ବୈଦେହୀଶ ବିଳାସ/ବିଦେହ ରାଜନ ଭୋଜି ସମ୍ଭାର ଭିଆଇ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଷୋଡ଼ଶ ଛାନ୍ଦ: ବିଦେହ ରାଜନ ଭୋଜି ସମ୍ଭାର ଭିଆଇ

ଷୋଡ଼ଶ ଛାନ୍ଦ: ବିଦେହ ରାଜନ ଭୋଜି ସମ୍ଭାର ଭିଆଇ

ରାଗ-ନଳିନୀଗୌଡା଼

ବିଦେହରାଜନ ଭୋଜି ସମ୍ଭାର ଭିଆଇ ।
ବିଳୋହିଲେ ଦଶରଥ ବନ୍ଧୁବର୍ଗ ନେଇ ଯେ । ୧ ।
ବସନ ରତ୍ନ ଭୂଷଣ କୁସୁମ ଚନ୍ଦନେ ।
ବନ୍ଦିଲେ ସତ୍ଵରେ ଅତି ଆନନ୍ଦିତ ମନେ ଯେ । ୨ ।
ବସାପୁରେ ବରକନ୍ୟା ଘେନି ଗଲାବେଳେ ।
ବସାଇ କୋଳେ ଜନନୀମାନେ ତିଆରିଲେ ଯେ । ୩ ।
ବୀରସୂ ସନ୍ନିଧେ ହେଉଁ ବଧୂ ଆଲୋକରେ ।
ବିରସୁଁ ଉଦ୍ଧରି ହେଲେ ଥିଲେ ଏ ଲୋକରେ ଯେ । ୪ ।
ବରଙ୍କ ସୁଷମା ସମା କନ୍ୟା ଥିବେ କାହିଁ ।
ବିଚାରୁଥିଲାଇଁ ବିହି ଭଲା ଥିଲା ବିହି ଯେ । ୫ ।
ବର୍ତ୍ତମାନ ଭୂତ ଭବିଷ୍ୟତରେ ଶୋଭାସାର ।
ବୋଲିବାର ସମ୍ଭବିଲା ଏହାଙ୍କ ଠାବର ଯେ । ୬ ।
ବସୁମତୀ ଗର୍ଭୁଁ ଗ୍ରହ ଦୈତ୍ୟ ଜାତ ହୋଇ ।
ବିଭୃତି ତା ଗର୍ଭେ ସୀତା ହୋଇଥିଲା କେହି ଯେ । ୭ ।
ବାରୁଣୀ ବିଷ ଅମୃତ ଯଥା ସିନ୍ଧୁଜାତ ।
ବିଶ୍ଵମ୍ଭରାରୁ ଜାନକୀ ଜନିତ ତେମନ୍ତ ଯେ । ୮ ।
ବିଧି ଭଲା ବିଧି ଭଲା ଏ ଜାତ ହେବାକୁ ।
ବୋଲିଥିଲା ଗନ୍ଧବତୀ ରତ୍ନଗର୍ଭା ତାକୁ ଯେ । ୯ ।
ବରବର୍ଣ୍ଣିନୀ ବରଙ୍କ ଚଉଠି ଉତ୍ସବ ।
ବରବର୍ଣ୍ଣିନୀ କ୍ରୀଡା଼କୁ ରଚିଲେ ବାନ୍ଧବ ଯେ । ୧୦ ।
ବନକ ହରିତାଳେ କି ପ୍ରଳୟ ହୋଇଲା ।
ବର୍ଣ୍ଣାଞ୍ଜନ ଜନ ହେଲେ ସୁବର୍ଣ୍ଣପିତୁଳା ଯେ । ୧୧ ।
ବିଶିଖଘରାଦି ବିଧି ପାଇଲେ ପର୍ଣ୍ଣକୁ ।
ବୋଲାଇଲେ ଅଜସୁତ ପୁର ଗମନକୁ ଯେ । ୧୨ ।
