁ ମଧ୍ୟ ଦଣ୍ତ ବିଧାନ କରାଗଲା ।

୧୮୬୮ର କେନ୍ଦୁଝର ମେଳିର ପତନ ପଛରେ ଯେ ସରକାରୀ ଦମନ ମୁଖ୍ୟ କାରଣ ଥିଲା ଏଥିରେ ସନ୍ଦେହ ନାହିଁ । ଦମନପାଇଁ ସରକାର ରାଞ୍ଚିରୁ ୨୦୦୦ ସୈନ୍ୟ ସମ୍ମିଳିତ ଏକ ସେନାବାହିୀକୁ ଅନେକ ଦିନ ଯାଏ କେନ୍ଦୁଝରରେ ଅବସ୍ଥାପିତ କରିଥିଲେ । କେତେକ ଇଂରେଜ ଅଫିସର ମଧ୍ୟ ଏଥିପାଇଁ ଦୀର୍ଘ ଦିନ ଧରି କେନ୍ଦୁଝରରେ ମୁତୟନ ହୋଇଥିଲେ । ମେଳିର ପତନପାଇଁ କେତେକ ସ୍ଥାନୀୟ କାରଣକୁ ମଧ୍ୟ ସମପରିମାଣରେ ଦାୟୀ କରାଯାଇପାରିବ । ବୃନ୍ଦାବନ ଚନ୍ଦ୍ରଙ୍କୁ ରାଜପଦ ଦେବାପାଇଁ ବିଦ୍ରୋହୀମାନେ ଦାବି କରୁଥିଲେ । ଏହା ପଛରେ ମୟୂରଭଞ୍ଜ ରାଜାଙ୍କର ଗୁପ୍ତ ସହଯୋଗ ଥିଲା । କାରଣ ବୃନ୍ଦାବନ ଥିଲେ ମୟୂରଭଞ୍ଜ ରାଜାଙ୍କର ଭାଇ । ପୋଷ୍ୟପୁତ୍ର ହୋଇ ସେ କେନ୍ଦୁଝର ଯାଇଥିଲେ । ୧୮୬୮ରେ ଇଂରେଜମାନଙ୍କ ତାଗିଦରେ ମୟୂରଭଞ୍ଜ ରାଜା ମେଳିକୁ ସହଯୋଗ ଦେବା ବନ୍ଦ କଲେ । ପୁଣି ବୃନ୍ଦାବନ ଚନ୍ଦ୍ରଙ୍କୁ ଗିରଫ କରି ବାଲେଶ୍ୱର ଜେଲରେ ରଖାଗଲା । ଏହା ଆଦିବାସୀମାନଙ୍କୁ ହତାଶ କଲା, କାରଣ ବିଦ୍ରୋହ ସଫଳ ହେଲା ପରେ ସେମାନେ ରାଜା ପଦରେ ଅଧିଷ୍ଠିତ କରିବେ କାହାକୁ ? ପ୍ରକୃତରେ ଦେଖିଲେ, ଇଂରେଜ ଶାସନର ଜଟିଳତାକୁ ବୁଝିବାଲାଗି କେନ୍ଦୁଝର ଆଦିବାସୀଙ୍କର ସାମର୍ଥ୍ୟ ନଥିଲା । ଏଥିପାଇଁ ରାଜ ପରିବାରର ଜଣକର ସେମାନେ ସାହାଯ୍ୟ ଲୋଡ଼ୁଥିଲେ । ମୟୂରଭଞ୍ଜର ଗୁପ୍ତ ସମର୍ଥନ ପ୍ରତ୍ୟାହାର ତଥା ବୃନ୍ଦାବନ ଚନ୍ଦ୍ର ବନ୍ଦି ହେବା ପରେ ସେମାନେ ଅଗଷ୍ଟ (୧୮୬୮)ରେ ଆତ୍ମ ସମର୍ପଣ କରିବା ଆରମ୍ଭ କଲେ । ଫଳରେ ମେଳିର ପତନ ହେଲା । ୧୮୯୧-୯୩ରେ କେନ୍ଦୁଝରରେ ପୁ'ଣି ଥରେ ଆଦିବାସୀ ବିଦ୍ରୋହ ହେଲା । ଧରଣୀ ନାଏକ ଏହାର ନେତୃତ୍ୱ ନେଇଥିଲେ । ଭୂୟାଁ ବ୍ୟତୀତ କୋହ୍ଲ ଓ ଜୁଆଙ୍ଗ ଆଦିବାସୀ ମଧ୍ୟ ଏଥିରେ ଅନେକ ସଂଖ୍ୟାରେ ଭାଗ ନେଇଥିଲେ । ବିନା ପାରିଶ୍ରମିକରେ ଆଦିବାସୀମାନଙ୍କୁ କାମ କରିବାକୁ ରାଜା ବାଧ୍ୟ କରିବାରୁ ଏହି ବିଦ୍ରୋହର ସୂତ୍ରପାତ ହୋଇଥିଲା ।

ରାଜାଙ୍କପାଇଁ ବେଠି, ବେଗାରି ଖଟିବା ଓ ଆବଶ୍ୟକ ବେଳେ ରାଜକର୍ମଚାରୀଙ୍କପାଇଁ ରସଦ ଯୋଗାଇବା ଥିଲା ଆଦିବାସୀବହୁଳ ଅଞ୍ଚଳର ଏକ ପୁରୁଣା ପରଂପରା । ରାଜାଙ୍କ ଆନୁଗତ୍ୟ ସ୍ୱୀକାର କରି ତଥା ରାଜାଙ୍କଠାରୁ ସୁରକ୍ଷା ପାଉଥିବା କାରଣରୁ ଆଦିବାସୀମାନେ ଟଙ୍କା ଆକାରରେ ଖଜଣା ବା କର ନଦେଇ ଶ୍ରମ ଓ ସାମଗ୍ରୀ ଆକାରରେ କିଛି ଦେୟ ଦେଉଥିଲେ । ଯାହାକୁ ବେଠି, ବେଗାରି ଓ ରସଦ ରୂପରେ ରାଜା ଗ୍ରହଣ କରୁଥିଲେ । ଏହି ଆଧାରରେ ରାଜ୍ୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଉଥିଲା ତଥା ରାଜା ଓ ରାଜକର୍ମଚାରୀଙ୍କ ଆବଶ୍ୟକତା ପୂରଣ ହେଉଥିଲା । ମାତ୍ର ଇଂରେଜ ଶାସନରେ ଏହି ଆବଶ୍ୟକତା ଅନେକ ମାତ୍ରାରେ ବୃଦ୍ଧିପାଇଲା । ତାକୁ ପୂରଣ କରିବାକୁ ଯାଇ ଆଦିବାସୀମାନେ କ୍ଷତିଗ୍ରସ୍ତ ହେଲେ । ସେମାନଙ୍କ ନିଜ କାର୍ଯ୍ୟ ବାଧାପ୍ରାପ୍ତ ହେଲା । ଉଦାହରଣ ସ୍ୱରୂପ, ରଥଯାତ୍ରାପାଇଁ କାଠ ଓ ଦଉଡ଼ି ଯୋଗାଇବା, ଗସ୍ତରେ ଆସିଥିବା କର୍ମଚାରୀଙ୍କପାଇଁ ରସଦ ଯୋଗାଇବା, ରାଜାଙ୍କ ଶିକାର ଓ ପରିଦର୍ଶନ ସମୟରେ ଆସବାବପତ୍ର ବୋହିବା, ପ୍ରସ୍ତୁତି କରିବା, ରାଜ ଉଆସ ମରାମତି କରିବା, ଶସ୍ୟ ଅମଳ ପରେ ରାଜାଙ୍କୁ ଭେଟି ବା ଉପହାର ଦେବା ପରମ୍ପରାର ଅଂଶ ଥିଲା । ଇଂରେଜ ଆଗମନ ପୂର୍ବରୁ ଏସବୁ କାର୍ଯ୍ୟର ମାତ୍ରା ସୀମିତ ଥିଲା । ଫଳରେ ବେଠି, ବେଗାରି ଖଟିବା ସତ୍ତ୍ୱେ ଭୂୟାଁ ଆଦିବାସୀର କୃଷିକାର୍ଯ୍ୟ ଖୁବ୍‍ ଅଧିକ ପରିମାଣରେ ବ୍ୟାହତ ହେଉ ନଥିଲା । ଅନ୍ୟପକ୍ଷରେ, ୧୮୯୧ରେ କେନ୍ଦୁଝରରେ ମାଛକାନ୍ଦଣା ଜଳସେଚନ ପ୍ରକଳ୍ପ ଆରମ୍ଭ ହେଲା, ଯାହାପାଇଁ ଆଦିବାସୀମାନଙ୍କୁ ବେଠି ଖଟିବାକୁ ରାଜା ଓ ତାଙ୍କ ପ୍ରତିିନିଧି ଆସିଷ୍ଟାଣ୍ଟ ମେନେଜର ବିଚିତ୍ରାନନ୍ଦ ଦାସ ବାଧ୍ୟ କଲେ । ବେଠି ଖଟିବା ବେଳେ ଆଦିବାସୀକୁ ନିଜ ଖାଦ୍ୟ ପ୍ରସ୍ତୁତ କରିବାକୁ ମଧ୍ୟ ସମୟ ଦିଆଯାଉ ନଥିଲା । ଯେତେବେଳେ ଭୂୟାଁ ଆଦିବାସୀମାନେ ଅନୁଭବ କଲେ ଯେ, ଏହି ଅନ୍ୟାୟ ବେଳେ ରାଜା ସେମାନଙ୍କ ପକ୍ଷରେ ନାହାନ୍ତି, ନୂଆ ରାଜାର ଅନ୍ୱେଷଣରେ ସେମାନେ ରହିଲେ । ଧରଣୀ ନାଏକ ଥିଲେ ଜଣେ ଶିକ୍ଷିତ ଭୂୟାଁ ଯୁବକ । ରାଜ ପରିବାରର ଆର୍ଥିକ ସହଯୋଗରେ ସେ କଟକର ସର୍ଭେ ସ୍କୁଲ୍‍ରେ ପାଠ ପଢିଥିଲେ ଏବଂ ରାଜାଙ୍କ ଅଧୀନରେ ରହି ସର୍ଭେଅର ଚାକିରି କରୁଥିଲେ । ଧରଣୀ ରାଜକର୍ମଚାରୀ ଥିବାରୁ ଭୂୟାଁମାନେ ତାଙ୍କୁ 'ମହାରାଣୀ ପୁତ୍ର' ଭାବରେ ଗ୍ରହଣ କରି ତାଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ କଲେ । ଅର୍ଥାତ୍‍ ସୁଶାସନ ପାଇବା ଲାଗି ଧରଣୀ ମଧ୍ୟ ଚାକିରି ଛାଡ଼ିଲେ ଏବଂ ନୂଆ ଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ବିଦ୍ରୋହର ନେତୃତ୍ୱ ନେଲେ ।

