ବୈଦେହୀଶ ବିଳାସ/ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଅଷ୍ଟାଦଶ ଛାନ୍ଦ: ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ

ଅଷ୍ଟାଦଶ ଛାନ୍ଦ: ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ

ରାଗ-ବିଭାସଗୁଜ୍ଜରୀ


ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ ଋଷିବାର ପ୍ରବର୍ତ୍ତାଇ ଅଛି ଯେ ।
ବିଟପ ପ୍ରକମ୍ପକର ସଙ୍ଗତି ସହଚରୀର ପୁର ଅଭିମୁଖହିଁ ହୋଇଛି ଯେ । ୧ ।
ବିରସ ଖଣ୍ଡିତା ସେହି ପିକବାଣୀରେ ଛଳଇ ପ୍ରବୃଦ୍ଧି କରଇ ମଦନକୁ ଯେ ।
ବିସ୍ପରଶ କର ସଙ୍ଗ ପୟୋଧର ଫଳ ତୁଙ୍ଗ ପୁରୁଷ ପ୍ରକାଶି ରଞ୍ଜନକୁ ଯେ । ୨ ।
ବିଦୁର ଲକ୍ଷ୍ମଣ ଘନ ପବନ ଭଗ୍ନ ଚନ୍ଦନ ଦାରୁ ଆଣି ଚାରୁବାସ ବିହି ଯେ ।
ବିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ ।
ବାରଣ ବାରଣ ରଣ- ବଶେ ଯେଉଁ ରଦଚୂର୍ଣ୍ଣ କ୍ଷୋଦ କରି ଅଜିରେ ପକାଇ ଯେ ।
ବୈଦେହୀ ରାଘବ ମିଳି ଇଛନ୍ତି ଏକାନ୍ତେ କେଳି ହରଷେ ଦିବସ ନିଶି ନେଇ ଯେ । ୪ ।
ବୃକଧୂପରେ ଧୂପିତ ସେ ଓକ୍ କଲେ ନିରତ ଦ୍ରାକ୍ଷା ଅଶନରେ ହୋଇ ତୋଷ ଯେ ।
ବିସ୍ମରି ସ୍ୱପୁର ନର୍ମ ଶଯ୍ୟା କୃଷ୍ଣସାର ଚର୍ମ ଏବେ ଶୁଣ ସାଧୁ ଆନ ରସ ହେ । ୫ ।
ବାହୁଡି଼ ସୁମନ୍ତ୍ର ଗଲା ନୃପ ପଚାରୁଁ କହିଲା, ରାଣୀଗୋତ୍ରେ ପାତ୍ରେ ତହିଁ ଥିଲେ ଯେ ।
ବହି ମୁନିଛବି ବେନି ଜାନକୀ ସଙ୍ଗତେ ଘେନି ନ କହି ବିପଥେ ରାତ୍ରୁଁ ଗଲେ ଯେ । ୬ ।
ବନବାସ ରୀତି ଶୁଣି ବନବାସ ନେତ୍ରେ ଆଣି ହୃଦମଧ୍ୟେ ରାମ ବିହରିତ ଯେ ।
ବି-କଳଧ୍ୱନିରେ ଲୋଳ ସୁମନ ଭ୍ରମରେ ମେଳ ଦଶରଥ ଏମନ୍ତ କଥିତ ଯେ । ୭ ।
ବ୍ୟାଧ ପ୍ରାୟ ହୋଇ ମୁହିଁ ଜଳଘାଟ ଜଗିଥାଇ ଅନ୍ଧ ତପିସୁତ ନେଉଁ ନୀର ଯେ ।
ବୁଡା଼ଉଁ କୁମ୍ଭ ସେ କୁମ୍ଭୀ ଶବଦ ଭ୍ରମେ ଆରମ୍ଭ ତାକୁ ନାଶିଲି ପ୍ରହାରି ଶର ଯେ । ୮ ।
ବ୍ୟଥିତ କହନ୍ତେ ମାତା ପିତା ଯଥା ପତିବ୍ରତା ଚିତା କରାଇ ମୋହର କରେ ଯେ ।
ବାୟୁସଖାରେ ପଶିଲେ ସେକାଳେ ଏ ଶାପ ଦେଲେ ସୁତ ମୁଖ ନ ଦେଖ ନାଶରେ ଯେ । ୯ ।
ବିଶ୍ରାମଟି ସେହି କାଳ ଜୀବନ ଯିବାର ମୂଳ ହେଲା ଅଶୁଭସ୍ୱପ୍ନ ମହିଷୀ ଯେ ।
ବୀର ଗଣେଶ ଶ୍ରୀରାମ ମୂଷିକ କରଣେ କ୍ଷମ ଯମକୁ ସେ ହୋଇ ନାହିଁ ପାଶି ଯେ । ୧୦ ।
ବଦୁଁ ପ୍ରତିପଦୁଁ ତହିଁ ପକ୍ଷ ବାର ଯୋଗ ହୋଇ ପୂର୍ଣ୍ଣେ ରାଜା କ୍ଷୟାତିଥି ହେଲା ଯେ ।
ବିଦିତ ଏଣୁ ସେକ୍ଷଣ ମାସ ସଦୃଶ ପ୍ରମାଣ କରଣ ରାଶି ସଞ୍ଚାର ଥିଲା ଯେ । ୧୧ ।
ବଡି଼ମାହର ମନ୍ଦରେ ସେ ନୃପ ଯେଣୁ ବିଚାରେ ତୈଳପାତ୍ରେ ତେଣୁ କଲେ ଦାନ ସେ ।
ବହତୁ ଭରତପାଶେ ପ୍ରେରଣ କଲେ ରଭସେ ନଟ ବିଦ୍ୟାପ୍ରାୟ ରଚି ଆନ ସେ । ୧୨ ।
ବତାସେ ମେଘ ଗମନ ପ୍ରାୟେ ଚଳାଇ ବିମାନ ପ୍ରବେଶ ହୋଇଲେ ଅଯୋଧ୍ୟାର ଯେ ।
ବିଧବା ନାରୀ ସମାନ ଦିଶେ ସେ ଲକ୍ଷ୍ମଣହୀନ ରାମରଙ୍ଗ ହୋଇବାରୁ ଦୁର ଯେ । ୧୩ ।
ବିମନରେ ନରପନ୍ତି କୁରରୀ ପରି ଝୁରନ୍ତି ନିଶବଦ ଯଥା ମୁନିଗଣ ଯେ ।
ବରଷାଋତୁ ପ୍ରକାର ଅନ୍ତଃପୁରସ୍ଥା ନିକର ଉର-ଭୁମି ପଙ୍କିଳ କରିଣ ଯେ । ୧୪ ।
ବଣା ଗଣଏଣୀ ପ୍ରାୟେ ଏଣେ ତେଣେ ଚାହିଁଦିଏ ଚିତାପରି ହୃଦେ ଜଳେ ଚିନ୍ତା ଯେ ।
ବିନତିମାତାଙ୍କୁ ଚଣ୍ଡୀ ଅଗ୍ରେ ଯଥା ସିଂହ ମଣ୍ଡ ପୁରାଣ ପୁଚ୍ଛିଲା ପ୍ରାୟେ ଶ୍ରୋତା ଯେ । ୧୫ ।
ବକ୍ତା ହୋଇଲେ ଜନନୀ ପ୍ରଥମ ଯୁଗ ନ ମାନି ଜଳ ବର୍ତ୍ତ ବହି ତବ ତାତ ଯେ ।
ବିହୁଥିଲେ ଅଭିଷେକ ଶ୍ରୀରାମେ ହୋଇ ଉତ୍ସୁକ ଉପାୟେ ମୁଁ ତାହା କଲି ହତ ଯେ । ୧୬ ।
