ବୈଦେହୀଶ ବିଳାସ/ବସି ବଶିଷ୍ଠ ଜାବାଳି ବାମଦେବ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ସପ୍ତଦଶ ଛାନ୍ଦ: ବସି ବଶିଷ୍ଠ ଜାବାଳି ବାମଦେବ
ଏହି ଛାନ୍ଦଟିକୁ ଶୁଣନ୍ତୁ । (help | file info or download)

ସପ୍ତଦଶ ଛାନ୍ଦ: ବସି ବଶିଷ୍ଠ ଜାବାଳି ବାମଦେବ

ରାଗ-ଧନାଶ୍ରୀ

ବସି ବଶିଷ୍ଠ ଜାବାଳି ବାମଦେବ କଶ୍ୟପ ସୁମନ୍ତ୍ର ଘେନି ।
ବୋଲେ ଦଶରଥ ମୋର ମନୋରଥ ମଣ୍ଡାଇବି ରାଜଧାନୀ ।
ବୀରବୃନ୍ଦରେ ଇନ୍ଦ୍ର ।
ବସୁ ନୃପପଦେ ରାମଚନ୍ଦ୍ର । ୧ ।
ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡେ କାହିଁଛି ଆଉ ମୋ ତନୟ ସରି ।
ବାମେ ବାମଦେବ ଧନୁକୁ ଭାଙ୍ଗିଲା ବାମେ ଭୃଗୁପତି ହାରି ।
ବସୁପତି ସମସ୍ତ ।
ବସୁଁ ସେବିବେ ସେବକ ମତ । ୨ ।
ବୋଇଲେ ସୁମନ୍ତ୍ର ସେ ପୁଣି ଏମନ୍ତ ସୁଝିବେଟି ପିତୃଋଣ |
ବଧକାରକ ଅନରଣ୍ୟ ରାଜାର ବଧରେ ହେବେ ନିପୁଣ ।
ବେଧାବିଧାନ ପୁଣି ।
ବୈବସ୍ଵତବଂଶୀ ତୋଷ ଶୁଣି । ୩ ।
ବୁଝିଲେ ଲଗ୍ନ ମଗ୍ନ ହୋଇ ସୁଝିଲେ ମଙ୍ଗଳ ଦାନରେ ତହିଁ ।
ବୃହସ୍ପତି ରାଶି ଅଷ୍ଟମେ ବିଳାସୀ ନୃପତି ହୋଇବେ କେହି ।
ବାମଦେବ ଉତ୍ତର ।
ବକ୍ତା ବଶିଷ୍ଠ ହେବେ ଈଶ୍ଵର । ୪ ।
ବିଷେ କି ପୁଚ୍ଛୁ ରାଜା ଦୀର୍ଘେ କହିଲେ ହେବେ ଦିବ୍ୟଭୁତି ଭୋଗୀ ।
ବଇଶ୍ରବଣକୁ ଜିଣିବେ ବୁଷ୍ପକ ମଣ୍ଡନେ ହୋଇ ସରାଗୀ ।
ବୋଲୁଅଛୁଁ ଏମନ୍ତ ।
ବୋଧ ନରଦେବ ଦେବଚିତ୍ତ । ୫ ।
ବାର୍ତ୍ତା ପାଇ ମାତାମାନେ ହରଷିତା ସୀତା ତୋଷ ନୁହେ କହି ।
ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ ଅଧିକରେ ଲୋଳ ବହି ।
ବେଶ ଅଭିଷେକର ।
ବେଳ ଦେଖି ହେବା ସେ ପ୍ରକାର । ୬ ।