ବିଭରଣ କରି ଆଣି ବୁହାଇ ଜନକ ।
ବଚନୀୟ ନୋହେ ଯେତେ ଦେଲେ ଯଉତୁକ ଯେ । ୧୩ ।
ବାତାୟୂଲୋମଜ କଉଶେୟ ଜରିବସ୍ତ୍ର ।
ବ୍ରହ୍ମାସ୍ତ୍ର ସମାନ କରି ସମର୍ପିଲେ ଅସ୍ତ୍ର ଯେ । ୧୪ ।
ବୃଷାହୟ ପରି ହୟଚୟ, କରୀ ତହିଁ ।
ବାସବ-ଗଜ-ତନୟ ନୟ ଉପୁଜଇ ଯେ । ୧୫ ।
ବାରାଂନିଧି ଶୂନ୍ୟ କଲା ପରି ରତ୍ନ ଦିଏ ।
ବେଳବୁଝା ପାରାବତ ଜ୍ୟୋତିର୍ବିଦ ପ୍ରାୟେ ଯେ । ୧୬ ।
ବିହଙ୍ଗେ ଶୁକ ସରିକା ଶ୍ଳୋକ ପଢା଼ ହୋଇ ।
ବିଦ୍ୟାଧରୀ ବିଜିତା ଦାସୀ ତ ଥିଲେ ଦେଇ ଯେ । ୧୭ ।
ବାହାରିଲେ ଛାଡି଼ ଯେ ମିଥିଳା ନରେଶ୍ଵର ।
ବିଜୟେ ସୁଖାସନରେ ଚାରି କନ୍ୟା ବର ଯେ । ୧୮ ।
ବଳ ସାଜି ଗମନ ବାଜନ୍ତେ ବାଦ୍ୟମାନ ।
ବଳପର ଆଦି ଦେବେ କରନ୍ତି ଲୋକନ ଯେ । ୧୯ ।
ବିଶାଳ ଭୂପାଳ ମେଳ ହୋଇଲେ ପଥର ।
ବଂଶେ ମିତ୍ରର ଯେ ଜାତ କେ ହୋଇବ ପର ଯେ । ୨୦ ।
ବୀରବାହୁ ଭୃଗୁପତି ତ୍ରାସ ଦେବାପାଇଁ ।
ବାସ କଲା ଗିରି ଭୃଗୁ ଚମକନ୍ତେ ତହିଁ ଯେ । ୨୧ ।
ବୀତିହୋତ୍ର ପରାୟେ ସ୍ଵଭାବେ ତେଜୋବନ୍ତ ।
ବୀରତୂର ଘୃତାହୁତି ଲାଗି ପ୍ରଜ୍ଜ୍ଵଳିତ ଯେ । ୨୨ ।
ବିଦିତ କାଷ୍ଠାବଳିରେ ଲାଗି ପାଁଶୁ ବର୍ଷେ ।
ବ୍ୟାକୁଳିତ ଦଶରଥ ହେଲେ ସେହି ତ୍ରାସେ ଯେ । ୨୩ ।
ବୋଇଲେ ପ୍ରଚଣ୍ଡ ନଳ ଆସୁଅଛି ଜଳି ।
ବୁଦ୍ଧି ନ ଦିଶେ କୁମରେ ହେଲେ ତୃଣାବଳି ଯେ । ୨୪ ।
ବିଶ୍ଵାମିତ୍ର ଶ୍ରବଣରେ କଲେ ପ୍ରତିଭାଷ ।
ବିନାଶ ତହିଁ ଉତ୍ପତ୍ତି ଯହିଁରୁ ନ ଘୋଷ ଯେ । ୨୫ ।
ବ୍ୟୋମ ଅଯୋଧ୍ୟାରେ ଉଦେ ମୁଦିର ସୁନ୍ଦର ।
ବହ୍ନି ତପନ କେମନ୍ତେ ରହିବ ତାହାର ଯେ । ୨୬ ।
ବାମଦେବ ବୋଇଲେ କରିଛି ତୋତେ ରକ୍ଷା ।
