ଆମ ଓଡ଼ିଆ ବ୍ୟାକରଣ/ବିଶେଷଣ ପଦ
←ପୁରୁଷ | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ବିଶେଷଣ ପଦ |
ସର୍ବନାମ ପଦ→ |
| (କ) | ଦୟାଳୁ ଲୋକ | | (ଗ) | ପାଞ୍ଚ ଟଙ୍କା |
| (ଖ) | ଭଙ୍ଗା ଘର | | (ଘ) | ବହୁଳ କ୍ଷୀର |
ଲୋକ, ଘର, ଟଙ୍କା, କ୍ଷୀର- ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷ୍ୟ ପଦ । ‘ଦୟାଳୁ’ ପଦଟି ଲୋକର ଦୟାଗୁଣକୁ ବୁଝାଉଛି । ‘ଭଙ୍ଗା’ ପଦଟି ଘରର ଅବସ୍ଥାକୁ ବୁଝାଉଛି । ‘ପାଞ୍ଚ’ ପଦଟି ଟଙ୍କାର ସଂଖ୍ୟାକୁ ବୁଝାଉଛି । ‘ବହୁତ’ ପଦଟି କ୍ଷୀରର ପରିମାଣକୁ ବୁଝାଉଛି ।
ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା କିମ୍ବା ପରିମାଣକୁ ବୁଝାଏ, ତାହାକୁ ବିଶେଷଣ ପଦ କହନ୍ତି ।
ଦୟାଳୁ , ଭଙ୍ଗା, ପାଞ୍ଚ, ବହୁତ - ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷଣ ପଦ ।
ତଳେ କେତେକ ବିଶେଷଣ ପଦ ଓ ସେଗୁଡ଼ିକର ବିଶେଷ୍ୟ ପଦ ଦିଆଯାଇଛି । ବିଶେଷଣଗୁଡ଼ିକ ବିଶେଷ୍ୟଗୁଡ଼ିକର କଅଣ ବୁଝାଉଛି ଲେଖ ।
| ସରଳ | ବାଳକ | | ଅଧିକ | ଲାଭ | |
| ତାତିଲା | ବାଲି | | ଚାରି | ଦିଗ | |
| ସାତ | ସମୁଦ୍ର | | ଖାଣ୍ଟି | କ୍ଷୀର | |
| ଅଳ୍ପ | ଜଳ | | ଚଳନ୍ତା | ଗାଡ଼ି | |
| ଦୁର୍ବଳ | ଦେହ | | ଚିରା | ଲୁଗା |
ନଦୀ, ଗାଈ, ଚାଉଳ, ଫୁଲ, ମାଠିଆ
ସରଳ ଜୀବନ କୋମଳ ବଚନ
ଶୀତଳ ପବନ ନିର୍ମଳ ଗଗନ
ନୂତନ ବସନ ସୁହାସ ବଦନ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର ।
ନିମ୍ନଲିଖିତ ବାକ୍ୟମାନଙ୍କରେ ବିଶେଷଣ ପଦଗୁଡ଼ିକୁ ଚିହ୍ନାଇଦିଅ ।
(କ) ଗଭୀର ନଦୀରେ କୁମ୍ଭୀର ରହନ୍ତି ।
(ଖ) ନରମ ଖରାରେ ଦିଗ ଚହଟିଲା ।
(ଗ) ଗୋପାଳ ଚାରି ଲିଟର କ୍ଷୀର ବିକିଲା ।
(ଘ) ବେପାରୀମାନେ କମ୍ ଦାମ୍ରେ କିଣି ଅଧିକ ଦାମ୍ରେ ବିକନ୍ତି ।
(ଙ) ବିଦ୍ୱାନ ଲୋକମାନେ ସବୁଠାରେ ଆଦର ପାଆନ୍ତି ।