ଆମ ଓଡ଼ିଆ ବ୍ୟାକରଣ/କ୍ରିୟାପଦ
←ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷର | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: କ୍ରିୟାପଦ |
ଅଭିଧାନରୁ ଅର୍ଥ ଜାଣିବା→ |
(୧) ନୀତା ନଳକୂପରୁ ପାଣି ଆଣୁଛି ।
(୨) ବିନୋ ବାପାଙ୍କ ପାଖକୁ ଚିଠି ଲେଖିଲା ।
(୩) ଆଜିର ଛାତ୍ରଛାତ୍ରୀ ଦିନେ ଦେଶର ଦାୟିତ୍ୱ ତୁଲାଇବେ ।
ପ୍ରଥମ ବାକ୍ୟରେ ‘ଆଣୁଛି, ପଦଟିରୁ ଆଣିବା କାମ କରାହେବା, ଦିତୀୟ ବାକ୍ୟରେ ‘ଲେଖିଲା’ ପଦଟିରୁ ଲେଖିବା କାମ କରାହେବା ଏବଂ ତୃତୀୟ ବାକ୍ୟରେ, ‘ତୁଲାଇବେ’ ପଦଟିରୁ ତୁଲାଇବା କାମ କରାହେବା କଥା ଜଣାପଡ଼ୁଛି । ‘ଆଣୁଛି’, ‘ଲେଖିଲା’, ‘ତୁଲାଇବେ’- ଏହି ପଦଗୁଡ଼ିକ ଗୋଟିଏ ଗୋଟିଏ କ୍ରିୟାପଦ । କାରଣ-
ଯେଉଁ ପଦରୁ କୌଣସି କାମ କରାହେବା କଥା ଜଣାପଡ଼େ, ତାହାକୁ କ୍ରିୟାପଦ କହନ୍ତି ।
ପୁଣି ପ୍ରଥମ ବାକ୍ୟରେ ‘ଆଣୁଛି' କ୍ରିୟାପଦଟିରୁ ଜଣାପଡ଼ୁଛି ଯେ ଆଣିବା କାମଟି ବର୍ତ୍ତମାନ କାଳରେ ହେଉଛି । ଦ୍ୱିତୀୟ ବାକ୍ୟରେ ‘ଲେଖିଲା’ କିୟାପଦଟିରୁ ଜଣାପଡ଼ୁଛି ଯେ ଲେଖିବା କାମଟି ଅତୀତ କାଳରେ ହୋଇଥିଲା । ତୃତୀୟ ବାକ୍ୟରେ ‘ତୁଲାଇବେ’ କ୍ରିୟାପଦଟିରୁ ଜଣାପଡ଼ୁଛି ଯେ ତୁଲାଇବା କାମଟି ଭବିଷ୍ୟତ କାଳରେ ହେବ । ତେଣୁ-
‘ଆଣୁଛି’ ବର୍ତ୍ତମାନ କାଳର କ୍ରିୟାପଦ ଅଟେ, ‘ଲେଖିଲା’ ଅତୀତ କାଳର କ୍ରିୟାପଦ ଅଟେ ଏବଂ 'ତୁଲାଇବେ’ ଭବିଷ୍ୟତ କାଳର କ୍ରିୟାପଦ ଅଟେ । ଏହି ତିନି ପ୍ରକାର କ୍ରିୟାପଦ ଛଡ଼ା ଆଉ ଗୋଟିଏ ପ୍ରକାର କ୍ରିୟାପଦ ଅଛି । ସେଥିରୁ କୌଣସି କାମ ସବୁ କାଳରେ ବା ନିତିିଦିନିଆ ଭାବରେ କରାହୁଏ ବୋଲି ଜଣାପଡ଼େ । ଯେପରି-
(କ) ପୃଥିବୀ ସୂର୍ଯ୍ୟ ଚାରିପାଖରେ ବୁଲେ ।
(ଖ) ବାପା ପ୍ରତିିଦିନ ଭାଗବତ ପଢ଼ନ୍ତି ।
ପ୍ରଥମ ବାକ୍ୟରେ ‘ବୁଲେ’ କ୍ରିୟାପଦରୁ ପୃଥିବୀର ବୁଲିବା କାମ ସବୁବେଳେ ଚାଲିଛି ବୋଲି ଜଣାପଡ଼ୁଛି । ଦ୍ୱିତୀୟ ବାକ୍ୟରେ ‘ପଢ଼ନ୍ତି’ କ୍ରିୟାପଦରୁ ବାପାଙ୍କର ପଢ଼ିବା କାମ ନିତିିଦିନିଆ ଭାବରେ ହୁଏ ବୋଲି ଜଣାପଡ଼ୁଛି । ତେଣୁ ‘ବୁଲେ’ ଏବଂ ‘ପଢ଼ନ୍ତି’ - ଦୁଇଟି ନିତ୍ୟ କାଳର କ୍ରିୟାପଦ ଅଟେ ।
