ବୈଦେହୀଶ ବିଳାସ/ବିଚାରଇ ମାଳ ଯମକରେ କବି ମନେ

ଉଇକିପାଠାଗାର‌ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଊନବିଂଶ ଛାନ୍ଦ: ବିଚାରଇ ମାଳ ଯମକରେ କବି ମନେ

ଊନବିଂଶ ଛାନ୍ଦ: ବିଚାରଇ ମାଳ ଯମକରେ କବି ମନେ

ରାଗ-ପଞ୍ଚମବରାଡି଼


ବିଚାରଇ ମାଳ ଯମକରେ କବି ମନେ ।
ବୁଲେ ରାମ-ରାମ ରାମନେତ୍ରୀ ଘେନି ବନେ ଯେ ।
ବୃହଦ୍ଭାନୁ ଭାନୁ ଭାନୁ ପ୍ରଭା ତାପ ନାହିଁ ।
ବୃତ ତମାଳମାଳ ମାଳତୀଲତା ଯହିଁ ଯେ । ୧ ।
ବହ ଇ ନିର୍ଝର ଝରଝର ଅବିରତ ।
ବିଶେଷ ତରଙ୍ଗ ରଙ୍ଗ ରଙ୍ଗଣୀ ଶୋଭିତ ଯେ ।
ବହି ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ର ଶୀତଳକୁ ବାତ ।
ବହେ ମନ୍ଦ ମନ୍ଦ ମନ୍ଦସୁତ କରେ ରୁତ ଯେ । ୨ ।
ବିଞ୍ଚେ ଘନଘନ ଘନ କୁଶକଣ ଯଥା ।
ବୃଷ୍ଟି ମଧୁର ମଧୁର ମଧୁରଜେ ତଥା ଯେ ।
ବିଭ୍ରାଜିତ ଭୃଙ୍ଗ ଭୃଙ୍ଗ ଭୃଙ୍ଗ କରେ କେଳି ।
ବନୀ ବନୀ ବନିତା କି ପୁଷ୍ପହାସେ ଝଳି ଯେ । ୩ ।
ବୋଧେ ଶୃଙ୍ଖଳାରେ ରଘୁନାଥ ସୀତା ମତି ।
ବିଚିତ୍ର ଚିତ୍ରକୂଟ ଯେ କିଟଜେ ବ୍ରତତି ଯେ ।
ବୃତତୀତତି ଜୟନ୍ତୀ ଅତିଭା ବାସନ୍ତୀ ।
ବାସନ୍ତୀ ସତିରେ ଫୁଲ୍ଲ ଫୁଲରେ ପ୍ରବର୍ତ୍ତି ଯେ । ୪ ।
ବର୍ତ୍ତିକ ତିକ ଆଳି ଆଳି ଯେ ବିହରିତ ।
ବିହରିତ ମାନ ମାନ ଶୁକ ସୁକବିତ ଯେ ।
ବିରର ତରଳ ନେତ୍ର ନେତ୍ରସୁବାସିନୀ ।
ବାସିନୀ ସୁଜାତି ଜାତୀ ସ୍ୱଭାବ ଭାବିନି ଯେ । ୫ ।
ବିନିସ୍ୱତ ସ୍ୱତ ଶୋଭିତ ଭୀତ ବୈଭ୍ରାଜ ।
ବୈଭ୍ରାଜ ସୁରସା ରସା କରକର ବୀଜ ଯେ ।
ବିଜନମିତ ମିତ ହରଷ ରସବାର ।
ବାରଣବୃଷା ବୃଷାଳସାଳ ପୁର ପୁର ଯେ । ୬ ।
ବୋଧନ୍ତି ରାମ ସିଂହାବଲୋକନେ ଅବଳା ।
ବଳାକାପନ୍ତି କରିଛି ଧ୍ରୁବକୁ ଧବଳା ଯେ ।
ବଳାଇ ମାନସ ମାନ ଅନା ପ୍ରାଣବନ୍ଧୁ ।
ବନ୍ଧୁକ ରଞ୍ଜନ ଅତି ରଙ୍ଗ ନିରବନ୍ଧୁ ଯେ । ୭ ।