ବିଚାରନ୍ତି ତହିଁ ରାଉତ ମାହୁନ୍ତ ରଥୀ ପଦାତିଏ ମିଶି ।
ବସିଲେ ରାମ ସିଂହାସନେ ଦ୍ଵିଗୁଣେ ଆମ୍ଭ ଗୁଣେ ଯିବେ ଦିଶି ।
ବିବେକ ଏ ପ୍ରକାର ।
ବଡ଼ ସୁଖ ଜନୁଛି ଆମ୍ଭର । ୭ ।
ବନ୍ଦୀ କେରଳ ଇତୁଅଦି ଭିକ୍ଷୁ ମେଳ ଭାବି ମାଗି ନ ଜାଣିବା ।
ବ୍ରାହ୍ମଣକୁଳର ଆକୁଳ ତୁଟିଲା ଇଷିତେ ଯାଜ୍ଞିକ ହେବା ।
ବିନା ପୂଜା ଦେବତା ।
ବିଚାରିଲେ ହୋଇବା ପୂଜିତା । ୮ ।
ବଲ୍ଲବେ ପାଞ୍ଚିଲେ ସୁଲଭେ ଧେନୁ ଯେ ହେବେ ଅମ୍ଭ କ୍ଷୀରବତୀ ।
ବାସବାଦି ଦେବେ ଅମ୍ଭ ବାଦୀ ଏବେ ନାଶ ନୋହିଲା ଏ ମତି ।
ବ୍ରହ୍ମା ସମୀପେ ଗଲେ ।
ବିଭ୍ରମ ସେ କୈକେୟୀଙ୍କି କଲେ । ୯ ।
ବିପଣୀରେ ଶୁଣି ରାମରାଜା ବାଣୀ ବାହୁଡେ଼ ମନ୍ଥରା ତ୍ଵରା ।
ବାରି ଭରିଅଛି ନୟନଯୁଗଳେ ଗଳେ ପ୍ରାଣ ଥିଲା ପରା ।
ବୃକ୍ଷ କାଟିଲା ପ୍ରାୟେ ।
ବିପତିତ ତା ଅଗ୍ରତେ ହୁଏ । ୧୦ ।
ବୋଲେ ଟେକି ଏ କି ଭରତିଜନନୀ? କହୁଅଛି ତହୁଁ ଜବ ।
ବଡ଼ ସୁଭାଗୀ ବୋଲାଉରେ ଶୋଭାଙ୍ଗି ଭାଙ୍ଗିଗଲା ତୋ ଗରବ ।
ବେର କି ହୁଏ ତୋର ।
ବିଷ ପ୍ରାୟେ ଘାରେ ମୋ ଶରୀର । ୧୧ ।
ବିବେକୀ ଧାର୍ମିକ ଶୋଭା ପ୍ରଶଂସାରେ ସଂସାରେ ଜଣେ ନ ଗଣ ।
ବାଟୁଳି ଯାହାର ବଜ୍ରରୁ ଅଧିକ କି ବର୍ଣ୍ଣିତା ତାର ବାଣ |
ବିଦିତ ସେ ନନ୍ଦନ ।
ବୋଲିବୁ ବା ବୟସରେ ସାନ । ୧୨ ।
ବଳିଷ୍ଠ ଦାନବେ ପୂର୍ବଦେବ କହି ଅନୁଜ ଦେବତା ଇନ୍ଦ୍ର ।
ବୋଲାଇ ସପତ୍ନୀ ଯେ ଯାହାର ପ୍ରୀତି କେହି ହୋଇ ନାହିଁ ସାନ୍ଦ୍ର ।
ବସା କରି ନୃପତି ।
ବୁଦ୍ଧିଥିଲେ ବୋଧି କ୍ଷିତିପତି । ୧୩ ।
ବିହ୍ଵଳିତ ମତି କିତବେ ଅହଲ୍ୟା ଦୁଷଣ ଲଭିଲା ପରି ।
ବଦନ ମାଡି଼ ଶୟନ ସଦନରେ ନୟନରେ ପୂରି ବାରି ।
ବିଜେ ନୃପ ଏକାଳେ ।
ବନ୍ଧୁ ବନ୍ଧୁ ବୋଲିଣ ଡାକିଲେ । ୧୪ ।
