Jump to content

ବୈଦେହୀଶ ବିଳାସ/ବିଚିତ୍ରିତ ଚିତ୍ରରେ ହୋଇଥିଲେ

ଉଇକିପାଠାଗାର‌ରୁ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପଞ୍ଚଦଶ ଛାନ୍ଦ: ବିଚିତ୍ରିତ ଚିତ୍ରରେ ହୋଇଥିଲେ

ପଞ୍ଚଦଶ ଛାନ୍ଦ: ବିଚିତ୍ରିତ ଚିତ୍ରରେ ହୋଇଥିଲେ

ରାଗ-କେଦାର, ଚକ୍ରକେଳି ବାଣୀ

ବିଚିତ୍ରିତ ଚିତ୍ରରେ ହୋଇଥିଲେ । ବାମା ମଧୁଶଯ୍ୟାକୁ ମଣ୍ଡାଇଲେ ।
ବପୁବନ୍ତରେ ହୋଇଛି ରଞ୍ଜନ । ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ । ୧ ।
ବିପତନ ଯେ ପଲଙ୍କ ପଲକ । ବେଣୀ ରତ୍ନପ୍ରଦୀପରେ ଅଧିକ ।
ବେଣୀ ଶୋଭା ଅଗୁରୁ ଧୂମ ଧାର । ବହିଅଛି ଅଳକା ମନୋହର । ୨ ।
ବକ୍ର ଦର୍ପଣ ଚନ୍ଦ୍ରାତପେ ଶୋହି । ବିନୋଦକୁ ପ୍ରକାଶିବାରେ ସ୍ନେହୀ ।
ବିହି ପୁରେ ରୁପକ ଶ୍ଳେଷ ଛନ୍ଦି । ବହେ ଦମ୍ପତି ହେବେ ବନ୍ଧାବନ୍ଧି । ୩ ।
ବସୁ ତହିଁ ରାମ ହେଲେ ରାଘବ । ବିଧିରେ ତ ବାସକସଜ୍ଜା ଭାବ ।
ବିଲୋକିତ କାନ୍ତା ସ୍ମରି ଆଗତେ । ବଳି ଚିତ୍ତଦ୍ୱାରେ ଚାହିଁ ଆରତେ । ୪ ।
ବିରହରେ ଉତ୍କଣ୍ଠିତା ପ୍ରକାଶି । ବିହିବାକୁ ସୁରସ ମାନ ଘୋଷି ।
ବିମ୍ବାଧରେ ହୋଇବାକୁ ଖଣ୍ଡିତା । ବେଗ ବେଗ ହୋଇଅଛି ମମତା । ୫ ।
ବହୁବଚନେ ଏଣୁ ସିଦ୍ଧ ତର୍କି । ବ୍ୟାକରଣେ ରାମ ରାମା କରି କି ?
ବିହି ଏଣୁ ଗୀତେ ଯୋଷା ସୁଷମା । ବୋଲନ୍ତି ପାଶ୍ଚାତ୍ୟେ ଶ୍ରୀରାମା ରାମା । ୬ ।
ବିଲକ୍ଷିତ ହୋଇବ କିପାଁ କଲେ । ବିରୋଚନ ମୋହନେ ରାମା ହେଲେ ।
ବୟସୀଏ ଏ କାଳେ ସୁଲକ୍ଷଣୀ । ବିଜେ କରାଇଲେ ବାଜୁଁ କିଙ୍କିଣୀ । ୭ ।
ବଡ଼ ତୃଷାର୍ତ୍ତୀ ଚାତକ ଯେମନ୍ତ । ବାରିବାହ ଧ୍ୱନି ଶୁଣି ତେମନ୍ତ ।
ବିଦ୍ୟୁ ବିଦ୍ୟୁତକାନ୍ତି ଦିଶିଗଲା । ବର୍ଦ୍ଧମାନ ତୋଷ ଅତି ହୋଇଲା । ୮ ।
ବାଳା ରହୁଁ କେଳିପୁର ସନ୍ନିଧି । ବୟସିକାଏ ଛଳଭାବେ ବୋଧି ।
ବିକର୍ତ୍ତନ ତେଜେ ମୋଦ ପଦ୍ମିନୀ । ବିକର୍ତ୍ତନବଂଶୀ ସେ ତୁ ପଦ୍ମିନୀ । ୯ ।
ବାକଚାତୁରୀ କେମନ୍ତ ରହିଲା । ବଲ୍ଲଭରେ ସମର୍ପିବା ହୋଇଲା ।
ବଳାଇଣ ବଳେ ଦ୍ୱାର ଦେହଳୀ । ବାହୁଡି଼ଲେ କବାଟ କିଳି ଆଳୀ । ୧୦ ।
ବଳେ ବସାଉଁ ତଳେ କୋଳେ କାନ୍ତ । ବିରାଜିତ ପ୍ରଭାରେ ଦୁର୍ଗା ମତ ।
ବ୍ରୀଡା଼ବତୀ ଚଞ୍ଚଳ ନ ଛାଡି଼ଲେ । ବୋଧୁଁ ବିନୟେ ଧୀରା ଧୀରା ହେଲେ । ୧୧ ।
ବିଦଗଧ ଶ୍ରୀରାମଚନ୍ଦ୍ର କହେ । ବନ୍ଧୁ ଜୀବନ ଥିବାରେ ଏ ଦେହେ ।
ବିଳାସିନୀ ନ କରିବି ଆନକୁ । ବୋଲି ଛୁଇଁ ଦୀପ ହୁତାଶନକୁ । ୧୨ ।
ବଇଦେହୀ କେଶୁଁ କାଢି଼ କେତକୀ । ବର୍ଣ୍ଣ ଲିଖିତ ପୋଛି କସ୍ତୁରୀକେ ।
ବଳି ନାହିଁ ଆନେ ଆଜଯାଏ ତ । ବଳାଇବି ଜନ୍ମେ ଜନ୍ମେ ମୋ ଚିତ୍ତ । ୧୩ ।
ବର ମଣ୍ଡପରୁ ଯିବ ବାହୁଡି଼ । ବାର୍ତ୍ତାବହେ ତୁମ୍ଭଙ୍କୁ ନେବି ଲୋଡି଼ ।
ବୀରମୁକୁଟେ ପତ୍ର କରି ଦତ୍ତ । ବିନ୍ୟସ୍ତ ଯେ ପ୍ରଦୀପେ କଲେ ହସ୍ତେ । ୧୪ ।
ବଇଦର୍ଭୀ ଚାତୁରୀ ପ୍ରକାଶିତ । ବତ୍ସେ ସଂଯୋଗି ପଢି଼ ରଘୁସୁତ ।
ବତ୍ସପାଦ ଚିହ୍ନ ପରି ହୃଦରେ । ବାହ୍ୟେ ନ ଦିଶି ରଖିଲେ ଭିତରେ । ୧୫ ।
ବିଶଦତା ଚିତ୍ତ ନଭେ ଉଦୟ । ବିନିର୍ଗତ ହେଲା ଘନ ସଂଶୟ ।
ବିମଳତା ରସ ଖ୍ୟାତ ହୋଇଲା । ବିକାଶକୁ କାଶ ହାସ ପାଇଲା । ୧୬ ।
ବନଜୀନୀ ଶେଯ ସରେ ରାଜିତା । ବହେ ପୁଲକରାଜି ପ୍ରଫୁଲ୍ଲତା ।
ବନ୍ଧ ସର୍ବତୋଭାବେ ଗଲା ଦିଶି । ବିଚଳିତ ନିର୍ମଳେ ହେଲା ଶଶୀ । ୧୭ ।
ବିସ୍ତୃତ ଯେ ହଂସକର ନିଃସ୍ୱନ । ବିତପନ ନକ୍ଷତ୍ରମାଳା ପୁନ ।
ବ୍ୟୁତ୍ପତ୍ତିରେ ଯୁବତୀ ଋତୁମତୀ । ବିଧୂନନେ ଶରଦ ହେଲା ଖ୍ୟାତି । ୧୮ ।
ବୀରେ ବିଖ୍ୟାତ ତୁ ସାରସଦୃଶା । ବଦନରେ ଜଡ଼କର ପ୍ରଶଂସା ।
ବିମ୍ବାଧରେ ତ ସଦନ ମଧୁର । ବକ୍ଷୋରୁହେ ଗିରିସମ ବିଚାର । ୧୯ ।
ବିଧି ଘନଜଘନା ବୋଲିବାର । ବ୍ୟବହାର ଖ୍ୟାତ ସର୍ବ ସେଠାର ।
ବିନାଶନ ହେଲା ନିଶା ଏକାଳେ । ବେଶ୍ୟା ପ୍ରାୟେ ଗଗନ ବିରାଜିଲେ । ୨୦ ।
ବିଧୂ କୋଳ ଦିଗ ବେଶ୍ୟା ତେଜିଲା । ବେଗେ ସବିତା ଭାବରେ ମଜ୍ଜିଲା ।