ବିଦ୍ରୋହୀ ଆଦିବାସୀ କେନ୍ଦୁଝରଗଡ଼କୁ ଅଧିକାର କରି ନେଲେ ଏବଂ ରାଜାଙ୍କର ଦେଓ୍ୱାନ୍‍ ଫକୀରମୋହନ ସେନାପତିଙ୍କୁ ବନ୍ଦୀ କରିନେଲେ । ଗାଦିଚ୍ୟୁତ ରାଜା କେନ୍ଦୁଝର ଗଡ଼ଜାତର ଅନ୍ୟ ଏକ କେନ୍ଦ୍ର ଆନନ୍ଦପୁରରୁ କେନ୍ଦୁଝରକୁ ଆସିପାରିଲେ ନାହିଁ । ଏହା ପରେ ମେ ୧୮୯୧ରେ ଇଂରେଜ ସୈନ୍ୟ ଚକ୍ରଧରପୁରରୁ ଆସି ବିଦ୍ରୋହୀମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ଧରଣୀ ନାଏକ ଓ ଅନ୍ୟ ବିଦ୍ରୋହୀମାନେ ବନ୍ଦୀ ହେଲେ । ବିଚାରରେ ଧରଣୀଙ୍କୁ ସାତ ବର୍ଷ ଜେଲ୍‍ ଦଣ୍ତ ହୋଇଥିଲା । ବିଦ୍ରୋହ ଦମନ ପରେ ରାଜାଙ୍କ କ୍ଷମତାକୁ ସଂକୁଚିତ କରାଗଲା । ଅର୍ଥାତ୍‍ ପଦସ୍ଥ ଇଂରେଜ ଅଫିସରମାନେ ମଧ୍ୟ ଅନୁଭବ କଲେ ଯେ, ଭୂୟାଁମାନଙ୍କର ଦାବି ଅଯୌକ୍ତିକ ନୁହେଁ । ମାତ୍ର ସରକାର ଜଳ ପ୍ରକଳ୍ପ ନିର୍ମାଣ, ରାସ୍ତା ନିର୍ମାଣ ଆଦି ଉନ୍ନତିମୂଳକ କାର୍ଯ୍ୟକୁ ମଧ୍ୟ ଉପେକ୍ଷା କରି ପାରିବେ ନାହିଁ । ଅନ୍ୟ ଶବ୍ଦରେ କହିଲେ, କେନ୍ଦୁଝର ମେଳି ଇଂରେଜ ଉପନିବେଶବାଦର ଅନ୍ତର୍ଦ୍ୱନ୍ଦ୍ୱକୁ ସୁସ୍ପଷ୍ଟ କଲା । ଆଦିବାସୀମାନଙ୍କର ମାଗଣା ବେଠି, ବେଗାରିକୁ ବାଦ ଦେଇ ଉନ୍ନତିମୂଳକ କାର୍ଯ୍ୟ କରିହେବ ନାହିଁ । ଅନ୍ୟପକ୍ଷରେ, ଉନ୍ନତିମୂଳକ କାର୍ଯ୍ୟ କଲେ ଆଦିବାସୀଙ୍କର ଶୋଷଣକୁ ବା ପ୍ରଜାଙ୍କଠାରୁ ଅଧିକ ମାତ୍ରାରେ ଏବଂ କଡ଼ାକଡ଼ି ଭାବେ ଖଜଣା ଆଦାୟକୁ ଏଡ଼ାଇ ହେବ ନାହିଁ । ଏହି ଅନ୍ତର୍ଦ୍ୱନ୍ଦ୍ୱ ହିଁ ଶେଷରେ ଉପନିବେଶବାଦର ପ୍ରଥମ ଓ ପ୍ରଧାନ ଶତ୍ରୁ ହେଲା ।

ନୟାଗଡ଼ ବିଦ୍ରୋହ, ୧୮୯୩ ଯେଉଁ ସମୟରେ କେନ୍ଦୁଝରରେ ଧରଣୀ ନାଏକଙ୍କ ନେତୃତ୍ୱରେ ରାଜାଙ୍କ ଅତ୍ୟାଚାର ବିରୋଧରେ ମେଳି ଚାଲିଥିଲା, ଠିକ୍‍ ସେହି ସମୟରେ ନୟାଗଡ଼ ଓ ରଣପୁରରେ ମଧ୍ୟ ସେହି ଏକା ପ୍ରକାର କାରଣରୁ ବିଦ୍ରୋହ ଆରମ୍ଭ ହେଲା, ଯଦିଓ ଏହି ମେଳିଗୁଡ଼ିକ ମଧ୍ୟରେ କୌଣସି ସମନ୍ୱୟ ନଥିଲା । ସ୍ୱତଃସ୍ଫୂର୍ତ୍ତ ଭାବେ ବିଭିନ୍ନ ଗଡ଼ଜାତରେ ଆଦିବାସୀ ବିଦ୍ରୋହ କରୁଥିଲେ । ଔପନିବେଶିକ ଶୋଷଣର ଜଟିଳତାକୁ ସେମାନେ ବୁଝି ପାରୁ ନଥିଲେ ବୋଲି ଅତ୍ୟାଚାରପାଇଁ ସ୍ଥାନୀୟ ରାଜାଙ୍କୁ ଦାୟୀ କରୁଥିଲେ ଏବଂ ରାଜା ପରିବର୍ତ୍ତନ ହେଲେ ସୁଶାସନ ହେବ ବୋଲି ମନେ କରୁଥିଲେ । ୧୮୦୩ରେ ଅନ୍ୟ ରାଜ୍ୟଗୁଡ଼ିକ ପରି ନୟାଗଡ଼ ମଧ୍ୟ ଇଂରେଜ ସରକାରଙ୍କ ଅନୁଗତ ରହିବ ବୋଲି ସନ୍ଧି