ବିଷବୈଦ୍ୟ ପଦ ନ ମାନିଲା ପ୍ରାୟେ ସ୍ଵଭାବେ ଭୋଗିନୀ ସେହି ।
ବହ୍ନି ସେନେହରେ ପତଙ୍ଗ ପ୍ରକାରେ ପାଶେ ପରବେଶ ତହିଁ ।
ବୋଧେ ଚିବୁକ ଧରି ।
ବିନାଦୋଷେ ପ୍ରଣୟିନି ଗୋରି । ୧୫ ।
ବିପ୍ରେ ଇନ୍ଧନଦେବୀ ମନ୍ତ୍ରେ ପୂଜିଲେ ସେ ଯଥା ନ କହେ କଥା ।
ବରଦ ହୋଇଲା ପ୍ରାୟେ ସ୍ଵପନରେ ବସି ନ ଟେକିଲା ମଥା ।
ବାରେ ମୋତେ ତୁ ଚାହାଁ ।
ବନ୍ଧୁ ଦେବି ମୁଁ ମାଗିବୁ ଯାହା । ୧୬ ।
ବୋଲୁଁ ନରପତି ବୋଇଲା ଯୁବତି ତିନିବାର ସତ୍ୟ କଲେ ।
ବୃକାସୁର ତାହା କର ନିଜ ଶିରେ ଯଥା ଦେଲା ହରି ବୋଲେ ।
ବିଧି କଲେ ନୃପତି ।
ବିଶ୍ଵମୋହିନୀ ନାରୀଙ୍କ ପ୍ରୀତି । ୧୬ ।
ବାହିଲି ରଥ ସ୍ତିରୀ ହୋଇ ଶମ୍ବର ସମରେ ନାହିଁ କି ମନ ।
ବିହିଲ ସତ୍ୟ ସୂତ ହୋଇ ତୋଷିଲୁ ତୋ ସୁତ ହେବ ରାଜନ ।
ବାଳ ବାଲୁକା ଖେଳ ।
ବିଧିରେ ତ ଆନ ତୁମ୍ଭ ବୋଲ । ୧୮ ।
ବସୁଧାପତିପଦ ରାମେ ଉଚିତ ନୋହେ ସେ ଜାମାତା ତାର ।
ବନେ ହରୁ ଦିନ ଚଉଦବରଷ ପୁତ୍ର ରାଜା ହେଉ ମୋର ।
ବାମା ବଚନ ଶୁଣି ।
ବିଜ୍ଞାନ ସେ ଜ୍ଞାନ କହେ ବାଣୀ । ୧୯ ।
ବିରୋଚନ ନାରୀ ଛଦ୍ମେ ହୋଇ ହରି ତା ଜୀବ ଯେମନ୍ତ ହରି ।
ବଧ ସଧ କରି ମୋର ସେହିରୂପେ ତୁହି ଥିଲୁ ଅବତରି ।
ବୋଲି ଏତେ ମଉନ ।
ବିଭୋଜନେ ହରିଲେ ସେ ଦିନ । ୨୦ ।
ବେଳାକୁ ନ ଲଙ୍ଘେ ସତ୍ୟେ ପାରାବାର ଯଥା ତାକୁ ନ ଲଙ୍ଘିଲା ।
ବିଷଭକ୍ଷଣେ ବିରୁପାକ୍ଷ ପରାୟେ ମୂକେ ସମ୍ମତ ଦିଶିଲା ।
ବଡ଼ ସନ୍ତୋଷ ରାଣୀ ।
ବିଜ୍ଞ ଶ୍ରୀରାମ ଡ଼କାଇ ଆଣି । ୨୧ ।
ବଦିଲା ପ୍ରଥମେ ପିତାର ସତ୍ୟକୁ ରଖିବ କି ନାହିଁ ସାଧୁ ।
ବଂଶେ ଯାହାର ଭଗୀରଥ ସମ୍ଭବ ଉଦ୍ଧରିଲେ ପିତୃ ଦଗ୍ଧୁଁ ।
ବୋଲେ ରାମ ବହନ ।
ବିଷୟ କି କର ଅବଧାନ । ୨୨ ।
