ଆମ ଓଡ଼ିଆ ବ୍ୟାକରଣ/କାହାର ?

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪)  ଲେଖକ/କବି: ଧନେଶ୍ୱର ମହାପାତ୍ର
କାହାର ?
କାହାର ?


(କ) ଶିକ୍ଷକ ପିଲାଙ୍କର କଥା ଆନନ୍ଦରେ ଶୁଣିଲେ ।
(ଖ) ସାଙ୍ଗର ଖାତାରୁ ଶ୍ୟାମ ଅଙ୍କଟି ବୁଝିନେଲା ।

ପ୍ରଥମ ବାକ୍ୟରେ ‘ଶୁଣିଲେ’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ବୁଝିନେଲା’ କ୍ରିୟାପଦ । ଆମେ ଯଦି ଏହି କ୍ରିୟାପଦ ଦୁଇଟିର ପୂର୍ବରେ ‘କାହାର’ ଲଗାଇ ପ୍ରଶ୍ନ କରିବା-

କାହାର ଶୁଣିଲେ ?
କାହାର ବୁଝିନେଲା ?

ଆମେ ଉତ୍ତରରେ କୌଣସି ପଦ ପାଇପାରିବା ନାହିଁ । ଏଭଳି ପ୍ରଶ୍ନ ପଚାରିବା ମଧ୍ୟ ଠିକ୍‍ ହେଉନାହିଁ । କିନ୍ତୁ ଆମେ ଯଦି ପ୍ରଶ୍ନ କରିବା-

ପ୍ରଶ୍ନ ଉତ୍ତର
କାହାର କଥାରେ ? ପିଲାଙ୍କର
କାହାର ଖାତାରୁ ? ସାଙ୍ଗର

ତେବେ ଉତ୍ତରରେ ପଦ ପାଇପାରିବା । ପ୍ରଶ୍ନ ମଧ୍ୟ ଠିକ୍‍ ହେବ ।

ତେଣୁ ଜଣାପଡ଼ିଲା, କ୍ରିୟାପଦ ପୂର୍ବରୁ ‘କାହାର’ ଲଗାଇ ପ୍ରଶ୍ନ କରିହୁଏ ନାହିଁ । ଅନ୍ୟ କୌଣସି ପଦ ପୂର୍ବରୁ ‘କାହାର’ ଲଗାଇ ପ୍ରଶ୍ନ କରିହୁଏ ଏବଂ ଉତ୍ତର ମିଳେ ।

କ୍ରିୟାପଦ ଛଡ଼ା ଅନ୍ୟ କୌଣସି ପଦର ପୂର୍ବରୁ ‘କାହାର’ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦଟି ମିଳେ, ତାହାକୁ ସମ୍ବନ୍ଧ ପଦ କହନ୍ତି । ଉପର ବାକ୍ୟ ଦୁଇଟିରେ ‘ପିଲାଙ୍କର’ ଏବଂ ‘ସାଙ୍ଗର’ ଦୁଇଟି ସମ୍ବନ୍ଧ ପଦ ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସମ୍ବନ୍ଧ ପଦ ଚିହ୍ନାଅ ।

(କ) ଲୋକଙ୍କର ଉନ୍ନତିପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି ।
(ଖ) ଗୁଣୀଲୋକ ଗୁଣର ମୂଲ୍ୟ ବୁଝନ୍ତି ।
(ଗ) ଗୁରୁଜନଙ୍କ ଉପଦେଶେ ମାନିବା ଉଚିତ ।
(ଘ) ବରଗଛର ଓହଳ ଭୂଇଁକୁ ଲାଗିଥାଏ ।
(ଙ) ସମୁଦ୍ରର ଜଳ ଲୁଣିଆ ।
(ଚ) ଛାତ୍ରାବାସରେ ରହିଲେ ପିଲାମାନଙ୍କର ଚାଲିଚଳଣ ବଦଳିଯାଏ ।
(ଛ) ମହାତ୍ମାଗାନ୍ଧୀଙ୍କର ନାମ କିଏ ନଜାଣେ ?