ପ୍ରଥମ ପୁରୁଷ/ମଝିରାତି
ମଝିରାତି
ହଠାତ ମୁଁ ଉଠିବସେ କାହାର ଚିତ୍କାର ଶୁଣି
ସେ କି ଶିଶୁ ଜନ୍ମ ନେଲା
ଅଥବା ସେ ଥିଲା ମଝି ରାତିର କାନ୍ଦଣା
ସେ କି ମୋ ଅତୀତ ଥିଲା
ଆସିଥିଲା ଶାସ୍ତି ଦେବା ପାଇଁ
କି ଭଳି ମୋ ଅପରାଧ ମତେ ନାହିଁ ଜଣା
ଅନେକ ଦୂରରୁ ମତେ କିଏ ଡାକେ
ସମୟର ଅସରନ୍ତି ପାହାଚରେ ମୁଁ ଯାଏ ଓହ୍ଲାଇ
ବିସ୍ମୃତିର ଚୋରାବାଲି ଉପରେ ମୁଁ ଆଙ୍କିଯାଏ
ମୋ ପାଦର ମାନଚିତ୍ର ଅନେକ କ୍ଷତର
କବରଖାନାର ଭଙ୍ଗା ଦୁଆର ମୁଁ ଖୋଲେ
ମୁଁ ପହଞ୍ଚେ ଗୋପନୀୟ ରାସ୍ତାରେ ନିଜର
ସେ ରାସ୍ତାରେ କେହି ନାହିଁ
ସେ ଏକ ଅପରିଚିତ ମରୁଭୂମି
ଆକସ୍ମିକ ଦେଖାର ଅପେକ୍ଷା
ସେ ବାଲିରେ ପାଦଚିହ୍ନ ନାହିଁ
ସବୁ ଲିଭିଗଲା ଝଡ଼ର ହାୱ୍ୱାରେ
ନିଜର ଘେରରେ ପୁଣି
ହଜିଲା ସେ ଝଡ଼ ଏକା ଏକା
ମାଇଲ ମାଇଲ ଧରି ମଲା ଦେହ
ପଥରର ଚଟାଣ ଭିତରେ
ସେମାନଙ୍କୁ ଖୋଜୁଛି ମୁଁ
ସେମାନେ ମୋ ବ୍ୟର୍ଥ ମନୋରଥ
ଅସଂପୂର୍ଣ୍ଣ ପ୍ରେମ
ଏବଂ ନିରର୍ଥକ ଅନେକ ପ୍ରୟାସ
ସେମାନେ ମୋ ଜୀବନର
ହତୋତ୍ସାହ ପ୍ରତିଟି ମୁହୁର୍ତ୍ତ
ସେମାନେ ସମସ୍ତେ ନାରୀ
ଦେଖିଥିଲି ସ୍ୱପ୍ନରେ ଯାହାଙ୍କୁ
କାମନାର ଗଦା ଗଦା ପାଉଁଶ
ଓ ଭଙ୍ଗାରୁଜା ଘର
ଲିଭିଲା ମହମବତୀ ଖୋଲା ପଂଜୁରୀ
ଓ ଅସଫଳ ଚେଷ୍ଟାମାନ ଶିଥିଳ ଦେହର
ଅଙ୍କାବଙ୍କା ରାସ୍ତାମାନ ପାରି ହୋଇ
ଡେଇଁ ଡେଇଁ ପଥରର ଅନେକ ଚଟାଣ
ମୁଁ ପହଞ୍ଚେ ମୋର ଏକ ନିଜସ୍ୱ ଛକରେ
ସୃତିସ୍ତମ୍ଭ ଉପରେ ମୁଁ ସ୍ଥାଣୁ ହୋଇ
ରହିଯାଏ ସେ ମୂର୍ତ୍ତିର ପଥର ଦେହରେ
ମୁଁ ଦେଖେ ପଲକହୀନ ଆଖି ଦେଇ ତାର
ପହଞ୍ଚିଛି ଅନ୍ୟ ଦେଶ ଅନ୍ୟ ସହରରେ
କେବେ କେବେ ସେ ଦେଶର ସୀମାନ୍ତରେ
ରଙ୍ଗ ଲାଗେ
ଅତର୍କିତେ ବିଜୁଳି ଓ ଚକ୍ର ଆସି
ଭାଙ୍ଗିଦିଏ ଆକାଶକୁ ଖଣ୍ଡ ଖଣ୍ଡ କରି
କବରଖାନା ବି ତାର ନିଦ ଭାଙ୍ଗେ
କଡ଼ ଲେଉଟାଏ
ସେମାନେ ଜାଗ୍ରତ କିନ୍ତୁ
ଅଥର୍ବ ମୁଁ ରହିଯାଏ ସେ ସୃତିସ୍ତମ୍ଭରେ
କହିବାକୁ ଯାହା ଥିଲା
ବନ୍ଦ ହୋଇ ରହିଯାଏ ପଥର ଓଠରେ
କେବେ କେବେ ଉଠି ବସେ
ହଠାତ ମୁଁ କାହାର ଚିତ୍କାର ଶୁଣି
ସେ କି ଥିଲା ଆର୍ତ୍ତନାଦ
କେଉଁ ଏକ ପଥର ମୂର୍ତ୍ତିର