ବନେ ତୁମ୍ଭେ ଯିବ ଭରତ ହୋଇବ କୋଶଳପତି କୁଶଳେ ।
ବେଶକୁ ଇଙ୍ଗୁଦୀ ରୁଦ୍ରାକ୍ଷ ବିଭୁତି ଥୋଇଦେଲା ଆଣି ତଳେ ।
ବାଳୀଶା ଯେ ମନ୍ଥରୀ ।
ବେଗେ ଶ୍ରୀରାମ ସମ୍ମତି କରି । ୨୩ ।
ବୈଦେହୀ ଲକ୍ଷ୍ମଣ ପ୍ରବେଶ ତକ୍ଷଣ ସଙ୍ଗେ ଯିବାକୁ ଆତୁରେ ।
ବଶିଷ୍ଠାଦି ପାତ୍ରେ ପ୍ରବେଶ ହୋଇଣ ଦଶରଥଙ୍କୁ ପଚାରେ ।
ବିଭାବରୀ ପ୍ରାନ୍ତରେ ।
ବିଭୁ ହୁଅନ୍ତେ ପରା ରାଜ୍ୟରେ । ୨୪ ।
ବିଭାକରକୁଳେ ନାସତ୍ୟ ହୋଇଲି ସତ୍ୟ କରିବାରେ ମୁହିଁ ।
ବିବେକ ମୋର କୈକେୟୀ ପୂର୍ବଜନ୍ମେ ପିଶାଚୀ ଥିଲା କି ହୋଇ ।
ବାକ୍ୟ ଯେତେ ମୁଖରେ ।
ବୈଶ୍ଵାନରହିଁ ଜଳେ ତହିଁରେ । ୨୫ ।
ବିଦୁଷେ ଧୀରେ ରାଜା ଗିରେ କହିଲେ ଏ କଥା ପ୍ରମାଣ ହେବ ।
ବାହୁଜବ୍ରତ ଫଳଦ ଧର୍ମଦତ୍ତ ଦେବ ଦରଶନେ ଥିବ।
ବଇକୁଣ୍ଠ ପ୍ରତିମା ।
ବସତିରେ ଦେବୀ ହେଲା କ୍ଷମା । ୨୬ ।
ବଧିରା ପ୍ରାୟେ ଯହିଁ ଲୟ ଆବେଶ ତହିଁ ସେ କାହିଁ ନ ରସେ ।
ବହନ ଗହନଗାମୀ ହେଉ ରାମ ଶିଶୁପାଠ ପରା ଘୋଷେ ।
ବଳିଭୁଜ ଯେସନ ।
ବନପ୍ରିୟମଧ୍ୟେ କରେ ସ୍ଵନ । ୨୭ ।
ବଂଶନଳୀରେ ରଖି ଲେଖି ବସନ ଦେଲେ ସୀତା ପାଇଁ ଆଣି ।
ବହିଲେ ସେ ପାତ୍ର ଲକ୍ଷ୍ମଣ ଇକ୍ଷ୍ଵାକୁକୁଳର ଯେ ଚୂଡା଼ମଣି ।
ବାହାରିଲେ ସେ ତିନି ।
ବଧୂ ବୋଧନ୍ତି ରାମଜନନୀ । ୨୮ ।
ବିପିନରେ ପୀନଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ ।
ବେନି ସହୋଦର ମଧ୍ୟରେ ଆଦର ବିପଥରେ କରିଥିବୁ ।
ବାଷ୍ପେ ତିନ୍ତିଲା ଉର ।
ବାଣୀ ନ ସ୍ଫୁରେ କଣ୍ଠୁ ତାଙ୍କର । ୨୯ ।
ବୋଇଲେ ସୁମିତ୍ରା ପୁତ୍ରେ ସେବିଥିବୁ ଶ୍ରୀରାମ ମାନସ ଜାଣି ।
ବିନିଦ୍ରେ ସର୍ବ ଶର୍ବରୀକି ହରିବୁ ହୋଇ ଧନୁଶରପାଣି ।
ବଧୂ ଯାଉଛି ସଙ୍ଗେ ।
ବଡ଼ ମାୟାବୀ ରାକ୍ଷସପୁଙ୍ଗେ । ୩୦ ।
