ଆଗୋ ଦୂତୀ! ଆଜ ରାତି

ଉଇକିପାଠାଗାର‌ରୁ
ଆଗୋ ଦୂତୀ! ଆଜ ରାତି ଲେଖକ/କବି: ବନମାଳୀ ଦାସ
ଆଗୋ ଦୂତୀ! ଆଜ ରାତି

ରାଗ ଭୈରବୀ, ତାଳ ରୂପକ

ଆଗୋ ଦୂତୀ ଆଜ ରାତି ଶ୍ୟାମ ପ୍ରୀତି ନୋହିଲା ଗୋ । ଘୋଷା ।

ଶେଯ କରି ମୁଁ ସୁପାତି
ଜାଳିଲି କର୍ପୂର ବତୀ
ରାତିଯାକ ଉଜାଗରେ
ଦେଖ ଆସି ପାହିଲା ଗୋ । ୧ ।

କାଳିଆ ପୁରୁଷ ପ୍ରୀତି
ଅବଳା ନାରୀ ଯୁବତୀ
କରତି ହେଉଛି ଛାତି
ଧରତୀରେ ସହିଲା ଗୋ । ୨ ।

କରିଥିଲି ପ୍ରତିଆଶା
ହରି ଫେଡ଼ିବେ ଦୁର୍ଦ୍ଦଶା
ମୋଠାରେ ଏଡ଼ିକି ଦଶା
କେଉଁ ନାରୀ ବିହିଲା ଗୋ । ୩ ।

ଗୀତେ କହେ ବନମାଳୀ
ଏ ରସରେ ଭାଳି ଭାଳି
ବାନ୍ଧିଥିଲି ଫୁଲଗଭା
ବାସି ହୋଇ ରହିଲା ଗୋ । ୪ ।