ବିଶ୍ୱମ୍ଭରା ପତି ହୋଇ ସୀତାବଲ୍ଲଭ ଉତ୍ସାହୀ ପଶୁ ବୁଦ୍ଧି ଦେଖି ପେଷି ବନ ଯେ ।
ବିନାଶ ତାମସୀ ମତେ ରାମ ଲକ୍ଷ୍ମଣଙ୍କ ଅସ୍ତେ ନରପତି ହୋଇଲେ ବହନ ଯେ । ୧୭ ।
ବିଲାସ ତୁ ଈନ ହୋଇ କରି ଦୀପ୍ତ କର ମହୀ ଶ୍ରବଣରେ ସେ ଭରତ ଭାଷେ ଯେ ।
ବୋଲିବା କି ମାତା ତୁମ୍ଭେ ରାହୁ ହେଲ ଏ ଆରମ୍ଭେ ପର୍ବତକାଳେ ବେନିକୁଳ ଗ୍ରାସେ ସେ । ୧୮ ।
ବନ୍ଧ ପକାଇ ମଧ୍ୟର ବେନିଭାଗ କଲ ନୀର ଏ ବୁଦ୍ଧି ଶିଖିଲ କାହୁଁ ଏବେ ଯେ ।
ବୋଇଲେ ଧାତ୍ରୀ ମନ୍ଥରା ସୁରଭି ସେ ପରମ୍ପରା ଗୋପାଳପୁତ୍ରେ ଧାଇଁଲେ ଜବେ ଯେ । ୧୯ ।
ବିଷାଣ କେଶ ଧଇଲେ ଲଗୁଡ଼ ପ୍ରହାର କଲେ ଚରଣକୁ ବାନ୍ଧିଲେ ରଜ୍ଜୁରେ ଯେ ।
ବେନି ହସ୍ତ ଯୋଡି଼ ଯାଇଁ କୌଶଲ୍ୟା ପାଶେ ବିନୟୀ ବୋଧିଲେ ସେ ବଚନ ମଞ୍ଜରେ ଯେ । ୨୦ ।
ବଶିଷ୍ଠାଦି ଶୁଣି ଆସି ମହୀପତି ହୁଅ ଭାଷି ବୋଇଲେ ସେ କି ବୋଲ କୋବିଦେ ହେ ।
ବ୍ରଜ ସଙ୍ଗରେ ସ୍ଫଟିକ ସମମୂଲ୍ୟ ଅବିବେକ ଏତେ ବିବେକ ନ କଲ ହୃଦେ ଯେ । ୨୧ ।
ବିଧିପୂର୍ବେ ତହୁଁ ଗଲେ ପ୍ରେତକ୍ରିୟାକୁ ସାରିଲେ ଆସ୍ଥାନେ ବସିଲେ ପ୍ରାନ୍ତ ଦିନ ଯେ ।
ବେଷ୍ଟନ ଜନସମସ୍ତ ସୁମନ୍ତ୍ରେ ପୁଚ୍ଛେ ଭରତ କେଉଁ ଦିଗେ ଶ୍ରୀରାମ ଗମନ ହେ । ୨୨ ।
ବିନାୟକ ଲମ୍ବୋଦର ହେଳେ ହେଲେ ଗଣେଶ୍ୱର ତାତ ବୋଲେ ତାତ ତୋତେ ଦେଲେ ଯେ ।
ବାଳଚର୍ଯ୍ୟ ସେ ଅଛନ୍ତି ରାମ ହେଲେ ସେହି ମତି ହୁଅ ନୃପ ବଶିଷ୍ଠେ ବୋଇଲେ ଯେ । ୨୩ ।
ବାଣୀରେ ଭରତ ମୋହି ଗଜମୂର୍ଖ ନୋହି ମୁହି ଗିରାଙ୍କୁଶ ଘାତ କିପାଁ କର ହେ ।
ବିଧୁର ଅଜ୍ଞାତ ଦୋଷ କଳଙ୍କ ଯଥା ପ୍ରକାଶ ଧାତା ମାତା ରଖିଲା ମୋଠାର ଯେ । ୨୪ ।
ବାହାରିଲେ ରାମ ଆଣି ନଗ୍ର ଶୂନ୍ୟ ସେହିକ୍ଷଣି ବୃଥା ବୋଲି ମନ୍ତ୍ରୀ କରୁଁ ବିଘ୍ନ ଯେ ।