ବିମାନେ ବସାଇ ନେବାରେ ସୁମନ୍ତ୍ର ଯିବାରେ ଦେଖିଲେ ଜନେ ।
ବିସ୍ମୟ ହୋଇଲେ ପଛେ ଗୋଡା଼ଇଲେ ନିନ୍ଦା ବିହିଲେ ରାଜନେ ।
ବୃଦ୍ଧ ସମୟେ କିପାଁ ।
ବାମାଠାରେ ଏଡେ଼ ଅନୁକମ୍ପା । ୩୧ ।
ବୈଶାଖ ହୋଇଲା ମନ୍ଥରା ଅଯୋଧ୍ୟା-ଭାଣ୍ଡେ ଥିଲା କ୍ଷୀର ପୂରି ।
ବଲ୍ଲବୀ କୈକେୟୀ ମନ୍ଥନରୁ ନବନୀତ ବିଶେଷ ବାହାରି ।
ବନବାସିଙ୍କି ଦେଇ ।
ବହୁଲୋଚନ ଅଶନ ପାଇଁ । ୩୨ ।
ବାକି ମନ୍ଦପଣ ତକ୍ରଚକ୍ର ଥୋଇ ହୃଦ ପିଞ୍ଜରେ ଆସକ୍ତେ ।
ବ୍ୟକ୍ତ ଲୋକରେ ଶ୍ରବଣେ ପାନ କରିଛି ଛି ତ କରିବେ ତିକ୍ତେ ।
ବୋଲାବୋଲି ଏମନ୍ତ ।
ବିରକତେ ସମସ୍ତ ଶୋକିତ । ୩୩ ।
ବୃକ୍ଷରାଜ ପରି ସାକେତ ନଗରୀ କରି ଅଲକ୍ଷ୍ମୀ ଆଶ୍ରିତ ।
ବାର ରବିର କୈକେୟୀ ଆୟତ୍ତରୁ ଅସ୍ପରଶ ହେଲା ମତ ।
ବଳ ଦଳ ଚଳନ ।
ବଶ ମନ୍ଥରା କରିଣୀ ମନ । ୩୪ ।
ବଳି ତାମସୀ ନଦୀକି ବନେ ପଶି ସେ ଦିନ ତହିଁ ରହିଲେ ।
ବାର୍ତ୍ତା ପାଇ ଶୃଙ୍ଗବେରପତି ମିଳେ ପୁଚ୍ଛୁଁ ସୁମନ୍ତ୍ର କହିଲେ ।
ବୋଲେ ଶବରଈଶ ।
ବାଣ୍ଟି ନ ଦେଲେ କିପାଇଁ ଦେଶ ? ୩୫ ।
ବାଣ୍ଟିଲେ ଯେ ଛଳେ ଏ ବନ ନଗରେ ଭବନ ନଗରେ ସେହି ।
ବ୍ୟକ୍ତି ବ୍ୟକ୍ତି ହୋଇ ସାନୁଜଯୁଜଳ ଅନୁସରଣକୁ ବିହି ।
ବଞ୍ଚିଲେ ସେ ଶର୍ବରୀ ।
ବେଢି଼ ସୈନ୍ୟ ରାଜଧାନୀପରି । ୩୬ ।
ବତିଶ ଅବତାରେ ଏକ କପିଳ ପୁଣି ସେ ଛବି ଲମ୍ପଟ ।
ବଟକ୍ଷୀରେ ଜଟ କରି ପରକଟ ପିନ୍ଧିଲେ ବକଳପଟ ।
ବାହେ ଇଙ୍ଗୁଦୀମାଳ ।
ବହେ କର୍ଣ୍ଣେ ରୁଦ୍ରାକ୍ଷ କୁଣ୍ଡଳ । ୩୭ ।
ବୋଳିହେଲେ ଭସ୍ମ ନର ନାରାୟଣ ପ୍ରାୟ ବେନିଭାଇ ଦିଶେ ।
ବଦରିକା ବନ ଭାବକୁ ସେ ବନ ସେବନ କଲା ରଭସେ ।
ବିକଳିତ ରଞ୍ଜନ ।
ବିକଳିତ ଦେଖି ହେଲେ ରାଜନ । ୩୮ ।
ବାହୁଡା଼ ନଗ୍ରକୁ ବୋଲୁଁ ଯେ ଘେନିଲେ ବେଢି଼ ଗତି ଅତି ତ୍ଵରା ।