ବନ୍ଧୁରପଥଟି ହେଜି ହେଜି ପଦ ବଳା ।
ବଳାଧ୍ୱନି ପ୍ରାୟେ ଝିଲ୍ଲୀ ଶବଦ ପ୍ରବଳା ଯେ ।
ବଳାପନ୍ତି ଫଳବତୀ ପ୍ରଫୁଲ ସେବତୀ ।
ବତିଶଲକ୍ଷଣା ଦେଖ ବିହରେ ପାର୍ବତୀ ଯେ । ୮ ।
ବତୀର୍ଣ୍ଣ ଅପୂର୍ବ ହୋଇ କେତେ ନାଗବଲ୍ଲୀ ।
ବଲ୍ଲିକା ତଳେ ଶୟନ ଚାମରୀଆବଳୀ ଯେ ।
ବଳିବ ଚଇତ୍ରରଥୁଁ ଏମନ୍ତ ଭାବନା ।
ବନାଳୀ ପ୍ରଭୁ କରିଣ କର ସମ୍ଭାବନା ଯେ । ୯ ।
ବ୍ୟାଘ୍ରଗତିରେ ସଧୀରେ କହନ୍ତି ବୀର ସେ ।
ବୀରତରୁରେ ତରୁଣି କୁସୁମ ବରଷେ ଯେ ।
ବର ଉନ୍ନତ ଉନ୍ନତ ଉପମା ବିହୀନ ।
ବିହିତ କରିଛି ବିହି କକୁଭ ବଚନ ଯେ । ୧୦ ।
ବଚ ସହିତରେ ସହି ପ୍ରକାଶେ ବିଭୁତି ।
ବିଭୁଷଣ ଚମ୍ପା ଷଣପୁଷ୍ପ ଅବିରତି ଯେ ।
ବିରଳ ଭାରତୀ କରି ଭରତୀ ବିହାରେ ।
ବିହୟସେ ଲାସ୍ୟ ଉଲ୍ଲାସକୁ ନ ବିସରେ ଯେ । ୧୧ ।
ବିଶଦ ମଲ୍ଲିକାକୁଳ ବକୁଳ ବସତି ।
ବଶରେ ବସନ୍ତି ମଧୁକରେ ବିଳସନ୍ତି ଯେ ।
ବିଳଶଯ୍ୟା ଗନ୍ଧସାର ଗନ୍ଧରେ ବିଦିତ ।
ବିଦିଗ ଦିଗ ଜବନେ ପବନେ ବାସିତ ଯେ । ୧୨ ।
ବସନ୍ତବସନ ବଶ ମହାଯମକରେ ।
ବସନ୍ତ ବସନ୍ତପକ୍ଷୀ ବସନ୍ତଦ୍ରୁମରେ ଯେ ।
ବିଥୀ ବିଥୀ ଶୋଭା ଦିଶି କୁମୁଦ କୁମୁଦ ।
ବିଲୋକ ହାସ ପ୍ରକାଶି କୁମୁଦ କୁମୁଦ ଯେ । ୧୩ ।
ବିକଶିତ ହୋଇଛନ୍ତି କେଶରୀ କେଶରୀ ।
ବିଳସେ ଶାଖାରେ ଦେଖ କେଶରୀ କେ ସରି ଯେ ।
ବିଦାରି ଯାଇଛି କରିକେଶରୀ କେଶରୀ ।
ବିହୀନ ହୋଇଛି ମାତ୍ର କେଶରୀ କେଶରୀ ଯେ । ୧୪ ।
ବାଳାକୁ ହସ୍ତ ଦେଖାଇ ପୁଣି ରଘୁବର ।
କାକ୍ୟ ସମ୍ବୋଧନ ଭାଷି ସର୍ବ ଯମକର ଯେ ।
ବଇଦେହୀ ସୁମନା ସୁମନା ଏ ସୁରଭି ।
ବ ଇଦେହୀ ସୁମନା ସୁମନା ଏ ସୁରଭି ଯେ । ୧୫ ।
ବିଦ୍ୟଲୋକରେ ପ୍ରିୟକ ମାଧବୀ ସଂଘାତ ।
ବିଦ୍ୟ ଲୋକରେ ପ୍ରିୟକ ମାଧବୀ ସଂଘାତ ଯେ ।
ବାଳିକା କନକକାନ୍ତି କନକ କନକ ।
ବାଳିକା କନକକାନ୍ତି କନକ କନକ ଯେ । ୧୬ ।