ବାଞ୍ଛି ପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଯେ । ୨୭ ।
ବଶିଷ୍ଠ ବୋଇଲେ ଗ୍ରହ ମଙ୍ଗଳ ବୋଲାଇ ।
ବିନା ଦାନେ ଶାନ୍ତି ନୋହେ ଅମଙ୍ଗଳଦାୟୀ ଯେ । ୨୮ ।
ବୀରଶାର୍ଦ୍ଦୂଳ ଲୋକନେ ଭାଜେ ସୈନ୍ୟମୃଗ ।
ବିନୟୀ ହେଲେ ନୃପତି ଅତ୍ୟନ୍ତ ଉଦ୍ଵେଗ ଯେ । ୨୯ ।
ବୃଦ୍ଧକାଳେ ପୁତ୍ରଦାନ କଲେ ଋଷ୍ୟଶୃଙ୍ଗ ।
ବିବାହ ଉତ୍ସବ କରି ବାହୁଡୁ଼ଛି ନଗ୍ର ଯେ । ୩୦ ।
ବିଜେ କଲ କୃପାରେ ଏଠାକୁ ଭୃଗୁରାଜ ।
ବୃଦ୍ଧି ହେବ ଆୟୁ ତାଙ୍କୁ ଦିଅ ପାଦରଜ ହେ । ୩୧ ।
ବିଷ୍ଣୁର ଆବେଶ ଅବତାର ହୋଇ ତବ ।
ବିଜ୍ଜ୍ଵଳିତ କୋପେ ଭକ୍ତ ଭକ୍ତି ନ ଘେନିବ ହେ । ୩୨ ।
ବୋଲୁଁ ବୋଲେ ଯେଉଁ ରାମ ବଡା଼ଇ ପ୍ରକଟେ ।
ବୀରବାଦ୍ୟ ବଜାଇ ଯାଉଛି ମୋ ନିକଟେ ଯେ । ୩୩ ।
ବିଶ୍ଵେ ନ ଜାଣେ କ୍ଷତ୍ରିୟବିମର୍ଦ୍ଦନବାନା ।
ବସୁଧାରେ ତାର ଶିର ଲୋଟାଇବି ସିନା ଯେ । ୩୪ ।
ବୋଲେ ନୃପ କ୍ଷୀରକଣ୍ଠ ମାରି କେଉଁ ଯଶ ।
ବିକ୍ରମିଣ ଗଲା ସେ ନ ଶୁଣି ରାଜା ଭାଷ ଯେ । ୩୫ ।
ବକ୍ତା ଲକ୍ଷ୍ମଣ କାହାକୁ ପଚାରିଲେ ପ୍ରାୟେ ।
ବାଚାଳେ କାହୁ ପ୍ରବେଶ ଆମ୍ଭ ସୈନ୍ୟେ ହୁଏ ଯେ । ୩୬ ।
ବ୍ୟାଳେ ଲୋଷ୍ଟ୍ର ପ୍ରହାରିଲା ପ୍ରାୟେ ରହି କହି ।
ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି ଯେ । ୩୭ ।
ବିଷକଣ୍ଠ ଯେବେ ତବ ଗୁରୁ ହେବା, ସ୍ତବ ।
ବିରଚି କି ଆସିଅଛ କହୁଁ କହେ ଜବ ଯେ । ୩୮ ।
ବଂଶଧନୁ କୀଟଭେଦ ଥୋଉଁ ଥିଲା ହୋଇ ।
ବିଭଞ୍ଜନେ ତାହା ମହାବୀର ଯେ ବୋଲାଇ ଯେ । ୩୯ ।
ବଧ ଆଗ ତାକୁ ବିଚାରିବା ପଛେ ତୁହି ।