ବସନ୍ତଗୁଣ୍ଡିଚା ଏକାମ୍ରବନେ କି ଯାତ୍ରୀ ଅକୁଗତ ପରା ।
ବିଧୁଚୂଡ଼ ଗଉରୀ ।
ବିଭାତିକି ରାମ ସୀତା ଧରି । ୩୯ ।
ବିଲେପନ ଭୁତି ଏଣୁ ଶୁଭ୍ରକାନ୍ତି ଚନ୍ଦ୍ରାର୍ଦ୍ଧଛବି ମୁକୁଟ ।
ବରବର୍ଣ୍ଣିନୀ ନାନାରତ୍ନଭୁଷଣୀ ପାରୁଶରେ ଝଟ ଝଟ ।
ବାହକ ଯେ ସୁମନ୍ତ୍ର ।
ବ୍ରହ୍ମଚାରୀ ଲକ୍ଷ୍ମଣ ବିନତ । ୪୦ ।
ବିଶ୍ରାମନ୍ତେ କିଛିଦୁରେ କହେ ନରେ ବନରେ ରଚିବା ପୁର ।
ବପ୍ତା ଦେଇଛନ୍ତି ଦଣ୍ଡକରେ ପୂର୍ବେ ନ ଥିଲା କି ଦଣ୍ଡଧରେ ।
ବୋଲ ତାଙ୍କର ମାନ ଆ
ବର୍ତ୍ତୁଁ ଆମ୍ଭେ ହୋଇ ପ୍ରଜାଜନ । ୪୧ ।
ବକ୍ତବ୍ୟ ରାଘବ ଏଥି ଅନୁରୁପ ପ୍ରଜା ଚତୁରଙ୍ଗ ଛନ୍ତି ।
ବତ୍ସକସହ ସୁରଭି ପୟୋଧର ବ୍ରଜବ୍ରଜ ଝଟକନ୍ତି ।
ବୃତ ସୁନାରୀଚୟ ।
ବିହରନ୍ତି କେତେ ତନ୍ତୁବାୟ । ୪୨।
ବ୍ୟୁତପନ ରଥ ଗନ୍ଧର୍ବ ଉଟଜେ କରିବାର ବିହାରକୁ ।
ବିଧିରେ ଶାଖୀ ଫଳକଧାରୀ ଶୋଭା ଆମ୍ଭ ପ୍ରତିପାଳନକୁ ।
ବୋଲି ମଉନ ହେଲେ ।
ବଞ୍ଚାଇ ସେ ପଥ ରାତ୍ରୁଁ ଗଲେ । ୪୩ ।
ବାହି ସୁମନ୍ତ୍ର ବିମାନ ରାମ ଆଜ୍ଞାବଶେ ଅଯୋଧ୍ୟା ଗମନ ।
ବାହୁଡି଼ଲେ ଜନେ ସେ ଚକ୍ରଚିହ୍ନକୁ ଗୋଡା଼ଇ ହରଷ ମନ ।
ବଶ ମୃଗତୃଷ୍ଣାରେ ।
ବାରି ବୁଦ୍ଧି ଯଥା ମୃଗ କରେ । ୪୪ ।
ବେଗି ଉଦବେଗୀ ହୋଇ ପରବେଶ ଭରଦ୍ଵାଜ ଆଶ୍ରମରେ ।
ବୀକ୍ଷଣ କରି ସୀତା ରାମ ଲକ୍ଷ୍ମଣ ତକ୍ଷଣ ସବୁ ପଚାରେ ।
ବୋଧି କହିଲେ ଭାଷ ।
ବୀରସିଂହ ଅରଣ୍ୟେ ବିଳସ । ୪୫ ।
ବିରାଜ ତୀକ୍ଷ୍ଣ ନାରାଚ କରଦରେ ମଦାନ୍ଧକରୀ ଅସୁରେ ।
ବିମୋହିତ ହେବ ଚିତ୍ରକୂଟ ଗିରି କ୍ରୋଟେ କରିବାରୁ ପୁର ।
ବହେ ପୟସ୍ଵୀ ନଦୀ ।
ବିଶେଷିତ ତହିଁ ହୋଇ ସ୍ଵାହୀ । ୪୬ ।
ବଞ୍ଚି ସେ ଦିନକ ଜନକ ଗଉରୀ ଗଉର ମର୍କତଗାତ୍ର !