ବିଳାସିନି ଏ ସାରଙ୍ଗ ସାର ସଚକ୍ରରେ ।
ବିଳାସିନୀ ଏ ସାରଙ୍ଗ ସାରସ ଚକ୍ରରେ ଯେ ।
ବରାହ ବରେ ପ୍ରକାଶ ମାନ ଯେ ଦନ୍ତରେ ।
ବରାହବରେ ପ୍ରକାଶମାନ ଯେ ଦନ୍ତରେ ଯେ । ୧୭ ।
ବୋଲନ୍ତି ଗୋମୂତ୍ରଛନ୍ଦେ ହସ ହସ ହୋଇ ।
ବୀଣାପ୍ରତିଭାରେ ଅନା ଡୋ଼ଳାକୁ ଖେଳାଇ ଯେ ।
ବାରବାର ତାରତର ମଣିଗଣ ଜ୍ୟୋତି ।
ବିରତର ସୁରତର ଏଣୀ ଏଣ ପ୍ରୀତି ଯେ । ୧୮ ।
ବଶ ରତ୍ନନିଧି ଗୁଞ୍ଜ ସଙ୍ଗ ଅସନରେ ।
ବସ ଯତ୍ନ ବିଧି କୁଞ୍ଜଭୃଙ୍ଗ ପ୍ରସନ୍ନରେ ଯେ ।
ବାଦୀବାତ ବେଣୁ ଥାଇ ଥାଇ ପ୍ରେମଶୀଳା ।
ବେଦିବତ ମଣୁଥାଇ ପାଇ ରାମ ଶିଳା ଯେ । ୧୯ ।
ବ୍ୟଥା କରିବନି ପାଦ ପ୍ରକାଶି ବସିଲେ ।
ବସାଇ ଜାନୁରେ ଅନ୍ତର୍ଲିପିଏ ଭାଷିଲେ ଯେ ।
ବିହାରସ୍ଥାନ କେ ମୀନମାନଙ୍କ ଅଟଇ । (ବନ)
ବାୟସରେ କେହୁ ପ୍ରତିପାଳିତ ହୁଅଇ ଯେ । ୨୦ । (ପିକ)
ବିଭାବରୀ ପ୍ରକାଶେ କି କଲେ ପକ୍ଷୀଆଳି । (ରୁତ)
ବିରୁପାଷ ନେତ୍ରାନଳେ କେହୁ ଗଲା ଜଳି ଯେ । (ମାର)
ବିଷ୍ଣୁ କୋଳେ ସର୍ବକାଳେ କେହୁ ମନୋହର । (ରମା)
ବିଶ୍ୱରେ କରୁଛି କେହୁ ପର ଉପକାର ଯେ । ୨୧ । (ତରୁ)
ବାନରଙ୍କର ପ୍ରସିଦ୍ଧ ନାମ କେ ଜଗତେ । (କପି)
ବିଚାର ଗ୍ରହଗଣନା ସଂଖ୍ୟା ପୁନଃ କେତେ ଯେ । (ନବ)
ବୟସୀ ସ୍ୱୟମ୍ବରେ କନ୍ୟାକୁ କିସ କହି । (ବର)
ବୋଲାଇ ଜୀବ ମଧ୍ୟରେ ସାରସ୍ୱତ କେହି ଯେ । ୨୨ । (ନର)
ବୋଲନ୍ତି ଯବନେ ଇଷ୍ଟଦେବରେ କି ଭାଷ । (ପିର)
ବସୁଧାପତି ପ୍ରଜାଙ୍କଠାରୁ ଘେନେ କିସ ଯେ । (କର)
ବାମନମୂର୍ତ୍ତି ନନ୍ଦନ ବୋଲାନ୍ତି କାହାର । (ରୁର)
ବାଞ୍ଛା ସଂସାରୁ କି ହୋଏ ଗୁରୁଶିଷ୍ୟଠାରେ ଯେ । ୨୩ । (ରବ)
ବିଧିରେ ଯୁଦ୍ଧରେ କେହୁ ବଚନ ଚହଳ । (ମୋର)
ବସନ୍ତ ହୋଇଲେ କିସ କରଇ କୋକିଳ ଯେ । (ରବ)
ବିପ୍ରଲବ୍ଧା ପ୍ରଭାତେ କି କରେ ଉପକାନ୍ତେ । (ମାନ)
ବ୍ରହ୍ମାଣ୍ଡେ ଜୀବନମୁକ୍ତ ଅଟଇ କେ ସତେ ଯେ । ୨୪ । (ତପୀ)