ଏହିପରି କ୍ରିୟାପଦ ଚାରିପ୍ରକାର ।
(୧) ବର୍ତ୍ତମାନ କାଳର କ୍ରିୟାପଦ
(୨) ଅତୀତ କାଳର କ୍ରିୟାପଦ
(୩) ଭବିଷ୍ୟତ କାଳର କ୍ରିୟାପଦ
(୪) ନିତ୍ୟ କାଳର କ୍ରିୟାପଦ
ତୁମେ ନିମ୍ନଲିଖିତ ବାକ୍ୟଗୁଡ଼ିକରେ କ୍ରିୟାପଦଗୁଡ଼ିକୁ ଚିହ୍ନାଅ ଏବଂ ସେଗୁଡ଼ିକ କେଉଁ କେଉଁ କାଳର କ୍ରିୟାପଦ ଲେଖ-
ଭଗତ ସିଂ ଦେଶପାଇଁ ପ୍ରାଣ ଦେଇଥିଲେ ।
ଗୀତା ଭଲ ଗୀତ ଗାଏ ।
କାଲି ପ୍ରଧାନ ଶିକ୍ଷକ ଓଡ଼ିଆ କବିତା ପଢ଼ାଇବେ ।
କୃୃଷକମାନେ ଫସଲ କାଟୁଛନ୍ତି ।
ବର୍ଷାଋତୁରେ କଦମ୍ବ ଫୁଲ ଫୁଟେ ।
ଗୋବିନ୍ଦ ନୀଳଗିରି ଯାଇଥିଲା ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିଦେଶ ଯିବେ ।
ନିମଲିଖିତ କ୍ରିୟା ପଦଗୁଡ଼ିକୁ ବିଭନ୍ନ କାଳରେ ପରିଣତ କର ।
ଯେପରି-
ହସେ | ହସୁଛି | ହସିଲା | ହସୁଥିଲା | ହସିବ | ହସୁଥିବ |
କାନ୍ଦେ | ...... | ...... | ...... | ...... | ...... |
ଦେଖେ | ...... | ...... | ...... | ...... | ...... |
କରନ୍ତି | ...... | ...... | ...... | ...... | ...... |
ପଢ଼ୁ | ...... | ...... | ...... | ...... | ...... |
ଲେଖନ୍ତି | ...... | ...... | ...... | ...... | ...... |
ଖାଉଁ | ...... | ...... | ...... | ...... | ...... |
ଶୁଣେ | ...... | ...... | ...... | ...... | ...... |
କ୍ରିୟାପଦ ହେଉଛି ବାକ୍ୟର ପ୍ରଧାନପଦ । କାରଣ ବାକ୍ୟରେ ଯେତେ ପଦ ଥିଲେ ମଧ୍ୟ କ୍ରିୟାପଦଟି ନଥିଲେ ବାକ୍ୟର ଅର୍ଥ ଭଲ ଭାବେ ଜଣାପଡ଼େ ନାହିଁ । ଯେପରି-
ଭଗତ ସିଂ ଦେଶପାଇଁ ପ୍ରାଣ ଦେଇଥିଲେ ।
ଏଥିରେ ‘ଦେଇଥିଲି’ କ୍ରିୟାପଦଟି ନ ଦିଆଗଲେ ବାକ୍ୟର ଅର୍ଥ ଭଲ ଭାବେ ଜଣାପଡ଼ିବ ନାହିଁ ।
କ୍ରିୟାପଦ ଅଟଇ ତ ବାକ୍ୟର ରାଣୀ
ତା ବିନା ବାକ୍ୟର ଅର୍ଥ ନହୁଏ ଜାଣି ।
ସବୁପଦ ସଙ୍ଗେ ଥାଏ ସମ୍ବନ୍ଧ ତାର
ତେଣୁ ବାକ୍ୟଟି ଅଟଇ ତା ପରିବାର ।