ବିଶୁଦ୍ଧ ସ୍ୱର୍ଣ୍ଣ ପିତ୍ତଳ ମିଶିଛି ଯେବେ ତା ଜାଳ ପ୍ରତିଉତ୍ତର କଲେ ଶତ୍ରୁଘ୍ନ ଯେ । ୨୫ ।
ବାଟରେ ହେଲା ଏମନ୍ତ ଶୃଙ୍ଗବରେ ଆତଯାତ- କର ମହାଧନୀରେ ବିବାଦୀ ଯେ ।
ବିଧୃତ ଏକ ପଦିକା ସେ ନାନାରତ୍ନେ ଶୋଭିକା ନିର୍ମଳ ହୃଦେ ହେଲା ପ୍ରମୋଦି ଯେ । ୨୬ |
ବିପିନେ ଭରଦ୍ୱାଜର ସବଳେ ପ୍ରବେଶ ବୀର ତପୋବଳେ ସମସ୍ତ ଚର୍ଚ୍ଚିଲେ ସେ ।
ବିଧୁପ୍ରାୟେ ସୁଧାତୁଲ୍ୟ ଭୋଜନ ଦେଲେ ତତ୍କାଳ ସୁରପ୍ରାୟ ସନ୍ତୋଷେ ଭୁଞ୍ଜିଲେ ସେ । ୨୭ ।
ବ୍ୟୁତପତ୍ତି ଉତ୍ତରରୁ ଭୋଗ ପ୍ରାୟ ଦିବ୍ୟଭୀରୁ ସେବିଲେ ଫଳଚନ୍ଦନେ ଶୋହି ଯେ ।
ବିତାନ ତଳେ ଶେଯରେ ବିହରି ମହାସୁଖରେ କିଛି ନାହିଁ ରାତ୍ର ଗଲା ପାହି ଯେ । ୨୮ ।
ବଚସ୍କର ମୁନି ଯେହୁ ସୁବାହୁବଳେ ସୁବାହୁ ନାଶି ଭୂତି ବିନା ଭୂତି ଭୂଷା ଯେ ।
ବିହୀନ ଲକ୍ଷ୍ମଣେ ଯେହି ସହିତ ଲକ୍ଷ୍ମଣେ ସେହି ଜାନକୀ ନୋହି ଜାନକୀ ଆଶା ଯେ । ୨୯ ।
ବିରକ୍ତ ଚିତ୍ରକଟରେ ବିହରେ ଚିତ୍ରକୂଟରେ କଟକକୁ ତେଜି କଟକରେ ସେ ।
ବିରୋଧାଭାଷ ଶୁଣି ସେ ଗମନ କଲେ ରଭସେ ପରବେଶ ହୋଇ ନିକଟରେ ସେ । ୩୦ ।
ବ୍ୟାଳସମୂହକୁ ତ୍ରାସି ସିଂହ କି ଘଉଡି଼ ଆସି ଘେଷି ଦନ୍ତେ ଉଠି ସୌମିତ୍ରେୟ ଯେ ।
ବିଲୋକିଲେ ପ୍ରଜାପତ୍ତି ବାଜୀ ହସ୍ତେ ଧରିଛନ୍ତି ହରି ଚଢି ଆସେ ଚୟ ଚୟ ଯେ । ୩୧ ।
ବାହନ କରି ସୁଦନ୍ତୀ କେତେ ବିହେ ରଥେ ଗତି କନ୍ଦଳୀ ଚଳିଅଛନ୍ତି ଶୂନ୍ୟେ ଯେ ।
ବିଷ୍ଣୁପଦ ଦିଏ ଗିଳି ରଜନୀକରହିଁ ମିଳି ଲକ୍ଷ୍ମଣ ଚିହ୍ନି କହେ ବହନ ଯେ । ୩୨ ।
ବୈମାତ୍ରେୟ ଗୁଣ ଭାଳି ଗରୁଡେ଼ ଯେମନ୍ତ କାଳୀ ବିଭୋଗ ଖଣ୍ଡନେ ସାଜି ରଣେ ଯେ ।
ବିବାଦ ରଚି ତେମନ୍ତ ସସୈନ୍ୟ ହୋଇ ଭରତ ଗମନ କରିବା ପ୍ରାୟ ମଣେ ଯେ । ୩୩ ।
ବୋଧେ ରାମ ନଦୀ ସର ତଡାଗ କୂପ ଆବର ମୂର୍ତ୍ତି ଭିନ୍ନ ସେ ଏକ ଜୀବନ ଯେ ।