ବେଦେ କେ ଆଉ ଅଥର୍ବ ଯଜୁଃ ସାମ ତେଜି । (ରୁକ)
ବସନ୍ତେ କେ କେ ବିଯୋଗୀ ଶତ୍ରୁ କହ ହେଜି ଯେ ।
ବନ ପିକ ରୁତ ମାର ବୋକେ ବଇଦେହୀ ।
ବିଶେଷ ତୋଷ ଚୁମ୍ବନ ଆଲିଙ୍ଗନ ବିହି ଯେ । ୨୫ ।
ବହିର୍ଲିପି କହି ବେନି ବେନି ବର୍ଣ୍ଣ ଲେଖି ।
ବାମ ନାଶି ଦକ୍ଷିଣବର୍ଣ୍ଣକୁ ଭଜ ସଖି ଗୋ ।
(ଶିବ) ବନ୍ଦ୍ୟ କେ ଜଗତେ, କେହୁ ତିଳକର ସ୍ଥାନ । (ଭାଲ)
(ସଭା) ବସି ରାଜ କି କରି, ବେଶ୍ୟାର କି ରଞ୍ଜନ ଯେ । ୨୬। (ରୂପ)
(ଚଣ୍ଡୀ) ବ୍ୟୋମକେଶମୋହିନୀ କେ, ଶିଶୁ କେ ପାଳୈ । (ମାତା)
(ପଶା) ବଡ ଖେଳରେ କେ ଘେନ, ଗ୍ନହ କି ମୁଞ୍ଚଇ ଯେ? (ନୀର)
(କବି) ବିରଚେ କେହୁ ପ୍ରବନ୍ଧ, ଋଷି କି କରନ୍ତି । (ତପ)
(ଗିରି) ବହେ ଉତ୍ତୁଙ୍ଗ ଶୃଙ୍ଗ କେ, ବିପ୍ରେ କି ହୁଅନ୍ତି ଯେ । ୨୭ । (ବ୍ରତ)
(ଗଦା) ବିଷ୍ଣୁ ଆୟୁଧ କେ ଚକ୍ର ବିନା, କେ ଅଗମ୍ୟ ? (ବନ)
(ଲୋକ) ବ୍ରହ୍ମା କି ପାଳନ୍ତି, କେହୁ ରଚନ୍ତି ସଂଗ୍ରାମ ଯେ ? (ବୀର)
ବୁଝି ମୈଥିଳୀ ଭାଷିତ ଗୁରୁ କରି ନାହିଁ ।
ବୋଲେ ରାଘବ ଅଗୁରୁବିଦ୍ୟା ସିନା ସେହି ଯେ । ୨୮ ।
ବିକାଶି ମୁଗ୍ଧା ପ୍ରକାଶି ଚନ୍ଦନ ବିଶେଷ ।
ବିଲେପିତେ ଧୂପିତେ କି ବଳିଛି ମାନସ ହେ ।
ବୋଲି ନୁଛିଯାଇ ତୋର ଉଦାରପଣକୁ ।
ବିହିଲେ ଲଲାଟେ ଗଇରିକରେ ଚିତ୍ରକୁ ଯେ । ୨୯ ।
ବଳିମୁଖ ମୁଖରନାଦରେ ଯାଉଁ ପାଶେ ।
ବେଗେ କରେ କରେ କୋଳ ଭୀରୁମଣି ତ୍ରାସେ ଯେ ।
ବତ୍ସେ ସେ ବିଚିତ୍ର ଚିତ୍ର ଲାଗି ଶୋଭା ପାଇ ।
ବାରିଦେ କି ଅରୁଣ ଅରୁଣ ଗଲା ଉଇଁ ଯେ । ୩୦ ।
ବିଚକ୍ଷଣ କାନ୍ତକାନ୍ତ ବଚନ ପ୍ରକାଶି ।
ବାଳା ପୁଂସ ରୀତି ତାଗ ରାଗ ଛଳେ ଦିଶି ଯେ ।
ବାରେ ହସି ମଉନ ଉନ୍ନତସ୍ତନୀ ବାଳା ।
ବିସ୍ତୀର୍ଣ୍ଣ ମଧ୍ୟଯମକ ଏ ଭାଗେ ହୋଇଲା ଯେ । ୩୧ ।
ବାରଣକେଶର ପୁଷ୍ପ ତୋଳୁଁ ପଡି ରଜ ।
ବାରି ଜନ୍ମାଉଁ ଅଦ୍ଭୁତେ ନେତ୍ର ସରସିଜ ଯେ ।