ବୋଲେ ଅନ୍ଧମତେ ଚନ୍ଦ୍ର ସୂର୍ଯ୍ୟ ଯଥା ନାହିଁ ଯେ । ୪୦ ।
ବିଭ୍ରାଜି ପରଶୁରାମ ଶ୍ରୀରାମ ଭେଟିଲା ।
ବିବାଦୀ ତାହାଙ୍କୁ ସେହି ସେକାଳେ ଘୋଟିଲା ଯେ । ୪୧ ।
ବିଷମସମସ୍ୟା ଦେବା ପୂରଣ ଏଠାରେ ।
ବିଦିତ ଖଣ୍ଡେନ୍ଦୁ କିବା ପୂର୍ଣ୍ଣେନ୍ଦୁ ଆଗରେ ଯେ । ୪୨ ।
ବିଧୁ ଅବତାର ଦୁହିଙ୍କର ସେହିପରି ।
ବିନ୍ୟସ୍ତ ଦ୍ଵିତୀୟା ଆଗେ ପଛେ ରାକା କରି ଯେ । ୪୩ ।
ବୋଇଲେ ରଘୁନନ୍ଦନ ଆହେ ବିପ୍ରବର ।
ବାହୁଜ ବୃତ୍ତିରେ କିପାଁ ଅଇଲ ଏଠାର ଯେ । ୪୪ ।
ବ୍ୟାଜ ଏ ଶବର ପ୍ରାୟେ କୁଠାରେ ତ ବହ ।
ବୃତ୍ତି କରିଛ ସମିଧ ବିକ୍ରୟ କି କହ ହେ ? ୪୫ ।
ବିଷ୍ଟର କରକ ପାତ୍ରୀ ବହିବାକୁ ଦେବା ।
ବ୍ରାହ୍ମଣ୍ୟ ! ଆମ୍ଭେ ତୁମ୍ଭଙ୍କୁ ପୂଜନ କରିବା ହେ । ୪୬ ।
ବାଲ୍ମୀକି ଖଣ୍ଟବୃତ୍ତିକି ଆଶ୍ରେ କରିଥିଲେ ।
ବନ୍ଦ୍ୟ ଜଗତେ ସେ ସାଧୁ ଦର୍ଶନେ ହୋଇଲେ ଯେ । ୪୭ ।
ବିଚାରି ଏମନ୍ତ ଆସିଥିଲେ ଭଲ କଥା ।
ବ୍ୟଥା ଲଭି ରୈଣୁକେୟ ବୋଇଲେ ଏ ବୃଥା ଯେ । ୪୮ ।
ବନେ ପଶି ସ୍ତିରୀଏ ତାଡ଼କି ନାମେ ହାଣି ।
ବହୁତକାଳରୁ ଥୁଆ ଧନୁ ଭାଙ୍ଗି ପୁଣି ଯେ । ୪୯ ।
ବୀରଧୃ ପ୍ରକାଶିଅଛୁ ମୋର ଧନୁ ଧର ।
ବିଗ୍ରହ କି ଆରମ୍ଭିବା ଦାଶରଥିଠାରେ ଯେ । ୫୦ ।
ବାମକର ବଢା଼ଇଲେ ରାମ ଶୁଣିକରି ।
ବଢା଼ଇ ଦେଉଁ ସେ ଧନୁ ବିଷ୍ଣୁ ତେଜ ହରି ଯେ । ୫୧ ।
ବିମନା ଜାନକୀ ଯେ ସପତ୍ନୀ ଭଯ ଗୁଣି ।
ବିଭଞ୍ଜାଇ ଋଷି ଏତ ପୁଣି ଚାପେ ଆଣି ଯେ । ୫୨ ।
ବୋଧିଲେ ବଲ୍ଲଭୀ କାନ୍ତ କର୍ଣ୍ଣପାଶେ କହି ।
ବଳ କଷେ ବିବାହକାର୍ଯ୍ୟ ଏ ନୋହେ ସହି ଗୋ । ୫୩ ।
ବସିବାଠାବରେ ଗୁଣ ଦେଇ ସନ୍ଧି ଶର ।