ସ୍ୱାକ୍ଷରିତ ହୋଇଥିଲା । ଏହା ପରେ ନିୟମିତ ବର୍ଦ୍ଧିତ ହାରରେ ରାଜସ୍ୱ ଜମା ପ୍ରସଙ୍ଗକୁ ନେଇ ତଥା ରାଜ୍ୟରେ ଅଯଥା ଇଂରେଜ ହସ୍ତକ୍ଷେପକୁ ନେଇ ରାଜା ସରକାରର ବିରୋଧ କରିବା ଆରମ୍ଭ କଲେ । ୧୮୧୫ରେ ନୟାଗଡ଼ରେ ପୋଲିସ୍‍ ଥାନା ସ୍ଥାପନକୁ ସେ ତୀବ୍ର ବିରୋଧ କରିଥିଲେ ଏବଂ ବକ୍ସି ଜଗବନ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ଗୁପ୍ତରେ ଆଶ୍ରୟ ଦେଇଥିଲେ । ଅନ୍ୟପକ୍ଷରେ; ୧୮୫୧, ୧୮୫୭ ଓ ୧୮୬୯ରେ ଭୂ-ବନ୍ଦୋବସ୍ତ ଯୋଗୁଁ ରାଜସ୍ୱ ବୃଦ୍ଧି ପାଇଲା । ପୂର୍ବରୁ ନିଷ୍କର ଥିବା ବ୍ରହ୍ମୋତ୍ତର, ଦେବୋତ୍ତର ଓ ଜାଗିର ସମ୍ପତ୍ତି ଉପରେ କର ବସିବାରୁ ରାଜ୍ୟର ଅପେକ୍ଷାକୃତ ସ୍ୱଚ୍ଛଳବର୍ଗ ମଧ୍ୟ ଅସନ୍ତୁଷ୍ଟ ହେଲେ । ବର୍ଦ୍ଧିତ ରାଜସ୍ୱ ଦାବି ପୂରଣପାଇଁ ରାଜା ଲଙ୍ଗଳ, ଘର ଆଦି ଉପରେ ମଧ୍ୟ କର ଧାର୍ଯ୍ୟ କଲେ । ଏସବୁ ସତ୍ତ୍ୱେ ତାଙ୍କୁ ନିର୍ଦ୍ଧାରିତ ସମୟରେ ରାଜସ୍ୱ ଜମା କରିବା ସକାଶେ ବାରମ୍ବାର ମହାଜନମାନଙ୍କଠାରୁ ଋଣ ନେବାକୁ ପଡ଼ୁଥିଲା । ୧୮୯୭ରେ ସରକାର ରାଜାଙ୍କ ପାଖରୁ ନିଜ ହାତକୁ ଶାସନ ଦାୟିତ୍ୱ ନେବା ବେଳକୁ ରାଜ୍ୟର ଋଣଭାର ପ୍ରାୟ ୮୦,୦୦୦ଟଙ୍କା ଥିଲା ।

୧୮୪୩ରେ ଏବଂ ପରେ ୧୮୪୯ରେ ନୟାଗଡ଼ ପ୍ରଜା ରାଜାଙ୍କ ବିରୋଧରେ କଟକ କମିଶନର ଓ ବଙ୍ଗର ଲାଟଙ୍କ ପାଖରେ ଅଭିଯୋଗ କରିଥିଲେ । ପ୍ରଜାଙ୍କ ନେତୃତ୍ୱ ନେଇଥିଲେ ଭଗୀରଥ ମଙ୍ଗରାଜ, କମଳଲୋଚନ ପାଇକରାୟ ଓ ହରି ଗଜେନ୍ଦ୍ର ସିଂହ । ଏହି ନେତାମାନେ ଥିଲେ ଅପେକ୍ଷାକୃତ ସ୍ୱଚ୍ଛଳ ଜମିମାଲିକ । ସେମାନେ ନୂତନ ବ୍ୟବସ୍ଥାରେ ନିଜ ନିଷ୍କର ଜମିରେ କର ଲାଗୁ ହେବା ନିୟମକୁ ବିରୋଧ କରୁଥିଲେ । ସ୍ଥାନୀୟ କନ୍ଧ ଓ ଅନ୍ୟ ଆଦିବାସୀ ତଥା ସାଧାରଣ ଅଣ-ଆଦିବାସୀ ପ୍ରଜା ମାତ୍ରାଧିକ ଭାବେ ରାଜଉତ୍ପୀଡ଼ନର ଶିକାର ହେଉଥିବାରୁ ଏମାନଙ୍କର ନେତୃତ୍ୱକୁ ଗ୍ରହଣ କରି ନେଇଥିଲେ ।

୧୮୯୩ରେ ଦେବାନ କ୍ଷେତ୍ରିବର ସିଂହଙ୍କୁ ରାଜା ପଦଚ୍ୟୁତ କଲେ । କ୍ଷେତ୍ରିବର ମେଳିଆମାନଙ୍କୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ରହିଥିଲା । ଏହା ପରେ ୧୮୯୩ ଏପ୍ରିଲ୍‍ ମାସରୁ ରୟତମାନେ ଖଜଣା ବନ୍ଦ କଲେ । ମେଳି ତୀବ୍ର ରୂପ ଧାରଣ କଲା । କନ୍ଧମାନେ ଥାନା ଲୁଣ୍ଠନ କଲେ ଓ ରାଜାଙ୍କ ମ୍ୟାନେଜର ଦର୍ପ ନାରାୟଣ ଦାସ ତଥା ଅନ୍ୟ ରାଜାନୁଗତମାନଙ୍କ ଉପରେ ଆକ୍ରମଣ କଲେ । ୧୮୯୪ ଜାନୁଆରିରେ ବିଦ୍ରୋହ ଦମନପାଇଁ ଗଡ଼ଜାତ ମହଲ ଅଧ୍ୟକ୍ଷ ଅତିରିକ୍ତ ପୋଲିସ୍‍ ବାହିନୀ ନେଇ ନୟାଗଡ଼ରେ ପହଞ୍ଚିଲେ । କ୍ଷେତ୍ରିବର ସିଂହଙ୍କୁ ବନ୍ଦୀ କଲେ । ଏହା ପରେ ଅର୍ଜୁନ ପାଇକରାୟ ବିଦ୍ରୋହର ନେତୃତ୍ୱ ନେଲେ । ୧୮୯୪ ନଭେମ୍ବରରେ ନୟାଗଡ଼ର ଅଭ୍ୟନ୍ତରରେ କନ୍ଧମେଳି ବ୍ୟାପକ ହେବାରୁ ଚାରିଜଣ ଇଂରେଜ ଅଫିସର ପ୍ରାୟ ୩୦୦ ସୈନ୍ୟଙ୍କୁ ନେଇ ବିଦ୍ରୋହ ଦମନପାଇଁ ଅଭିଯାନ ଆରମ୍ଭ କଲେ । ୧୮୯୫ ଜାନୁଆରିରେ ଅର୍ଜୁନ ପାଇକରାୟ ଧରାପଡ଼ିଲେ । କନ୍ଧମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଲା । ଅନେକ ବିଦ୍ରୋହୀ ବନ୍ଦି ହେଲେ । ବିଦ୍ରୋହ ଦମନ ପରେ ୧୬ ଜଣ ବିଦ୍ରୋହୀ ନେତାଙ୍କୁ ଫାଶୀଦଣ୍ତ ଦିଆଗଲା; କ୍ଷେତ୍ରିବର ସିଂହଙ୍କୁ ନିର୍ବାସନ ଦଣ୍ତ ମିଳିଲା । ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେଲା । ନୟାଗଡ଼ ବିଦ୍ରୋହକୁ ପଡେ଼ାଶୀ ଖଣ୍ତାପଡ଼ା ରାଜ୍ୟରୁ ସହାୟତା ମିଳିଥିବା ଅଭିଯୋଗରେ ବିଦ୍ରୋହ ଦମନରେ ବ୍ୟୟ ହୋଇଥିବା ସମସ୍ତ ଖର୍ଚ୍ଚ ସରକାର ଖଣ୍ତାପଡ଼ା ରାଜାଙ୍କଠାରୁ ଆଦାୟ କଲେ । ବିଦ୍ରୋହ ଦମନ ପରେ ନୟାଗଡ଼ ରାଜା ରଘୁନାଥ ସିଂହଙ୍କର ମୃତ୍ୟୁ ହେଲା । ଯୁବରାଜ ନାବାଳକ ଥିବାରୁ ରାଜ୍ୟର ଶାସନଭାର ସରକାର ନିଜ ହାତକୁ ନେଲେ ।

ରଣପୁର ବିଦ୍ରୋହ, ୧୮୯୩ ନୟାଗଡ଼ ବିଦ୍ରୋହର ପ୍ରଭାବ ପଡେ଼ାଶୀ ରଣପୁର ଗଡ଼ଜାତରେ ପଡ଼ିଥିଲା । ରଣପୁରରେ ରାଜା ଥିଲେ ବେଣୁଧର ନରେନ୍ଦ୍ର ମହାପାତ୍ର । ରାଜାଙ୍କ ବଦଳରେ ଦେବାନଙ୍କ ବିରୁଦ୍ଧରେ ବିଦ୍ରୋହ ଉଦ୍ଦିଷ୍ଟ ଥିଲା । ରଣପୁର ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ପରେ ସେଠାରେ ସ୍ୱଳ୍ପମିଆଦୀ ବନ୍ଦୋବସ୍ତଯୋଗୁଁ ପ୍ରତିବର୍ଷ ପ୍ରଜାଙ୍କ ଉପରେ କର ଭାର ବୃଦ୍ଧି ପାଉଥିଲା । ପୁଣି ରାଜା ଟଙ୍କା ଆକାରରେ କର ଆଦାୟ କରିବାଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଇଲା । କାରଣ ବଜାରରେ ଆବଶ୍ୟକ ମତେ ରୌପ୍ୟ ମୁଦ୍ରା ମିଳୁ ନଥିଲା । ପ୍ରଜା ନିଜ ଉତ୍ପାଦିତ ଶସ୍ୟକୁ ବିକି ରୌପ୍ୟ ଟଙ୍କା ସଂଗ୍ରହ କଲାବେଳେ କ୍ଷତିର ସମ୍ମୁଖୀନ ହେଉଥିଲେ । ନୂଆ କରି ଏହି ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ପୂର୍ବରୁ ପ୍ରଜା ଶସ୍ୟ ଆକାରରେ କର ଜମା କରୁଥିଲେ । ଅଧିକ କରଭାର; ନିର୍ଦ୍ଦିଷ୍ଟ ସମୟରେ ଖଜଣା ପଇଠ; ପୁଣି ଟଙ୍କା ଆକାରରେ ଖଜଣା ଜମା ଥିଲା ପ୍ରଜାପାଇଁ ଖୁବ୍‍ କଷ୍ଟସାଧ୍ୟ ବ୍ୟାପାର । ପ୍ରତିକାରପାଇଁ ପ୍ରଜାମାନେ ଦୀର୍ଘ ମିଆଦୀ ବନ୍ଦୋବସ୍ତ ଦାବି କରୁଥିଲେ, ଯାହାକି ଅନ୍ତତଃ ନିୟମିତ କରଭାର ବୃଦ୍ଧିକୁ ରୋକି ପାରିବ । ୧୮୭୭ରେ ବର୍ଷିକିଆ ବନ୍ଦୋବସ୍ତ ବଦଳରେ ତିିନିବର୍ଷିଆ ବନ୍ଦୋବସ୍ତ ଲାଗୁ ହେଲା । ପୁଣି ୧୮୮୯-୯୦ରେ ଭୂ-ରାଜସ୍ୱ ପରିମାଣ ଦୁଇଗୁଣ ବୃଦ୍ଧି ପାଇଲା । ୧୮୯୩ରେ ରଣପୁରରେ ଭୟଙ୍କର ମରୁଡ଼ି ପଡ଼ିଲା । ପ୍ରଜାଙ୍କୁ ଖଜଣା ରିହାତି ଦିଆଗଲା ନାହିଁ । ବରଂ ସରକାରଙ୍କ ରୋଷର ଶିକାର ହେବା ଭୟରେ ଦେବାନ କର ଅସୁଲ କରିବାକୁ ଲାଗିଲେ । ଅନନ୍ୟୋପାୟ ହୋଇ ଅନେକ ପ୍ରଜା ରାଜ୍ୟ ଛାଡ଼ି ପଳାଇଲେ । ଯେଉଁମାନେ ରହିଲେ, ସେମାନେ ବିଦ୍ରୋହ କରିବାକୁ ବାଧ୍ୟ ହେଲେ ।

ବିଦ୍ରୋହ ୧୮୯୩ରେ ଆରମ୍ଭ ହେଲା, ବଣ ନିଆଁ ପରି କିଛି ଦିନ ପାଇଁ ବ୍ୟାପକ ହେଲା ପରେ ଅବଦମିତ ମଧ୍ୟ ହେଲା । ବିଦ୍ରୋହୀ ପ୍ରଜା ରାଜାଙ୍କୁ ଘେରାଉ କଲେ । ଅମଲାମାନଙ୍କ ଉପରେ ଆକ୍ରମଣ ହେଲା । ଦମନ ବେଳେ ୧୩ ଜଣ ମେଳି ନେତାଙ୍କୁ ଗିରଫ କରି କଟକ ଜେଲକୁ ପଠାହେଲା । ଏହିଭଳି ଭାବେ ପ୍ରଜାଙ୍କ ସମସ୍ୟା ସମାଧାନ ନ ହେବା ସତ୍ତ୍ୱେ ବିଦ୍ରୋହର ଅନ୍ତ ହେଲା ।

ଅନ୍ୟାନ୍ୟ ରାଜ୍ୟରେ ବିଦ୍ରୋହ ୧୮୬୮ରେ ବାମଣ୍ଡାରେ ରାଜାଙ୍କ ବିରୁଦ୍ଧରେ କନ୍ଧ ମେଳି ହୋଇଥିଲା । ଜମିଦାର କୃପାସିନ୍ଧୁଙ୍କ ନେତୃତ୍ୱରେ କନ୍ଧମାନେ ସରକାରୀ ସମ୍ପତ୍ତି ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ସେହି ସମୟରେ ପାଟଣା (ବଲାଙ୍ଗୀର)ରେ ପ୍ରଜା ରାଜସ୍ୱ ଅସୁଲ ବେଳେ ଅବଲମ୍ବନ କରାଯାଉଥିବା କଠୋର ନୀତି ବିରୁଦ୍ଧରେ ବିଦ୍ରୋହ କଲେ । ରାଜା ସୁରପ୍ରତାପ ଦେଓ ଏବଂ ତାଙ୍କ ଭାଇ ଲାଲା ବିଶ୍ୱନାଥ ସିଂହଙ୍କୁ ସେମାନେ ନୂତନ ରାଜସ୍ୱ ନୀତିପାଇଁ ଦାୟୀ କରୁଥିଲେ । ରାଜ୍ୟରେ ଅଣ-ଆଦିବାସୀମାନଙ୍କୁ ଜମି ଦେଇ ରାଜା ରାଜସ୍ୱ ଅସୁଲ ଦାୟିତ୍ୱ ଦେଉଥିବାରୁ ଆଦିବାସୀମାନେ ତା'ର ବିରୋଧ କରୁଥିଲେ, କାରଣ ତା'ଦ୍ୱାରା ସ୍ଥାନୀୟ ଆଦିବାସୀର ସମ୍ମାନ ନଷ୍ଟ ହେଉଥିଲା ତଥା ତା'ଭାଗର ଜମି ହସ୍ତାନ୍ତର ହେଉଥିଲା । କଳାହାଣ୍ତି ରାଜାଙ୍କ ସହାୟତାରେ ପାଟଣା ରାଜା ଅନେକ ବିଦ୍ରୋହୀଙ୍କୁ ବନ୍ଦି ଓ ହତ୍ୟା କଲେ । ଶେଷରେ ଇଂରେଜ ସରକାର ବିଶ୍ୱନାଥ ସିଂହଙ୍କୁ ପାଟଣାରୁ ବହିଷ୍କୃତ କରି ସମ୍ବଲପୁରରେ ଥଇଥାନ କଲେ । ୧୮୭୮ରେ କଳାହାଣ୍ତି ରାଜ୍ୟର ରାମପୁର-ମଦନପୁରରେ ଆଦିବାସୀ ବିଦ୍ରୋହ ଆରମ୍ଭ ହୋଇଥିଲା । କର ଭାର ଏତେ ମାତ୍ରାରେ ସେଠି ବୃଦ୍ଧି ପାଇଥିଲା ଯେ, ଆଦିବାସୀ ପ୍ରଜା ଗାଁ ଛାଡ଼ି ଘନ ଜଙ୍ଗଲକୁ ବାଧ୍ୟ ହୋଇ ପଳାୟନ କରୁଥିଲେ । ସେମାନଙ୍କ ସମତଳ ଅଞ୍ଚଳରେ ଥିବା ଜମି ଓ ଘରବାଡ଼ି ଅଣ-ଆଦିବାସୀ ସାହୁକାର ହାତକୁ ଚାଲି ଯାଉଥିଲା । କାରଣ ଋଣ କରି ସେମାନେ କର ଦେବାକୁ ବାଧ୍ୟ ହେଉଥିଲେ । ଜଙ୍ଗଲ ଉପରୁ ମଧ୍ୟ ସେମାନଙ୍କର ଅଧିକାର ଶେଷ କରିଦିଆଗଲା । ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବା ତଥା ଗଛ କାଟିବା ଅପରାଧରେ ରାଜା ଆଦିବାସୀମାନଙ୍କ ପ୍ରତି ଦଣ୍ତ ବିଧାନ କରୁଥିଲେ, ଯାହାକୁ ଆଦିବାସୀମାନେ କଦାଚିତ ସ୍ୱୀକାର କରି ପାରୁ ନଥିଲେ । ଉତ୍ତ୍ୟକ୍ତ ଆଦିବାସୀ ଅଣ-ଆଦିବାସୀ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ କରୁଥିଲେ; ଲୁଟତରାଜ କରି ଗ୍ରାମଗୁଡ଼ିକୁ ପୋଡ଼ି ଦେଉଥିଲେ । ୧୮୮୧ରେ କଳାହାଣ୍ତି ରାଜା ଉଦିତପ୍ରତାପ ଦେଓଙ୍କର ମୃତ୍ୟୁ ହେଲା । ତାଙ୍କ ପୋଷ୍ୟପୁତ୍ରଙ୍କୁ ସ୍ଥାନୀୟ ଆଦିବାସୀ (କନ୍ଧ)ମାନେ ନୂତନ ରାଜା ଭାବରେ ସ୍ୱୀକାର କଲେ ନାହିଁ । ଉଦିତପ୍ରତାପ ଓ ସରକାରଙ୍କ ମଧ୍ୟରେ ଘନିଷ୍ଠ ବୁଝାମଣା ଥିଲା । ସେହି ଆଧାରରେ ରାଜାଙ୍କ ଦ୍ୱାରା ନିଯୁକ୍ତ ଉତ୍ତରାଧିକାରୀଙ୍କୁ କନ୍ଧମାନେ ସ୍ୱୀକାର କଲେ ନାହିଁ । ସେମାନେ ନୂତନ ରାଜାଙ୍କ ଅଭିଷେକ ପର୍ବରେ ମଧ୍ୟ ଯୋଗ ଦେଲେ ନାହିଁ । ୧୮୮୨ରେ ସେମାନେ ଓଡ଼ିଆ ଜମିଦାରମାନଙ୍କ ଘର ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ କଲେ । ଶତାଧିକ ଅଣ-ଆଦିବାସୀ (ଓଡ଼ିଆ) ଗାଁକୁ ପୋଡ଼ି ଦିଆଗଲା । ୧୮୯୪ରେ ସାମରିକ କାର୍ଯ୍ୟାନୁଷ୍ଠାନଦ୍ୱାରା ସରକାର କନ୍ଧ ମେଳିକୁ ଦମନ କଲେ । ରାଜ୍ୟର ଶାସନ ଭାର ରାଜା ସାବାଳକ ହେବା ପର୍ଯ୍ୟନ୍ତ ସରକାର ଅଧୀନକୁ ସ୍ଥାନାନ୍ତରିତ ହେଲା । ଏହିଭଳି ଭାବେ ଦାବି ପୂରଣ ନହେବା ସତ୍ତ୍ୱେ ସାମରିକ ବଳ ପ୍ରୟୋଗଯୋଗୁଁ କଳାହାଣ୍ତି ବିଦ୍ରୋହ ଅବଦମିତ ହେଲା ।