ବିଚାରିଣ ପ୍ରିୟା ମାନ ପ୍ରିୟ ଚଞ୍ଚଳିତ ।
ବିଲୋମଲୋମ ମେଷଯୁଦ୍ଧରେ ଚାଟୁ କୃତ ଯେ । ୩୨ ।
ବରଦ ବିରସାନନ ସାର ବିଦରବ ।
ବଧ ମାନ ଜରତ ତରଜନ ମାଧବ ଯେ ।
ବିଦ୍ଧ ମାର ତ ହେବ ବହେ ତର ମାଧବି ।
ବିହୋ ସଦା ତରସ ଶରତ ଦାସ ହେବି ଯେ । ୩୩ ।
ବକ୍ରୋକ୍ତି ପ୍ରକାଶ କରି ଚତୁରୀରତନ ।
ବିସ୍ତାରିଛି ନୃତ୍ୟ ଶେଷ କେ କି କହ ମାନ ଯେ ।
ବଲ୍ଲଭ ତହିଁ ମଧୁର ଧ୍ୱନିକି ରଚନା ।
ବିଣୀ ନାଚିଲେ ନାଚନ୍ତା ଉତ୍ଫୁଲ ସୁମନା ଯେ । ୩୪ ।
ବଦନକୁ ନୁଆଇଁ କହିଲ ରସବତୀ ।
ବିସୋରିବ ନାହିଁ ପରା ସେ ସୁରସପତି ଯେ ।
ବିଳସି ବିଳସି ବନେ ପର୍ଣ୍ଣବାସେ ଯାଇ ।
ବିଦ୍ୟ ଆଦ୍ୟଯମକ ପିଶିତ ଶୁଷ୍କେ ତହିଁ ଯେ । ୩୫ ।
ବଳି ବଳିପୁଷ୍ଟ ଝାମ୍ପେ ଆହାର ଲୋଭିତେ ।
ବଳି ବଳିଶୋଭିନୀ ତାହାର ନିବାରିତେ ଯେ ।
ବାସ ବାସଅଙ୍ଗୀର ଖସିଲା ଦୀପ୍ତ ସ୍ତନ ।
ବିମ୍ବ ବିମ୍ବଅରୁଣର ଯେ ଓଷ୍ଠ ନିନ୍ଦନ ଯେ । ୩୬ ।
ବିପଦ ବି ପଦ ଚଞ୍ଚୁ ଘାତରେ ବିହନ୍ତେ ।
ବିରସ ବୀରସତ୍ତମ କାଶଶର କୃତେ ଯେ ।
ବୃନ୍ଦ ବୃନ୍ଦ ମନ୍ଦର ତାଡିଲା ନେତ୍ର ଦିବେ ।
ବିଧିରେ ବିଧୀରେ ମଜ୍ଜି ଏକଦୋଷେ ସର୍ବେ ଯେ । ୩୭ ।
ବିନୟ ବିନୟ ରଖି ଲୋଟନ୍ତେ ସେ ଆଗେ ।
ବିହଙ୍ଗମେ ବିହି ଗମେ ତ୍ରାହି ସୀତା ମାଗେ ଯେ ।
ବାରେ ବାରେ ଖେଦ ଦେବ ବାଣୀ ଏ ତେମନ୍ତ ।
ବିଷ ବିଷମ ଯେମନ୍ତ ସନ୍ନିପାତେ ହିତ ହେ । ୩୮ ।
ବିଦ୍ୟ ପ୍ରାନ୍ତ ଯମକେ କହିବା ନେତ୍ରଦାନ ।
ବକ୍ର ଚିହ୍ନ ରଖି ମାତ୍ର କଲେ ନେତ୍ର ଦାନ ଯେ ।
ବଢିଲା ତୋଷ ଅଶେଷ ଲଭି ଖରେ ଗତି ।
ବୃଷା-ସୁତ ଖଗବର୍ଗ କଲେ ଖ-ରେ ଗତି ଯେ । ୩୯ ।
ବିଶିଷ୍ଟରେ ଅନକଳ ପୁଂସ ଦୀନବନ୍ଧୁ ।
ବିନୋଦରେ ସଙ୍ଗେ ଘେନି ହରେ ଦିନବନ୍ଧୁ ଯେ ।
ବଶ ଧ୍ୟାନମାନସେ ବୀର ସେ ସତୀ ପଦେ ।
ବୋଲେ ଭଞ୍ଜ ଉପଇନ୍ଦ୍ର ବେନିବିଂଶ ପଦେ ଯେ । ୪୦ ।