ବିନ୍ଧିବା କାହିଁକି ବୋଲି ପଚାରିଲେ ବୀର ଯେ । ୫୪ ।
ବୋଲେ ପରଶୁରାମ ମୋ ପାପଭାର ଛେଦ ।
ବିଚ୍ଛେଦିଲେ ରାମଚନ୍ଦ୍ର ସେ ହେଲେ ପ୍ରମୋଦ ଯେ । ୫୫ ।
ବାହୁଡ଼ନ୍ତେ ପ୍ରଦକ୍ଷିଣ କରି ଦେବବୁଦ୍ଧି ।
ବାଜିଲା ବିବିଧ ବାଦ୍ୟ ବିଜେ କୃପାନିଧି ଯେ । ୫୬ ।
ବଳଗଣ୍ଡିଠାରେ ରହି ଯଥା ଜଗନ୍ନାଥ ।
ବିଜେ ପୁଣି ଜନକ ସନ୍ତୋଷେ ଚାଳି ରଥ ଯେ । ୫୭ ।
ବିସ୍ତାରି ତ ଜୟ ଶବ୍ଦ ହେଲା ଦଶଦିଶ ।
ବଡ଼ ଦେଉଳ ସାକେତେ ହେଲେ ପରବେଶ ଯେ । ୫୮ ।
ବିଧିରେତ ବେନି ମହୋତ୍ସବ ଅବଲୋକ ।
ବୃନ୍ଦାରକେ ଏକା ମିତ୍ରକରଣେ ବିବେକ ଯେ । ୫୯ ।
ବଚନ ନାହିଁ ଯହିଁ କି ଉପମା ତାକୁ ସେ ।
ବଇକୁଣ୍ଠ ମର୍ତ୍ତ୍ୟେ ସେହି ଯେ ପୁରେ ବିଳସେ ଯେ । ୬୦ ।
ବଳେ ଛଡା଼ଇ ଚନ୍ଦ୍ରୁ ସେ ସୁଧାକର ପଦ ।
ବିଶଦ ହାସେ ଉଡା଼ଇ ରଖେ ବିଷ୍ଣୁପଦ ଯେ । ୬୧ ।
ବିଷ୍ଣୁପଦ ସମ୍ପଦ ଲୁଟିରୁ ରତ୍ନମୟେ ।
ଚଢା଼ଇ ପତାକା କର ଆଣିଲାର ପ୍ରାୟେ ଯେ । ୬୨ ।
ବାଟିକା ଯହିଁର କରେ ନନ୍ଦନ ନିନ୍ଦନ ।
ବଲ୍ଲିକା କୁସୁମ ପାରିଜାତକ ବନ୍ଦନ ଯେ । ୬୩ ।
ବଦେ ଜିଣେ କଳ୍ପଦ୍ରୁମ ଯହିଁ ବୃକ୍ଷପନ୍ତି ।
ବିଦୃଶ୍ୟ ଫଳ ସେ ଦୃଶ୍ୟ ଭଳେ ଏ ରାଜନ୍ତି ଯେ । ୬୪ ।
ବିପୁଳ କ୍ଳେଶ ଲଭ୍ୟ ସେ ଏ ଲଭ୍ୟ ଅକ୍ଳେଶେ ।
ବିଦ୍ୟାଧରୁ ଚଳି ପିକ ସପ୍ତସ୍ଵର ଘୋଷେ ଯେ ୬୫ ।
ବୀଣା ତେଜିବେ ନାରଦ ଶୁକପଢା଼ ଶୁଣି ।
ବିହରନ୍ତି ତହିଁ ସୀତା ଘେନି ରଘୁମଣି ଯେ । ୬୬ ।
ବିଷ୍ଣୁଆଣୀକି ଆଣନ୍ତି ଜାନୁରେ ବସାଇ ।
ବାର୍ଦ୍ଧିଗଙ୍ଗାଛବି ଲଭେ କୋଳାକୋଳି ହୋଇ ଯେ । ୬୭ ।
ବତ୍ସେ ଉତ୍ସୁକଭାବରେ କରାଉଁ ଶୟନ ।