ବରଷା କରେ ଆବିଳ ତା ନିଜ ଗୁଣ ନିର୍ମଳ ଶୀତଳକୁ ନ ଛାଡନ୍ତି ଘେନ ଯେ । ୩୪ ।
ବିନତି ଯୋଡିଣ କର ବିନତାସୁତ ପ୍ରକାର ଦଣ୍ଡ ପ୍ରାୟ ଦଣ୍ଡେ ମହୀ ଭଜି ଯେ ।
ବେଗେ ସରାଗେ ତୋଳିଲେ ଶିଷ୍ୟେ ଗୁରୁପ୍ରାୟ ହେଲେ ବେନିଭ୍ରାତ ମନ ରଞ୍ଜାରଞ୍ଜି ଯେ । ୩୫ ।
ବେଢି଼ଲେ ଜନ ଜନନୀ ଗୁରୁ ଚତୁରଙ୍ଗ ଘେନି ଦରିଦ୍ର ଧନ ଲଭିଲା ପରି ସେ ।
ବିଶିଷ୍ଠ ସର୍ବ କହିଲେ ଭରତ ପଦ ଧଇଲେ ଗମନ କରିବା ପାଇଁ ପୁରୀ ଯେ । ୩୬ ।
ବୋଲେ ରାମ ସତ୍ୟବାଦୀ ପଦେ ଅନ୍ୟାର୍ଥ ସମ୍ପାଦି ସମସ୍ତେ ପଣ୍ଡିତ ଗୁଣେ ଆସି ହେ ।
ବଚ ଯେହୁ ଜନକର ନ ପାଳେ ସେ କି କୁମର ? ପର୍ଶୁଧର ରେଣୁକାକୁ ନାଶି ହେ । ୩୭ ।
ବୋଇଲେ କୈକେୟୀସୁତ ଦୈତ୍ୟମାତାଠାରୁ ଜାତ ହେଉଁ ବାତ ଇନ୍ଦ୍ର ଘାତ କରି ହେ ।
ବିଶ୍ୱାସୀ ତାଙ୍କର ହେଲା ଦେବ ହୋଇନ ଧଇଲା ମନ୍ଦଗୁଣ, ମୁହିଁ ସେହିପରି ହେ । ୩୮ ।
ବିହରିବା ମାନସର ମଧ୍ୟେ ହଂସକୁ ସୁନ୍ଦର ଆନ ପକ୍ଷିରେ କିସେ ବାଞ୍ଛିତ ଯେ ?
ବିଷମ ବୁଦ୍ଧି ପ୍ରକାଶ କେବେ ନୋହିବ ନହୁଷ ପ୍ରାୟ ନାଶ ଯିବାକୁ ମୋ ଚିତ୍ତ ଯେ । ୩୯ ।
ବାହୁଡି଼ବାକୁ ସମ୍ମତି ନ କରୁଁ ଜାନକୀପତି କୁଶେଶୟ ହେଲେ ସଭ୍ରମରେ ଯେ ।
ବିହାୟସୁଁ ଦେବବାଣୀ ତୋ ପ୍ରସୂ ପୃଥ୍ୱୀରକ୍ଷିଣୀ ନିଶା ଦୋଷା ହୋଇଲା ପ୍ରକାରେ ଯେ । ୪୦ ।
ବାହୁଡା଼ଇଲେ ରାଘବ ସୂର୍ଯ୍ୟବଂଶ ବୁଡି଼ଯିବ ଶୁଣି ଉଠି ଯତିବେଶ ବହି ଯେ ।
ବନ୍ଦିଲେ ପାଦୁକା ରାଜା ସମ୍ପଦେ କରିଣ ପୂଜା ନନ୍ଦୀଗ୍ରାମେ ପୁରୀ କରି ରହି ସେ । ୪୧ ।
ବିଶେଷ କାରୁଣି ହୋଇ କରୁଣାସାଗର ତହିଁ ତାତବାର୍ତ୍ତା ବଶୁଁ କ୍ରିୟା ସାରି ଯେ ।
ବୟାଳିଶ ପଦେ ଛାନ୍ଦ କହେ ଭଞ୍ଜ ଉପଇନ୍ଦ୍ର ସୀତାରାମ କାନନବିହାରୀ ଯେ । ୪୨ ।