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସଂଘଟିତ ସବୁଗୁଡ଼ିକ ଆଦିବାସୀ ଓ ପ୍ରଜା ବିଦ୍ରୋହ ଇତିହାସ ପୁସ୍ତକରେ ସାମିଲ ହୋଇ ପାରିନାହିଁ । ଯେଉଁ ବିଦ୍ରୋହରେ ଅଧିକ କ୍ଷୟକ୍ଷତି ହୋଇଛି ବା ଅଧିକ ସଂଖ୍ୟାରେ ଲୋକଙ୍କ ପ୍ରାଣ ଯାଇଛି, କେବଳ ସେଗୁଡ଼ିକ ଗବେଷକମାନଙ୍କ ଦୃଷ୍ଟିକୁ ଆସିଛି । ମାତ୍ର ପ୍ରାୟ ଗଡ଼ଜାତରେ ବିଦ୍ରୋହ ହୋଇଛି ଅଥବା ବିଦ୍ରୋହ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସବୁଗୁଡ଼ିକ ବିଦ୍ରୋହରେ ଏହି ସମୟରେ ରାଜା ପ୍ରଜାଙ୍କ ରୋଷର ଶିକାର ହୋଇଛନ୍ତି । ଅନେକତ୍ର ଅଣ-ସ୍ଥାନୀୟ ସାହୁକାର, ମହାଜନ ଓ ଅମଲାମାନେ ଆକ୍ରମଣର ଶିକାର ହୋଇଛନ୍ତି । ଇଂରେଜ ଶୋଷଣପାଇଁ ଏହି ଅଣ-ସ୍ଥାନୀୟ ବା ବାହାର ଲୋକ (ଦିକୁ) ସୁରକ୍ଷା ବଳୟ ସାଜିଥିବାରୁ ଆକ୍ରମଣ ସେମାନଙ୍କ ଉପରେ ହେଉଥିଲା । କନ୍ଧ ମେଳି, ଭୂୟାଁ ମେଳି ବା କୋହ୍ଲ ମେଳି ଆଦି ନାଁରେ ଏହି ବିଦ୍ରୋହ ନାମିତ ହୋଇଥିଲା । କାରଣ ତହିଁରେ ଉକ୍ତ ଆଦିବାସୀ ସଂପ୍ରଦାୟର ପ୍ରମୁଖ ଭୂମିକା ରହିଥିଲା । ମାତ୍ର ଅନ୍ୟ ଆଦିବାସୀ ଓ ଅଣ -ଆଦିବାସୀ ପ୍ରଜା ମଧ୍ୟ ବିଦ୍ରୋହରେ ସକ୍ରିୟ ରହୁଥିଲେ । ଦିକୁ ନାମରେ ସାଧାରଣତଃ ଶୋଷଣକାରୀ ବାହାର ଲୋକ ହିଁ ଆଦିବାସୀ ରୋଷର ଶିକାର ହେଉଥିଲେ । 'ଦିକୁ' ତେଣିକି ଶୋଷଣକାରୀର ସମାର୍ଥବୋଧକ ଶବ୍ଦ ହେଲା । ଗରିବ ଅଣ-ଆଦିବାସୀ ସାଧାରଣ ପ୍ରଜା ପ୍ରତି ବିଦ୍ରୋହୀ ଆଦିବାସୀଙ୍କର କୌଣସି ଅସୂୟା ଭାବ ରହୁ ନଥିଲା । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀର ଏହିସବୁ ଆଦିବାସୀ ମେଳି ଓ ମେଳିଆଙ୍କ ପ୍ରତି କୌଣସି ଦରଦ ଥିବାର ପ୍ରମାଣ ମିଳେ ନାହିଁ । ଔପନିବେଶିକ ଶାସନ ବିରୁଦ୍ଧରେ ଉଭୟ ବର୍ଗ (ଆଦିବାସୀ ଓ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ) ସଂଗ୍ରାମ କରୁଥିଲେ ସୁଦ୍ଧା ଉଭୟଙ୍କ ମଧ୍ୟରେ କୌଣସି ସମନ୍ୱୟ ଦେଖିବାକୁ ମିଳୁନଥିଲା । ବରଂ ଅନେକ କ୍ଷେତ୍ରରେ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀର ନେତୃବୃନ୍ଦ ଆଦିବାସୀ ବିଦ୍ରୋହର ଦମନରେ ପ୍ରତ୍ୟକ୍ଷ ସହାୟତା କରୁଥିଲେ । ଉଦାହରଣ ସ୍ୱରୂପ, ମଧୁସୂଦନ ଦାସ ଓ ଫକୀରମୋହନ ସେନାପତି ଏକାଧିକ ଥର ଅତ୍ୟାଚାରୀ ରାଜାଙ୍କ ପକ୍ଷଭୁକ୍ତ ହୋଇ ଆଦିବାସୀ ବିଦ୍ରୋହୀଙ୍କୁ ଦମନ କରିବାର ବାଟ ଖୋଜିଛନ୍ତି । ଏହା ବହୁ ମାତ୍ରାରେ ଦ୍ୱିଧାପୂର୍ଣ୍ଣ ହେଲେ ସୁଦ୍ଧା, ଊନବିଂଶ ଶତାବ୍ଦୀର ଯେ ଏକ କ୍ରୂର ବାସ୍ତବିକତା- ଏଥିରେ ସନ୍ଦେହ ନାହିଁ ।

...