ବିଦ୍ୟୁତକେଳି ଉଜ୍ଜ୍ଵଳ ଜଳଦ କୁଣ୍ଠନ ଯେ । ୬୮ ।
ବନ୍ଧୁକ ଭୃଙ୍ଗ ବନ୍ଧୁତା ଓଷ୍ଠପାନବେଳେ ।
ବୃଷଧ୍ଵଜ ପୂଜନ ଉରଜେ କର ଦେଲେ ଯେ । ୬୯ ।
ବନଜେ ନୀଳଉତ୍ପଳ ପବନେ କି ଢଳେ ।
ବିମଳ ଗଣ୍ଡ ଚୁମ୍ବନେ ସେ ରୀତି ବହିଲେ ଯେ । ୭୦ ।
ବାହୁ କରେ ଧରି ହେଉଁ ଆରାମପ୍ରବେଶୀ ।
ବାରିଦେ ପଶିଲା ପ୍ରାୟେ ଏକ ତାରା ଶଶୀ ଯେ । ୭୧ ।
ବାଗ୍ଦେବୀ ଗଣେଶ କବିତ୍ଵରେ ବାଦକୃତ ।
ବ୍ରତତୀରେ ଉକ୍ତି ପ୍ରତିଉକ୍ତିରେ ତେମନ୍ତ ଯେ । ୭୨ ।
ବିଧାତା ବଶରେ ପିତୃଦିବସ ପ୍ରବେଶ ।
ବନେ ମୃଗୟା ଗମନ ଜନକ ଆଦେଶ ଯେ । ୭୩ ।
ବଣା ସେ ଖଡ୍ଗୀନ ହୋଇ ଖଡ୍ଗୀନ ସଙ୍ଗତ ।
ବନ୍ଧାଇଲେ ଗୁଲ ଶବରେଶ ସଙ୍ଗେ ମିତ ଯେ । ୭୪ ।
ବାହୁଡି଼ ନଗରେ ଜୀବେ ଜୀବେଶ ହୋଇ ସେ ।
ବିଦେହ ଗମନ କଲେ ଜନକ ଏ ଶେଷେ ଯେ । ୭୫ ।
ବିଲୋକନ ଅର୍ଥରେ ଭରତ ଶତ୍ରୁଘନ ।
ବପ୍ତା କୈକେୟୀର ନିଆକେ ତୋଷମନ ଯେ । ୭୬ ।
ବାସିତା-ସୀତାଙ୍କୁ ଘେନି ତ୍ରିକାଳ ବଞ୍ଚନ ।
ବିଭରତି ଦିଗନ୍ତରେ କଳକଣ୍ଠ ସ୍ଵନ ଯେ । ୭୭ ।
ବିରୋଚନ ସୁଖ ଦାନ ଦରଶନ କରେ ।
ବନେ କେଳିକୃତ ଚିତ୍ତ ଆଦର ନିଶାରେ ଯେ । ୭୮ ।
ବିଗ୍ରହୁ ସୀତାର ଜାତ ହିମ ଜଡେ଼ ଉଷ୍ମ ।
ବସନ୍ତ ଗ୍ରୀଷମେ ଅତିଅ ଶୀତଳ ତ ବର୍ଷ୍ମ ଯେ । ୭୯ ।
ବରଷା ଶରଦେ ଦୁଇ ମତ ଥାଇ ବହି ।
ବିଦଗ୍ଧହେମାଙ୍ଗୀ ଗନ୍ଧସାରବାସୀ ସେହି ଯେ । ୮୦ ।
ବ୍ୟାପାର ଋତୁମାନଙ୍କେ ଲୋଡା଼ ନ କରଇ ।
ବିମୋହିତ ଋତୁରେ କେବଳ ତାଙ୍କୁ ଦେଇ ଯେ । ୮୧ ।
ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।
ବୟାଶୀପଦେ ପଣ୍ଡିତେ ଏ ସ୍ଵାଦୁରେ ରସ ହେ । ୮୨ ।