ଆମ ଓଡ଼ିଆ ବ୍ୟାକରଣ/କିଏ, କଅଣ ?
←ଅଭିଧାନରୁ ଅର୍ଥ ଜାଣିବା | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: କିଏ, କଅଣ ? |
କାହାକୁ, କଅଣ ?→ |
(କ) ପିଲାଟି ଛବି ଆଙ୍କୁଛି ।
(ଖ) ମାଆ ପୁଅକୁ କ୍ଷୀର ପିଆଇଲେ ।
(ଗ) ଆମ୍ବ ପାଚିଲାଣି ।
ପ୍ରଥମ ବାକ୍ୟରେ ‘ଆଙ୍କୁଛି କ୍ରିୟାପଦ, ଦ୍ୱିତୀୟ ବାକ୍ୟରେ ‘ପିଆଇଲେ’ କ୍ରିୟାପଦ ଏବଂ ତୃତୀୟ ବାକ୍ୟରେ ‘ପାଚିଲାଣି’ କ୍ରିୟାପଦ ଅଟେ । ଏହି କ୍ରିୟାପଦଗୁଡ଼ିକର ମୂଳରେ ଆମେ କିଏ କିମ୍ବା କଅଣ ଲଗାଇ ପ୍ରଶ୍ନ ପଚାରିବା ଏବଂ ଉତ୍ତରରେ କି କି ପଦ ମିଳୁଛି ଦେଖିବା ।
ପ୍ରଶ୍ନ | ଉତ୍ତର |
କିଏ ଆଙ୍କୁଛି ? | ପିଲାଟି |
କିଏ ପିଆଇଲେ ? | ମାଆ |
କଅଣ ପାଚିଲାଣି ? | ଆମ୍ବ |
ଏଠାରେ ‘ପିଲାଟି’ ‘ମାଆ’ ଏବଂ ‘ଆମ୍ବ’ ଗୋଟିଏ ଗୋଟିଏ କର୍ତ୍ତା କାରକ । କାରଣ-
କ୍ରିୟାପଦର ପୂର୍ବରୁ କିଏ ବା କଅଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହା କର୍ତ୍ତାକାରକ ।
ତୁମେ ନିମ୍ନଲିଖିତ ବାକ୍ୟଗୁଡ଼ିକରେ କର୍ତ୍ତାକାରକ ଚିହ୍ନାଅ ।
(କ) ବାପା ଆଜି ମୁମ୍ବାଇରୁ ଆସିବେ ।
(ଖ) ଆଉ ଲୋକମାନେ ସେଠାକୁ ଯାଉନାହାନ୍ତି ।
(ଗ) ବର୍ଷାଦିନେ କଦମ୍ବଫୁଲ ଫୁଟେ ।
(ଘ) ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଲା ।
(ଙ) ଯବାନମାନେ ଶତ୍ରୁସୈନ୍ୟଙ୍କୁ ହଟାଇଦେଲେ ।
ନିମଲିଖିତ ବାକ୍ୟମାନଙ୍କରେ ଶୂନ୍ୟସ୍ଥାନରେ ଉପଯୁକ୍ତ କର୍ତ୍ତାକାରକ ଦିଅ
(କ) ....ଚଉଦ ବର୍ଷ ପାଇଁ ବନକୁ ଯାଇଥିଲେ ।
(ଖ) ଆକାଶରେ ...... ଘୋଟି ଆସିଲା ।
(ଗ) ଛୁଟି ହେଲେ ...... ସ୍କୁଲ୍ରୁ ଫେରନ୍ତି ।
(ଘ) ଆମ ଗାଁ ପାଖରେ ...... ବହୁଅଛି ।
(ଙ) ...... ଡାଳକୁ ଡାଳ ଡେଉଁଛନ୍ତି ।