ବର୍ତ୍ମରେ ଗମନ ବନ୍ୟନାରୀ ଚାହିଁ ଚକିତ ସ୍ଥକିତ ନେତ୍ର ।
ବର କାଗଜଚକୀ ।
ବିଲୋକନ୍ତି ଯେମନ୍ତ କୁତୁକୀ । ୪୭ ।
ବୋଲାବୋଲି ହେଲେ ପରମ ସୁନ୍ଦର ବର ଏ ପଥିକ ଦୁଇ ।
ବଲ୍ଲଭୀ ପୁଣି ରମଣୀ ଶିରୋମଣି କାହାର ଥିବଟି ହୋଇ ।
ବୋଲି ନିକଟେ ଗଲେ ।
ବଇଦେହୀଙ୍କି ସେ ପଚାରିଲେ । ୪୮ ।
ବରାରୋହା ଏ ପୁରୁଷ ସାର ଦୁହେଁ ସୋଦର କିବା ତୁମ୍ଭର ।
ବୁଲନ୍ତି ଜଗତେ ଘେନି ସଙ୍ଗତରେ ସୁସମେ ନ ମିଳେ ବର ।
ବୋଲୁଁ ଶିର କମ୍ପାଇ ।
ବର ଦେବର କେ ଯାଅ କହି । ୪୯ ।
ବିଳମ୍ବ କରନ୍ତେ ପ୍ରଳମ୍ବ କୁନ୍ତଳା ଡା଼କେ ଲକ୍ଷ୍ମଣ କୁମାର ।
ବାମାଙ୍କୁ ବୋଧିଲେ ଏ ଦେବର ବୋଲି ମନ୍ଥର ଗତି ସତ୍ଵର ।
ବୃଦ୍ଧି କରନ୍ତେ ନୋହି ।
ବରଟା କି ଗର୍ଭାଳସୀ ହୋଇ । ୫୦ ।
ବନରୁହଦଳେ ଚାଳିଲା ପରାୟେ ପରତେ ଏ ନୋହେ ଛଦ୍ମ ।
ବିନ୍ୟାସ ଚରଣ କଲା ସ୍ଥଳେ ଯହିଁ ଉତ୍କୁଟି ଯାଉଛି ପଦ୍ମ ।
ବସୁଛନ୍ତି ରୋଲମ୍ବ ।
ବାଲିଚିହ୍ନକୁ ଦିଅନ୍ତି ଚୁମ୍ବ । ୫୧ ।
ବ୍ୟକତ ହୋଇବାଯାଏ ଚାହୁଁଥିଲେ ପକ୍ମଣବାସୀ ଗମିଲେ ।
ବିହି ଭେଳା ବାଳା ସହୋଦର ମେଳା ଗଙ୍ଗା ପାର ହୋଇ ଗଲେ ।
ବିଜେ ଚିତ୍ରକୂଟର ।
ବାନପଦେ କହେ ବୀରବର । ୫୨ ।