ଆଗୋ ଦୂତୀ! ଆଜ ରାତି

ଉଇକିପାଠାଗାର‌ରୁ
Jump to navigation Jump to search
ଆଗୋ ଦୂତୀ! ଆଜ ରାତି ଲେଖକ/କବି: ବନମାଳୀ ଦାସ
ଆଗୋ ଦୂତୀ! ଆଜ ରାତି

ଆଗୋ ଦୂତୀ! ଆଜ ରାତି, ଶ୍ୟାମ ପ୍ରୀତି ନୋହିଲା ଗୋ । ଘୋଷା ।

ଶେଯ କରି ମୁଁ ସୁପାତି, ଜାଳିଲି କର୍ପୂରବତୀ ।
ରାତିଯାକ ଉଜାଗରେ ଦେଖ ଆସି ପାହିଲା ଗୋ । ୧ ।

କାଳିଆ ପୁରୁଷ ପ୍ରୀତି, ଅବଳା ନାରୀ ଯୁବତୀ ।
କରତି ହେଉଛି ଛାତି ଧରତୀରେ ସହିଲା ଗୋ । ୨ ।

କରିଥିଲି ପ୍ରତିଆଶା, ହରି ଫେଡ଼ିବେ ଦୁର୍ଦ୍ଦଶା ।
ମୋଠାରେ ଏଡ଼ିକି ଦଶା କେଉଁ ନାରୀ ବିହିଲା ଗୋ । ୩ ।

ଗୀତେ କହେ ବନମାଳୀ, ଏ ରସରେ ଭାଳି ଭାଳି ।
ବାନ୍ଧିଥିଲି ଫୁଲଗଭା ବାସି ହୋଇ ରହିଲା ଗୋ । ୪ ।