ଆମ ଓଡ଼ିଆ ବ୍ୟାକରଣ/ସର୍ବନାମ ପଦ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪)  ଲେଖକ/କବି: ଧନେଶ୍ୱର ମହାପାତ୍ର
ସର୍ବନାମ ପଦ
ସର୍ବନାମ ପଦ

ରାମଚନ୍ଦ୍ର ଜଣେ ଉତ୍ତମ ରାଜା ଥିଲେ । ରାମଚନ୍ଦ୍ର ପ୍ରଜାମାନଙ୍କୁ ସୁଖରେ ରଖିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ପିତାମାତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଅଶେଷ ଭକ୍ତି ଥିଲା । ତେଣୁ ରାମଚନ୍ଦ୍ରଙ୍କୁ ଭଗବାନ୍‍ ବୋଲି କହନ୍ତି ।

ଉପର ଲେଖାରେ ‘ରାମଚନ୍ଦ୍ର’ ଗୋଟିଏ ବିଶେଷ୍ୟ ପଦ । ଏହି ବିଶେଷ୍ୟ ପଦଟି ବାରମ୍ବାର ବ୍ୟବହୃତ ହୋଇଥିବାରୁ ଶୁଣିବାକୁ ଭଲ ଲାଗୁନାହିଁ । ଏହାକୁ ଯଦି ଆମେ ନିମ୍ନ ପ୍ରକାରେ ଲେଖିବା, ତେବେ ଶୁଣିବାକୁ ଭଲ ଲାଗିବ-

ରାମଚନ୍ଦ୍ର ଜଣେ ଉତ୍ତମ ରାଜା ଥିଲେ । ସେ ପ୍ରଜାମାନଙ୍କୁ ସୁଖରେ ରଖିବାପାଇଁ ସର୍ବଦା ଚେଷ୍ଟା କରୁଥିଲେ । ପିତାମାତାଙ୍କ ପ୍ରତି ତାଙ୍କର ଅଶେଷ ଭକ୍ତି ଥିଲା । ତେଣୁ ତାଙ୍କୁ ଭଗବାନ୍‍ ବୋଲି କହନ୍ତି ।

ଏଠାରେ ସେ, ତାଙ୍କର, ତାଙ୍କୁ- ଏଗୁଡ଼ିକ ସର୍ବନାମ ପଦ । କାରଣ ଏଗୁଡ଼ିକ ରାମଚନ୍ଦ୍ର, ରାମଚନ୍ଦ୍ରଙ୍କର, ରାମଚନ୍ଦ୍ରଙ୍କ-ୁ ଏହି ବିଶେଷ୍ୟ ପଦଗୁଡ଼ିକର ପରିବର୍ତ୍ତେ ବ୍ୟବହୃତ ହୋଇଛି ।

ଯେଉଁ ପଦ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୁଏ, ତାହାକୁ ସର୍ବନାମ ପଦ କହନ୍ତି ।

ସେ, ତାହା, ଏ, ଏହା, କିଏ, କଅଣ, ଯେ, ଯାହା, ମୁଁ, ତୁମେ, ଆପଣ ପ୍ରଭୃତି ସର୍ବନାମ ପଦ । କାରଣ ଏଗୁଡ଼ିକ ବିଶେଷ୍ୟପଦର ପରିବର୍ତ୍ତେ ବ୍ୟବହୃତ ହୁଅନ୍ତି । ବିଶେଷ୍ୟ ପଦମାନଙ୍କର ଯେପରି ବିଭିନ୍ନ ବିଭକ୍ତି, ଏକବଚନ ଓ ବହୁବଚନରେ ବିଭିନ୍ନ ରୂପ ହୁଏ, ସର୍ବନାମ ପଦମାନଙ୍କର ମଧ୍ୟ ସେହିପରି ବିିଭିନ୍ନ ବିଭକ୍ତି, ଏକବଚନ ଓ ବହୁବଚନରେ ବିଭିନ୍ନ ରୂପ ହୁଏ । ଯେପରି-

ସେ - ସେମାନେ, ତାକୁ, ତାଙ୍କୁ, ସେମାନଙ୍କୁ, ତାଦ୍ୱାରା, ସେମାନଙ୍କଦ୍ୱାରା, ତା ପାଇଁ, ତାଙ୍କ ପାଇଁ ଇତ୍ୟାଦି ।

ଯେ - ଯେଉଁମାନେ, ଯାହାକୁ, ଯାହାଙ୍କୁ, ଯେଉଁମାନଙ୍କଦ୍ୱାରା, ଯାହାଦ୍ୱାରା, ଯାହାର, ଯାହାଙ୍କର ଇତ୍ୟାଦି ।

କିଏ - କେଉଁମାନେ, କାହାକୁ, କେଉଁମାନଙ୍କୁ, କାହାପାଇଁ, କାହାଠାରୁ, କାହାର, କେଉଁମାନଙ୍କର ଇତ୍ୟାଦି ।

ଏ - ଏମାନେ, ଏହାକୁ , ଏହାଦ୍ୱାରା, ଏହାର, ଏହାଠାରୁ, ଏମାନଙ୍କଠାରୁ, ଏହାଠାରେ, ଏମାନଙ୍କଠାରେ ଇତ୍ୟାଦି ।

ମୁଁ - ମୋତେ, ଆମକୁ, ମୋର, ଆମର, ଆମମାନଙ୍କର, ମୋଦ୍ୱାରା, ଆମଦ୍ୱାରା, ଆମଠାରୁ, ମୋଠାରୁ ଇତ୍ୟାଦି ।

ତୁମେ - ତୋତେ, ତୁମକୁ, ତୁମମାନଙ୍କୁ, ତୁମଠାରୁ, ତୋଠାରୁ, ତୁମର, ତୁମମାନଙ୍କର ଇତ୍ୟାଦି ।

ଆପଣ - ଆପଣମାନେ, ଆପଣଙ୍କଠାରେ, ଆପଣମାନଙ୍କଠାରେ ଆପଣଙ୍କୁ, ଆପଣମାନଙ୍କୁ ଇତ୍ୟାଦି ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସର୍ବନାମ ପଦ ଚିହ୍ନାଇଦିଅ ।

(କ) ରାଜେନ୍ଦ୍ର ଭଲ ପାଠ ପଢେ଼ । ତାକୁ ଶିକ୍ଷକମାନେ ଆଦର କରନ୍ତି ।

(ଖ) ନିମ୍ବଗଛ ଅତ୍ୟନ୍ତ ଦରକାରୀ । ଏହାର ପତ୍ରରୁ ଅନେକ ପ୍ରକାର ଔଷଧ ତିଆରି ହୁଏ ।

(ଗ) ଦେଶ ପ୍ରତି ଆମର କର୍ତ୍ତବ୍ୟ ରହିଛି ।

(ଘ) ତୁମପାଇଁ ମୁଁ ନିଶ୍ଚୟ ଭଲ କଲମଟିଏ ଆଣିବି ।

(ଙ) ଯେଉଁମାନଙ୍କର ଇଚ୍ଛା ଅଛି, ସେମାନେ ଆଗେଇ ଆସନ୍ତୁ । ସବୁ ନାମ ପାଇଁ ଯେଣୁ ହୁଏ ବ୍ୟବହାର
ତେଣୁ ‘ସର୍ବନାମ’ ବୋଲି ନାମଟି ତାହାର ।

କିଏ କଅଣ କହିଲା ନ ଶୁଣ ହେ ତାହା
କାହା ମନ୍ଦ ପାଞ୍ଚ ନାହିଁ ଭଗବାନ ସାହା ।