ବନଜୀନୀ ଯେ କୁଳଟା ସ୍ୱଭାବେ । ବିକର୍ତ୍ତନ ଉଲ୍ଲସେ ସେ ଭୃଙ୍ଗ ଚୁମ୍ବେ । ୨୧ ।
ବଳିଭୁଜ ସତ୍ୟବାକ ରଚନା । ବିବୁଧେ ଯେ ସେ ବେଶ୍ୟାବଶ ସିନା ।
ବାୟସ ସାହୁ ଡାକକୁ ପେଚକ । ବୃକ୍ଷକ୍ରୋଡେ଼ ଲୁଚେ ହୀନ ଖାତକ । ୨୨ ।
ବିଚକ୍ଷଣା କୁମୁଦିନୀ ଦେଖାଇ । ବିଷ୍ଫାରିତ ମୁଦ୍ରିତେ ସତୀ ମୁହିଁ ।
ବସି ନ ପାରି ନ ରସି ଭ୍ରମର । ବ୍ୟର୍ଥ ବାଦ ଦେଇ କରେ ଝଙ୍କାର । ୨୩ ।
ବାୟୁ ମନ୍ଦ ଗୁଣକୁ ଆଶ୍ରେ କରି । ବାସ ପୁଷ୍ପବତୀର ନେଲା ହରି ।
ବିଶ୍ୱେ ସମୀର ହୋଇଲା ରଜକ । ବିଚାରୁଛି ଅନୁସ୍ୱାରେ ଅଧିକ । ୨୪ ।
ବଲ୍ଲୀଠାରୁ କାମୁକୀ ବଳି ନାହିଁ । ବିନୋଦକୁ କୁସୁମେ ଯେଣୁ ଦେଇ ।
ବିହଇ ଯେ ସମ୍ଭୋଗକୁ ମଧୁପ । ବେନି ସବୁ କାଳରେ ଅନୁରୂପ । ୨୫ ।
ବେଶ୍ମେ ଦୀପ ମଳିନ ହେବା ଚାହି ଁ । ବାହାରିଲେ କାନ୍ତପାଶୁଁ ବୈଦେହୀ ।
ବାମଦେବାରି ଯେ ରଣେ ହାରିଲା । ବିଜୟ ତା ରଥ କି ଲେଉଟିଲା । ୨୬ ।
ବିଳମ୍ବିତ ଗତି ଆନ୍ଦୁ ବିହିତେ । ବାରଣ କି ଯୋଚିଥିଲା ଏ ପ୍ରତେ ।
ବନ୍ଧୁହୀନେ ପୁଷ୍ଠେ ଲୋଟେ ଚିକୁର । ବୈଜୟନ୍ତୀ ଅଧୋଗତି ପ୍ରକାର । ୨୭ ।
ବଳା ଅଳ୍ପ ଝୁମୁଝୁମୁ ସ୍ୱନିତ । ବାଜେ ପରାଜୟ ତୂର ଯେମନ୍ତ ।
ବିନ୍ଧେ ନୟନଛଳେ ନୀଳୋତ୍ପଳ । ବାମ ଦକ୍ଷିଣେ ଶର କି ଚଞ୍ଚଳ । ୨୮ ।
ବେଢିଗଲେ ସଜନୀ ଚାରିପାଶେ । ବିଧାନୀ ସେ ନୋହିଲେ ପରିହାସେ ।
ବିଚାରିଲେ ଜାଣିମେ ଗୁରୁଜନ । ବେଶ କଲେ ନୀତି ସାରି ବହନ । ୨୯ ।
ବସିଥିଲା ଯେ ଓଷ୍ଠେ ରଦପଦ । ବିଦ୍ରୁମରେ ଯେମନ୍ତ କୀଟ ଭେଦ ।
ବିଶେଷରେ ତାମ୍ବୁଳ ଭୁଞ୍ଜାଇଲେ । ବିଲୋପକୁ ଯେ ତାର ବିଚାରିଲେ । ୩୦ ।
ବିଧ୍ୱଂସିଲେ ସେ ଚିହ୍ନ ଗଣ୍ଡଦେଶୁଁ । ବିହି ମକରୀ ଚିତ୍ରକ ସନ୍ତୋଷୁ ।
ବକ୍ଷୋଜରେ ରାଜିତ ନଖକ୍ଷତ । ବିଧୁ ଅର୍ଦ୍ଧଶମ୍ଭୁଶିରେ ଯେମନ୍ତ । ୩୧ ।
ବେଢା଼ଇଣ ଚୋଳ ତା ଗୁପ୍ତ କରି । ବିଜେ ବାହାରେ ପୁଂସବର ଚାରି ।
ବୋଲେ ଉପଇନ୍ଦ୍ର ଭଞ୍ଜ ଏ ରସ । ବୁଝ ବୁଧମାନେ ପଦ ବତିଶ । ୩୨ ।